୧୫୭ତମ ସଂଖ୍ୟା-କୋଣାର୍କ-୨୦୧୦

 

 

 

 

 

 

 

 

 

୧୫୭ତମ ସଂଖ୍ୟା କୋଣାର୍କ ୨୦୧୦

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସମ୍ପାଦକ :

ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ

ଶ୍ରୀ ଚନ୍ଦ୍ରଶେଖର ଦାସବର୍ମା

ଡକ୍ଟର ବିଜୟାନନ୍ଦ ସିଂହ

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ଏକାଡେମୀ କର୍ତ୍ତୃକ ସର୍ବସତ୍ତ୍ୱାଧିକାର ସଂରକ୍ଷିତ । ରଚନାରେ ପ୍ରକାଶିତ ମତାମତ ନିଜସ୍ୱ ।

 

ସୂଚୀ

୧.

ବୌଦ୍ଧତନ୍ତ୍ରର ଉନ୍ମେଷ ଓ ବିକାଶ

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର

୨.

କାବ୍ୟରେ ସମର ସୂତ୍ର

ଡକ୍ଟର ବସନ୍ତ କୁମାର ପଣ୍ଡା

୩.

ଫକୀରମୋହନ ସେନାପତି ଓ ତତ୍‌କାଳୀନ

ଭାରତୀୟ ଉପନ୍ୟାସ

ଡକ୍ଟର ସାନ୍ତ୍ୱନା ହାଲ୍‌ଦାର

୪.

ଭାଷାର ଶାସ୍ତ୍ରୀୟ ମାନ୍ୟତା ଓ ଓଡ଼ିଆ ଭାଷା

ସୁବ୍ରତ କୁମାର ପୃଷ୍ଟି

୫.

ଚନ୍ଦ୍ରକଳାର କବି : ଶିବବ୍ରତ ଦାସ

ଡକ୍ଟର ତୁଳସୀ ଓଝା

୬.

ଭକ୍ତିରସ ଭାଗୀରଥୀ : ଭୀମଭୋଇ ଭଜନମାଳା

ମାନସ କୁମାର ଦାସ

୭.

ଓଡ଼ିଆ ଶିଶୁ ସାହିତ୍ୟରେ ଭ୍ରମଣ କାହାଣୀର ଧାରା

ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

 

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ ପତ୍ରିକାର ସ୍ୱତ୍ୱ ଆଦି ସମ୍ୱନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/-

୬.

ପ୍ରକାଶକଙ୍କ ନାମ

ଡକ୍ଟର ହରପ୍ରସାଦ ପରିଛା ପଟନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଜଗଦୀଶ ପଣ୍ଡା

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ

୮.

ସମ୍ପାଦକଙ୍କ ନାମ

ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ

ଶ୍ରୀ ଚନ୍ଦ୍ରଶେଖର ଦାସବର୍ମା

ଡକ୍ଟର ବିଜୟାନନ୍ଦ ସିଂହ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ

୧୦.

ସ୍ଵତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଡକ୍ଟର ହରପ୍ରସାଦ ପରିଛା ପଟନାୟକ, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ-।

 

ଡକ୍ଟର ହରପ୍ରସାଦ ପରିଛା ପଟନାୟକ

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ

 

ସଂପାଦକୀୟ

ବାସ୍ତବ ସାହିତ୍ୟ

ସାହିତ୍ୟ ଆତ୍ମାର ସ୍ଵର । ଗଳ୍ପ ବା କବିତା ହେଉ, ନାଟକ ବା ଉପନ୍ୟାସ ହେଉ ସବୁଥିରେ ଲେଖକର ସ୍ଵକୀୟ ଉପଲବ୍ଧି ବା ଅନୁଭବ ନିବିଡ଼ ଭାବରେ ପ୍ରତିଫଳିତ ହେଲେ ତାହା ପାଠକକୁ ସ୍ପର୍ଶ କରେ । ପାଠକ ନିଜର ଆନନ୍ଦ ପାଇଁ ସାହିତ୍ୟ ପଢ଼ିବାକୁ ଯାଇ ପ୍ରତ୍ୟକ୍ଷ କରେ ସମସାମୟିକ ସମାଜ । ଜୀବନର ବାସ୍ତବ ଘଟଣା ସମୂହକୁ । ପାଠକ ଉପଲବ୍ଧି କରେ ଯେ ଏହା କଥା, କାହାଣୀ ବା କବିତା ନୁହେଁ ବରଂ ଜୀବନ ବା ସମାଜ ଜୀବନର ବାସ୍ତବ ଚିତ୍ର । ସାହିତ୍ୟ ସମୟର କଥା କହିଥାଏ । ସାହିତ୍ୟ ସମକାଳୀନ ସମାଜ ବା ଜୀବନର ବୃତ୍ତଚିତ୍ର ।

 

ଲେଖିବା ସହଜ କଳା ନୁହେଁ । ବହୁ ସାଧନା, ଶୃଙ୍ଖଳିତ ଜୀବନବୋଧ ସାହିତ୍ୟ ସାଧନା ପାଇଁ ପଥ ନିର୍ଦ୍ଦେଶ କରେ । ନିତିଦିନିଆ ସମାଜର ଘଟଣା, ଦୁର୍ଘଟଣାକୁ ପ୍ରତ୍ୟକ୍ଷ କରି ସ୍ଵକୀୟ ଅନୁଭବକୁ ଶବ୍ଦରୂପ ଦେବାରେ ସ୍ରଷ୍ଟା ହିଁ ସାର୍ଥକ ଶିଳ୍ପୀ । ଲେଖିବା ସୌଖିନ କଳା ନୁହେଁ । ଲେଖିବା ଏକ କଳା-ସୃଜନ ଶକ୍ତିର ଯଥାର୍ଥ ପ୍ରତିଫଳନ । ସେଥପାଇଁ ବିଶ୍ଵର ବହୁ ପ୍ରସିଦ୍ଧ କୃତି ସମସାମୟିକ ଜୀବନ ଓ ସମାଜର କଥା କହିଛି । ଏହି ସୃଷ୍ଟି ମଧ୍ୟ ପୃଥିବୀ ପରିବର୍ତ୍ତନର ଏକ ସୂତ୍ର ହୋଇଛି ।

 

ଓଡ଼ିଆ ସାହିତ୍ୟରେ ଏପରି ଅନେକ ଗ୍ରନ୍ଥ ରହିଛି । ପାଠକର ଆଗ୍ରହ ଫଳରେ ସେହି ସବୁ ଗ୍ରନ୍ଥ ମୁଦ୍ରଣ ପରେ ମୁଦ୍ରଣ ହୋଇ ଚାଲିଛି । ବ୍ୟାସକବି ଫକୀରମୋହନ ସେନାପତିଙ୍କ ଉପନ୍ୟାସ ଛ’ ମାଣ ଆଠଗୁଣ୍ଠ ଏହି ପର୍ଯ୍ୟାୟର ଅନ୍ତର୍ଭୁକ୍ତ । ଛ’ ମାଣ ଆଠଗୁଣ୍ଠ-କାଳଜୟୀ ସୃଷ୍ଟି । ଏହା ପ୍ରଥମେ ଉତ୍କଳ ସାହିତ୍ୟରେ ଧାରାବାହିକ ଭାବେ ପ୍ରକାଶ ପାଇଥିଲା । ଏହାର ପ୍ରଭାବ ସେତେବେଳେ ଏତ ବ୍ୟାପକ ଥିଲା ଯେ ପାଠକମାନେ ଏହାକୁ ଆଗ୍ରହର ସହ ଖୋଜୁଥିଲେ ଓ ପଢୁଥିଲେ । ବାସ୍ତବରେ ଏହା ଲେଖକୀୟ ଚାତୁରୀ ।

 

ସାଂପ୍ରତିକ କାଳରେ ଲେଖକମାନେ ସମାଜନିଷ୍ଠ ହେବା ସହ ବାସ୍ତବ ଘଟଣାସହ ପ୍ରତ୍ୟକ୍ଷ ହୋଇ ସାହିତ୍ୟ ରଚନା କଲେ ତାହା ପାଠକକୁ ଛୁଇଁବ । ଏହା ଦ୍ୱାରା ଭାଷା ଓ ସାହିତ୍ୟ ସମୃଦ୍ଧ ହେବ । ସମାଜ ଜୀବନ ଶୃଙ୍ଖଳ ଓ ସୁନ୍ଦର ହେବ ।

 

ସଂସ୍କୃତି ଭଵନ

ବିଜୟାନନ୍ଦ ସିଂହ

ଭୁବନେଶ୍ଵର

ସଂପାଦକ

 

ବୌଦ୍ଧତନ୍ତ୍ରର ଉନ୍ମେଷ ଓ ବିକାଶ

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର

ଭାରତୀୟ ଧର୍ମ, ସଂସ୍କୃତି ଓ ଦର୍ଶନ ନିଗମାଗମ- ମୂଳକ । ଏଥିରେ ନିଗମ ଅର୍ଥାତ୍ ବେଦର ଯେତିକି ମହତ୍ତ୍ୱ ରହିଛି ଆଗମ ବା ତନ୍ତ୍ରର ସେତିକି ଗୁରୁତ୍ଵ ରହିଛି । ବୈଦିକ ଦର୍ଶନ ଯେପରି ଉଜ୍ଜ୍ୱଳ, ତନ୍ତ୍ର ଦର୍ଶନ ମଧ୍ୟ ସେହିପରି ସମୁଜ୍ଜ୍ୱଳ । ପ୍ରଚେତାମାନଙ୍କ ମତରେ ପ୍ରାଗ୍‌- ବୈଦିକ ଯୁଗରୁ ପବିତ୍ର ଭାରତ ଭୂଖଣ୍ଡରେ ତାନ୍ତ୍ରିକ ଉପାସନାର ଧାରା ଅବ୍ୟାହତ । ଉଲ୍ଲେଖଯୋଗ୍ୟ ଯେ, ଭାରତରେ ଜନ୍ମ ନେଇଥିବା ଜୈନ ଓ ବୌଦ୍ଧ ସଂସ୍କୃତିରେ ମଧ୍ୟ ତନ୍ତ୍ରର ପ୍ରାଧାନ୍ୟ ରହିଛି । ବୌଦ୍ଧ ଦର୍ଶନ ଏକ ନୀରୀଶ୍ଵରବାଦୀ ଦାର୍ଶନିକ ଧାରା ହୋଇଥିଲେ ହେଁ ପରବର୍ତ୍ତୀ କାଳରେ ବ୍ରାହ୍ମଣତନ୍ତ୍ର ପ୍ରଭାବରେ ଏଥିରେ ତାନ୍ତ୍ରିକ ଉପାସନା ପ୍ରବେଶ କରିଥିଲା । ଗୌରବର କଥା, ତନ୍ତ୍ରର ଆଦିପୀଠ ଓଡ଼ିଶାରୁ ବୌଦ୍ଧତନ୍ତ୍ରର ଉନ୍ମେଷ ଘଟି ବୌଦ୍ଧ ଧର୍ମରେ ତନ୍ତ୍ର ଉପାସନା ମୁଖ୍ୟସାଧନ ସ୍ୱରୂପରେ ପ୍ରତିଭାତ ହୋଇଥିଲା । ଅଧିକନ୍ତୁ ସିଦ୍ଧ ବୌଦ୍ଧାଚାର୍ଯ୍ୟଙ୍କ ଦ୍ଵାରା ବୌଦ୍ଧତନ୍ତ୍ରର ବହୁମୁଖୀ ବିକାଶ ସାଧିତ ହୋଇ ତନ୍ତ୍ର ଉପାସନା ଚୀନ୍‌, ଜାପାନ, ବ୍ରହ୍ମଦେଶ, ତିବ୍ଦତ, ସିଂହଳ, ଇଣ୍ଡୋନେସିଆ ପ୍ରଭୃତି ଦୂରଦୂରାନ୍ତ ଦେଶମାନଙ୍କରେ ପ୍ରସାର ଲାଭ କରିଥିଲା ।

 

ତନ୍ତ୍ର ଶବ୍ଦ ତନୁବିସ୍ତାର ଧାତୁ ଓ ଷ୍ଟନ୍‌ପ୍ରତ୍ୟୟରୁ ଉତ୍ପନ୍ନ । ଏହାର ତାତ୍ପର୍ଯ୍ୟ ବିସ୍ତୃତ କରିବା । ଅମରକୋଷରେ ତନ୍ତ୍ରର ଅର୍ଥ ମୁଖ୍ୟ ବିଷୟ, ସିଦ୍ଧାନ୍ତ ବା ଶାସ୍ତ୍ର । ପାଣିନୀଙ୍କ ଅଷ୍ଟାଧ୍ୟାୟୀ ବିଚାରରେ ତନ୍ତ୍ର ଶବ୍ଦର ଅର୍ଥ ତୁରନ୍ତ ନିର୍ମାଣ କରିବା । ମହାଭାଷ୍ୟରେ ତନ୍ତ୍ରର ଅର୍ଥ ଶାସ୍ତ୍ର ବା ସିଦ୍ଧାନ୍ତ । କୌଟିଲ୍ୟ ଓ ଶଙ୍କରାଚାର୍ଯ୍ୟ ଏହି ଅର୍ଥ ହିଁ ଗ୍ରହଣ କରିଛନ୍ତି । ତନ୍ତ୍ରଶାସ୍ତ୍ରମାନଙ୍କରେ କୁହାଯାଇଛି ‘‘ତନ୍ୟତେ ବିସ୍ତାର୍ଯ୍ୟତେ ଜ୍ଞାନ-ମନେନ ଇତି ତନ୍ତ୍ରମ୍‌’’ । ଅର୍ଥାତ୍ ଯାହାଦ୍ଵାରା ଜ୍ଞାନର ବିସ୍ତାର ହୁଏ ତାହା ହିଁ ତନ୍ତ୍ର ପଦବାଚ୍ୟ । ସୂକ୍ଷ୍ମ ଦୃଷ୍ଟିକୋଣରୁ ବିଚାର କଲେ ତନ୍ତ୍ର ଏକ ବ୍ୟାପକ ଶବ୍ଦ । ଭାରତୀୟ ସାଧକ ଓ ପ୍ରଚେତାବୃନ୍ଦ ତନ୍ତ୍ର ଦ୍ଵାରା ଗତି ଓ ମୁକ୍ତି ଉଭୟ ଲାଭ ହେଉଥିବାରୁ ଏହାକୁ ମହତ୍ତ୍ଵପ୍ରଦାନ କରି ଅଛନ୍ତି । ତାନ୍ତ୍ରିକ ବିଚାର ବୋଧରେ ତନ୍ତ୍ର ମୋକ୍ଷ ପ୍ରଦାନ କରିଥାଏ । ଶୈବ ସିଦ୍ଧାନ୍ତର ତନ୍ତ୍ରଶାସ୍ତ୍ର ‘‘କାମିକ ଆଗମ’’ ରେ କୁହାଯାଇଛି :-

 

ତିନୋତି ବିପୁଳାନର୍ଥାନ୍‌ତତ୍ତ୍ୱ-ମନ୍ତ୍ର-ସମନ୍ୱିତାନ୍,

ତ୍ରାଣଂଚ କୁରୁତେ ଯସ୍ମାତ୍‌ତନ୍ତ୍ରମିତ୍ୟ ଭିଧୀୟତେ ।

 

ଅଖିଳ ବିଚାରର ମାନସ ସରୋବର ବେଦ-ଅଧ୍ୟୟନରୁ ତନ୍ତ୍ରର ପ୍ରାଚୀନତାର ପ୍ରମାଣ ଉପଲବ୍ଧ ହୋଇଥାଏ । ବିଶ୍ଵର ପ୍ରାଚୀନତମ ସାହିତ୍ୟ ରଗ୍‌ବେଦରେ ସ୍ପଷ୍ଟ ଭାବରେ ତନ୍ତ୍ର ଶବ୍ଦର ଉଲ୍ଲେଖ ରହିଛି ।

 

ଇମେ ୟେ ନାର୍ବାଙନ୍‌ପରଶ୍ଚରନ୍ତି ନ ବ୍ରାହ୍ମଣାସୋ ନସୁତେକରାସଃ,

ତ ଏତେ ବାଚମଭିପଦ୍ୟ ପାପୟା ସିରୀ ସ୍ଵତନ୍ତ୍ରଂ ତନ୍ମତେ ଅପ୍ରଜ୍ଞୟଃ ।(୧)

 

ରଗ୍‌ବେଦ ସଦୃଶ ଅଥର୍ବବେଦ ଓ ବ୍ରାହ୍ମଣଗ୍ରନ୍ଥମାନଙ୍କରେ ତନ୍ତ୍ରର ଉଲ୍ଲେଖ ରହିଛି । ହୃଦ୍‌ବୋଧ ହୁଏ, ବ୍ରାତ୍ୟ ସଭ୍ୟତାର ଅଧିବାସୀ ତନ୍ତ୍ରବାଦୀ ଥିଲେ ଏବଂ ବୈଦିକ ସଭ୍ୟତା ସହିତ ବ୍ରାଚ ସଭ୍ୟତାର ମହାମିଳନ ପରେ ତନ୍ତ୍ରର ପ୍ରଚାର ତଥା ପ୍ରସାର ବୃଦ୍ଧି ପାଇଥିଲା । ଏହାର ପରବର୍ତ୍ତୀ ସାହିତ୍ୟ ଜୈମିନୀଙ୍କ ପୂର୍ବମୀମାଂସାସୂତ୍ର ଉପରେ କୁମାରୀଲ୍ଲ ରଚିତ ଶାବରଭାଷ୍ୟରେ ତନ୍ତ୍ରବାର୍ତ୍ତିକ ପ୍ରକରଣ ବିଦ୍ୟମାନ । ଏତଦ୍‌ଭିନ୍ନ ମହାଭାରତରେ ନ୍ୟାୟ, ଧର୍ମଶାସ୍ତ୍ର ଓ ଯୋଗଶାସ୍ତ୍ର ପ୍ରଭୃତିକୁ ତନ୍ତ୍ର ପର୍ଯ୍ୟାୟଭୁକ୍ତ କରାଯାଇଛି ।

 

ନ୍ୟାୟ ତନ୍ତ୍ରାଣ୍ୟ ନେକାନି ତୈସ୍ତେରୁକ୍ତାନି ବାଦିଭିଃ,

ଯତୟୋ ଯୋଗତନ୍ତ୍ରେଷୁ ଯାନ୍ ସ୍ତୁବନ୍ତି ଦ୍ୱିଜାତୟଃ ।

 

ଏଥିରୁ ଉପଲବ୍‌ଧ ହେଉଛି ମହାଭାରତ ଯୁଗରୁ ତନ୍ତ୍ରର ମହତ୍ତ୍ୱ ରହିଛି । ଆଦି ଶଙ୍କରାଚାର୍ଯ୍ୟ ସାଂଖ୍ୟକୁ ତନ୍ତ୍ର ନାମରେ ଅଭିହିତ କରିଛନ୍ତି । ତନ୍ତ୍ରର ଅପରନାମ ଆଗମ । ବାଚସ୍ପତି ମିଶ୍ର ସ୍ୱରଚିତ ତତ୍ତ୍ଵବୈଶାରଦୀରେ ଉଲ୍ଲେଖ କରିଛନ୍ତି ‘‘ଆଗଚ୍ଛନ୍ତି ବୁଦ୍ଧିମାରୋହନ୍ତୀ ଯସ୍ମାଦ୍‌ଅଭ୍ୟୁଦୟନ୍ତିଃ ଶ୍ରେୟସୋପାୟାଃ ସ ଆଗମ’’ ଅର୍ଥାତ୍‌ଯେଉଁ ଶାସ୍ତ୍ରଦ୍ଵାରା ଭୋଗ ଓ ମୋକ୍ଷ ଉଭୟର ଉପାୟ ବୁଦ୍ଧିକୁ ଆସେ, ତାହାକୁ ଆଗମ କହନ୍ତି । (୨) ସଂକ୍ଷେପରେ ଉଲ୍ଲେଖ କଲେ, କର୍ମ, ଉପାସନା ଓ ଜ୍ଞାନର ସ୍ୱରୂପ ହିଁ ବେଦ ବା ନିଗମ ତଥା ଏହାର ସାଧନ ଭୂତ ଉପାୟ ହିଁ ତନ୍ତ୍ର ବା ଆଗମ । ଅର୍ଥାତ୍ ବେଦ ଓ ତନ୍ତ୍ର ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ।

 

ଭାରତୀୟ ଜନମାନସରେ ବିଶ୍ୱାସ ରହିଥିଲା ଯେ ସତ୍ୟଯୁଗରେ ବୈଦିକ ଉପାସନା, ତ୍ରେତାଯୁଗରେ ସ୍ମାର୍ତ୍ତ ଉପାସନା, ଦ୍ଵାପର ଯୁଗରେ ପୁରାଣ ସମ୍ମତ ଉପାସନା ଏବଂ କଳିଯୁଗରେ ତାନ୍ତ୍ରିକ ଉପାସନା ଅଶେଷ ମୋକ୍ଷଦାୟକ । କୁଳାର୍ଣ୍ଣବତନ୍ତ୍ରରେ ଉଲ୍ଲେଖ ଅଛି ।

 

କୃତେ ଶ୍ରୁତ୍ୟୁକ୍ତି ଆଚାର ସ୍ତ୍ରେତାୟାଂ ସ୍ମୃତି ସମ୍ଭବ,

ଦ୍ୱାପରେ ତୁ ପୁରାଣୋକ୍ତ କଳାବାଗମ ସମ୍ମତଃ ।

 

କଳିଯୁଗରେ ଈଶ୍ୱର ଉପଲବ୍ଧି ଓ ଅଲୌକିକ ସିଦ୍ଧିପ୍ରାପ୍ତ ନିମିତ୍ତ ତନ୍ତ୍ରସାଧନା ହିଁ ସର୍ବୋତ୍କୃଷ୍ଟ । ମହାନିର୍ବାଣତନ୍ତ୍ରର କଥନ ଅନୁଯାୟୀ ଶଙ୍କର ଭଗବାନ୍ କଳିଯୁଗର ହିତାହିତ ଜ୍ଞାନବିବର୍ଜିତ ମନୁଷ୍ୟମାନଙ୍କ ଉଦ୍ଧାର ନିମିତ୍ତ ତନ୍ତ୍ରର ଉପଦେଶ ପ୍ରଦାନ କରିଥିଲେ । ତାଙ୍କ ପାଞ୍ଚମୁଖରୁ ଅଠାଇଶିଗୋଟି ତନ୍ତ୍ରର ଉନ୍ମେଷ ଘଟିଥିଲା । ସଦ୍ୟୋଜାତ ମୁଖରୁ କାମିକ, ଯୋଗଜ, ଚିନ୍ତ୍ୟ, କାରଣ ଓ ଅଜିତ ପ୍ରଭୃତି ପାଞ୍ଚଗୋଟି ତନ୍ତ୍ର, ବାମଦେବ ମୁଖରୁ ଦୀପ୍ତ, ସୂକ୍ଷ୍ମ, ସହସ୍ର, ଅଂଶୁମାନ ଓ ସୁପ୍ରଭେଦ ପ୍ରଭୃତି ପାଞ୍ଚଗୋଟି, ଅଘୋର ମୁଖରୁ ବିଜୟ, ନିଃଶ୍ଵାସ, ସ୍ଵାୟମ୍ଭବ, ଅନଳ ଓ ବୀର ପ୍ରଭୃତି ପାଞ୍ଚଗୋଟି, ତତ୍‌ପୁରୁଷ ମୁଖରୁ ରୌରବ, ମୁକୁଟ, ବିମଳ, ଚନ୍ଦ୍ରଜ୍ଞାନ ଓ ବିମ୍ବ ପ୍ରଭୃତି ପାଞ୍ଚଗୋଟି ଏବଂ ଈଶାନ ନାମକ ମୁଖରୁ ପ୍ରୋଦ୍‌ଗୀତ, ଲଳିତ, ସିଦ୍ଧ, ସନ୍ତାନ, ସର୍ବୋତ୍ତର, ପରମେଶ୍ୱର, କିରଣ ଓ ବାତୁଳ ପ୍ରଭୃତି ଆଠଗୋଟି ଏରୂପ ମୋଟ ଅଠାଇଶି ତନ୍ତ୍ରର ଉଦ୍‌ଗାତା ହେଉଛନ୍ତି ଶିବ । ଏଥିନିମିତ୍ତ ଶିବଙ୍କ ପାଞ୍ଚଗୋଟି ମସ୍ତିଷ୍କର ସ୍ଥିତି ଅନୁଯାୟୀ ତନ୍ତ୍ରସମୂହକୁ ପୂର୍ବାମ୍ନାୟ, ଦକ୍ଷିଣାମ୍ନାୟ, ପଣ୍ଚିମାମ୍ନାୟ, ଉତ୍ତରାମ୍ନାୟ, ଉତ୍ତରାମ୍ନାୟ ଓ ଉର୍ଦ୍ଧ୍ୱାମ୍ନାୟ ପ୍ରଭୃତି ପାଞ୍ଚଭେଦରେ ବିଭକ୍ତ କରାଯାଇଛି । ତନ୍ତ୍ର ସଂସ୍କୃତିର ଉତ୍ତରଣରେ ବୈଦିକ ଯୁଗରୁ ପୁରାଣଯୁଗ ପର୍ଯ୍ୟନ୍ତ ସମଗ୍ର ଭାରତବର୍ଷରେ ବୈଦିକ ଉପାସନା ସହିତ ତାନ୍ତ୍ରିକ ଉପାସନାର ବ୍ୟାପକ ପ୍ରକାର ଘଟିଥିଲା ।

 

ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଭାରତ ଭୂଖଣ୍ଡରେ ବୌଦ୍ଧମତବାଦର ଉନ୍ମେଷ ଘଟିଲା । ମହାତ୍ମାବୁଦ୍ଧଙ୍କ । ମହାପରିନିର୍ବାଣ ପରେ ତାଙ୍କ ଶିଷ୍ୟମଣ୍ଡଳୀରେ ମତଭେଦ ସୃଷ୍ଟି ହୋଇ ମାତ୍ର ତିନିମାସ ପରେ ବୌଦ୍ଧଧର୍ମଗ୍ରନ୍ଥ ତ୍ରିପିଟକରେ କେତେକ ପରିବର୍ତ୍ତନ କାମନାରେ ରାଜଗୃହଠାରେ ପ୍ରଥମ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହେଲା । ମାତ୍ର ଏହି ସମ୍ମିଳନୀରେ ବୌଦ୍ଧନୀତି ପରିବର୍ତ୍ତନର ସ୍ଵର କ୍ଷୀଣ ଥିଲା । ଏକଶତବର୍ଷ ପରେ ବୈଶାଳୀଠାରେ ଦ୍ୱିତୀୟ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହେଲା-। ଏହି ସମ୍ମିଳନୀରେ ମଧ୍ୟ ପରିବର୍ତ୍ତନ ପାଇଁ ଆସିଥିବା ପ୍ରସ୍ତାବ ଗୃହୀତ ହୋଇ ପାରିଲା ନାହିଁ । ପରିଣାମସ୍ଵରୂପ ବୌଦ୍ଧ ଧର୍ମାବଲମ୍ବୀମାନେ ଦୁଇଭାଗରେ ବିଭକ୍ତ ହୋଇଗଲେ । ମୌଳବାଦୀମାନେ ସ୍ଥବିରବାଦୀ ଓ ପରିବର୍ତ୍ତନବାଦୀମାନେ ମହାସାଂଘିକ ନାମରେ ପରିଚିତ ହେଲେ । ଏମାନଙ୍କ ମଧ୍ୟରେ ମତଭେଦ ବୃଦ୍ଧି ପାଇ ରକ୍ଷଣଶୀଳ ଗୋଷ୍ଠୀ ହୀନଯାନୀ ଏବଂ ପ୍ରଗତିଶୀଳ ଗୋଷ୍ଠୀ ମହାଯାନୀ ଭାବରେ ନାମିତ ହେଲେ । ମୌର୍ଯ୍ୟସମ୍ରାଟ୍‌ଅଶୋକଙ୍କ ରାଜତ୍ୱରେ ପାଟଳୀପୁତ୍ରଠାରେ ତୃତୀୟ ବୌଦ୍ଧସମ୍ମିଳନୀ ଅନୁଷ୍ଠିତ ହୋଇଥିଲେ ହେଁ କୌଣସି ସିଦ୍ଧାନ୍ତ ନିଆଯାଇପାରିଲା ନାହିଁ । ସେହି ସମୟକୁ ବୌଦ୍ଧମତରେ ଅଠରଗୋଟି ସଂପ୍ରଦାୟ ବା ନିକାୟ ସୃଷ୍ଟି ହୋଇସାରିଥିଲା । ଆଚାର୍ଯ୍ୟ ବସୁମିତ୍ର ‘‘ଅଷ୍ଟାଦଶନିକାୟ’’ ଶାସ୍ତ୍ରରେ ଏହିସବୁ ନିକାୟମାନଙ୍କର ବିଷଦବର୍ଣ୍ଣନା କରିଅଛନ୍ତି । ଏହି ବସୁମିତ୍ରଙ୍କ ଶିଷ୍ୟ ତ୍ରିରତ୍ନଦାସ ଓଡ଼ିଶା ନିବାସୀ ଥିଲେ । ତାଙ୍କ ରଚନା ମଧ୍ୟରେ ‘‘ଅନନ୍ତଗୁଣ’’ ଲୋକପ୍ରିୟ ଗ୍ରନ୍ଥ । ଅବଶ୍ୟ ପରବର୍ତ୍ତୀ ସମୟରେ ଏହିସବୁ ନିକାୟମାନଙ୍କର ସିଦ୍ଧାନ୍ତସମୂହ ଅବାନ୍ତର ପ୍ରତୀତ ହେଲା । କିନ୍ତୁ ମହାଯାନମତର ପ୍ରାବଲ୍ୟ ବୁଦ୍ଧି ପାଇଲା । ଐତିହାସିକ ଲାମା ତାରାନାଥ ସୂରଚିତ ଗ୍ରନ୍ଥର ୫୮ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି ଯେ ନନ୍ଦବଂଶ ରାଜତ୍ୱକାଳରେ ଚନ୍ଦ୍ରଗୁପ୍ତ ନାମରେ ଜନୈକ ରାଜା କଳିଙ୍ଗରେ (ଓଡ଼ିଶା) ରାଜତ୍ୱ କରୁଥିଲେ । ମଞ୍ଜୁଶ୍ରୀ ତାଙ୍କ ପ୍ରାସାଦକୁ ଭିକ୍ଷୁବେଶରେ ଆସି ମହାଯାନ ମତ ବ୍ୟାଖ୍ୟା କରିଥିଲେ । ପାଗ୍‌ସାମ୍‌ଜନଜାଙ୍ଗର ୮୨ ପୃଷ୍ଠାରେ ମଧ୍ୟ ଉଲ୍ଲେଖ ରହିଛି ମହାପଦ୍ନନନ୍ଦଙ୍କ ରାଜତ୍ଵର ଅଳ୍ପକାଳ ପରେ ବୌଦ୍ଧ ମହାଯାନ ମତ ପ୍ରଥମେ କଳିଙ୍ଗରେ (ଓଡ଼ିଶା) ଆରମ୍ଭ ହୋଇଥିଲା । ଓଡ଼ିଶାର ସିଦ୍ଧ ସାଧକବୃନ୍ଦ ପ୍ରଥମେ ବୌଦ୍ଧଧାରିଣୀମନ୍ତ୍ର ଓ ବୀଜମନ୍ତ୍ରର ଉନ୍ମେଷ ଘଟାଇଥିଲେ ବୋଲି ଲଙ୍କାବତାର ସୂତ୍ରରେ ଉଲ୍ଲିଖିତ । ଏହାପରେ କନିଷ୍କଙ୍କ ରାଜତ୍ୱରେ କାଶ୍ମୀରୀ ପ୍ରଦେଶରେ ଚତୁର୍ଥ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ମହାଯାନମତ ବିଧିବଦ୍ଧ ସ୍ଵୀକୃତି ଲାଭ କଲା । କନିଷ୍କଙ୍କ ରାଜତ୍ଵର ବହୁପୂର୍ବରୁ ମହାଯାନର ଶୂନ୍ୟବାଦ ପ୍ରଚାରିତ ହୋଇଥିଲେ ହେଁ କନିଷ୍କଙ୍କ ରାଜତ୍ୱରେ ଏହା ବୌଦ୍ଧଧର୍ମର ପ୍ରଧାନ ଶାଖାରୂପେ ବିବେଚିତ ହେଲା । ମହାଯାନପନ୍ଥୀଙ୍କ ଦୃଷ୍ଟିରେ ବୁଦ୍ଧ ସର୍ବଶକ୍ତିମାନ ଅଲୌକିକ ପୁରୁଷ ଥିଲେ । ଏମାନେ ବୁଦ୍ଧଙ୍କର ଅବତାର ବାଦର ପକ୍ଷପାତୀ ଥିଲେ । ସେମାନଙ୍କ ମତରେ ଶାକ୍ୟମୁନି ଏହି ଲୋକେତ୍ତର ବୃଦ୍ଧଙ୍କର ଲୋକାନୁବର୍ତ୍ତନ ନିମିତ୍ତ ଅବତାର ଗ୍ରହଣ କରିଥିଲେ । ସେହିମାନେ ହିଁ ମହାତ୍ମାବୁଦ୍ଧଙ୍କର ମୌଳିକ ଶିକ୍ଷାକୁ ମାନିବା ଲୋକମାନଙ୍କୁ ହୀନ ଦୃଷ୍ଟିରେ ଦେଖି ହୀନଯାନୀ କହୁଥିଲେ । ମହାଯାନୀଙ୍କ ମଧ୍ୟରେ ସବୁଠାରୁ ବଡ଼ ପ୍ରଚାରକ ଥିଲେ ନାଗାର୍ଜୁନ । ଏହି ନାଗାର୍ଜୁନଙ୍କ ସାଧନାସ୍ଥଳୀ ଥିଲା ପଶ୍ଚିମ ଓଡ଼ିଶାର ପରିମଳଗିର । ହୀନଯାନୀମାନେ ପାଲି ଭାଷାରେ ସେମାନଙ୍କ ଶାସ୍ତ୍ର ରଚନା କରୁଥିଲେ ଏବଂ ମହାଯାନୀମାନେ ସଂସ୍କୃତଭାଷାରେ ସେମାନଙ୍କ ଶାସ୍ତ୍ର ରଚନା କରୁଥିଲେ । ନାଗାର୍ଜୁନଙ୍କ ବ୍ୟତୀତ ଅସଙ୍ଗ, ବସୁବନ୍ଧୁ, ଦିଙ୍‌ନାଗ, ଶଙ୍କରସ୍ୱାମୀ, ବୁଦ୍ଧଘୋଷ ଓ ଧର୍ମକୀର୍ତ୍ତି ପ୍ରଭୃତି ଆଚାର୍ଯ୍ୟବୃନ୍ଦ ସଂସ୍କୃତ ଭାଷାରେ ବିଭିନ୍ନ ଶାସ୍ତ୍ର ରଚନାକରି ମହାଯାନମତ ପ୍ରଚାର କରିଥିଲେ । ଏମାନେ ସମସ୍ତେ ଆଦିଶଙ୍କରାଚାର୍ଯ୍ୟଙ୍କ ପୂର୍ବବର୍ତ୍ତୀ ବୌଦ୍ଧାଚାର୍ଯ୍ୟ ତଥା ସଭିଙ୍କର ସାଧନାସ୍ଥଳୀ ଥିଲା ଓଡ଼ିଶା । ମହାତ୍ମାବୁଦ୍ଧଙ୍କ ଜୀବଦଶାରେ ତାଙ୍କ ଉପଦେଶାବଳୀ ଲିପିବଦ୍ଧ ହୋଇନଥିଲା । ତାଙ୍କ ମହାନିର୍ବାଣପରେ ପ୍ରମୁଖ ଶିଷ୍ୟଗଣଙ୍କ ମଧ୍ୟରୁ ଆନନ୍ଦ ଦାର୍ଶନିକ ସୂତ୍ତ ଏବଂ ଉପାଳୀ ଆଚାରସୂତ୍ତ ପ୍ରଣୟନ କରିଥିଲେ । ଏହା ସୂତ୍ତପିଟଳ ଓ ବିନୟପିଟଳ ନାମରେ ବୁଦ୍ଧଙ୍କ ବଚନ ଭାବରେ ଆଦୃତ-। ପରବର୍ତ୍ତୀ କାଳରେ ଅଭିଧର୍ମ ପିଟକରେ ସୂତ୍ତପିଟଳର ବିଷଦ ବ୍ୟାଖ୍ୟା ପ୍ରଦତ୍ତ । ଏହି ତିନିଗୋଟି ପିଟକକୁ ‘‘ତ୍ରିପିଟକ’’ କୁହାଯାଏ । ମହାଯାନପନ୍ଥୀ ଆଚାର୍ଯ୍ୟବୃନ୍ଦ ସଂସ୍କୃତରେ ଅନେକ ଶାସ୍ତ୍ର ରଚନା କରି ବୌଦ୍ଧଧର୍ମକୁ ଆବିଶ୍ଵ ପ୍ରସାରରେ ବ୍ରତୀ ହେଲେ । ସେହି ସବୁ ଶାସ୍ତ୍ର ମଧ୍ୟରୁ ଅଷ୍ଟସାହସ୍ରିକା ପ୍ରଜ୍ଞାପାରମିତା, ସଦ୍ଧର୍ମ ପୁଣ୍ଡରିକ, ଲଳିତ ବିସ୍ତର, ଲଙ୍କାବତାର ସୂତ୍ର, ସୁବର୍ଣ୍ଣ ପ୍ରଭାସ ସୂତ୍ର, ଗଣ୍ଡବ୍ୟୁହ ସୂତ୍ର ତଥାଗତ ଗୁହ୍ୟକ ସୂତ୍ର, ସମାଧିରାଜ ଓ ଦଶ ଭୂମିସ୍ଵର ବିଶେଷ ପ୍ରସିଦ୍ଧ ଲାଭ କରିଥିଲା । ତନ୍ମଧ୍ୟରେ ‘‘ଅଷ୍ଟସାହସ୍ରିକା ପ୍ରଜ୍ଞାପାରମିତା’’ ସର୍ବୋତ୍କୃଷ୍ଟ ଓ ପ୍ରଥମ । ଏହି ଗ୍ରନ୍ଥ ଉପରେ ନାଗାର୍ଜୁନ ଭାଷ୍ୟ ରଚନାକରି ପ୍ରଜ୍ଞାପାରମିତା ଶାସ୍ତ୍ର ସଙ୍କଳନ କରିଥିଲେ ଏବଂ ତାହା ଦ୍ୱିତୀୟ ଶତାବ୍ଦୀରେ ଚୀନ୍‌ଭାଷାରେ ଲୋକରକ୍ଷଙ୍କ ଦ୍ଵାରା ଅନୁଦିତ ହୋଇଥିଲା । ମୂଳ ଅଷ୍ଟସାହସ୍ରିକା ପ୍ରଜ୍ଞାପାରମିତା ଓଡ଼ିଶାରେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ରଚନା ହୋଇଥିଲା ବୋଲି ତାରାନାଥ ଏବଂ ସୁଂପା ମଖନ୍‌ପୋ ଆଦି ଲାମାଗଣ ବିବେଚନା କରିଛନ୍ତି । ଏହି ପୁରୋଦୃଷ୍ଟିରୁ ଓଡ଼ିଶା ହିଁ ମହାଯାନ ବୌଦ୍ଧ ଧର୍ମର ଜନ୍ମଭୂମି ।

 

ବୋଧିସତ୍ତ୍ୱ କଳ୍ପନାର ମହାଯାନପନ୍ଥୀଙ୍କର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ମତ । ବୋଧିସତ୍ତ୍ଵର ଶାବ୍ଦିକ ଅର୍ଥ ହେଉଛି ‘‘ବୋଧୌ ସତ୍ତ୍ୱଂ ଅଭିପ୍ରାୟୋଦ୍ଧସ୍ୟ ଇତି ବୋଧିସତ୍ତ୍ୱଃ’’ ଅର୍ଥାତ୍‌ବୋଧିପ୍ରାପ୍ତ କରିବାକୁ ଇଚ୍ଛା ରଖିବା ବ୍ୟକ୍ତି ବା ସାଧକ । (୩) ବୋଧିସତ୍ତ୍ୱ ଅବସ୍ଥାପ୍ରାପ୍ତ ସାଧକର ଜୀବନ ଅତ୍ୟନ୍ତ ଉଦାର, ମହନୀୟ ତଥା ବ୍ୟାପକ ହୋଇଥାଏ । ସକଳ ପ୍ରାଣୀଙ୍କ ଦୁଃଖରାଶି ଶାନ୍ତ କରିବା ହିଁ ବୋଧିସତ୍ତ୍ୱ‌ର ଅନ୍ତିମ କାମନା । ଏଥିନିମିତ୍ତ ବୋଧି ସତ୍ତ୍ୱକୁ ପ୍ରଥମେ ବୋଧଚିତ୍ତ ଗ୍ରହଣ କରିବାକୁ ପଡ଼ିଥାଏ । ସଂବୋଧିରେ ଚିତ୍ତକୁ ପ୍ରତିଷ୍ଠିତ କରିବା ନିମିତ୍ତ ତାକୁ ସପ୍ତବିଧ ଅନୁତ୍ତର ପୂଜାନୁଷ୍ଠାନ କରିବାକୁ ହୋଇଥାଏ । ସେଗୁଡ଼ିକ ହେଉଛି ବନ୍ଦନା, ପୂଜା, ପାପଦେଶନା, ପୂଣ୍ୟାନୁମୋଦନ, ଅଧ୍ୟେଷଣା, ବୋଧିଚିତ୍ତୋତ୍ପାଦ ତଥା ପଗିଣାମନା । ପୂଜାସହିତ ଷଟ୍‌ପାରମିତା ଅର୍ଥାତ୍ ଦାନଶୀଳ, କ୍ଷାନ୍ତି, ବୀର୍ଯ୍ୟ ଧ୍ୟାନ ଓ ପ୍ରଜ୍ଞାର ଅନୁଶୀଳନ ନିତାନ୍ତ ଉପଯୋଗୀ ସାଧନ, ଏହାପରେ ପ୍ରଜ୍ଞାପାରମିତା ବା ପୂର୍ଣ୍ଣଜ୍ଞାନ ପ୍ରାପ୍ତି ସମ୍ଭବ ହୋଇଥାଏ । ପ୍ରଜ୍ଞାପାରମିତା ପ୍ରାପ୍ତ କରିବା ବୋଧିସତ୍ତ୍ୱ ନିମିତ୍ତ ଜଗତ୍‌ମାୟିକ ତଥା ସ୍ଵପ୍ନବିତ୍‌ମିଥ୍ୟା ପ୍ରତୀତ ହୁଏ । ଏହି ଦିବ୍ୟଦୃଷ୍ଟିରେ ମହାଯାନୀ ବୌଦ୍ଧ ସାଧକ ବୃନ୍ଦ ପ୍ରଜ୍ଞାପାରମିତାଙ୍କୁ ଦେବୀ ରୂପରେ ଉପାସନା ଆରମ୍ଭ କରିଥିଲେ, ଯଦ୍ୱାରା ବୌଦ୍ଧତନ୍ତ୍ରର ଉନ୍ମେଷ ଘଟିଥିଲା । ପ୍ରଜ୍ଞାପାରମିତା ପ୍ରଥମେ ମହାଯାନପନ୍ଥୀଙ୍କ ଶାସ୍ତ୍ରରୂପରେ ଓ ପରବର୍ତ୍ତୀ ସମୟରେ ଦେବୀ ଭାବରେ ସର୍ବଜନପ୍ରିୟ ହୋଇଥିଲେ । ‘‘ସାଧନମାଳା’’ ରେ ତାଙ୍କ ଉପାସନାରେ ନଅଗୋଟି ସୂତ୍ର ଉଲ୍ଲିଖିତ । ପ୍ରଜ୍ଞାପାରମିତା ସୂତ୍ରରେ ଏହି ଦେବୀଙ୍କର ଓ ଉପାସନାର ଦିବ୍ୟସନ୍ଦେଶ ପ୍ରଦତ୍ତ ।

 

ସର୍ବେଷାମପି ବୀରାଣାଂ ପରାର୍ଥ ନିୟତାତ୍ମନାଂ

ବୋଧିକା ଜନୟିତ୍ରୀଚ ମାତା ତ୍ଵମସି ବତ୍ସଳା ।

ବୁଦ୍ଧୈଃ ପ୍ରତ୍ୟେକ ବୁଦ୍ଧୈଶ୍ଚ ଶ୍ରାବକୈଶ୍ଚ ନିଷେବିତା,

ମାର୍ଗସ୍ୱମେକା ମୋକ୍ଷସ୍ୟ ନାସ୍ତ୍ୟନ୍ୟ ଇତି ନିଶ୍ଚୟଃ । (୪)

 

ସାଧନମାଳାରେ ବିଭିନ୍ନ ରୂପଧାରିଣୀ ପ୍ରଜ୍ଞାପାରମିତାଙ୍କର ପରିଚୟ ମିଳିଥାଏ । ମହାଯାନ ପନ୍ଥୀଗଣ ବୋଧିସତ୍ତ୍ୱ ପ୍ରାପ୍ତ ପୂର୍ବକ ପ୍ରାଣୀମାନଙ୍କୁ ମୁକ୍ତିର ମାର୍ଗ ପ୍ରଦର୍ଶନ କରାଇବାର ମହାଭିପ୍ରାୟରେ ପ୍ରଜ୍ଞାପାରମିତା ଉପାସନାମୂଳକ ତନ୍ତ୍ରମାର୍ଗକୁ ଆଦରିନେଇ ମନ୍ତ୍ର ଓ ତନ୍ତ୍ର ପ୍ରତି ବିଶେଷ ଅଭିରୁଚି ଦେଖାଇଥିଲେ । ବ୍ରାହ୍ମଣତନ୍ତ୍ର ଦ୍ୱାରା ପ୍ରଭାବିତ ହୋଇ ସେମାନେ ପ୍ରଜ୍ଞାପାରମିତାଙ୍କର ସ୍ଵତନ୍ତ୍ର ପୂଜାର୍ଚ୍ଚନାର ଧାରା ପ୍ରବର୍ତ୍ତନ କଲେ । ଏହି ଉପାସନା ଓଡ଼ିଶାରୁ ଆରମ୍ଭହୋଇ ସର୍ବତ୍ର ପ୍ରଚାରିତ ହୋଇଥିଲା । ଓଡ଼ିଶାର ରତ୍ନଗିରି, ତାରପୁର, ଚୌଦ୍ୱାର, ଉଦୟଗିରି ଓ ବାଣେଶ୍ୱରନାସୀ ପ୍ରଜ୍ଞାପାରମିତା ପୂଜାପୀଠ ରୂପେ ପ୍ରସିଦ୍ଧିଲାଭ କରିଥିଲା । ପରବର୍ତ୍ତୀ ସମୟରେ ସେହିସବୁ ସ୍ଥାନମାନଙ୍କରୁ ବହୁ ପ୍ରଜ୍ଞାପାରମିତା ମୂର୍ତ୍ତି ମିଳିଛି । ଯାଜପୁର ଅଧିଷ୍ଠାତ୍ରୀ ଦେବୀ ବିରଜା ହେଉଛନ୍ତି ବିଶ୍ୱର ପ୍ରଥମ ଦ୍ୱିଭୁଜା ମହିଷମର୍ଦ୍ଦିନୀ ଦୁର୍ଗା ମୂର୍ତ୍ତି । ତାଙ୍କରି ମୂର୍ତ୍ତିକୁ ଆଧାର କରି ଓଡ଼ିଶୀ ଭାସ୍କାର୍ଯ୍ୟଶୈଳୀ ତଥା ମହାଯାନୀୟ କଳ୍ପନାରେ ପ୍ରଜ୍ଞାପାରମିତାଙ୍କର ମୂର୍ତ୍ତି ନିର୍ମାଣ ହୋଇଥିଲା । ବାମ ହସ୍ତରେ ପଦ୍ମ ଉପରେ ପ୍ରଜ୍ଞାପାରମିତାଶାସ୍ତ୍ର ଏବଂ ଦକ୍ଷିଣହସ୍ତରେ ରକ୍ତକମଳ ଧାରଣ କରି ବରଦାମୁଦ୍ରା ପ୍ରଦର୍ଶିତା ମୂର୍ତ୍ତି ପ୍ରଥମେ ନିର୍ମିତ ହୋଇଥିଲେ ହେଁ ପରେ ବହୁ ହସ୍ତ ବିଶିଷ୍ଟ ମୂର୍ତ୍ତି ନିର୍ମାଣ ହୋଇଥିଲା । ଓଡ଼ିଶାରୁ ଯେତିକି ପ୍ରଜ୍ଞାପାରମିତା ମୂର୍ତ୍ତି ମିଳିଛି, ଭାରତର ଅନ୍ୟାନ୍ୟ ଅଞ୍ଚଳରୁ ସେତିକି ମିଳିନାହିଁ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ବିରଜାଙ୍କ ତନ୍ତ୍ର ଉପାସନାକୁ ଆଧାରକରି ବୌଦ୍ଧ ମହାଯାନ ପନ୍ଥୀମାନେ ପ୍ରଜ୍ଞାପାରମିତା ଉପାସନା ତାନ୍ତ୍ରିକ ବିଧିରେ ଆରମ୍ଭ କରିଥିଲେ ।

 

ବୌଦ୍ଧତନ୍ତ୍ରମତର ପ୍ରଧାନ ଆଚାର୍ଯ୍ୟ ନାଗାର୍ଜୁନ । ତାଙ୍କୁ ତାନ୍ତ୍ରିକ ଶିରୋମଣି ବୋଲି କୁହାଯାଇଛି । ତତ୍‌କୃତ ‘‘ମଞ୍ଜୁଶ୍ରୀ ମୂଳକଳ୍ପ’’ ରେ ମନ୍ତ୍ର ତନ୍ତ୍ର ସମୂହର ପର୍ଯ୍ୟାପ୍ତ ବିଧାନ ରହିଛି । ନାଗାର୍ଜୁନ ଦକ୍ଷିଣ ଭାରତରେ ବ୍ରାହ୍ମଣକୁଳରେ ଜନ୍ମଗ୍ରହଣ କରିଥିଲେ ହେଁ ବୌଦ୍ଧ ଧର୍ମର ଦୀକ୍ଷା ଗ୍ରହଣ ପରେ ଓଡ଼ିଶାର ପରିମଳଗିରିରେ ସାଧନା କରିଥିଲେ । ସାଧନାରେ ସିଦ୍ଧିଲାଭ ପରେ ସେ ପ୍ରାପ୍ତ ସିଦ୍ଧାନ୍ତ ସମୂହକୁ ସତାଇଶି ପ୍ରକରଣ ବିଶିଷ୍ଟ ମାଧ୍ୟମିକ କାରିକାରେ ବର୍ଣ୍ଣନ ପୂର୍ବକ ଶୂନ୍ୟବାଦର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କେତେକଙ୍କ ମତରେ ସେ ଶ୍ରୀପର୍ବତରେ ସାଧନ ପୂର୍ବକ ଶୂନ୍ୟବାଦ ବା ମାଧ୍ୟମିକ ସିଦ୍ଧାନ୍ତର ପ୍ରଚାର କରିଥିଲେ । ପରବର୍ତ୍ତୀ କାଳୀନ ଭୋଟ ଦେଶର ଗ୍ରନ୍ଥ ସମୂହରେ ଶ୍ରୀପର୍ବତ ପ୍ରାନ୍ତରରେ ମନ୍ତ୍ରଯାନର ଉଦୟ ହୋଇଛି ବୋଲି ଉଲ୍ଲେଖ ରହିଛି । ଗବେଷକମାନଙ୍କ ମତରେ ନାଗାର୍ଜୁନଙ୍କ ସମୟ ଦ୍ୱିତୀୟ ଶତାବ୍ଦୀ । ବୌଦ୍ଧତନ୍ତ୍ରର ଦାର୍ଶନିକ ଭାବରେ ତାଙ୍କର ପ୍ରସିଦ୍ଧି ରହିଛି । ଡକ୍ଟର ନବୀନ କୁମାର ସାହୁଙ୍କ ମତରେ ମାଧ୍ୟମିକ ଦର୍ଶନର ପ୍ରଚାରକ ନାଗାର୍ଜୁନ ଦ୍ୱିତୀୟ ଶତାବ୍ଦୀରେ ପରିମଳଗିରିରେ ନିବାସ କରୁଥିଲେ ଏବଂ ଅନ୍ୟ ଜଣେ ତାନ୍ତ୍ରିକ ନାଗାର୍ଜୁନ ଶ୍ରୀପର୍ବତରେ ଅଷ୍ଟମ ଶତାବ୍ଦୀରେ ନିବାସ କରୁଥିଲେ । ତାଙ୍କ ନାମାନୁସାରେ ଶ୍ରୀ ପର୍ବତର ନାମ ନାଗାର୍ଜୁନ କୋଣ୍ଡା ହୋଇଅଛି । ପ୍ରଥମ ନାଗାର୍ଜୁନଙ୍କ ରଚିତ ଶାସ୍ତ୍ର ମଧ୍ୟରେ ପ୍ରଜ୍ଞାପାରମିତାଶାସ୍ତ୍ର, ପ୍ରଜ୍ଞାମୂଳ ଶାସ୍ତ୍ର ଟୀକା, ପ୍ରଜ୍ଞାପ୍ରଦୀପ ଶାସ୍ତ୍ର କାରିକା, ମୂଳ ମାଧ୍ୟମିକ ଶାସ୍ତ୍ର, ମଧ୍ୟନ୍ତାନୁଗମ ଶାସ୍ତ୍ର, ଦ୍ୱାଦଶ-ଭୂମିବିଭାଷାଶାସ୍ତ୍ର, ଦ୍ୱାଦଶ ନିକାୟଶାସ୍ତ୍ର, ଉପାୟ କୌଶଲ୍ୟ ହୃଦୟଶାସ୍ତ୍ର, ବିଗ୍ରହ-ବ୍ୟବର୍ତ୍ତନୀ-କାରିକା ଆଦିଗ୍ରନ୍ଥ ବିଶେଷ ପ୍ରସିଦ୍ଧି ଲାଭ କରିଥିଲା । ତାଙ୍କର ପଟ୍ଟଶିଷ୍ୟ ଥିଲେ ରାଜକୁମାର ଆର୍ଯ୍ୟଦେବ । ଏହାଙ୍କ ସମୟ ତୃତୀୟ ଶତାବ୍ଦୀ । ଆର୍ଯ୍ୟଦେବଙ୍କ ଜନ୍ମସ୍ଥାନ ହେଉଛି କଳିଙ୍ଗର ରାଜଧାନୀ ସିଂହପୁର । ମଞ୍ଜୁଶ୍ରୀମୂଳକଳ୍ପରେ ତାଙ୍କୁ ସୈହ୍ନିକପୁର ବାସ୍ତବ୍ୟ ବୋଲି କୁହାଯାଇଛି, ଅଥଚ କେତେକ ଗବେଷକ ତାଙ୍କୁ ସିଂହଳ ରାଜକୁମାର ଭାବରେ ଚିତ୍ରଣ କରିଛନ୍ତି । ସେ ମାଧ୍ୟମିକ ଦର୍ଶନ ଉପରେ ଦୀର୍ଘକାଳ ଗବେଷଣାକରି ତାହାର ସିଦ୍ଧାନ୍ତ ପ୍ରଚାରରେ ବ୍ରତୀ ଥିଲେ । ଶୂନ୍ୟବାଦ ସିଦ୍ଧାନ୍ତ ସମ୍ବଳିତ ଏହାଙ୍କର ଅନୁପମକୃତୀ ହେଉଛି ‘ଚତୁଃଶତକ’, ହୁଏନ୍‌ସାଂ ପରବର୍ତ୍ତୀ କାଳରେ ଚୀନ୍‌ଭାଷାରେ ଏହି ପରମଶାସ୍ତ୍ରର ଅନୁବାଦ କରିଥିଲେ, ଯାହା ‘‘ଶତଶାସ୍ତ୍ର ବୈପୁଲ୍ୟ’’ ନାମରେ ପ୍ରସିଦ୍ଧ ଲାଭ କରିଥିଲା । ଶୂନ୍ୟବାଦ ଚେତନା ବ୍ରହ୍ମବାଦ ବ୍ୟତୀତ ଅନ୍ୟ କିଛି ନୁହେଁ । ଶୂନ୍ୟବାଦର ଅତି ପ୍ରଚାରକ ନାଗାର୍ଜୁନଙ୍କ ମତରେ :-

 

ଶୂନ୍ୟମିତି ନ ବକ୍ତବ୍ୟଂ ଅଶ୍ଵନ୍ୟମିତି ବା ଭବେତ୍,

ଉଭୟଂ ନୋ ଭୟଂ ନୈବ ପ୍ରଜ୍ଞପ୍ୟର୍ଥଂ ତୁ କଥ୍ୟତେ ।

 

ଅର୍ଥାତ୍‌ଶୂନ୍ୟକୁ ଶୂନ୍ୟ, ଅଶୂନ୍ୟ ବା ଶୂନ୍ୟାଶୂନ୍ୟ କହିହେବ ନାହିଁ, ଏହା ଅନିର୍ବଚନୀୟ । ଜଗତର ମୂଳସଭାକୁ ଦାର୍ଶନିକମାନେ ଶୂନ୍ୟବୋଲି କହିଥାନ୍ତି । ବେଦର ଏହାହିଁ ମୂଳତତ୍ତ୍ଵ । ରଗ୍‌ବେଦ ଦଶମ ମଣ୍ଡଳର ନାସଦାସୀୟ ସୂକ୍ତରେ ଏହି ଶୂନ୍ୟବାଦର ସଙ୍କେତ ମିଳିଥାଏ । ନାଗାର୍ଜୁନ ସେହି ବେଦୋକ୍ତସୂକ୍ତକୁ ଆଧାରକରି ଶୂନ୍ୟସାଧନାରେ ମାଧ୍ୟମିକ ଦର୍ଶନର ସଂବୋଧି ଲାଭ କରିଥିଲେ । ଅର୍ଥାତ୍ ବେଦତତ୍ତ୍ୱକୁ କେନ୍ଦ୍ରକରି ବୌଦ୍ଧତନ୍ତ୍ରମତ ପରିବର୍ଦ୍ଧିତ । ବ୍ରାହ୍ମଣମାନେ ବ୍ରହ୍ମା, ବିଷ୍ଣୁ, ଶିବ, ଦୁର୍ଗା, ତାରା ପ୍ରଭୃତି ଦେବଦେବୀ ଉପରେ ଯେଉଁ ଗୁଣର ଆରୋପ କରିଥାନ୍ତି, ନାଗାର୍ଜୁନ ସେ ସମସ୍ତ ସ୍ଵୀକାର କରିଥିଲେ ତଥା ଭୌତିକ ଉନ୍ନତି ନିମିତ୍ତ ସେସବୁର ଆବଶ୍ୟକତା ଉପଲବ୍ଧି କରି ବୌଦ୍ଧତନ୍ତ୍ରରେ ଦେବଦେବୀ ପୂଜା ପ୍ରବର୍ତ୍ତନ କରିଥିଲେ । (୫) ସୂଚନାଯୋଗ୍ୟ ଯେ ବ୍ରାହ୍ମଣତନ୍ତ୍ର ପ୍ରଭାବରେ ବୌଦ୍ଧ ମହାଯାନ ପନ୍ଥୀମାନେ ତନ୍ତ୍ରସାଧନ ପ୍ରକ୍ରିୟା ଆରମ୍ଭ କରିଥିବାରୁ ବ୍ରାହ୍ମଣମାନେ ମହାଯାନୀ ଶ୍ରମଣମାନଙ୍କୁ ସ୍ଵଧର୍ମାବଲମ୍ବୀ ବୋଲି ବିବେଚନା କରୁଥିଲେ । ନାଗାର୍ଜୁନଙ୍କ ପରେ ତଦୀୟଶିଷ୍ୟ ଆର୍ଯ୍ୟଦେବ, ସ୍ଥବିର ବୁଦ୍ଧିପାଳିତ, ଭାବିବେକ, ଚନ୍ଦ୍ରକୀର୍ତ୍ତି ଓ ଶାନ୍ତରକ୍ଷିତ ପ୍ରଭୃତି ବୌଦ୍ଧାଚାର୍ଯ୍ୟବୃନ୍ଦ ଶୂନ୍ୟବାଦ ଉପରେ ବହୁ ଉପାଦେୟ ଶାସ୍ତ୍ର ରଚନା କରିଯାଇଛନ୍ତି, ଯାହା ଏକ ସ୍ଵତନ୍ତ୍ର ଆଲୋଚନା ପ୍ରତୀକ୍ଷା କରିଥାଏ ।

 

ବୌଦ୍ଧତନ୍ତ୍ରରେ ଯୋଗାଚାର ଅନ୍ତର୍ଭୁକ୍ତ । ତୃତୀୟ ଶତାବ୍ଦୀରେ ମୈତ୍ରେୟ ଯୋଗାଚାର ଓ ବିଜ୍ଞାନବାଦର ପ୍ରଚାର କରିଥିଲେ । ବ୍ରାହ୍ମଣଙ୍କ ଯୋଗଦର୍ଶନ ହିଁ ଏହାର ମୂଳାଧାର । ମୈତ୍ରେୟଙ୍କ ରଚିତ ‘ମଧ୍ୟାନ୍ତ ବିଭଙ୍ଗ ସୂତ୍ର’ ଏକ ସୁପ୍ରସିଦ୍ଧ ଗ୍ରନ୍ଥ । ପରବର୍ତ୍ତୀ କାଳରେ ଅସଙ୍ଗ, ବସୁବନ୍ଧୁ, ସ୍ଥିରମତି, ଆର୍ଯ୍ୟବିମୁକ୍ତିସେନ, ଭଦନ୍ତ ବିମୁକ୍ତିସେନ, ହରିଭଦ୍ର, ଦିଙ୍‌ନାଗ, ଧର୍ମକୀର୍ତ୍ତି ଏବଂ ଧର୍ମପାଳ ପ୍ରଭୃତି ଏ ସମ୍ପର୍କରେ ବହୁଶାସ୍ତ୍ର ରଚନା କରିଯାଇଛନ୍ତି । ଏମାନଙ୍କ ମଧ୍ୟରୁ ବସୁବନ୍ଧୁଙ୍କ ନାମ ବୌଦ୍ଧଦର୍ଶନରେ ସ୍ଵର୍ଣ୍ଣାକ୍ଷରରେ ଉଲ୍ଲିଖିତ । ସେ ପ୍ରଥମେ ବୌଦ୍ଧ ବୈଭାଷିକ ମତର ପୃଷ୍ଠପୋଷକ ଥିଲେ । ତତ୍‌କୃତ ‘‘ଅଭିଧର୍ମକୋଶ’ ବୈଭାଷିକ ସଂପ୍ରଦାୟର ପରମଆଦରଣୀୟ ପ୍ରାମାଣିକ ଗ୍ରନ୍ଥ । ବସୁବନ୍ଧୁ ସ୍ଵଜ୍ୟେଷ୍ଠଭ୍ରାତା ଅସଙ୍ଗଙ୍କଠାରୁ ଉପଦେଶପ୍ରାପ୍ତ ହୋଇ ବିଜ୍ଞାନବାଦୀ ହୋଇଥିଲେ । ବୌଦ୍ଧତନ୍ତ୍ର ମତକୁ ବସୁବନ୍ଧୁଙ୍କ ଦାନ ଅତୁଳନୀୟ । ସେ ଅମିଥାର୍ଥ ସୂତ୍ର, ଉତ୍ତମ ସୂତ୍ର, ମହାବୈପୁଳସୂତ୍ର, ବୋଧିସତ୍ତ୍ଵଯାନ, ବୁଦ୍ଧଯାନ, ବୁଦ୍ଧଗୁହ୍ୟୋପଦେଶ, ସର୍ବ ବୁଦ୍ଧାନାଂ ପିଟକମ୍‌, ସର୍ବବୁଦ୍ଧାନା ଗୃହ୍ୟସ୍ଥାନମ୍‌, ସର୍ବବୃଦ୍ଧଗର୍ଭସ୍ଥାନ, ସର୍ବବୁଦ୍ଧତୀର୍ଥ, ସର୍ବବୁଦ୍ଧ ଧର୍ମଚକ୍ର, ସର୍ବ ବୁଦ୍ଧାନାଂ ଧୀରଧାତୁ, ସର୍ବବୁଦ୍ଧାନାଂ ଉପାୟ କୌଶଲ୍ୟ ସୂତ୍ରମ୍‌, ଏକଯାନ ଉପଦେଶ ସୂତ୍ର, ପରମାର୍ଥ ସ୍ଥାନ, ସଦ୍ଧର୍ମ ପୁଣ୍ଡରୀକ ଓ ଉତ୍ତମଧର୍ମ ପ୍ରଭୃତି ଅଗଣିତଶାସ୍ତ୍ର ରଚନାକରି ଏହି ମତକୁ ପୁଷ୍କଳ କରିଯାଇଛନ୍ତି । ନାଗାର୍ଜୁନ ଶୂନ୍ୟବାଦ ପ୍ରଚାର କରିଥିଲେ ହେଁ ବସୁବନ୍ଧୁ ଶୂନ୍ୟର ରୂପରେଖ ନିର୍ଣ୍ଣୟପୂର୍ବକ ବୌଦ୍ଧଦର୍ଶନରେ ଆତ୍ମା ଭାବ ପ୍ରବେଶ କରାଇଥିଲେ । ବୈଦିକ ଦର୍ଶନ ଅନୁଯାୟୀ ଯେପରି ଆତ୍ମା ପରମାତ୍ମା ମିଳନରେ ଅନିର୍ବଚନୀୟ- ପରମସୁଖର କଳ୍ପନା କରାଯାଇଥିଲା, ସେହିପରି ବୌଦ୍ଧ ଦର୍ଶନରେ ପରିକଳ୍ପିତ ହେଲା । ଏହାକୁ ଗବେଷକମାନେ ସନାତନ ଧର୍ମର ପ୍ରଭାବ ସ୍ୱରୂପରେ ବିବେଚନା କରିଛନ୍ତି । ବୌଦ୍ଧ ଦର୍ଶନରେ ବୈଦିକ ଦର୍ଶନର ଅଦ୍ୱୈତବାଦ ମୁଖ୍ୟ ଆସନ ଅଳଙ୍କୃତ କଲା । ମାନବ ବୁଦ୍ଧଙ୍କ ସ୍ଥାନରେ ଲୋକେତ୍ତର ବୁଦ୍ଧଙ୍କ ସିଦ୍ଧାନ୍ତ ସ୍ଥାନ ପାଇଲା । ସର୍ବଶୂନ୍ୟତାର ସିଦ୍ଧାନ୍ତ ସ୍ଥାନରେ ବିଜ୍ଞାନ ଚୈତନ୍ୟ ଚିତ୍ତର ସତ୍ୟତା ସ୍ଵୀକାର କରାଗଲା । ପରିଣାମ ସ୍ଵରୂପ ମହାଯାନ କାଳକ୍ରମେ ମାଧ୍ୟମିକ ଓ ଯୋଗାଚାର ଏରୂପ ଦୁଇଟି ଶାଖାରେ ବିଭକ୍ତ ହୋଇଗଲା । ମାଧ୍ୟମିକ ଶୂନ୍ୟବାଦ ଓ ନୈରାତ୍ମ୍ୟ ଯୋଗାଚାରର ବିଜ୍ଞାନ ମଳିନ ପ୍ରକ୍ରିୟାରେ ବୋଧିଚିତ୍ତ ବିଜ୍ଞାନ ସନ୍ତତିର ଶୃଙ୍ଖଳାରୂପେ ପ୍ରତିଭାତ ହେଲା । ପ୍ରତିକ୍ଷଣରେ ଏହି ବିଜ୍ଞାନ ପରିବର୍ତ୍ତିତ ହୋଇ ନିର୍ବାଣଲାଭ ପର୍ଯ୍ୟନ୍ତ ବିଜ୍ଞାନର ଧାରା ପ୍ରବାହିତ ହେବାର ଦିବ୍ୟସନ୍ଦେହ ପ୍ରଚାର ହେଲା । ମହନୀୟତା ହେଉଛି, ମାଧ୍ୟମିକ ଶୂନ୍ୟତାରେ ଯୋଗାଚାର ଜ୍ଞାନ ଯୋଗ ହୋଇ ଶୂନ୍ୟ କରୁଣା ଏବଂ ବିଜ୍ଞାନର ମିଳନରେ ନିର୍ବାଣର ପଥ ସରଳ ହୋଇପାରିଲା । ହିନ୍ଦୁ ତନ୍ତ୍ରଶାସ୍ତ୍ର ଯେପରି ସରଳ, ସୁଗମ ଓ ସୁବୋଧ, ସେହିପରି ବୌଦ୍ଧାଚାର୍ଯ୍ୟବୃନ୍ଦ ସରଳ ଶାସ୍ତ୍ର ରଚନା କରି ବୌଦ୍ଧତନ୍ତ୍ରକୁ ଲୋକପ୍ରିୟ କରିପାରିଥିଲେ । ଅଧିକନ୍ତୁ, ବିଭିନ୍ନ ବୌଦ୍ଧତନ୍ତ୍ରାଚାର୍ଯ୍ୟ ସାଧକମାନଙ୍କ ନିମିତ୍ତ ସରଳ ସାଧନାର ଧାରା ପ୍ରବର୍ତ୍ତନ କରିଥିଲେ । ସେହି ସିଦ୍ଧଚାର୍ଯ୍ୟଙ୍କ ମଧ୍ୟରେ ବସୁବନ୍ଧୁ, ଅସଙ୍ଗ, ଦିଙ୍‌ନାଗ ଓ ଧର୍ମକୀର୍ତ୍ତି ପ୍ରଭୃତି ଓଡ଼ିଶା ନିବାସୀ ଥିଲେ । ଯୋଗାଚାର ମତର ପ୍ରବର୍ତ୍ତକ ଅସଙ୍ଗ ଓ ବସୁବନ୍ଧୁ ଶ୍ରୀକ୍ଷେତ୍ର ନୀଳାଚଳରେ କୌଶିକ ଗୋତ୍ରରେ ଜନ୍ମଲାଭ କରିଥିଲେ । ସେହି ସମୟରେ ନୀଳାଚଳ ଧାମକୁ ପୁରୁଷପୁର ବୋଲି ନାମିତ କରାଯାଇଥିଲା । କେତେକ ବିଦ୍ଵାନ୍‌ପୁରୁଷପୁରର ଅବସ୍ଥିତି ଉତ୍ତର ପଶ୍ଚିମ ଭାରତରେ ବିଚାର ପୂର୍ବକ ଆଧୁନିକ ପେଷାତ୍ତ୍ୱାରକୁ ପ୍ରାଚୀନ ପୁରୁଷପୁର ଭାବରେ ଚିହ୍ନିତ କରିଥାନ୍ତି ତଥା ଏହି ସ୍ଥାନକୁ ଅସଙ୍ଗ ଓ ବସୁବନ୍ଧୁଙ୍କ ଜନ୍ମସ୍ଥାନ ଭାବରେ ନିର୍ଣ୍ଣୟ କରିଥାନ୍ତି । କିନ୍ତୁ ସୋମବଂଶୀ ରାଜା ଜନ୍ମେଜୟଙ୍କ ନାଗପୁର ତାମ୍ରଶାସନରୁ ଉପଲବ୍ଧ ହୁଏ ସେ ଓଡ୍ରଦେଶସ୍ଥ ପୁରୁଷମଣ୍ଡପ ଗ୍ରାମନିବାସୀ ସନ୍ଥକରଙ୍କୁ ଏକ ଗ୍ରାମ ଦାନ କରିଥିଲେ । (୬) ବିଶିଷ୍ଟ ଗବେଷକ ପଦ୍ମଶ୍ରୀ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ପୁରୀକୁ ପ୍ରାଚୀନ ପୁରୁଷପୁର ତଥା ବସୁବନ୍ଧୁଙ୍କ ଜନ୍ମସ୍ଥାନ ରୂପେ ନିର୍ଣ୍ଣୟ କରିଛନ୍ତି । (୭) ଓଡ଼ିଶା ମାଟିରୁ ହିଁ ନାଗାର୍ଜୁନଙ୍କ ଶୂନ୍ୟବାଦ ଓ ଅସଙ୍ଗଙ୍କ ଯୋଗାଚାର ଜନ୍ମ ନେଇଥ୍‌ଲା । ଏତଦ୍‌ଭିନ୍ନ ଦିଙ୍‌ନାଗ ପୁରୀ ଜିଲ୍ଲାର ଡେଲାଙ୍ଗ ସନ୍ନିକଟ ଭାରଶୈଳ ପର୍ବତରେ ସାଧନାରତ ଥିଲେ । ମହାତ୍ମାବୁଦ୍ଧଙ୍କ ଜୀବିତାବସ୍ଥାରେ ଓଡ଼ିଶାର ତପସୁ ଓ ଭଲ୍ଲିକ ତାଙ୍କ ନଖ ଓ କେଶ ଆଣି ସ୍ତୂପ ନିର୍ମାଣ କରିଥିଲେ । ଏହାପରେ ଅଶୋକ ପୁଷ୍ପଗିରି, ଭୋଜକଗିରି ଓ ସୁରଭଗିରିଠାରେ ବିହାର ନିର୍ମାଣ କରିବା ସହିତ ଦଶଟିସ୍ତୂପ ନିର୍ମାଣ କରିଥିଲେ । ପରବର୍ତ୍ତୀ କାଳରେ ଗୁପ୍ତରାଜା ନରସିଂହ ବାଳାଦିତ୍ୟ ଓଡ଼ିଶାର ରତ୍ନଗିରିଠାରେ ବୌଦ୍ଧବିହାର ନିର୍ମାଣ କରିଥିଲେ । ଫଳରେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାଦ୍ଦୀଠାରୁ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାୟ ଏକ ହଜାର ବର୍ଷ ମଧ୍ୟରେ ଓଡ଼ିଶା ବୌଦ୍ଧଧର୍ମ ପ୍ରଚାର ଓ ପ୍ରସାରର ବିସ୍ତୃତ କ୍ଷେତ୍ରରେ ରୂପାନ୍ତରିତ ହୋଇଥିଲା । ଷଷ୍ଠ ସପ୍ତମ ଶତାବ୍ଦୀଠାରୁ ଓଡ଼ିଶାରେ ଭୌମକର ଶାସନ ଆରମ୍ଭହୋଇ ଅନେକ ବୌଦ୍ଧବିହାର ନିର୍ମାଣ ହୋଇଥିଲା । ଭୌମରାଜନ୍ୟ ବୃନ୍ଦ ସକଳ ବୌଦ୍ଧପୀଠର ପୃଷ୍ଠପୋଷକତା କରିବାରୁ ଅଗଣିତ ବୌଦ୍ଧାଚାର୍ଯ୍ୟ ଷଷ୍ଠଶତାବ୍ଦୀଠାରୁ ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ସାଧନାରତ ଥିଲେ । ସେମାନଙ୍କ ମଧ୍ୟରେ ଅନଙ୍ଗବଜ୍ର, ଇନ୍ଦ୍ରଭୂତି, ସରହପାଦ, ଚୋବେଶକଳ୍ପ, ବୋଧିଶ୍ରୀ, ପୀତୋପାଦ, ନାରୋପା, କାହ୍ନୁପା, ଶାନ୍ତରକ୍ଷିତ, ପଦ୍ମସମ୍ଭବ, ଲକ୍ଷ୍ମୀଙ୍କରା, ସୁଧନ, ବିରୂପପାଦ, କମ୍ବଳପାଦ, ବ୍ରଜଘଣ୍ଟା, ଲୁଇପା, ଶବରୀପାଦ ଓ ଦ୍ୱିତୀୟ ନାଗାର୍ଜୁନ ପ୍ରଭୃତି ପ୍ରଧାନ । ଏମାନେ ସମସ୍ତେ ସିଦ୍ଧତାନ୍ତ୍ରିକ ଥିଲେ । ଗୌରବର କଥା, ଓଡ଼ିଶା ମାଟିରେ ଅସଙ୍ଗଙ୍କ ଯୋଗାଚାର ମତରୁ ବଜ୍ରଯାନର ଉଦ୍ଭବ ହୋଇଥିଲା । ବଜ୍ରଯାନରେ ଯୋଗାଚାରର ଶୂନ୍ୟ କରୁଣା ଓ ବିଜ୍ଞାନର ମହାସୁଖ ସଂଯୋଗ ହୋଇଥିଲା । ଏହି ମତରେ ନିର୍ବାଣ ଲାଭ ସମୟରେ ଶୂନ୍ୟ କରୁଣାର ମିଳନରେ ଜ୍ଞାନମାତ୍ର ବିଶ୍ଵଚିତ୍ତର ଉପଲବ୍ଧି ହେଲେ ମହାସୁଖ ଜାତହୁଏ । ସେତେବେଳେ ଗ୍ରାହ୍ୟ, ଗ୍ରାହକ, ଜ୍ଞାତା ଓ ଜ୍ଞେୟ ଭାବ ରହେ ନାହିଁ । ଗୃହ୍ୟ ସମାଜ ତନ୍ତ୍ରରେ ପ୍ରଥମେ ବଜ୍ରଯାନର ନାମ ଉଲ୍ଲେଖ ଅଛି । ବଜ୍ରଯାନର ନିର୍ବାଣରେ ବ୍ରହ୍ମଙ୍କର ସଚ୍ଚିଦାନନ୍ଦମୟତ୍ୱ ଅର୍ପିତ ହୋଇଛି । ବ୍ରାହ୍ମଣତନ୍ତ୍ର ପ୍ରଭାବରେ ବୌଦ୍ଧତନ୍ତ୍ରରେ ବ୍ରହ୍ମଙ୍କ ସଦୃଶ ନିର୍ବାଣ ମଧ୍ୟ ଅନିର୍ବଚନୀୟ, ଜ୍ଞାନସ୍ଵରୂପ ଓ ଆନନ୍ଦମୟ ପ୍ରତୀତ ହେଲା । ଏହାଦ୍ୱାରା ନିର୍ଗୁଣବ୍ରହ୍ମ ଓ ଶୂନ୍ୟ ତଥା ନିର୍ବାଣ ଓ ମୁକ୍ତି ମଧ୍ୟରେ ଭେଦ ଦୂରୀଭୂତ ହୋଇଗଲା ଏବଂ ହିନ୍ଦୁ ଓ ବୌଦ୍ଧ ଉଭୟେ ବଜ୍ରଯାନକୁ ଗ୍ରହଣ କରିନେଲେ ।
 

ସାଧନାମାଳାରେ ବୌଦ୍ଧ ବଜ୍ରଯାନ ସଂପ୍ରଦାୟର ତାନ୍ତ୍ରିକ ସାଧନାର ଚାରିଗୋଟି ପୀଠର ନାମ ଉଲ୍ଲେଖ ରହିଛି । ସେଗୁଡ଼ିକ ହେଉଛି ଓଡ଼ିୟାନ, ପୂର୍ଣ୍ଣଗିରି, କାମାଖ୍ୟା ଓ ସିରିହଟ୍ଟ । (୮) ତନ୍ମଧ୍ୟରୁ ଓଡ଼ିୟାନ ହିଁ ପ୍ରଥମ ପୀଠ, ଯେଉଁଠାରୁ ବୌଦ୍ଧ ତନ୍ତ୍ରର ପ୍ରଥମ ଉନ୍ମେଷ ଘଟିଥିଲା । ପାଗ୍‌ସମାଜନଜାଙ୍ଗର ଉକ୍ତି ଅନୁସାରେ ଉଡ଼୍‌ଡ଼ୀୟାନ ବା ଓଡ଼ିୟାନରେ ପ୍ରଥମେ ବୌଦ୍ଧ ତାନ୍ତ୍ରିକ ମତବାଦ ବିକାଶ ଲାଭ କରିଥିଲା । ତତ୍କାଳୀନ ଭୌମରାଜା ଶୁଭକରଦେବ, ଗୁରୁ ଅନଙ୍ଗବଜ୍ର ଓ ତଦୀୟଶିଷ୍ୟ ଇନ୍ଦ୍ରଭୂତି ବଜ୍ରଯାନର ପ୍ରଧାନ ପ୍ରଚାରକ ଥିଲେ । ବ୍ରାହ୍ମଣତନ୍ତ୍ରର ଶାଖା ଶୈବତନ୍ତ୍ର ଅନୁଯାୟୀ ଶିବଙ୍କ ପାଞ୍ଚମୁଖରୁ ସକଳତନ୍ତ୍ର ଉଦ୍ଭବ ହୋଇଥିଲା । ଏହାରି ଅନୁସରଣରେ ବୌଦ୍ଧତାନ୍ତ୍ରିକ ବୃନ୍ଦ ଆଦିବୁଦ୍ଧଙ୍କୁ ଶିବସ୍ଵରୂପ କଳ୍ପନାକରି ତାଙ୍କୁ ଅଖିଳ ବିଶ୍ଵର ନିୟନ୍ତାଭାବରେ ବିବେଚନା କରିଥିଲେ । ସେମାନଙ୍କ ମତରେ ସେ ବସ୍ତୁତଃ ଶୂନ୍ୟ ବା ବଜ୍ର ତଥା ତାଙ୍କଠାରୁ ପଞ୍ଚଧ୍ୟାମୀ ବୁଦ୍ଧ ଉଦ୍ଭୁତ । ସେହି ପଞ୍ଚଧ୍ୟାନୀ ବୁଦ୍ଧ ହେଉଛନ୍ତି ଅମିତାଭ, ଅକ୍ଷୋଭ୍ୟ, ବୈରୋଚନ, ଅମୋଘସିଦ୍ଧି ଓ ରତ୍ନସମ୍ଭବ । ଶିବଙ୍କ ପଞ୍ଚସ୍କନ୍ଦ ସ୍ୱରୂପରେ ପୂର୍ବଦିଗରେ ଅକ୍ଷୋଭ୍ୟ ଉତ୍ତରରେ ଅମୋଘସିଦ୍ଧି, ଦକ୍ଷିଣରେ ରତ୍ନସମ୍ଭବ, ପଶ୍ଚିମରେ ଅମିତାଭ ଏବଂ ଊର୍ଦ୍ଧ୍ୱରେ ବୈରାଚନ ବିରାଜମାନ ବୋଲି ସେମାନଙ୍କର ବିଶ୍ଵାସ । ସେହି ପଞ୍ଚଧ୍ୟାନୀ ବୁଦ୍ଧଙ୍କର ଶକ୍ତି ହେଉଛନ୍ତି ପାଣ୍ଡରା, ଲୋଚନା, ତାରା, ମାମକୀ, ଓ ବଜ୍ରଧାତେଶ୍ଵରୀ । ସେମାନଙ୍କର ସ୍କନ୍ଦ ହେଉଛି ସଂଜ୍ଞା, ବିଜ୍ଞାନ, ରୂପ, ସଂସ୍କାର ଓ ବେଦନା ତଥା କୁଳ ହେଉଛି ରାଗ, ଦ୍ୱେଷ, ମୋହ, ସମୟ ଏବଂ ଚିନ୍ତାମଣି । ସେମାନଙ୍କର ପଞ୍ଚସନ୍ତାନ ହେଉଛନ୍ତି ପଦ୍ମପାଣି, ବଜ୍ରପାଣି, ସାମନ୍ତ ଭଦ୍ର, ବିଶ୍ୱପାଣି- ଓ ରତ୍ନପାଣି । ଏହି ପଞ୍ଚଧ୍ୟାନୀ ବୁଦ୍ଧଙ୍କର ବର୍ଣ୍ଣ ଲାଲ, ନୀଳ, ଶ୍ୱେତ, ସବୁଜ ଓ ପୀତ ତଥା ପ୍ରତୀକ ହେଉଛି ପଦ୍ମ, ହସ୍ତୀ, ଚକ୍ର, ବିଶ୍ୱବଜ୍ର ଓ ରତ୍ନ । ତାଙ୍କର ମୁଦ୍ରାର ନାମ ସମାଧି, ଭୂମିସ୍ପର୍ଶ, ଧର୍ମଚକ୍ର, ଅଭୟ ଓ ବରଦ ତଥା ହ୍ରୀଃ, ହିଁ, ଓଁ, ଖି ଏବଂ ତ୍ରଂ ବୀଜମନ୍ତ୍ରରେ ସେମାନଙ୍କ ଉପାସନା କରାଯାଏ । ତାଙ୍କର ପଞ୍ଚବାହନ ହେଉଛନ୍ତି ମୟୂର, ହାତୀ, ସିଂହ, ଗରୁଡ଼ ଓ ସିଂହ । ବୌଦ୍ଧତନ୍ତ୍ର ବଜ୍ରଯାନରେ ପ୍ରଥମେ ମାତୃଶକ୍ତି ଓ ଡାକିନୀଙ୍କ ପୂଜା ଆରମ୍ଭ ହୋଇଥିଲା । କ୍ରମେ ବହୁ ଦେବଦେବୀ ବଜ୍ରଯାନର ଦେବତା ଆସନ ଅଳଙ୍କୃତ କଲେ । ଏହି ଦେବଦେବୀଙ୍କ ମଧ୍ୟରେ ମଞ୍ଜୁଶ୍ରୀ, ମୈତ୍ରେୟ, ହେରୁକ, ତ୍ରୈଲୋକ୍ୟବିଜୟ, ଯମାରି, ଜମ୍ଭଳ, ପାଞ୍ଚିକ, ବୈଶ୍ରବଣ, ହୟଗ୍ରୀବ, ସମ୍ବର, ମାରୀଚି, ଅପରାଜିତା, କୁରୁକୁଲ୍ଲା, ଭୃକୁଟି, ବଜ୍ରବାରାହୀ, ବସୁଧାରା, ହାରିତୀ, ଚୁଣ୍ଡା ପ୍ରଭୃତି ପ୍ରଧାନ । ଧ୍ୟାନୀବୁଦ୍ଧଙ୍କ ମୂର୍ତ୍ତି ପରିକଳ୍ପନାରେ ଗୋଟିଏ ହାତରେ ଘଣ୍ଟ ଓ ଅନ୍ୟ ହାତରେ ବଜ୍ର ଶୋଭା ପାଇଲା । ହିନ୍ଦୁଙ୍କ ଅସଂପ୍ରଜ୍ଞାନ ସଦୃଶ ଘଣ୍ଟ ହେଉଛି ସମାଧିପ୍ରଜ୍ଞାସୂଚକ । ସମାଧିପ୍ରଜ୍ଞାର ଫଳ ଶୂନ୍ୟତା ଏବଂ ଉପାୟ କରୁଣା ଅଟେ । କରୁଣା ସହିତ ଭାବସଂଯୋଗ ହୋଇ ହିନ୍ଦୁମାନଙ୍କ ଅର୍ଦ୍ଧନାରୀଶ୍ୱର ସଦୃଶ ଯୁଗ୍ମନଦ୍ଧ ନରନାରୀ ବୌଦ୍ଧ ତନ୍ତ୍ରାଚାର୍ଯ୍ୟବୃନ୍ଦ କଳ୍ପନା କଲେ । ଏହି ତନ୍ତ୍ରରେ ପୁରୁଷ ଦେବତାଙ୍କୁ ବଜ୍ରଧର ଓ ସ୍ତ୍ରୀଦେବୀଙ୍କୁ ବଜ୍ରବାରାହୀ କୁହାଗଲା । ଶୂନ୍ୟ ଓ କରୁଣା ସଂଯୋଗରେ ବଜ୍ରଧର ଓ ବଜ୍ରବାରାହୀଙ୍କ ଯୁଗ୍ମ ଉପାସନା ବୌଦ୍ଧତନ୍ତ୍ରରେ ପ୍ରସିଦ୍ଧି ଲାଭ କଲା । ବ୍ରାହ୍ମଣତନ୍ତ୍ର ବିଧାନ ସଦୃଶ ମଣ୍ଡଳ ନିର୍ମାଣ, ଯନ୍ତ୍ରପୂଜା, ବୀଜନ୍ୟାସ, ମନ୍ତ୍ରଜପ, ମୁଦ୍ରା ପ୍ରଦର୍ଶନ ଉପଚାର, ଅଭିଷେକ, ଧ୍ୟାନ ପ୍ରଭୃତି ବୌଦ୍ଧତନ୍ତ୍ର ବଜ୍ରଯାନରେ ଅନ୍ତଭୁର୍କ୍ତ ହୋଇଥିଲା । ବଜ୍ରଯାନର ମନ୍ତ୍ରସାଧନାରେ ତିନିପ୍ରକାର କାୟାର ଅନୁଭବ ବର୍ଣ୍ଣନ କରାଯାଇଛି, ଯାହାକି ବ୍ରାହ୍ମଣତନ୍ତ୍ରର ଅନୁରୂପ । ପ୍ରଥମ କାୟା ଧର୍ମକାୟା ଯାହା ବେଦାନ୍ତର କାରଣ ସଦୃଶ । ଦ୍ୱିତୀୟକାୟା ହେଉଛି ବୋଧୂସତ୍ତ୍ୱଙ୍କ ମାନସପ୍ରତ୍ୟକ୍ଷ ବିଷୟରୂପ ସମ୍ଭୋଗକାୟା । ଏହା ଧର୍ମ ଧାତୁର ବ୍ୟକ୍ତରୂପ ତଥା ହିନ୍ଦୁଙ୍କ କାର୍ଯ୍ୟବ୍ରହ୍ମ ବା ସଗୁଣ ବ୍ରହ୍ମଙ୍କ ଲୀଳାବପୁ । ତୃତୀୟକାୟା ହେଉଛି ନିର୍ମାଣକାୟା । ଏହି କାୟା ମନୁଷ୍ୟ ଶରୀର ଦ୍ୱାରା ପ୍ରକଟିତ ହୁଏ । ସଂକ୍ଷେପରେ ଉଲ୍ଲେଖ କଲେ ମହାଯାନର ମୁଖ୍ୟସିଦ୍ଧାନ୍ତ ଯଥା :- ଧର୍ମକାୟ, ନିମାଣକାୟ ଓ ସଂଭୋଗ କାୟ ଅଥବା ବୋଧୂସତ୍ତ୍ୱର ରହସ୍ୟ ଉପଲବ୍‌ଧି ବୌଦ୍ଧତନ୍ତ୍ର ଧାରାରେ ସହଜ ପ୍ରତୀୟମାନ ହେଲା ।

 

ହିନ୍ଦୁ ଦର୍ଶନର ଅଦ୍ୱୈତ, ଭେଦାଭେଦ ଓ ଅନିର୍ବଚନୀୟ ବୌଦ୍ଧତନ୍ତ୍ରରେ ତ୍ରିକାୟରୂପରେ ପ୍ରତିଭାତ ହେଲା । ଅଦ୍ୱୈତ ଭୂମିକାରେ ଧର୍ମକାୟା, ଭେଦାଭେଦ ଭୂମିକାରେ ସମ୍ଭୋଗକାୟା ଏବଂ ନିର୍ମାଣକାୟା ବୁଦ୍ଧତତ୍ତ୍ୱର ଘନୀଭୂତ ସ୍ଵରୂପ ତଥା ଲୌକିକ ବିଷୟ ରୂପ ଜ୍ଞାନ ଅଟେ । ଏହି ତ୍ରିକାୟ ବେଦାନ୍ତର ଈଶ୍ଵର, ହିରଣ୍ୟଗର୍ଭ ଓ ବିରାଟ ସ୍ଵରୂପର ଭାବାନ୍ତର ମାତ୍ର । ତନ୍ତ୍ରଧାରାରେ ଏହାକୁ ଉପାସ୍ୟ ଦେବତାଙ୍କ କାୟା ନିର୍ମାଣର ଆଭାସ୍ଵରୂପରେ ଗ୍ରହଣ କରାଯାଏ । ବୌଦ୍ଧତନ୍ତ୍ରଶାସ୍ତ୍ର ଶ୍ରୀଚକ୍ର ସମ୍ଭାରରେ ମୂଳ ଚିତ୍ତଶକ୍ତି ବିକୃତି ପ୍ରାପ୍ତ ହୋଇ ଆପଣାର ସ୍ଵଚ୍ଛନ୍ଦ ସ୍ୱାତନ୍ତ୍ର୍ୟଦ୍ଵାରା ଛତିଶ ତତ୍ତ୍ୱ ସ୍ୱରୂପ ଗ୍ରହଣ କରିଥାଏ ବୋଲି ଉଲ୍ଲେଖ ରହିଛି । ପ୍ରମାଣ ମିଳେ ବୌଦ୍ଧ ତାନ୍ତ୍ରିକଗଣ ବ୍ରାହ୍ମଣତନ୍ତ୍ରକୁ ଅନୁସରଣ ପୂର୍ବକ ଏହି ପ୍ରକ୍ରିୟାକୁ ତାନ୍ତ୍ରିକ ସିଦ୍ଧାନ୍ତ ସ୍ଵରୂପରେ ବିଚାର କରିଛନ୍ତି । (୯) ବ୍ରାହ୍ମଣ ତନ୍ତ୍ରର ଶାକ୍ତତନ୍ତ୍ରଧାରା ସଂପୂର୍ଣ୍ଣ ଅଦ୍ୱୈତବାଦ ଆଧାରିତ । ବୌଦ୍ଧବଜ୍ରଯାନର ଶାକ୍ତ ସାଧନା ନିରୂପଣ ବ୍ରାହ୍ମଣ ତନ୍ତ୍ରାନୁସାରେ ହୋଇଥିଲେହେଁ କେବଳ ଦେବଦେବୀଙ୍କ ନାମଭେଦ ପରିଲକ୍ଷିତ ହୋଇଥାଏ । ବ୍ରାହ୍ମଣତନ୍ତ୍ରର ଉପାସନାକ୍ରମ ମଧ୍ୟ ବୌଦ୍ଧତନ୍ତ୍ରରେ ଅନୁସୃତ । ବୌଦ୍ଧତନ୍ତ୍ରର ବଜ୍ରବାରାହୀ ପ୍ରାୟତଃ ବ୍ରାହ୍ମଣ ତନ୍ତ୍ରର ବାରାହୀ ବା ଦଣ୍ଡିନୀଙ୍କ ସଦୃଶା । ବଜ୍ରବାରାହୀ ଧ୍ୟାନୀବୁଦ୍ଧ ବୈରୋଚନଙ୍କ ମୋହକୁଲୋଦ୍ଭ ବା ଏବଂ ହେରୁକଙ୍କ ଶକ୍ତି । ବୌଦ୍ଧତନ୍ତ୍ରଶାସ୍ତ୍ର ‘ଚକ୍ରସମ୍ଭାରତନ୍ତ୍ର’ ଓ ‘ବଜ୍ରସମ୍ଭାରତନ୍ତ୍ର’ ରେ ବଜ୍ରବାରାହୀ ଉପାସନାର ଦିଗଦିଗନ୍ତ ଆଲୋଚିତ । ‘ତାରା’ ହେଉଛନ୍ତି ବୌଦ୍ଧତନ୍ତ୍ରର ପ୍ରଧାନଦେବୀ । ଧ୍ୟାନୀବୁଦ୍ଧ ଅମୋଘସିଦ୍ଧିଙ୍କର ସେ ହେଉଛନ୍ତି ଶକ୍ତି । ତାରାଙ୍କ ବାମହସ୍ତରେ ନୀଳୋତ୍ପଳ ଓ ଦକ୍ଷିଣହସ୍ତ ବରଦମୁଦ୍ରା ପ୍ରଦର୍ଶିତ । ସାଧନମାଳା ଗ୍ରନ୍ଥାନୁସାରେ ଜାଙ୍ଗୁଲି, ପର୍ଣ୍ଣଶବରୀ, ଖଦୀରବଣୀ ପ୍ରଭୃତି ବିଭିନ୍ନ ତାରାମୂର୍ତ୍ତି ଉପାସିତା । ପ୍ରମାଣିତ ହୁଏ, ଓଡ଼ିଶାରେ ତାରା ଉପାସନା ଏକ ଭବ୍ୟରୂପ ଧାରଣ କରିଥିଲା । ତାରା ଉପାସନା ବ୍ରାହ୍ମଣତନ୍ତ୍ରରେ ପ୍ରାଚୀନ ଯୁଗରୁ ବିଦ୍ୟମାନ । ଦଶମହାବିଦ୍ୟାଙ୍କ ମଧ୍ୟରେ ସେ ହେଉଛନ୍ତି ଦ୍ୱିତୀୟା ମହାବିଦ୍ୟା । ହିନ୍ଦୁତନ୍ତ୍ରଶାସ୍ତ୍ର ଶାକ୍ତ ପ୍ରମୋଦର ତାରାତନ୍ତ୍ରରେ ଏହି ଦେବୀଙ୍କ ମହିମା ବର୍ଣ୍ଣିତ । ବୌଦ୍ଧତନ୍ତ୍ରରେ ସେ ଅମୋଘସିଦ୍ଧିଙ୍କ ଶକ୍ତି ହେଲେ ହେଁ ବ୍ରାହ୍ମଣତନ୍ତ୍ରରେ ସେ ଅକ୍ଷୋଭ୍ୟ ପୁରୁଷଙ୍କ ଶକ୍ତି । ସୂର୍ଯ୍ୟ ଉଦୟ ହେବାର ପୂର୍ବକାଳୀନ ସ୍ଥିତିରେ ସୂର୍ଯ୍ୟଙ୍କୁ ଅକ୍ଷୋଭ୍ୟ ପୁରୁଷ କୁହାଯାଏ । ତେଣୁ ସୂର୍ଯ୍ୟୋଦୟ ପୂର୍ବରୁ ଅକ୍ଷୋଭ୍ୟ ପୁରୁଷଙ୍କ ଶକ୍ତି ତାରାଙ୍କ ସାମ୍ରାଜ୍ୟ ବିସ୍ତାର ହୋଇଥାଏ । ତତ୍କାଳୀନ ସୂର୍ଯ୍ୟଙ୍କ ନାମ ନକ୍ଷତ୍ର । ତାରା ତାଙ୍କରି ଶକ୍ତି ଓ ପ୍ରଥମ ମହାବିଦ୍ୟା କାଳୀଙ୍କର ବିକଶିତ ସ୍ୱରୂପ । ହିନ୍ଦୁମାନେ ପ୍ରାଚୀନ କାଳରୁ ତାରାଙ୍କୁ ତ୍ରାଣକର୍ତ୍ତା ଭାବରେ ଉପାସନା କରୁଛନ୍ତି । ବୌଦ୍ଧତନ୍ତ୍ରାଚାର୍ଯ୍ୟବୃନ୍ଦ ଏଥିରେ ପ୍ରଭାବିତ ହୋଇ ତାରାଙ୍କୁ ଆପଣାତନ୍ତ୍ରଧାରାରେ ଅଙ୍ଗୀଭୂତ କରିଥିଲେ । ଗୌରବର କଥା, ବୌଦ୍ଧତନ୍ତ୍ରରେ ତାରା ଉପାସନା ହିନ୍ଦୁ ତନ୍ତ୍ରର ଶ୍ରୀବିଦ୍ୟା ଉପାସନା ସଦୃଶ ଲୋକପ୍ରିୟତା ଲାଭ କରିଥିଲା । ବ୍ରାହ୍ମଣମାନେ ଓଁକାରକୁ ପ୍ରଣବ କହିଥାନ୍ତି । ତଦନୁରୂପ ବୌଦ୍ଧମାନେ ପ୍ରଣବକୁ ତାର କହିଥାନ୍ତି । ସେହି ପ୍ରଣବରୂପୀ ତାର ଦେବତାଙ୍କ ପତ୍ନୀଙ୍କ ନାମ ତାରା । (୧୦) ବୌଦ୍ଧ ମହାଯାନୀମାନେ ଯାହାଙ୍କୁ ତାରା କହିଥାନ୍ତି, ହୀନଯାନୀମାନେ ତାହାଙ୍କୁ ମଣିମେଖଳା ଦେବୀ କହିଥାନ୍ତି । ଶ୍ରୀଲଙ୍କା, ଶ୍ୟାମ, ଇଣ୍ଡୋନେସିଆ ପ୍ରଭୃତି ଦେଶରେ ତାରାଙ୍କୁ ସମୁଦ୍ରଦେବୀ ସ୍ଵରୂପରେ ପୂଜା କରାଯାଏ । ସେମାନଙ୍କର ବିଶ୍ଵାସ ସମୁଦ୍ରଯାତ୍ରା ସମୟରେ ତୋଫାନ ହେଲେ ତାରା ପୋତକୁ ରକ୍ଷା କରିଥାନ୍ତି । ତାରା ଉପାସନାକୁ କେନ୍ଦ୍ରକରି ଅଗଣିତ ବୌଦ୍ଧତନ୍ତ୍ରଶାସ୍ତ୍ର ରଚିତ । ସେହିସବୁ ଶାସ୍ତ୍ରମାନଙ୍କ ମଧ୍ୟରେ ତାରାକଳ୍ପ, ଉଗ୍ରତାରା ପଞ୍ଚାଙ୍ଗ, ତାରାକଳ୍ପଲତା, ତାରା କବଚ, ତାରାତତ୍ତ୍ୱ, ତାରାତନ୍ତ୍ର, ତାରା ପଞ୍ଜିକା, ତାରା ପଞ୍ଚାଙ୍ଗ, ତାରାପଦ୍ଧତି, ତାରା ପାରାଜିକା, ତାରାପୂଜନବଲ୍ଲରୀ, ତାରାପୂଜନ ନ୍ୟାସବଧି, ତାରାପୂଜା ପ୍ରୟୋଗ, ତାରାପୂଜାରସାୟନ, ତାରା ପ୍ରଦୀପ, ତାରା ଭକ୍ତ ତରଙ୍ଗିଣୀ ନାଟକ, ତାରା ଭକ୍ତି ସୁଧାର୍ଣ୍ଣବ, ତାରାମୂଳବୋଧ, ତାରା ରହସ୍ୟ, ତାରା ରହସ୍ୟ ବୃତ୍ତିକା, ତାରାଟ୍ଟନ ଚନ୍ଦ୍ରିକା, ତାରାର୍ବନ ତରଙ୍ଗିଣୀ, ତାରାର୍ଣ୍ଣବ, ତାରାବିକଳ୍ପ, ତାରାବିଳାସୋଦୟ, ତାରାଷଟ୍‌ପଦୀ, ତାରା ଅଷ୍ଟୋତ୍ତର ଶତନାମ ସ୍ତୋତ୍ର, ତାରା ସହସ୍ରନାମ, ତାରାସୂତ୍ର, ତାରାସ୍ତୋତ୍ର, ତାରିଣୀପାରିଜାତ ସ୍ନଗ୍ଧରାସ୍ତୋତ୍ର, ସ୍ନଗ୍ଧରାସ୍ତୋତ୍ରଟୀକା ପ୍ରଭୃତି ତନ୍ତ୍ରସାଧକମାନଙ୍କ ପ୍ରିୟଗ୍ରନ୍ଥ । ଓଡ଼ିଶାରେ ଜନ୍ମ ନେଇଥିବା ବୌଦ୍ଧତାରା ଉପାସନା ପରବର୍ତ୍ତୀ କାଳରେ ତିବ୍ଦତ, ନେପାଳ, ଭୁଟାନ, ଓ ଲାଦାଖ ପ୍ରଭୃତି ଅଞ୍ଚଳରେ ଲୋକପ୍ରିୟତା ଲାଭ କରିଥିଲା । ହିନ୍ଦୁମାନଙ୍କ ଶକ୍ତିସଂଗମ ତନ୍ତ୍ର ଅନୁଯାୟୀ ବୌଦ୍ଧମାନେ ମଧ୍ୟ ତାରତାରାଙ୍କର ଯୁଗ୍ମ ଉପାସନା ଆରମ୍ଭ କରିଥିଲେ । ବଜ୍ରଯାନର ପ୍ରେମପଞ୍ଚକ ସ୍ତୋତ୍ରରେ ଏହା ବର୍ଣ୍ଣିତ । ବୌଦ୍ଧତାନ୍ତ୍ରିକ ବୃନ୍ଦ କୁରୁକୁଲ୍ଲାଙ୍କୁ ‘‘ଓଁ କୁରୁକୁଲ୍ଲେ ହୁଁ ହ୍ରୀଃ ସ୍ଵାହା’’ ମନ୍ତ୍ରରେ ପୂଜା କରିଥାନ୍ତି । ଏହି ମନ୍ତ୍ରଟି ହିନ୍ଦୁବୀଜ ମନ୍ତ୍ରରୁ ଉଦ୍ଧୃତ । ତାନ୍ତ୍ରିକ ଅଭିଚାର ବଶୀକରଣରେ ସଫଳତା ନିମିତ୍ତ ଏହି ମନ୍ତ୍ରର ପ୍ରୟୋଗାତ୍ମକ ପୂଜା କରାଯାଏ । ବୌଦ୍ଧତନ୍ତ୍ରରେ କୁରୁକୁଲ୍ଲା ଧ୍ୟାନୀବୁଦ୍ଧ ଅମିତାଭଙ୍କ ରାଗକୁଳର ଦେବୀ । ଚତୁର୍ଭୁଜା କୁରୁକୁଲ୍ଲାଙ୍କୁ ଉଡ଼୍‌ଡ଼ୀୟାନ କୁରୁକୁଲ୍ଲା ଓ ଅନ୍ୟାନ୍ୟଙ୍କୁ ତରୋଦ୍ଭବ କୁରୁକୁଲ୍ଲା କୁହାଯାଏ । ଓଡ଼ିଶାର ଉଦୟଗିରି, ଅଚ୍ୟୁତରାଜପୁର, କାକଟପୁର ପ୍ରଭୃତି ସ୍ଥାନରୁ ମିଳିଥିବା କୁରୁକୁଲ୍ଲା ମୂର୍ତ୍ତିରୁ ଜଣାଯାଏ ଯେ ଏହି ଉପାସନା ଓଡ଼ିଶାରୁ ଆରମ୍ଭ ହୋଇଥିଲା । ମାରୀଚି ବଜ୍ରଯାନର ତନ୍ତ୍ରଦେବୀ । ଧ୍ୟାନୀବୁଦ୍ଧ ବୈରୋଚନଙ୍କଠାରୁ ଏହି ଦେବୀ ଉଦ୍ଭୁତ । ଏକଦା ଓଡ଼ିଶାର ଅଯୋଧ୍ୟା ମାରିଚୀ ଉପାସନା ନିମିତ୍ତ ପ୍ରସିଦ୍ଧି ଲାଭ କରିଥିଲା । ସାତଟି ଘୁଷୁରୀ ଟାଣୁଥିବା ରଥ ଉପରେ ମାରୀଚି ଆସୀନା ଏବଂ ସେହି ରଥରେ ସାରଥୀ ହେଉଛନ୍ତି ରାହୁଗ୍ରହ । ମାରୀଚି ଦୁଷ୍ଟଲୋକଙ୍କ ମୁହିଁ ଛୁଞ୍ଚି ସୂତାରେ ସିଲାଇ କରନ୍ତି ବୋଲି ବୌଦ୍ଧତାନ୍ତ୍ରିକଙ୍କର ବିଶ୍ଵାସ । ମାରୀଚିଙ୍କର ଚାରି ସଖୀ ହେଉଛନ୍ତି ବର୍ତ୍ତାଳୀ, ବରାଳୀ, ବଦାଳୀ ଓ ବରାହମୁଖୀ । ଓଡ଼ିଶାର ଉଦଳା, ଖିଚିଂ, ପୁରୀ, ତାରପୁର, ଜଗତ୍‌ସିଂହପୁର, ଅସ୍ତରଙ୍ଗ, ପ୍ରାଚୀ ଉପତ୍ୟକା ଓ ଅଚ୍ୟୁତରାଜପୁରରୁ ବହୁ ମାରୀଚି ମୂର୍ତ୍ତି ମିଳିଛି । ଏହି ଦେବୀଙ୍କ ଉପାସନା ମଧ୍ୟ ଓଡ଼ିଶାରୁ ଆରମ୍ଭ ହୋଇଥିଲା । ବ୍ରାହ୍ମଣତନ୍ତ୍ରରେ ଅପରାଜିତା ପୂଜା ପ୍ରସିଦ୍ଧି ଲାଭ କରିଥିଲା । ଏଥିରେ ପ୍ରଭାବିତ ହୋଇ ବୌଦ୍ଧ ତାନ୍ତ୍ରିକବୃନ୍ଦ ଦ୍ୱିଭୁଜା ଅପରାଜିତାଙ୍କ ପୂଜା କରିଥିଲେ । ଦୁଷ୍ଟବିନାଶ କାରିଣୀ ଏହି ଦେବୀଙ୍କ ବାହନ ହେଉଛନ୍ତି ଗଣେଶ । ତଦନୁରୂପ ପାଣ୍ଡରା, ହାରିତୀ, ବସୁଧାରା, ଚୁଣ୍ଡା ପ୍ରଭୃତି ଦେବୀଙ୍କୁ ବୌଦ୍ଧତାନ୍ତ୍ରିକଗଣ ହିନ୍ଦୁଶାକ୍ତ ତନ୍ତ୍ର ଅନୁକରଣରେ ପୂଜା କରିଥିଲେ । ଉତ୍କଳୀୟ ସ୍ଥପତିମାନେ ଏହି ମୂର୍ତ୍ତି ସମୂହ ନିର୍ମାଣ କରିଥିଲେ ।

 

ଗବେଷକମାନଙ୍କ ମତରେ ଓଡ଼ିଶା ଭୂଖଣ୍ଡର ଉଜ୍ଜୀୟାନ ପୀଠରୁ ବୌଦ୍ଧତନ୍ତ୍ରର ଉନ୍ମେଷ ଘଟି ସର୍ବତ୍ର ପ୍ରଚାର ଓ ପ୍ରସାର ହୋଇଥିଲା । ଏହି ଉଜ୍ଜୀୟାନ ପୀଠ ହିଁ ବିରାଜକ୍ଷେତ୍ର । ତନ୍ତ୍ର ଇତିହାସରେ ବିରଜାପୀଠର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ମହାଭାରତ ଯୁଗର ବହୁ ପୂର୍ବରୁ ପ୍ରସିଦ୍ଧି ଲାଭ କରିଥିବା ଏହି ତନ୍ତ୍ରପୀଠରୁ ସକଳ ପ୍ରକାର ହିନ୍ଦୁତନ୍ତ୍ର ଜନ୍ମ ନେଇଥିଲା । ବୌଦ୍ଧମାନେ ଏହି ପୀଠର ତନ୍ତ୍ର ଉପାସନାରେ ପ୍ରଭାବିତ ହୋଇ ଏହି ପୀଠ ସନ୍ନିକଟରେ ସୋଲଣପୁର, ତରାଙ୍ଗସାଗର ପୁର, ରତ୍ନଗିରି, ଉଦୟଗିରି, ବଜ୍ରଗିରି, ଧର୍ମଶାଳା, ଲାଙ୍ଗୁଡ଼ି, ଲଳିତଗିରି, ପୁଷ୍ପଗିରି ପ୍ରଭୃତି ସ୍ଥାନରେ ବୌଦ୍ଧତନ୍ତ୍ରପୀଠ ପ୍ରତିଷ୍ଠା କରିଥିଲେ । ହିନ୍ଦୁ ଓ ବୌଦ୍ଧ ଉଭୟଙ୍କ ଦୃଷ୍ଟିରେ ବିରାଜାପୀଠ ବା ଉଡ଼୍‌ଡ଼ୀୟାନ ପୀଠ ହେଉଛି ତନ୍ତ୍ରପୀଠ । ପ୍ରାଚୀନ କାଳିକା ପୁରାଣ, ଯାହାକି କାମରୂପରେ ଚରନା ହୋଇଥିଲା ସେଥିରେ ଉଲ୍ଲେଖ ରହିଛି-

 

ଓଡ଼ାଖ୍ୟଂ ପ୍ରଥମଂ ପୀଠଂ ଦ୍ୱିତୀୟଂ ଜାଳଶୈଳକମ୍‌

ତୃତୀୟଂ ପୂର୍ଣ୍ଣପୀଠନ୍ତୁ କାମରୂପ ଚତୁର୍ଥକମ୍‌। (୧୧)

 

ଏହି ପୀଠରୁ ପ୍ରଥମେ ତନ୍ତ୍ରଧାରାର ଉନ୍ମେଷ ଘଟିଥିବାରୁ କାଳିକା ପୁରାଣର ରଚୟିତା କାମରୂପ ନିବାସୀ ହେଲେ ହେଁ ଏହାକୁ ପ୍ରଥମପୀଠର ମାନ୍ୟତା ପ୍ରଦାନ କାରି କାମରୂପକୁ ଚତୁର୍ଥପୀଠ ସ୍ଵରୂପରେ ଅଭିହିତ କରିଛନ୍ତି । ବୈଦିକଯୁଗରୁ ଦେବୀ ବିରଜା ଏହି ପୀଠରେ ପୂଜିତା । ବିରଜାଙ୍କ ରୂପ, ଲୀଳା ଓ ତତ୍ତ୍ୱରେ ସିଦ୍ଧସାଧକବୃନ୍ଦ ମାତୃବ୍ରହ୍ମବୋଧର ମାଧୁରିମା ସଂଦର୍ଶନ କରିଥିଲେ, ଯାହାକି ବ୍ରାହ୍ମଣର ଶାକ୍ତତନ୍ତ୍ର ରୂପେ ଆତ୍ମପ୍ରକାଶ କରିଥିଲା । ଓଡ଼ିଶାର ନିଜସ୍ଵତନ୍ତ୍ରଶାସ୍ତ୍ର ଉଡ଼୍‌ଡ଼ୀୟାନ ତନ୍ତ୍ରରେ ବୈତରଣୀ ତଟରେ ଉଡ଼୍‌ଡ଼ୀୟାନ ପୀଠ ଅବସ୍ଥିତ ବୋଲି ଉଲ୍ଲେଖ କରାଯାଇଛି ।

 

ଉଡ଼୍‌ଡ଼ୀୟାନଂ ପରଂ ପୀଠଂ ଯତ୍ର ବୈତରଣୀ ନଦୀ,

ଉଡ୍ରଭୂମିଃ ମହାକୌଳଃ ଯାବତ୍‌ମହେନ୍ଦ୍ର ପର୍ବତମ୍‌। (୧୨)

 

ଏହି ଉଡ଼୍‌ଡ଼ୀୟାନ ପୀଠର ଆରାଧ୍ୟା ବିରଜାଙ୍କ ତନ୍ତ୍ରଧାରା ବୌଦ୍ଧମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇଥିଲା । ସେମାନେ ଦେବୀ ବିରଜାଙ୍କୁ ପ୍ରଜ୍ଞା ପାରମିତା ଜ୍ଞାନପୂର୍ବକ ଏହି ପୀଠରେ ତନ୍ତ୍ରବିଦ୍ୟା ପ୍ରଶିକ୍ଷଣ କରିଥିଲେ । ଫଳତଃ ସ୍ଵତନ୍ତ୍ର ବୌଦ୍ଧତନ୍ତ୍ର ଧାରାର ଉନ୍ମେଷ ଘଟିଥିଲା-। ଏହି ପୁରୋଦୃଷ୍ଟିରେ ବୌଦ୍ଧ ତନ୍ତ୍ରରେ ମଧ୍ୟ ଜାଳନ୍ଧର, ଉଡ଼୍‌ଡ଼ୀୟାନ, ପୂର୍ଣ୍ଣଗିରି ଓ କାମରୂପକୁ ଚତୁଷ୍ପୀଠର ମାନ୍ୟତା ପ୍ରଦତ୍ତ ।

 

ପୀଠଂ ଜାଳନ୍ଧରଂ ଖ୍ୟାତଂ ଚୋଡ଼୍‌ଡ଼ିୟାନଂ ତଥୈବଚ,

ପୀଠଂ ପୂର୍ଣ୍ଣଗିରିଂ ତୈବ କାମରୂପଂ ତଥୈବ ଚ । (୧୩)

 

ସାଧନାମାଳାରେ ଉଡ଼୍‌ଡ଼ୀୟାନକୁ ପ୍ରଥମ ବୌଦ୍ଧତନ୍ତ୍ରପୀଠର ମାନ୍ୟତା ଦିଆଯାଇଛି । ତିଦ୍ଦତର କିମ୍ବଦନ୍ତୀ ଅନୁସାରେ ଓଡ଼ଡ଼ୀୟାନ ହିଁ ଆଦି ବୌଦ୍ଧ ତନ୍ତ୍ରପୀଠ । ଏହି ପୀଠରୁ ବୌଦ୍ଧତନ୍ତ୍ର ଜନ୍ମ ନେବା ପରେ ଯାଜପୁର ଅଞ୍ଚଳରେ ଅଗଣିତ ବୌଦ୍ଧତନ୍ତ୍ରପୀଠ ଓ ବିହାର ନିର୍ମାଣ ହୋଇଥିଲା-। ତନ୍ମଧ୍ୟରୁ ରତ୍ନଗିରି, ଉଦୟଗିରି, ଲଳିତଗିରି ଓ ଅଳତି ଗିରି ପ୍ରଭୃତି ଚାରିଗୋଟି ବୌଦ୍ଧତନ୍ତ୍ରପୀଠ ଆନ୍ତର୍ଜାତୀୟ ସୁଖ୍ୟାତିଲାଭ କରିଥିଲା । ବୌଦ୍ଧ ସାଧକମାନଙ୍କ ଦିବ୍ୟଦୃଷ୍ଟିରେ ଏହି ଚାରିଗୋଟି ପୀଠ ହେଉଛି ଆତ୍ମପୀଠ, ପରପୀଠ, ଯୋଗପୀଠ ଓ ଗୁହ୍ୟପୀଠ । ଏତଦ୍‌ଭିନ୍ନ ବଜ୍ରଗିରି, ସୁରଭଗିରି, ଭୋଜକଗିରି, ମହାକାଳପଡ଼ା, ଷୋଳମ୍‌ପୁର, ଅଯୋଧ୍ୟା, କୁପାରି, ଭଦ୍ରଖ, ଜଳେଶ୍ଵର, ବୋଧିପଦ୍ରକ, ବାଣେଶ୍ୱରନାସୀ, ବଜ୍ରକୋଟ, ସମଲ, ବୌଦ୍ଧ, ସୋନପୁର, ରାଣୀପଦ୍ରଳ, ଖଦୀରପଦ୍ରକ, ଜୟାଶ୍ରମ, ଜଗଦ୍ଦଳ, ତାରପୁର, ଚୌଦ୍ୱାର, ନଗସପୁର, ଚିତ୍ରେଶ୍ଵରୀ, କୁରୁମ, ନରାଜ, ବ୍ରହ୍ମାବଣ, ଅଚ୍ୟୁତରାଜପୁର, ଅର୍ଘ୍ୟକାବରାଟୀକା, ପରିମଳଗିରି, ଗଣିଆପଲ୍ଲୀ, ଭୋରଶୈଳ, ଜଗମଣ୍ଡା, ଗଣ୍ଡିବେଢ଼, ଶାଳିହୁଣ୍ଡ, ଦନ୍ତପୁର ପ୍ରଭୃତି ଅଗଣିତ ବୌଦ୍ଧତନ୍ତ୍ରପୀଠ ଓଡ଼ିଶାରେ ରହିଥିଲା । ତନ୍ତ୍ର ସଂସ୍କୃତିର ଉତ୍ତରଣରେ ଓଡ଼ିଶାରେ ତନ୍ତ୍ରଶିକ୍ଷାଭିତ୍ତିକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ତଥା ଭାରତର ବିଭିନ୍ନ ଅଞ୍ଚଳ ଓ ବିଦେଶରୁ ଅଗଣିତ ଛାତ୍ର ସେଠାରେ ଅଧ୍ୟୟନ ଓ ପ୍ରଶିକ୍ଷଣ ନେଉଥିଲେ ।

 

ଭୌମକର ଯୁଗରେ ଓଡ଼ିଶାର ବୌଦ୍ଧତନ୍ତ୍ର ସଂସ୍କୃତି ବିକାଶର ଚରମ ସୀମାରେ ଉପନୀତ ହୋଇଥିଲା । ସେହି ସମୟରେ ରାହୁଳଭଦ୍ର ବୌଦ୍ଧତନ୍ତ୍ରର ପ୍ରଧାନ ପ୍ରଚାରକ ଥିଲେ । ଏହି ସିଦ୍ଧାଚାର୍ଯ୍ୟ ସରୋହ, ବଜ୍ରପଦ୍ମ, ପଦୃବଜ୍ର, ରାହୁଳଭଦ୍ର ଓ ରାହୁଳରୁଚି ପ୍ରଭୃତି ବହୁନାମରେ ପରିଚିତ ଥିଲେ । ସେ ମଧ୍ୟ କିଛିକାଳ ନାଳନ୍ଦା ବିଶ୍ଵବିଦ୍ୟାଳୟରେ ପ୍ରଧାନ ଆଚାର୍ଯ୍ୟ ଥିଲେ । ତାଙ୍କର ଗୁରୁ ଥିଲେ ଓଡ଼ିଶାନିବାସୀ ଚୋବେଶକଳ୍ପ । ରାହୁଳ ଭଦ୍ରଙ୍କର ପ୍ରାୟ ପାଞ୍ଚହଜାର ଶିଷ୍ୟ ଥିଲେ । ସେମାନଙ୍କ ମଧ୍ୟରେ ବୁଦ୍ଧଜ୍ଞାନ, ନାଗାର୍ଜୁନ (୨ୟ) ଓ ଶବରୀପା ବିଶେଷ ଖ୍ୟାତି ଅର୍ଜନ କରିଥିଲେ-। ରାହୁଳଭଦ୍ର ବଜ୍ରଯାନ ଆଧାରିତ ‘‘ହେବଜ୍ର ସାଧଳା’’ ରଚନା କରିଥିଲେ । ତଦୀୟ ଶିଷ୍ୟ ନାଗାର୍ଜୁନ ମହାମାୟା, ମହାକାଳ ଓ କୁରୁକୁଲ୍ଲା ସାଧନା ଆଧାରିତ ଅନେକ ଗ୍ରନ୍ଥ ରଚନା କରିବା ସହିତ ରସାୟନ ଶାସ୍ତ୍ର ସଙ୍କଳନ କରିଥିଲେ । ଅନ୍ୟତମ ଶିଷ୍ୟ ଶବରୀପା ‘‘କୁରୁକୁଲ୍ଲା ସାଧନା’’ ଗ୍ରନ୍ଥ ରଚନା କରିଥିଲେ । ଲୁଇପାଦଙ୍କୁ ପ୍ରଥମ ସିଦ୍ଧାଚାର୍ଯ୍ୟ ଭାବରେ ଗ୍ରହଣ କରାଯାଏ । ବୌଦ୍ଧ ଜଗତରେ ତାଙ୍କର ପ୍ରସିଦ୍ଧି ରହିଥିଲା । ସେ ଶ୍ରୀ ଭଗବଦ୍‌ଭିସମୟ, ଅଭିସମୟା ବିଭଙ୍ଗ, ବୁଦ୍ଧୋଦୟ, ବଜ୍ରସତ୍ତ୍ୱ ସାଧନ ପ୍ରଭୃତି ଅନେକ ଗ୍ରନ୍ଥ ରଚନା କରିଥିଲେ । ସିଦ୍ଧାଚାର୍ଯ୍ୟ କମ୍ବଳପାଦଙ୍କ ରଚନା ହେଉଛି ‘‘ଅଭିମୟ ନାମ ପଞ୍ଜିକା’’ । ଆଚାର୍ଯ୍ୟ ଅନଙ୍ଗବଜ୍ର ହେ ବଜ୍ର ସାଧନା (ଏକନାଥ ହେତୁକ) ହେ ବଜ୍ର ସାଧନ, ହେ ବଜ୍ରନାମ ସାଧେନୋପାୟିକା, ହୋମ କର୍ମକ୍ରମ, ବିଷନିର୍ବହଣ ଭାବନାକ୍ରମ ଓ ପ୍ରଜ୍ଞୋପାୟବିନିଶ୍ଚୟସିଦ୍ଧି ରଚନା କରିଥିଲେ । ଦଦୀୟଶିଷ୍ୟ ଇନ୍ଦ୍ରଭୂତି ଶ୍ରୀଚକ୍ତ ସମ୍ବର, ତନ୍ତ୍ରରାଜ ସମ୍ବର, ସମୁଚ୍ଚୟ ନାମ ବୃତ୍ତି, ଶ୍ରୀକ୍ତ ସମ୍ବର ସ୍ତୋତ୍ର, ଚକ୍ର ସମ୍ବରାନ୍ନାବଦ୍ଧ ସଂଗ୍ରହ, ସିଦ୍ଧିଚକ୍ର ଯୋଗିନୀସାଧନ, ବଜ୍ରଯୋଗିନୀ ମନ୍ତ୍ରତତ୍ତ୍ୱ ସ୍ଵାଧିଷ୍ଠାନ ନିର୍ଦ୍ଦେଶ, ଶୁକ୍ଳ ବଜ୍ରଯୋଗିନୀ ସାଧନା, ଦକ୍ଷିଣଚକ୍ର ପଞ୍ଜର ମହାମନ୍ତ୍ର ରାଜସ୍ୟ ପଞ୍ଜିକା, କୁଳିକା ମହାତତ୍ତ୍ୱ ନିର୍ଣ୍ଣୟ, ଶ୍ରୀଂସପୂଟ ତିଳକ ନାମଯୋଗିନୀ ଓ ତନ୍ତ୍ରରାଜସ୍ୟସ୍ମୃତି ସନ୍ଦର୍ଶନାଲୋପ, ଶ୍ରୀଆନନ୍ଦ ପୁଷ୍ପମାଳା, ଶ୍ରୀତତ୍ତ୍ୱାମୃତୋପଦେଶ, ମହାମାୟା ସାଧନା, ଶ୍ରୀ ସର୍ବବୁଦ୍ଧ ସମାଯୋଗ ନାମତନ୍ତ୍ର ପଞ୍ଜିକା, ଶ୍ରୀ ସର୍ବବୁଦ୍ଧ ସମାଯୋଗ ଡାକିନୀ ଜାଳସମ୍ଭର ତନ୍ତ୍ରାର୍ଥଟୀକା, ସର୍ବବୁଦ୍ଧ-ସମାଯୋଗ ଗଣବୃତ୍ତି, ବଜ୍ର ସତ୍ତ୍ୱୋ ପାୟିକା, ଶ୍ରୀ ସର୍ବବୁଦ୍ଧ ସମାଯୋଗ ଡାକିନୀ କାଳସମ୍ଭର ତନ୍ତ୍ରାର୍ଥଟୀକା, ସର୍ବବୁଦ୍ଧ- ସମାଯୋଗ ଗଣବୃତ୍ତି, ବଜ୍ର ସତ୍ତ୍ୱୋ ପାୟିକା, ଶ୍ରୀ ସର୍ବବୁଦ୍ଧ ସମାଯୋଗ ଡାକିନୀ ଜାଳସମ୍ଭର ମହାମନ୍ତ୍ର ରାଜନାମ ମଣ୍ଡଳୋପାୟିକା, ସହଜସିଦ୍ଧି, ତତ୍ତ୍ୱାତ୍ମକ ଦୃଷ୍ଟି ରତ୍ନ ଚକ୍ରାଭିଷେକ ଉପଦେଶ, ଆର୍ଯ୍ୟମଞ୍ଜୁଶ୍ରୀ ନାମ ସଂଗୀତ ବୃତ୍ତି, କୁରୁକୁଲ୍ଲା ସାଧନା ଓ ଜ୍ଞାନସିଦ୍ଧି ପ୍ରଭୃତି ଅନେକ ଶାସ୍ତ୍ର ରଚନା କରିଛନ୍ତି । (୧୪) ଇନ୍ଦ୍ରଭୂତିଙ୍କ ଭଗ୍ନୀ ଲକ୍ଷ୍ମୀଙ୍କରା ସହଜଯାନର ପ୍ରବର୍ତ୍ତିକା ତଥା ଅଦ୍ୱୟସିଦ୍ଧି ତନ୍ତ୍ରଶାସ୍ତ୍ରର ରଚୟିତା । ସିଦ୍ଧ ଶାନ୍ତରକ୍ଷିତଙ୍କ ରଚନା ହେଉଛି ତତ୍ତ୍ୱସଂଗ୍ରହ, ବାଦନ୍ୟାୟ ବୁତ୍ତିବିପଞ୍ଚିତାର୍ଥ ଓ ମାଧ୍ୟମିକାଳଙ୍କାର । ତନ୍ତ୍ରସିଦ୍ଧ କାହୁ ପାଙ୍କ ରଚିତ ଶାସ୍ତ୍ର ସଂଖ୍ୟା ୭୫ରୁ ଅଧିକ, ଯାହା ସ୍ଵତନ୍ତ୍ର ଆଲୋଚନା ପ୍ରତୀକ୍ଷା କରିଥାଏ । ଦାରିକପାଦ ସେକ ପ୍ରକ୍ରିୟାବୃତ୍ତି ଓ ଶ୍ରୀକାଳଚକ୍ର ତନ୍ତ୍ରରାଜ ରଚନା କରିଛନ୍ତି । ଆଚାର୍ଯ୍ୟ ପୀତୋପାଦଙ୍କର ମହନୀୟକୃତୀ ହେଉଛି “କାଳଚକ୍ର ଯାନ ତନ୍ତ୍ର ସାଧନା’’ । ଏତଦ୍‌ଭିନ୍ନ ତାଙ୍କର ଅନ୍ୟାନ୍ୟ କୃତିୀ ତିବ୍ଦତରୁ ମିଳିଅଛି । ଏହିସବୁ ତନ୍ତ୍ରଶାସ୍ତ୍ର ଓଡ଼ିଶାମାଟିରେ ରଚିତ ହେବାଦ୍ଵାରା ବୌଦ୍ଧତନ୍ତ୍ରର ବ୍ୟାପକ ପ୍ରସାର ଘଟିଥିଲା । ଇନ୍ଦ୍ରଭୂତି ଓ ତାହାଙ୍କ ପାଳିତ ପୁତ୍ର ପଦ୍ମସମ୍ଭବ ତଥା ପଦ୍ମସମ୍ଭବଙ୍କ ଶାଳକ ଶାନ୍ତରକ୍ଷିତ ଆସାମ, ନେପାଳ, ତିବ୍ଦତ ଦେଶରେ ବୌଦ୍ଧତନ୍ତ୍ର ପ୍ରଚାର କରିଥିଲେ । ନେପାଳରେ ପଦ୍ମସମ୍ଭବ ଦ୍ୱିତୀୟ ବୁଦ୍ଧ ସ୍ୱରୂପରେ ପୂଜିତ । ଏହି ସିଦ୍ଧସାଧକମାନଙ୍କ ମହତ୍‌ପ୍ରୟାସରେ ବଜ୍ରଯାନ ତନ୍ତ୍ରରେ ଶକ୍ତ ଉପାସନାର ବିଧିବ୍ୟବସ୍ଥା ପ୍ରବର୍ତ୍ତିତ ହୋଇଥିଲା । (୧୫) ପରିଣାମସ୍ଵରୂପ ସନାତନଧର୍ମ ଓ ବୌଦ୍ଧଧର୍ମର ତାନ୍ତ୍ରିକବିଧି ଏକାକାର ପ୍ରତୀତ ହୋଇ ଲୋକପ୍ରିୟତା ଲାଭ କଲା ।

 

ସଂସାର ହେଉଛି ଦୁଃଖାଳୟ । ବୌଦ୍ଧମତରେ କରୁଣା ବା ରାଗ ସକଳ ଦୁଃଖ ଦୂରକରିପାରେ । ସିଦ୍ଧାଚାର୍ଯ୍ୟ ଅନଙ୍ଗବଜ୍ର ସ୍ଵରଚିତ ଗ୍ରନ୍ଥ ପ୍ରଜ୍ଞୋପୟ ବିନିଶ୍ଚୟସିଦ୍ଧିରେ କରୁଣାକୁ ଉପାୟ ଓ ପ୍ରଜ୍ଞାକୁ ଉପେୟ ବୋଲି ବ୍ୟକ୍ତ କରିଛନ୍ତି ତଥା କରୁଣା ଓ ପ୍ରଜ୍ଞାର ମିଳନରେ ମହାସୁଖମୟ ନିର୍ବାଣ ଲାଭହୁଏ ବୋଲି ସିଦ୍ଧାନ୍ତ ଗ୍ରହଣ କରିଛନ୍ତି । ନିର୍ବାଣସ୍ଥିତିରେ ସାଧକ ନିଜକୁ ନିର୍ବିକାର, ନିଷ୍ପାପ ଓ ଅନାଦି ଅନନ୍ତ ବିବେଚନା କରିଥାଏ । ଏହା ହେଉଛି ଅଦ୍ୱୟଜ୍ଞାନ, ଯାହାକୁ ବଜ୍ର, ବଜ୍ରସତ୍ତ୍ୱ ବୋଧି ପ୍ରଜ୍ଞା ପାରମିତା ଓ ସମତା କୁହାଯାଏ । (୧୬) ବଜ୍ରଯାନ ମତରେ ମନର ଅବସ୍ଥାନ୍ତର ହିଁ ନିର୍ବାଣ । ଅନଙ୍ଗବଜ୍ରଙ୍କ ଶିଷ୍ୟ ଇନ୍ଦ୍ରଭୂତି ସ୍ଵରଚିତ ଜ୍ଞାନସିଦ୍ଧିରେ ଆକାଶ ସଦୃଶ ବ୍ୟାପକ ତଥା ଅଲୌକିକ ତତ୍ତ୍ୱଜ୍ଞାନକୁ ବଜ୍ରଜ୍ଞାନ କହିଛନ୍ତି ।

 

ଅପ୍ରତିଷ୍ଠଂ ମହାକାଶବ୍ୟାପି ଲକ୍ଷଣବର୍ଜିତମ୍‌,

ଇଦଂତତ୍ ପରମଂ ତତ୍ତ୍ୱଂ ବଜ୍ରଜ୍ଞାନ ମନୁତ୍ତରମ୍‌। (୧୭)

 

ଇନ୍ଦ୍ରଭୂତିଙ୍କ ମତରେ ନିର୍ବାଣ ହିଁ ବଜ୍ର । ଏହି ମହାତତ୍ତ୍ୱକୁ ସାଧାରଣବ୍ୟକ୍ତି ଉପଲବ୍ଧି କରିବା ନିମିତ୍ତ ସେ ସାନ୍ଧ୍ୟଭାଷାରେ ଲିଙ୍ଗ ଅର୍ଥାତ୍ ପୁରୁଷଜନନେନ୍ଦ୍ରିୟକୁ ବଜ୍ର, ସ୍ତ୍ରୀ ଜନନେନ୍ଦ୍ରିୟକୁ ପଦ୍ମ ଓ ଶୁକ୍ରକୁ ବଜ୍ରୋଦକ ବା ବୌରୋଚନ କହିଅଛନ୍ତି ।

 

ଶୁକ୍ରଂ ବୈରୋଚନଂ ଖ୍ୟାତଂ ବଜ୍ରୋଦକଂ ତଥାଦ୍ଧପରମ୍‌,

ସ୍ତ୍ରୀନ୍ଦ୍ରିୟଂ ଚଯ୍ୟା ପଦ୍ମଂ ବଜ୍ରଂ ପୁଂସେନ୍ଦ୍ରିୟଂ ତଥା । (୧୮)

 

ତାଙ୍କ ମତରେ ସାଧକ ଶୂନ୍ୟରେ ପୁରୁଷନାରୀର ମିଳନ ସଦୃଶ ଲିଙ୍ଗଯୋନି ସଂପର୍କ ଜନିତ ପରମ ଆନନ୍ଦ ଉପଲବ୍ଧି କରିଥାଏ । ଅର୍ଥାତ୍ ନିର୍ବାଣ ସାଧନାରେ ନରନାରୀର ସହବାସ ଓ ସଂଗମର ପରମସୁଖ ଲାଭ ହୁଏ । ସାଧକମାନେ ସିଦ୍ଧ ଅବସ୍ଥାରେ ରତିସୁଖ ସଦୃଶ ମହାସୁଖ ଲାଭ କରୁଥିଲେ ଏବଂ ସେହି ଦିବ୍ୟାନୁଭୂତିକୁ ସେମାନେ ସାନ୍ଧ୍ୟ ଭାଷାରେ ଉଲ୍ଲେଖ କରିଛନ୍ତି । ଚଉରାଅଶୀ ସିଦ୍ଧ ମଧ୍ୟ ଲୌକିକ ଭାଷାରେ ଏହି ତତ୍ତ୍ୱ ସାଧାରଣରେ ପ୍ରଚାର କରିଥିଲେ, ଯାହାକୁ ଚର୍ଯ୍ୟାଗୀତି କୁହାଯାଏ । କୃଷ୍ଣାଚାର୍ଯ୍ୟ ସ୍ଵରଚିତ ସହଜମ୍ନାୟ ପଞ୍ଜିକାରେ ସର୍ବସାଧାରଣଙ୍କୁ ଏ ସଂପର୍କରେ ଚେତାବନୀ ଦେଇ ଉଲ୍ଲେଖ କରିଛନ୍ତି ‘‘ଜଲ୍ଲଇ ମରଇ ଉବଜ୍ଜଇ, ତଲ୍ଲଇ ପରମ ମହାସୁହ ସିଜ୍‌ଝଇ’’ ଅର୍ଥାତ୍ ଲୋକେ ଯେଉଁ ସୁଖ ଭୋଗ କରିମରନ୍ତି, ସେହି ସୁଖରୁ ପୁନର୍ବାର ଜନ୍ମନିଅନ୍ତି ଏବଂ ଏହାକୁ ପ୍ରକୃତ ସୁଖ କଳ୍ପନା କରି ସେହି ସୁଖରେ ବାନ୍ଧି ହୋଇ ରୁହନ୍ତି । କିନ୍ତୁ ଗୁରୁଙ୍କଠାରୁ ଉପଦେଶ ଲାଭ ପୂର୍ବକ ସାଧନା କଲେ ସେହି ସୁଖ ପରମ ମହାସୁଖରେ ପରିଣତ ହୋଇଥାଏ । ଏହା ହିଁ ବଜ୍ରଯାନର ସିଦ୍ଧାନ୍ତ ।

 

ବଜ୍ରଯାନରୁ ସହଜଯାନର ସୃଷ୍ଟି । ସହଜଯାନର ପ୍ରବର୍ତ୍ତିକା ହେଉଛନ୍ତି ଇନ୍ଦ୍ରଭୂତିଙ୍କ ଭଗ୍ନୀ ଲକ୍ଷ୍ମୀଙ୍କରା । ଭଗବତୀ ଲକ୍ଷ୍ମୀଙ୍କରା ଇନ୍ଦ୍ରଭୂତିଙ୍କଠାରୁ ବଜ୍ରଯାନ ଦୀକ୍ଷାଗ୍ରହଣ କରି ସାଧନା ଆରମ୍ଭ କରିଥିଲେ । ବଜ୍ରଯାନରେ ସିଦ୍ଧିଲାଭ କରିବା ପରେ ସେ ଏକ ନୂତନ ସଂବୋଧ ଲାଭ କରିଥିଲେ । ସେହି ସଂବୋଧିତ ନାମ ସହଜଯାନ । ଲକ୍ଷ୍ମୀଙ୍କରାଙ୍କ ମତ ହେଉଛି ‘ନିର୍ବାଣ ପ୍ରାପ୍ତି ନିମିତ୍ତ ପୂଜା, ଧ୍ୟାନ, ଜପ, ତପ ପ୍ରଭୃତିର ଆବଶ୍ୟକତା ନାହି । ସ୍ନାନଶୌଚ ପୂର୍ବକ କାଷ୍ଠପାଷାଣ ମୂର୍ତ୍ତିପୂଜା କରିବାର ପ୍ରୟୋଜନ ନାହିଁ । ଏହି ପିଣ୍ଡ ହିଁ ବ୍ରହ୍ମାଣ୍ଡ । ତେଣୁ ସ୍ୱଶରୀରରେ ଦେବତାର ଉପାସନା କରିବା ବିଧେୟ । ସେ ଅଦ୍ଵୟ ସିଦ୍ଧିରେ ଉଲ୍ଲେଖ କରିଛନ୍ତି -

 

ନ କଷ୍ଟକଳ୍ପନାଂ କୁର୍ଯ୍ୟାତ୍ ନୋପବାସୋ ନ ଚ କ୍ରିୟାମ୍‌,

ସ୍ନାନଂ ଶୌଚଂ ନ ଚୈବାତ୍ର ଗ୍ରାମଧର୍ମ ବିବର୍ଜନମ୍‌।

ନ ଚାପି ବନ୍ଦୟେତ୍‌ଦେବାନ୍‌କାଷ୍ଠ ପାଷାଣ ମୃଣ୍ମୟାନ୍

ପୂଜାମସ୍ୟୈବ କାୟସ୍ୟ କୁର୍ଯ୍ୟାନ୍ୱିତାଂ ସମାହିତଃ ।

 

ସହଜଯାନରେ କେବଳାବସ୍ଥାକୁ ଶୂନ୍ୟ ବା ସହଜ କୁହାଯାଏ । ଏଥିରେ ବଜ୍ର ପରିବର୍ତ୍ତେ ସହଜ ଶବ୍ଦ ବ୍ୟବହୃତ ହୁଏ । ସହଜର ସାଧାରଣ ଅର୍ଥ ହେଉଛି ସ୍ୱାଭାବିକ । ଆତ୍ମା ବା ଚିତ୍ତର ସ୍ଵାଭାବିକ ଅବସ୍ଥାକୁ ସହଜ କୁହାଯାଏ । ବିଶୁଦ୍ଧ ଚିତ୍ତର ସ୍ୱରୂପ ହିଁ ସହଜ ପଦବାଚ୍ୟ । ଜୀବ ପରମଙ୍କ ସହିତ ମିଳିତ ହେଲେ ଆପଣାର ସ୍ଵାଭାବିକ ବା ସହଜ ସ୍ୱରୂପ ପ୍ରାପ୍ତି ହୋଇଥାଏ । ଏହି ସହଜ ଅବସ୍ଥାର ଅନ୍ୟ ନାମ ବ୍ରହ୍ମୋପଲବ୍ଧି ବା ନିର୍ବିକଳ୍ପସମାଧି । ସହଜରେ ବାଚ୍ୟ, ବାଚକ ଓ ସମ୍ବନ୍ଧର କୌଣସି ସମ୍ପର୍କ ନାହିଁ । ଯେଉଁ ଅବସ୍ଥାରେ ଇନ୍ଦ୍ରିୟ ବିଲୀନ ହୋଇ ଆତ୍ମାର ସ୍ଵଭାବ ନଷ୍ଟହୁଏ, ତାହା ହିଁ ସହଜ । ଏହି ମତରେ ଚାରିପ୍ରକାର ଆନନ୍ଦ ବିଦ୍ୟମାନ । ତାହା ହେଉଛି ପ୍ରଥମାନନ୍ଦ, ପରମାନନ୍ଦ, ବିରମାନନ୍ଦ ଓ ସହଜାନନ୍ଦ । ସହଜାନନ୍ଦରେ ଇନ୍ଦ୍ରିୟବୋଧ ସଂପୂର୍ଣ୍ଣ ଲୋପପାଇ ଅସ୍ତିତ୍ଵବୋଧ ନିଶ୍ଚିହ୍ନ ହୋଇଯାଏ । ଏହି ଦିବ୍ୟାବସ୍ଥା ଅନିର୍ବଚନୀୟ, କେବଳ ଅନୁଭବୈକଗମ୍ୟ । ଲକ୍ଷ୍ମୀଙ୍କରାଙ୍କ ପ୍ରବର୍ତ୍ତିତ ସହଜଯାନ ବିଶେଷ ଲୋକପ୍ରିୟତା ଲାଭ କରିଥିଲା । ଅଗଣିତ ସିଦ୍ଧତାନ୍ତ୍ରିକ ସହଜାନନ୍ଦ ଲାଭପୂର୍ବକ ଏହାର ପ୍ରଚାର ଓ ପ୍ରସାର ଘଟାଇଥିଲେ । ଅଧିକନ୍ତୁ, ଏହା ଗଣଧର୍ମ ଭାବରେ ପ୍ରତିଭାତ ହୋଇ ସହଜିଆସାଧକଙ୍କ ସଂଖ୍ୟା ବିଶେଷ ଭାବରେ ବୃଦ୍ଧି ହୋଇଥିଲା । ଓଡ଼ିଶାର ପରବର୍ତ୍ତୀସାଧକ ଓ ପଞ୍ଚସଖାବୃନ୍ଦ ତଥା ତାଙ୍କର ଅନୁଗାମୀବୃନ୍ଦ ସହଜ ସାଧନ ପ୍ରକ୍ରିୟାରେ ସିଦ୍ଧିଲାଭ କରିବା ସହିତ ଏହାର ସରଳମତ ଆପଣା ଆପଣା ଗ୍ରନ୍ଥରେ ଉଲ୍ଲେଖ କରିଯାଇଛନ୍ତି । ଏହାର ପ୍ରଭାବ ଆଜିସୁଦ୍ଧା ଓଡ଼ିଶାର ଧର୍ମଧାରାରେ ଅବ୍ୟାହତ ରହିଛି । ତାନ୍ତ୍ରିକ ବୌଦ୍ଧଧର୍ମ ଓ ମହିମାଧର୍ମରେ ଏହାର ପ୍ରଭାବ ଅନୁଭୂତ ହୋଇଥାଏ ।

 

ବଜ୍ରଯାନ ଓ ସହଜଯାନ ସଦୃଶ କାଳଚକ୍ରଯାନର ଉନ୍ମେଷ ମଧ୍ୟ ଓଡ଼ଶା ମାଟିରୁ ହୋଇଥିଲା । ଏହାର ପ୍ରବର୍ତ୍ତକ ଥିଲେ ଆଚାର୍ଯ୍ୟ ପୀତୋପାଦ । ସେ ସମ୍ବଳରେ ସାଧନାରତ କାଳରେ ଯୋଗାଚାର ପଦ୍ଧତିରୁ କାଳଚକ୍ରଯାନର ସଂବୋଧି ଲାଭ କରିଥିଲେ । ପରବର୍ତ୍ତୀ କାଳରେ ରତ୍ନଗିରି ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ରହି ସେ ଦେଶ ବିଦେଶର ଛାତ୍ରଙ୍କୁ କାଳଚକ୍ରଯାନ ତନ୍ତ୍ର ଶିକ୍ଷା ଦେଇଥିଲେ । କାଳ ବା ମୃତ୍ୟୁକୁ ଅତିକ୍ରମ କରିବାର ସରଳପଥ ହିଁ କାଳଚକ୍ରଯାନତନ୍ତ୍ର । ଏହି ଯାନରେ ମହାକାଳଙ୍କର ଆରାଧନା ଯୌଗିକ ପଦ୍ଧତିରେ କରିବାକୁ ହୋଇଥାଏ । ମହାକାଳ ହେଉଛନ୍ତି ହିନ୍ଦୁଙ୍କ ସଂହାରର ଦେବତା ଶିବ । ବୌଦ୍ଧତନ୍ତ୍ର କାଳଚକ୍ରଯାନରେ ପୀତୋପାଦ ସେହି ଶିବଙ୍କର ଉପାସନା ଓ ସାଧନା ହିଁ ପ୍ରବର୍ତ୍ତନ କରାଇଥିଲେ । ତାଙ୍କ ପୂଜିତ ମହାକାଳ ଏବେ ମଧ୍ୟ ରତ୍ନଗିରିରେ ବିରାଜିତ । ସେ କାଳଚକ୍ରଯାନ ସଂପର୍କୀୟ ଅନେକ ଶାସ୍ତ୍ରରଚନା କରିଥିଲେ ଏବଂ ତାଙ୍କର ପ୍ରିୟଶିଷ୍ୟ ଜୟଦ୍ରଥ ସେଗୁଡ଼ିକ ତିବ୍ଦତୀୟ ଭାଷାରେ ଅନୁବାଦ କରିଥିଲେ । ଏହି ନୂତନ ସରଳମାର୍ଗ ଅଗଣିତ ସାଧକଙ୍କୁ ଆକୃଷ୍ଟ କରିଥିଲା । ଅଗଣିତ ଶିଷ୍ୟ ପୀତୋପାଦଙ୍କଠାରୁ କାଳଚକ୍ରଯାନ ଶିକ୍ଷା କରିଥିଲେ ହେଁ ବୋଧି ଶ୍ରୀ, ନାରୋପା, ଅବଧୂତୀ ଓ ସୌରୀ ପ୍ରଭୃତି ତାଙ୍କର ପଟ୍ଟଶିଷ୍ୟ ଥିଲେ । ସେମାନେ କାଳଚକ୍ରଯାନର ପ୍ରଚାର ଓ ପ୍ରସାର ଘଟାଇଥିଲେ । ଏହି ଯାନର ସିଦ୍ଧାନ୍ତ ହେଉଛି ସାଧନା ଦ୍ୱାରା ମୃତ୍ୟୁଞ୍ଜୟ ହୋଇ ମହାଶୂନ୍ୟ ବା ନିର୍ବାଣ ପ୍ରାପ୍ତି ।

 

ବ୍ରାହ୍ମଣତନ୍ତ୍ର ଅନୁକରଣରେ ବୌଦ୍ଧତାନ୍ତ୍ରିକ ବୃନ୍ଦ ପ୍ରତ୍ୟେକ ଦେବଦେବୀଙ୍କ ସ୍ଵତନ୍ତ୍ର ମନ୍ତ୍ର, ବୀଜମନ୍ତ୍ର, ଧାରିଣୀମନ୍ତ୍ର, ସ୍ତବ, ସ୍ତୋତ୍ର, କବଚ, କୀଳକ, ପଟଳ, ପଦ୍ଧତି ସହସ୍ରନାମ ପ୍ରଭୃତି ସୃଷ୍ଟି କରିଥିଲେ । ସେମାନେ ନମଃ, ସ୍ୱାହା, ବଷଟ୍‌, ବୌଷଟ, ହୁମ୍‌ଓ ଫଟ୍‌ଏହି ଷଟ୍‌ମନ୍ତ୍ର ପ୍ରୟୋଗ ପୂର୍ବକ ପ୍ରତ୍ୟେକ ଦେବଦେବୀଙ୍କ ତନ୍ତ୍ରପୂଜା ନିଷ୍ଠାର ସହିତ ସଂପନ୍ନ କରୁଥିଲେ । ଏତଦ୍‌ଭିନ୍ନ ଯନ୍ତ୍ର ଓ ମଣ୍ଡଳ ପୂଜାରେ ମଧ୍ୟ ବୌଦ୍ଧତାନ୍ତ୍ରିକ ବୃନ୍ଦ ପାରଙ୍ଗମ ଥିଲେ । ସ୍ଵଳ୍ପକାଳ ମଧ୍ୟରେ ବୌଦ୍ଧତନ୍ତ୍ର ଲୋକପ୍ରିୟ ହୋଇ ଗଣଧର୍ମର ଭବ୍ୟରୂପ ଗ୍ରହଣ କରିଥିଲା । ଅଧିକନ୍ତୁ ସିଦ୍ଧାଚାର୍ଯ୍ୟବୃନ୍ଦ ଚର୍ଯ୍ୟାଗୀତି ଦ୍ଵାରା ଏହାର ସିଦ୍ଧାନ୍ତ ସରଳ ସାବଲୀଳ ଲୌକିକ ଭାଷାରେ ପ୍ରଚାର କରି ଏହାକୁ ଅଧିକରୁ ଅଧିକ ଲୋକପ୍ରିୟ କରାଇଥିଲେ । ସେହି ଚର୍ଯ୍ୟାଗୀତ ସମୂହର ସଂସ୍କୃତ ଅନୁବାଦ ପଣ୍ଡିତବର୍ଗଙ୍କ ଦ୍ୱାରା ହୋଇ ଦେଶବିଦେଶରେ ତାହା ପ୍ରସିଦ୍ଧି ଲାଭ କରିଥିଲା । ବୌଦ୍ଧତାନ୍ତ୍ରିକ ବୃନ୍ଦ ଚର୍ଯ୍ୟାଗୀତ ସମୂହକୁ ତନ୍ତ୍ରର ମନ୍ତ୍ର ଭାବରେ ପ୍ରୟୋଗ କରୁଥିଲେ । ବ୍ରାହ୍ମଣତନ୍ତ୍ର ସଦୃଶ ବୌଦ୍ଧତନ୍ତ୍ର ଗୁରୁବାଦ ଉପରେ ପ୍ରତିଷ୍ଠିତ । ସୃଷ୍ଟିତତ୍ତ୍ୱ, ପିଣ୍ଡ ବ୍ରହ୍ମାଣ୍ଡବାଦ, କାୟାସାଧନା ପ୍ରଭୃତି ବ୍ରାହ୍ମଣତନ୍ତ୍ରର ଗୁହ୍ୟବିଦ୍ୟା ବୌଦ୍ଧତନ୍ତ୍ରର ଅନ୍ତର୍ଭୁକ୍ତ ହୋଇଥିଲା ।

 

ବୌଦ୍ଧତନ୍ତ୍ର ଅନେକ ବିଭାଗରେ ବିଭକ୍ତ ଥିଲା ଏବଂ ପ୍ରତ୍ୟେକ ବିଭାଗରେ ମୁଖ୍ୟ ଆଚାର୍ଯ୍ୟ, ଆଚାର୍ଯ୍ୟବୃନ୍ଦ, ସାଧକ, ପ୍ରଶିକ୍ଷକ ଓ ଶିଷ୍ୟ ରହିଥିଲେ । ସେହି ବିଭାଗଗୁଡ଼ିକ ହେଉଛି ବୁଧକପାଳତନ୍ତ୍ର, ଯୋଗିନୀତନ୍ତ୍ର, ବଜ୍ରତନ୍ତ୍ର, ସଂପୂଟକତନ୍ତ୍ର, ସହଜତନ୍ତ୍ର, କୃଷ୍ଣଯମାରିତନ୍ତ୍ର, ବଜ୍ରାମୃତତନ୍ତ୍ର, ମହମାୟା ତନ୍ତ୍ର, କାଳଚକ୍ରତନ୍ତ୍ର ଏବଂ ଚକ୍ରସମ୍ଭାରତନ୍ତ୍ର । ରାହୁଳଭଦ୍ର ଥିଲେ ବୁଦ୍ଧକପାଳ ତନ୍ତ୍ରର ମୁଖ୍ୟଆଚାର୍ଯ୍ୟ । ତାଙ୍କ ଅଧୀନରେ ଅନ୍ୟାନ୍ୟ ଆଚାର୍ଯ୍ୟ, ସାଧକ, ପ୍ରଶିକ୍ଷକ ଓ ଶିଷ୍ୟ ସାଧନାରତ ଥିଲେ । ସେ ଚୋବେଶକଳ୍ପଙ୍କ ଦ୍ୱାରା ମନ୍ତ୍ରଯାନରେ ଦୀକ୍ଷିତ ହେବାପରେ ଏହି ନୂତନ ସଂବୋଧି ଲାଭ କରିଥିଲେ । ବିଦ୍ୱାନ ମଣ୍ଡଳୀ ତାଙ୍କୁ ଆଦିସିଦ୍ଧ ସ୍ଵରୂପରେ ମର୍ଯ୍ୟାଦା ପ୍ରଦାନ କରିଥାନ୍ତି । ଯୋଗିନୀ ତନ୍ତ୍ରର ମୁଖ୍ୟ ଆଚାର୍ଯ୍ୟ ଥିଲେ ଲୁଇପାଦ । କେତେକ ଗବେଷକ ତାଙ୍କୁ ନାଥଯୋଗୀ ମତ୍ସ୍ୟେନ୍ଦ୍ରନାଥ ବା ଆଦିନାଥ ଭାବରେ ଚିତ୍ରଣ କରିଥାନ୍ତି । ସେ ଯୋଗିନୀ ତନ୍ତ୍ରର ସଂବୋଧି ଲାଭ କରି ଓଡ଼ିଶା, ବଙ୍ଗଳା, କାମରୂପ, ସିଂହଳ ଓ ତିବ୍ଦତରେ ପ୍ରଚାର କରିଥିଲେ । ତାଙ୍କ ଅଧୀନରେ ମଧ୍ୟ ବହୁ ଆଚାର୍ଯ୍ୟ, ସାଧକ, ପ୍ରଶିକ୍ଷକ ଓ ଶିଷ୍ୟ ରହିଥିଲେ । ବଜ୍ରତନ୍ତ୍ରର ମୁଖ୍ୟ ଆଚାର୍ଯ୍ୟ ହେଉଛନ୍ତି ପଦ୍ମବଜ୍ର । ଶୁଭାକର ଦେବ, ଅନଙ୍ଗବଜ୍ର ଓ ଇନ୍ଦ୍ରଭୂତି ପ୍ରଭୃତି ଏହାର ଅନେକ ଆଚାର୍ଯ୍ୟ, ଅଗଣିତ ସାଧକ, ପ୍ରଶିକ୍ଷକ ଓ ଶିଷ୍ୟ ରହିଥିଲେ । ଏହି ତନ୍ତ୍ର ସମଗ୍ର ବିଶ୍ଵରେ ପ୍ରସାର ଲାଭ କରିଥିଲା । କୃଷ୍ଣାଚାର୍ଯ୍ୟ ବା କାହ୍ନୁପା ହେଉଛନ୍ତି ସଂପୂଟକ ତନ୍ତ୍ରର ମୁଖ୍ୟ ଆଚାର୍ଯ୍ୟ । କବିତ୍ୱ, ପାଣ୍ଡିତ୍ୟ ଓ ପ୍ରଗାଢ଼ ତାନ୍ତ୍ରିକତାର ସେ ଥିଲେ ଅନନ୍ୟ ଉଦାହରଣ । ତାଙ୍କ ଦ୍ଵାରା ସଂପୂଟକ ତନ୍ତ୍ର ଆରମ୍ଭ ହୋଇ ଅନ୍ୟାନ୍ୟ ଆଚାର୍ଯ୍ୟ, ସାଧକ, ପ୍ରଶିକ୍ଷକ ଓ ଶିଷ୍ୟମଣ୍ଡଳୀ ଦ୍ୱାରା ପ୍ରସାରିତ ହୋଇଥିଲା । କୃଷ୍ଣଯମାରି ତନ୍ତ୍ରର ମୁଖ୍ୟ ଆଚାର୍ଯ୍ୟ ଥିଲେ ଲଳିତବଜ୍ର ଏବଂ ବଜ୍ରାମୃତ ତନ୍ତ୍ରର ମୁଖ୍ୟ ଆଚାର୍ଯ୍ୟ ଥିଲେ ଗମ୍ଭୀରାବଜ୍ର । ଏହି ଦୁଇଜଣ ଓଡ଼ିଶାନିବାସୀ ନ ହେଲେ ହେଁ ନେପାଳ ଓ ତିବ୍ଦତରୁ ସେମାନଙ୍କ ସାଧନା ଓ ପ୍ରଚାରର ବିବରଣୀ ଉପଲବ୍‌ଧ ହୋଇଥାଏ । କୁକ୍କରୀପାଦ ଥିଲେ ମହାମାୟାତନ୍ତ୍ରର ମୁଖ୍ୟ ଆଚାର୍ଯ୍ୟ । ତାଙ୍କ ଅଧୀନରେ ମଧ୍ୟ ଅନେକ ଆଚାର୍ଯ୍ୟ ଏହି ତନ୍ତ୍ରର ପ୍ରଶିକ୍ଷକ ଓ ଶିଷ୍ୟ ଥିଲେ । କାଳଚକ୍ର ତନ୍ତ୍ରର ମୁଖ୍ୟ ଆଚାର୍ଯ୍ୟ ପୀତୋପାଦ । ଏହି ତନ୍ତ୍ର ଅନ୍ୟାନ୍ୟ ଆଚାର୍ଯ୍ୟ, ସାଧକ, ପ୍ରଶିକ୍ଷକ ତଥା ଶିଷ୍ୟ ମଣ୍ଡଳୀଦ୍ଵାରା ବିସ୍ତାର ଲାଭ କରିଥିଲା । ସହଜ ତନ୍ତ୍ରର ପ୍ରବର୍ତ୍ତିକା ଥିଲେ ଲକ୍ଷ୍ମୀଙ୍କରା ଓ ଚକ୍ରସମ୍ଭାର ତନ୍ତ୍ରର ମୁଖ୍ୟ ଆଚାର୍ଯ୍ୟ ଥିଲେ ଜୟଦ୍ରଥ । ଏହି ଦୁଇଜଣ ସୋନପୁର ନିବାସୀ ଥିଲେ । ଏହିପରି ଭାବରେ ବୌଦ୍ଧତନ୍ତ୍ର ବିକଶିତ ହୋଇଥଲା ।

 

ଓଡ଼ିଶାରେ ବୌଦ୍ଧତନ୍ତ୍ରର ଉନ୍ମେଷ ଘଟି ଏହି ମାଟିର ସିଦ୍ଧସାଧକଙ୍କ ଦ୍ଵାରା ବିକଶିତ ହୋଇଥିଲା । ଉତ୍କଳୀୟ ବୌଦ୍ଧତନ୍ତ୍ରାଚାର୍ଯ୍ୟଙ୍କ ଦ୍ଵାରା ତନ୍ତ୍ରଯାନ ସ୍ୱଳ୍ପକାଳ ମଧ୍ୟରେ ଭାରତ, ନେପାଳ, ତିବ୍ଦତ, ଭୂଟାନ୍, ଚୀନ୍, ଜାପାନ ପ୍ରଭୃତି ଦେଶରେ ବିସ୍ତାର ଲାଭ କରିଥିଲା । ମହନୀୟତା ହେଉଛି ବୌଦ୍ଧଧର୍ମର ବିକାଶ ତଥା ଅବିଶ୍ଵ ପ୍ରସାରରେ ବୌଦ୍ଧତନ୍ତ୍ରର ଭୂମିକା ଅନନ୍ୟ ଓ ଅନୁପମ-। ବୌଦ୍ଧଧର୍ମର ଉନ୍ମେଷ କାଳରେ ତତ୍ତ୍ୱବିଚାରକୁ ସ୍ଵୟଂ ବୁଦ୍ଧଦେବ ନିଷେଧ କରିଥିଲେ ହେଁ ପରବର୍ତ୍ତୀ ଆଚାର୍ଯ୍ୟବୃନ୍ଦ ସୂକ୍ଷ୍ମ ବିଦ୍ଵତ୍ତା ପୂର୍ଣ୍ଣ ନିବେଦନ ଦ୍ଵାରା ବୁଦ୍ଧଙ୍କ ଉପଦେଶରୁ ତାନ୍ତ୍ରିକ ସିଦ୍ଧାନ୍ତ ପ୍ରାପ୍ତ ହୋଇଥିଲେ । ସେହି ସିଦ୍ଧାନ୍ତ ବ୍ରାହ୍ମଣତନ୍ତ୍ରର ପରମ୍ପରା ଓ ପରିଧିରେ ଆତ୍ମିକ ସନନ୍ଦ ଭାବରେ ପ୍ରତିଭାତ ହୋଇ ବୌଦ୍ଧତନ୍ତ୍ରର ଉନ୍ମେଷ ଘଟିଥିଲା । ଏହି ନୂତନ ତତ୍ତ୍ଵ ଓ ସଂବୋଧି ବୌଦ୍ଧଧର୍ମକୁ ବହୁଧା ବିଭକ୍ତ କରିଥିଲେ ହେଁ ତତ୍ତ୍ୱାର୍ଥୀମାନଙ୍କ ମଧ୍ୟରେ ବାଦାନୁବାଦ ସୃଷ୍ଟି ହୋଇ ବୌଦ୍ଧ ଧର୍ମ ବୈଭାଷିକ, ସୌତାନ୍ତ୍ରିକ ଯୋଗାଚାର ଓ ମାଧ୍ୟମିକ ଏରୂପ ଚାରିଗୋଟି ସାଂପ୍ରଦାୟିକ ସ୍ଵରୂପ ଗ୍ରହଣ କଲା । ନାଗାର୍ଜୁନ, ମୈତ୍ରେୟ, ଅସଙ୍ଗ ଓ ବସୁବନ୍ଧୁ ପ୍ରଭୃତି ଅନେକ ଆଚାର୍ଯ୍ୟ ସ୍ଵକୀୟ ଅଲୌକିକ କଳ୍ପନା, ଅଗାଧ ବିଦ୍‌ବତ୍ତା ଓ ପ୍ରଗାଢ଼ ତାନ୍ତ୍ରିକତା ମାଧ୍ୟମରେ ବୌଦ୍ଧତନ୍ତ୍ରାଚାରର ନୂତନ ସଂବୋଧି ଲାଭ କଲେ । ଏହି ସଂବୋଧିକୁ ପାଥେୟ କରି ପରବର୍ତ୍ତୀ ମହାଯାନୀ ସାଧକବୃନ୍ଦ ତନ୍ତ୍ର ଉପଲବ୍‌ଧିର ଚରମସୀମାରେ ଉପନୀତ । ହୋଇ ବୌଦ୍ଧତନ୍ତ୍ରରେ ବିଭିନ୍ନ ତାନ୍ତ୍ରିକ ପଦ୍ଧତିର ମୁଖ୍ୟ ଆଚାର୍ଯ୍ୟ ଆସନ ଅଳଙ୍କୃତ କଲେ ଏବଂ ସେମାନଙ୍କ ଶିଷ୍ୟ ପ୍ରଶିଷ୍ୟଙ୍କ ଦ୍ୱାରା ବୌଦ୍ଧତନ୍ତ୍ର ଆବିଶ୍ଵ ପ୍ରସାର ଲାଭ କରିଥିଲା । ମହନୀୟତା ହେଉଛି, ଏହି ଧାମିର୍କ ସଂସ୍କାର ଦ୍ୱାରା ମାନବ ବୁଦ୍ଧ ଲୋକେତ୍ତର ବୁଦ୍ଧରେ ରୂପାନ୍ତରିତ ହୋଇ ନିର୍ବାଣ ପ୍ରାପ୍ତି ସରଳ, ସହଜ ଓ ସୁଗମ ହୋଇ ପାରିଥିଲା।

 

 

ଓରିଏଣ୍ଟାଲ ଇନ୍‌ସୁରାନ୍‌ସ ବିଲଡ଼ିଂ

ଦକ୍ଷିଣକାଳୀ ରୋଡ଼

ଢେଙ୍କାନାଳ

 

ପାଦଟୀକା :-

୧.

ରଗ୍‌ଦେଦ, ୧୦ମ ମଣ୍ଡଳ, ୭୧ ଅନୁବାକ୍‌, ୯ମ ମନ୍ତ୍ର

୨.

ଭାରତୀୟ ଦର୍ଶନ- ବଳଦେବ ଉପାଧ୍ୟାୟ ପୃ ୫୦୭

୩.

ବୋଧି ଚର୍ଯ୍ୟାବତାର ପଞ୍ଜିକା ପୃ ୪୨୧ ।

୪.

ଭାରତୀୟ ଦର୍ଶନ ପୃ ୧୮୭

୫.

ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ- ଡକ୍ଟର କରୁଣାକର କର ପୃ ୧୫୧-୧୫୨

୬.

Epigrabica Indica - Vol III, P - 138-143

୭.

ଶ୍ରୀ ପୁରୁଷୋତ୍ତମ ନୀଳମାଧବ- ଡକ୍ଟର ସତ୍ୟନାରାୟଣ ରାଜଗୁରୁ (ଝଙ୍କାର, ରଥସଂଖ୍ୟା ୧୯୯୬)

୮.

ସାଧନାମାଳା Vol. ।।, ୮-453-455

୯.

କଲ୍ୟାଣ (ଶକ୍ତିଅଙ୍କ) ଗୀତାପ୍ରେସ ପୃ ୫୪୬

୧୦.

ଏଜ୍ନ ପୃ ୫୪୭

୧୧.

କାଳିକା ପୁରାଣ, ୬୪ ଅଧ୍ୟାୟ, ୪୩ ଶ୍ଲୋକ

୧୨.

ଉଡ଼୍‌ଡ଼ୀୟାନ ତନ୍ତ୍ର ପୃ ୨୭

୧୩.

ହେ ବଜ୍ରତନ୍ତ୍ର (ପଦ୍ମବଜ୍ର), ସପ୍ତମ ପଟଳ

୧୪.

Modern Budhism and its Follwers P. 25

୧୫.

Budhism of Tibber, Dr.L.A. waddel - P. 128

୧୬.

ପ୍ରଜ୍ଞାପାୟୋ ବିନିଶ୍ଚୟସିଦ୍ଧି, ୪ର୍ଥ ଖଣ୍ଡ ପୃ ୧୧-୧୮

୧୭.

ଜ୍ଞାନସିଦ୍ଧି, ୧ମ ଅଧ୍ୟାୟ/୪୭ ଶ୍ଲୋକ

୧୮.

ଏଜ୍ନ ୨ୟ ଅଧାୟ/୧୧ ଶ୍ଲୋକ ।

 

***

 

୧୫୭ତମ ସଂଖ୍ୟା-କୋଣାର୍କ-୨୦୧୦

କାବ୍ୟରେ ସମର ସୂତ୍ର

ଡକ୍ଟର ବସନ୍ତ କୁମାର ପଣ୍ଡା

 

ସମର ମାନବଜାତିର ଏକ ଆଦିମ ଅଭ୍ୟାସ । ପ୍ରାଗୈତିହାସିକ ମାନବ ଥିଲା ପଶୁତୁଲ୍ୟ-। ତା’ ନିକଟରେ ଜୀବନର କୌଣସି ଅର୍ଥବୋଧ ହୋଇ ନଥିଲା । ତିନୋଟି ଥିଲା ତା’ର ନିତ୍ୟକର୍ମ- ଆହାର, ବିହାର ଓ ସଂହାର । ଆହାର ସଂଗ୍ରହ ନିମନ୍ତେ ବନରେ ବିଚରଣ ପାଇଁ ତା’କୁ ବନ୍ୟଜନ୍ତୁଙ୍କୁ ସଂହାର କରିବାକୁ ପଡ଼ିଲା । କ୍ରମଶଃ ସଭ୍ୟତାର କ୍ରମବିକାଶ ପଥରେ ସମରର ଅଜସ୍ର କାହାଣୀ ରଚିତ ହୋଇଛି । ସମର ଗତାନୁଗତିକ ଜୀବନବିରୁଦ୍ଧରେ ଏକ ବିଦ୍ରୋହ । ଗତାନୁଗତିକଜୀବନ କ୍ରମେ ସ୍ଥାଣୁ ଓ ଅନର୍ଥ ହୋଇଯାଏ । ସେଥିରେ ବୈଚିତ୍ର୍ୟ ଓ ବିବିଧତା ରହେ ନାହିଁ । ତା’ର ଗତି ହୁଏ ମନ୍ଥର ଓ ନୀତିର ଶୃଙ୍ଖଳରେ ସମାଜ ହୁଏ ବନ୍ଦୀ । ସୁପ୍ତ ଜୀବନରେ ସମର ତୋଳେ ଆଲୋଡ଼ନ । ଅଳ୍ପଙ୍କୁ ମାରେ କିନ୍ତୁ ଅନେକଙ୍କୁ ଅଥର୍ବତାରୁ ବଞ୍ଚାଏ । ଧ୍ଵଂସ କରେ ମନୋହର ନଗର, ସୁଗଠିତ ଶିଳ୍ପ ବାଣିଜ୍ୟ କିନ୍ତୁ ଗଢ଼େ ଜାତିର ସଂହତି ଶକ୍ତି, କଳହ ଓ ବିବାଦକୁ ପଦଦଳିତ କରି ଜୀବନ ଉପରେ କଶାଘାତ କରେ । ସାଧନାମନର ଜୀବନକୁ ଜନ୍ମ ଦିଏ । ଏଥିରୁ ଜୀବନ୍ୟାସ ପାଏ ମହାନ୍‌ପୌରୁଷ, ଯାହା ଦୁର୍ଗମକୁ ସୁଗମ କରେ, ଦୁର୍ଦ୍ଧର୍ଷକୁ ଅବନତ କରେ, ଦୂରତାକୁ ଜୟ କରେ ଓ କାଳର ମସ୍ତକ ଉପରେ ବିଜୟର ଟିକା ଲଗାଏ । କାଳଜୟୀ ମାନବର ନିୟତି ସାଧନା ସମର ମନ୍ତ୍ରରେ ନିହିତ ଥାଏ । ମନୁଷ୍ୟ ମାନି ନେଇଛି ଜୀବନ ହିଁ ସମର । ମୂଳରୁ ମନୁଷ୍ୟ କୌଣସି ଅସ୍ତ୍ରଶସ୍ତ୍ର ନେଇ ଜନ୍ମି ନଥିଲେ । ଦୁଇଟି ହାତ, ମନରେ ବୁଦ୍ଧି ଓ ହୃଦୟରେ ସାହସ ନେଇ ସେ ଜନ୍ମ ହୋଇଥିଲା । ତା’ରି ବଳରେ ସେ ସଭ୍ୟତା ଗଢ଼ିଛି, ସଂସ୍କୃତି ଅର୍ଜିଛି । ଏଇ ସଂସ୍କୃତି ଓ ସଭ୍ୟତାର ଇତିହାସ ହିଁ ଘୋର ସଂଗ୍ରାମର ଇତିହାସ । ସମରର ଇତିହାସ । ଯୁଗେ ଯୁଗେ ସମର - କୌଶଳ ବଦଳିଛି, ଅସ୍ତ୍ର ଶସ୍ତ୍ର ବଦଳିଛି । କିନ୍ତୁ ମାନବ ମନରୁ ସମର ଜିଜ୍ଞାସା ଦୂର ହୋଇ ନାହିଁ । ଅରଣ୍ୟର ପଶୁ ସହିତ ଦନ୍ତ ନଖର ସମ୍ମୁଖ ଯୁଦ୍ଧ ପରିତ୍ୟାଗ କରି ପୁରାତନ ପ୍ରସ୍ତର ଯୁଗର ମାନବ ଦୂରରୁ ପଥର ଫିଙ୍ଗି, ଧନୁ, ବର୍ଚ୍ଛା ବ୍ୟବହାର କରି କିପରି ସମର କୌଶଳ ବଦଳାଇ ଥିଲା ତା’ର ଏକ ମାର୍ମିକ ଚିତ୍ର କିପ୍‌ଲିଙ୍ଗ୍ ଙ୍କ ଗୋଟିଏ କବିତାରେ ଦେଖିବାକୁ ମିଳେ-

 

‘‘Farewell, Romance the Caremensaid;

with bone well carved he went away

flint arms the ignoble arrowhead

and jasper tips the spear to-day

chances are the God's of Hunt and Dance’”’

-Farewell Romance

 

ପୁଣି ଯେତେବେଳେ ଆଗ୍ନେୟଅସ୍ତ୍ର ଆରମ୍ଭ ହେଲା, ସେତେବେଳେ ସେହି ତଥାକଥିତ ଶୁଭ୍ର ପବିତ୍ର ଅନ୍ତ୍ରର ତିରୋଧାନ ଘଟିଲା । ପରବର୍ତ୍ତୀ ସମୟରେ ବ୍ୟୋମଯାନରୁ ବୋମା ବର୍ଷଣ ଦେଖି ମନୁଷ୍ୟ ମନରେ କିଭିଳ ଭିତ୍ତି ସଂଚାର ହୋଇଥିଲା, ତା’ର ଚିତ୍ର ଦେଖିବାକୁ ମିଳେ ଇଟାଲୀୟ ଯୁଦ୍ଧବିଦ୍‌ଜୁଲିଓ ଦୁହେଁଙ୍କ "Command of the air ଗ୍ରନ୍ଥରେ । ଦୁଇଦୁଇଟି ବିଶ୍ୱଯୁଦ୍ଧକୁ ଅଫେନିଭାଲ ତୃତୀୟ ବିଶ୍ଵଯୁଦ୍ଧକୁ ଆତଙ୍କରେ ଅପେକ୍ଷା କରୁଥିବା ମାନବ ଜାତିର ଜୀବନ ସଙ୍ଗୀତ ରଚିତ ହେଉଛି ମୃତ୍ୟୁର ପଦ ନିକ୍ୱଣରେ । ତଥାପି ଜୀବନ ଯେ ମହାସତ୍ୟ- ଏହାକୁ ମହାମନ୍ତ୍ର କରି ମାନବ ସଭ୍ୟତା ଅଗ୍ରଗତି କରୁଛି । ୧୯୪୫ ଅଗଷ୍ଟ ୬ ତାରିଖ ପ୍ରଭାତରୁ ଜାପାନର ହୀରୋସୀମା ଉପରେ ପ୍ରଥମ ପରମାଣୁ ବୋମା ପଡ଼ିବା ଘଟଣା ମାନବ ଜାତିର ସମର ଇତିହାସରେ ଏକ ଯୁଗାନ୍ତକାରୀ କରୁଣ ଘଟଣା, ଯାହାର ହୃଦୟବିଦାରକ ବର୍ଣ୍ଣନା ଦେଖିବାକୁ ମିଳେ ଜାପାନୀ ଉପନ୍ୟାସ "The Black Rain" ରେ । ଏସବୁ ଦେଖି ମନେହୁଏ ସତେ ଯେପରି ପ୍ରାଚୀନ କାଳରୁ ରାଜନୀତିର ମୂଳମନ୍ତ୍ର ହେଉଛି ଶାନ୍ତି ଅକ୍ଷୁର୍ଣ୍ଣ ରଖିବାକୁ ହେଲେ ଯୁଦ୍ଧ ପାଇଁ ସର୍ବଦା ପ୍ରସ୍ତୁତ ରହିବାକୁ ପଡ଼ିବ । ଯୁଦ୍ଧର ଆୟୋଜନ ଶିଥିଳ ହେଲେ, ଯୁଦ୍ଧକୁ ଭୟ କଲେ ଯୁଦ୍ଧ ଅନିବାର୍ଯ୍ୟ ହୋଇ ଠିଆ ହେବ । ସେହି ପ୍ରାଚୀନ ରୋମାନ୍ ବାକ୍ୟ 'He who desires peace should be prepaid for war' ସମଗ୍ର ମାନବ ଜାତି ପାଇଁ ସତ୍ୟ ହୋଇ ରହିଛି । ଯୁଦ୍ଧକୁ ଏକ ପ୍ରୟୋଜନୀୟ ଦୋଷ ବା 'Necessary evil' ଭାବରେ ଗ୍ରହଣ କରାଯାଇଛି ।

 

ଦୁଇ

 

‘‘ଯୁଦ୍ଧାୟ କୃତ ନିଶ୍ଚୟଃ’’- ଟଲଷ୍ଟୟଙ୍କର ବିଶ୍ଵ ପ୍ରସିଦ୍ଧ ଉପନ୍ୟାସ ‘‘ଯୁଦ୍ଧ ଓ ଶାନ୍ତି’’ ରଚନାର ବହୁକାଳ ପୂର୍ବେ ପୁରାଣ ପ୍ରସିଦ୍ଧ ଏହି ଭାରତ ଭୂମିରେ ରଚିତ ଯୁଦ୍ଧ ଓ ଶାନ୍ତିର ଯୁଗାନ୍ତକାରୀ ମହାକାବ୍ୟ ମହାଭାରତରେ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ଯୋଗେଶ୍ଵର ଭଗବାନ୍‌ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ଏହି ଉଦ୍‌ବୋଧନୀ ବାକ୍ୟରେ ଉଦ୍ଦୀପିତ କରିଥିଲେ । ଏଥିରେ କୌଣସି ଇତିହାସ ଦର୍ଶନ ନ ଥିଲା, ଏହା ଥିଲା ମାନବ ଜୀବନର ନିୟତ ସାଧନାର ଶାଶ୍ୱତ ପ୍ରତିଲିପି- ଶାନ୍ତି ପାଇଁ ଯୁଦ୍ଧ ଏକାନ୍ତ ଅପରିହାର୍ଯ୍ୟ, ସେ ଯୁଦ୍ଧ ମାନବ ମନରେ ହେଉ ବା ବିଶ୍ଵଜଗତରେ ହେଉ ଯୁଦ୍ଧ ବିନା ଶାନ୍ତି ଅସମ୍ଭବ । ମାନବ ମନରେ ଚିରନ୍ତନ ଦୟା, ଧର୍ମ, କ୍ଷମା, ତିତିକ୍ଷା। ଉଦାରତା ଓ ମହାନୁଭବତା ପରାହତ ହୋଇଛି କ୍ରୋଧ, ଈର୍ଷା, ଦ୍ୱନ୍ଦ୍ୱ, ଘୃଣା ଓ ହିଂସାର ଭୟଙ୍କର ଆକ୍ରମଣରେ । ମହାମାନବ ମହାଭାରତାକାର ବ୍ୟାସଦେବ ଦର୍ଶାଇଛନ୍ତି ମାନବ ମନର ଗୋଟିଏ ଦିଗରେ ମନ୍ୟୁମୟ ଦୁର୍ଯ୍ୟୋଧନ (ଦୁର୍ଯ୍ୟୋଧନୋ ମନ୍ୟୁମୟଃ ମହାଦ୍ରୁମତ) - ସେହି ଦ୍ରୁମର ସ୍କନ୍ଧ- କର୍ଣ୍ଣ, ଶାଖା-ଶକୁନି, ପୁଷ୍ପଫଳ-ଦୁଃଶାସନ ଓ ମୂଳ- ଧୃତରାଷ୍ଟ୍ର । ଅପର ଦିଗରେ ଧର୍ମମୟ ଯୁଧିଷ୍ଠିର (ଯୁଧିଷ୍ଠିରୋ ଧର୍ମମୟୋ ମହାଦ୍ରୁମଃ) - ତା’ର ମୂଳ ଯୋଗେଶ୍ୱର ଶ୍ରୀକୃଷ୍ଣ । ସେହି ମନ୍ୟୁ ବା ଅହଙ୍କାରର ବିଲୟ ପାଇଁ ଓ ସତ୍ୟଧର୍ମର ପ୍ରତିଷ୍ଠା ପାଇଁ ଯୁଦ୍ଧ ଅବଶ୍ୟାମ୍ଭବୀ । ସଂଖ୍ୟା ଗରିଷ୍ଠ ଗଣତନ୍ତ୍ର ନୁହେଁ, ସଂଖ୍ୟା ଲଘିଷ୍ଟ ନ୍ୟାୟତନ୍ତ୍ର ହିଁ ଏ କ୍ଷେତ୍ରରେ ଜୀବନର ପରମ ଶ୍ରେୟଃ । ସେହି ମନ୍ୟୁରୁ ଯୁଦ୍ଧର ମେଘ ସଂଚାର, କପଟଦ୍ୟୁତ, ଦ୍ରୌପଦୀଙ୍କ ଲାଞ୍ଛନା, ପାଣ୍ଡବମାନଙ୍କ ଅପମାନ ଓ ପାଞ୍ଚାଳର ପ୍ରତିଶୋଧ ଏସବୁ ମିଶି ସୃଷ୍ଟି କରିଛି ଯୁଦ୍ଧର ଝଡ଼ । ଭୀଷ୍ମ, ଦ୍ରୋଣ, ଗାନ୍ଧାରୀ, ବିଦୁର - କେହି ଏହି ଝଡ଼ର ବେଗକୁ ପ୍ରଶମିତ କରିପାରିନାହାନ୍ତି । କୁରୁକ୍ଷେତ୍ରର କଳରୋଳ ଯେଉଁଦିନ ସ୍ତବ୍ଧ ହୋଇଛି ସେଦିନ କୁରୁକୂଳ ନିର୍ମୂଳ, ପାଣ୍ଡବ କୁଳ ନିର୍ବଂଶ । ଶାନ୍ତି ଫେରିଛି କିନ୍ତୁ ତାହା ଶ୍ମଶାନର ଶାନ୍ତି । ଧର୍ମରାଜ୍ୟକୁ ଭୋଗ କରିପାରି ନାହାନ୍ତି ଧର୍ମରାଜ ଯୁଧିଷ୍ଠିର । ତାଙ୍କୁ ମହାପ୍ରସ୍ଥାନ ପଥରେ ଯିବାକୁ ପଡ଼ିଛି ।

 

କିନ୍ତୁ କେବଳ ମନ୍ୟୁ ବା ଅହଂକାର ନୁହେଁ, ରହିଛି କ୍ରୋଧ ଓ ମୋହ । ରିପୁ ଯୁଦ୍ଧର ମାନସିକତା ସୃଷ୍ଟି କରେ । ଆଦିମ କାଳରୁ ଭୂମି ଓ ନାରୀ ଯୁଦ୍ଧର କାରଣ ହୋଇଆସିଛି । ମାନବ ଜାତିର ଇତିହାସରେ କେତେ ସମର କାହାଣୀରଚିତ ହୋଇଛି । କେତେ ଜୟ ପରାଜୟ, କେତେ ଲୟ ବିଲୟ, କେତେ ରକ୍ତ କ୍ଷୟ ହୋଇଛି । ସୀତା, ଦ୍ରୌପଦୀ, ହେଲେନ୍‌, କ୍ଳିଓ ପାଟ୍ରା ଓ କାରୁବାକୀମାନେ କେବଳ କାରଣ ହୋଇନାହନ୍ନାତି, ହସ୍ତିନାର ସିଂହାସନ, ଟ୍ରୟର ସ୍ଵର୍ଣ୍ଣ ସମ୍ଭାର, ଏସିଆ ମାଇନର୍‌ର ବାଣିଜ୍ୟ- ଏଭଳି କେତେ କ’ଣ ପାଇଁ ଯୁଦ୍ଧ ସଂଗଠିତ ହୋଇଛି । ଶକ, କୁଷାଣ ଓ ମୋଙ୍ଗଲଙ୍କ ପରି କିଏ ପଶୁଚାରଣ କ୍ଷେତ୍ର ଚାହିଁଛନ୍ତି, ଯାହାକୁ ଐତିହାସିକ ଟୟନବୀ କହିଛନ୍ତି 'stepps verses plains', କିଏ ଆଲେକ୍‌ଜାଣ୍ଡାରଙ୍କ ପରି ଚାହିଁଛନ୍ତି ଦିଗ୍‌ବିଜୟ, କିଏ ସିଜର୍‌ଙ୍କ ପରି ପ୍ରଭୃତ୍ୱ ତ କିଏ ନେପୋଲିୟନ୍ ଙ୍କ ପରି ଯଶ ପୁଣି କିଏ ନାଦିର ଶାହଙ୍କ ପରି ଲୁଣ୍ଠନ-। ଧର୍ମଯୁଦ୍ଧ ବି କେତେ ନ ହୋଇଛି- କେତେବେଳେ ଖ୍ରୀଷ୍ଟିୟାନ୍‌ଓ ଇସ୍‌ଲାମଙ୍କ ମଧ୍ୟରେ କୁସେଡ଼୍‌, କେତେବେଳେ ହୋଲି ରୋମାନ୍ ଏମ୍ପାୟାର ଓ ପେପେସିଙ୍କ ମଧ୍ୟରେ ଇନ୍ଭେଷ୍ଟିଚିଓର କଣ୍ଟେଷ୍ଟ, କେତେବେଳେ ରିଫରମେସନ୍‌ଓ କାଉଣ୍ଟର ରିଫରମେସନ୍ ଭିତରେ । ପୁରି ଆଧୁନିକଯୁଗ ଆରମ୍ଭ ହେଲାରୁ, ରାଜାହେଲେ ରାଷ୍ଟ୍ରର ପ୍ରଭୁ, ଧର୍ମର ରକ୍ଷକ ଓ ନିୟନ୍ତା । ସେ ନିଜର ଅଧିକାର ସୀମା ବିସ୍ତାର କରିବାକୁ ଚାହିଁଲେ । ସଦ୍ୟ ଅଭ୍ୟୁତ୍‌ଥିତ ବଣିକ ଶ୍ରେଣୀ ଏଥିରେ ସହଯୋଗ କଲେ-। ପ୍ରଥମେ ବ୍ୟକ୍ତିଗତ, ତା'ପରେ ବାଣିଜ୍ୟ ଓ ଶେଷରେ ସାମ୍ରାଜ୍ୟ ପାଇଁ ଉପନିବେଶ ସ୍ଥାପନ ପାଇଁ ଯୁଦ୍ଧର କ୍ଷେତ୍ର ହେଲା ଭାରତବର୍ଷ ଓ ଆଫ୍ରିକା । ଉପନିବେଶବାଦର ପ୍ରତିବାଦରେ ଯୁଦ୍ଧ ହେଲା ଉତ୍ତର ଆମେରିକାରେ ।

 

ଫରାସୀ ରାଷ୍ଟ୍ର ବିପ୍ଳବ ସମୟରୁ ଯୁଦ୍ଧର ସ୍ଵରୂପ ବଦଳିଗଲା । ରାଜାଙ୍କ ସ୍ଥାନ ଅଧିକାର କଲା ଫରାସୀ ଜାତୀୟତାବାଦର 'Nation' । ଭାମିର ଯୁଦ୍ଧ ଦେଖି ମହାକବି ଗ୍ୟେଟେ ଏକେରମ୍ୟାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର କଥା ଜଣାଇଥିଲେ । ଆଦର୍ଶରେ ଓ ପ୍ରତିରୋଧରେ ଗଢ଼ି ଉଠିଲା ସ୍ପେନ୍, ଇଟାଲୀ, ଫ୍ଲୁସୀୟା ଓ ଋଷର ଜାତୀୟତାବାଦ । ଏହି ଜାତି ଓ ଜାତୀୟତାବାଦ ଭିତରେ ସଂଘର୍ଷର କାହାଣୀ ଊନବିଂଶ ଶତାଦ୍ଦୀରେ ଇଉରୋପର ଇତିହାସ ରଚନା କଲା । Nation ଓ Nationalism - ପ୍ରାଚୀନ କାଳରେ ଯାଯାବର ଜୀବନରେ ଯାହାର କୌଣସି ମୂଲ୍ୟ ନ ଥିଲା, ତାହାହେଲା ଆଧୁନିକ କାଳର ସବୁଠାରୁ ବଡ଼ ସାଫଲ୍ୟ ଓ ଶକ୍ତି, ପୁଣି ମାନବ ସଭ୍ୟତା ପାଇଁ ସବୁଠାରୁ ବଡ଼ ଅଭିଶାପ । ଟଲଷ୍ଟୟ ତାଙ୍କର ସବିପୁଳ ଉପନ୍ୟାସ ‘ଯୁଦ୍ଧ ଓ ଶାନ୍ତି’ ର ପରିଶେଷରେ ଏହି ପ୍ରଶ୍ନ ଉଠାଇ ଗୋଟିଏ ଇତିହାସ ଦର୍ଶନର ତତ୍ତ୍ୱ‌ଉପସ୍ଥାପନ କରିଥିଲେ- "What is this force moves Nations ?" ଶାନ୍ତି ସ୍ଥାପନ ପାଇ ପୁନଃ ପୁନଃ ପ୍ରୟାସ କରାଯାଇଛି । ଭିଏନା ଓ ବର୍ଲିନ କଂଗ୍ରେସରେ ଶାନ୍ତି ପାଇଁ ଶକ୍ତିସାମ୍ୟ ବା Balance of power ନୀତି ନିର୍ଦ୍ଧାରିତ ହୋଇଥିଲା । ଶିଳ୍ପ ବିପ୍ଲବ ପ୍ରସୂତ ଐଶ୍ଵର୍ଯ୍ୟ ଓ ଭାଗ୍ୟ ଯୋଡ଼ା ସାମ୍ରାଜ୍ୟଘେନି ପ୍ରଥମେ ବ୍ରିଟେନ୍ ଓ ପରେ ଯୁକ୍ତରାଷ୍ଟ୍ର ଆମେରିକା ହେଲା ମହାଶକ୍ତି ବା core । ନିଜର କତ୍ତୃତ୍ୱ (Hegemony) ଜାହିର ପାଇଁ ଅନ୍ୟକୁ ସମକକ୍ଷ ହେବାକୁ ନ ନେବା ହେଲା ଏ ଦେଶର ରାଷ୍ଟ୍ରନୀତି । ତେଣୁ ବିଂଶ ଶତାବ୍ଦୀରେ ପୁଣି ଯୁଦ୍ଧର ସ୍ୱରୂପ ବଦଳିଲା । ଆରମ୍ଭ ହେଲା ସାମ୍ରାଜ୍ୟବାଦୀ ଯୁଦ୍ଧର ଆତଙ୍କ । ‘‘ଶତାବ୍ଦୀର ସୂର୍ଯ୍ୟ ଆଜି ରକ୍ତମେଘ ମାଝେ ଅସ୍ତ ଗେଲ’’ - କବିଗୁରୁ ରବୀନ୍ଦ୍ରନାଥଙ୍କ ଊନବିଂଶ ଶତାବ୍ଦୀକୁ ଏଭଳି ବିଦାୟ ଦେଇଥିଲେ । ତାଙ୍କର ଋଷିଦୃଷ୍ଟି ବୋୟର ଯୁଦ୍ଧ ଭିତରେ ଯେପରିକି ସମଗ୍ର ବିଂଶ ଶତାବ୍ଦୀର ଦୁର୍ଭାଗ୍ୟ ପ୍ରତୀକ୍ଷା କରିଥିଲା । ଏହାପରେ ଯୁଦ୍ଧ ନୁହେଁ ଆରମ୍ଭ ହେଲା ବିଶ୍ୱଯୁଦ୍ଧ । ବିଂଶ ଶତାବ୍ଦୀର ପଦପାତରେ ବିଶ୍ଵଜୀବନ ପଥରେ ଯେଉଁ ଅଭୂତ ପୂର୍ବ ପରିବର୍ତ୍ତନ ଘଟିଲା ତାହାର ଅଂଶୀଦାର ହେଲେ ସମଗ୍ର ମାନବ ଜାତି-। ଏହିଭଳି ଭାବରେ ଯୁଦ୍ଧର ଇତିହାସ ଅଶେଷ । ବିଶ୍ଵଯୁଦ୍ଧକୁ ଲକ୍ଷ୍ୟକରି ଆମେରିକାର ରାଷ୍ଟ୍ରପତି ଉଇଲସନ୍‌ଙ୍କ ଉକ୍ତି"A war to end all wars" ସତେ ଯେପରିକି ସବୁଠାରୁ ବଡ଼ ପରିହାସ-

 

ତିନି

 

ସାହିତ୍ୟ ଜନଜୀବନର ମୁକୁର । ଏଥିରେ ଜାତୀୟ ଜୀବନର ସୁଖଦୁଃଖ, ଉତ୍‌ଥାନ ପତନ, ବିଜୟ ପରାଜୟ ଲିପିବଦ୍ଧ ହୁଏ । ମାନବ ଜୀବନର କ୍ଷଣିକ ଆନନ୍ଦର ବିହ୍ୱଳତାକୁ ଓ ବିପର୍ଯ୍ୟୟର ଦାରୁଣ ମର୍ମବ୍ୟଥାକୁ ସର୍ବକାଳିନ ସ୍ମରଣୀୟ ସଂପଦ ଭାବେ ସାଇତି ରଖେ ସାହିତ୍ୟ । ଶୋକ ଶ୍ଲୋକ ହୋଇ କାବ୍ୟରେ ପ୍ରତିଷ୍ଠା ପାଏ । ମାନବ ଜୀବନର ଅନ୍ୟତମ ଅଙ୍ଗଭାବରେ ସମର ବୃତ୍ତାନ୍ତ ନବ ନବ ଭାବରେ ପରିକଳ୍ପିତ ହୋଇଛି ସାହିତ୍ୟରେ, ବିଶେଷରୂପ ଚିରାୟତ ସୃଷ୍ଟି ମହାକାବ୍ୟରେ । ଭାରତୀୟ କାବ୍ୟ କୀର୍ତ୍ତୀ ରାମାୟଣ ଓ ମହାଭାରତ ଓ ଗ୍ରୀକ୍‌ସାହିତ୍ୟର ଇଲିୟାଡ଼ ଓ ଅଡ଼ିସି- ପୃଥିବୀର ଏହି ସର୍ବଶ୍ରେଷ୍ଠ କାବ୍ୟ ଚତୁଷ୍ଟାୟର ମୂଳ ଘଟଣା ସମର । ଏହି ଚାରୋଟି ମହାକାବ୍ୟର ଘଟଣା କେନ୍ଦ୍ର ଥିଲା ନାରୀ ଓ ଭୂମି । ରାମାୟଣର ସମର ସୀତାହରଣକୁ ଉପଲକ୍ଷ୍ୟ କରି ରଚିତ ହୋଇଥିଲା । ପଣ୍ଡିତମାନଙ୍କ ମତରେ ପ୍ରକୃତରେ ତାହା ଥିଲା ଆର୍ଯ୍ୟ ଓ ଅନାର୍ଯ୍ୟମାନଙ୍କ ଭିତରେ ସମର । ଦୁଇ ସଂସ୍କୃତିର ସଂଘର୍ଷର ଘଟାନ୍ତର । ମହାଭାରତର ମହାଭୟଙ୍କର ସମର ଅବଲମ୍ବନ କରିଛି ଭାତୃ ବିରୋଧକୁ । କିନ୍ତୁ ଏଥିରେ ମଧ୍ୟ ମୂଳରେ ଅଛି ଦ୍ରୌପଦୀଙ୍କ ଲାଞ୍ଛନା ଓ ପାଞ୍ଚାଳର କପଟତା । ଦ୍ରୌପଦୀଙ୍କ ବସ୍ତ୍ରହରଣରେ ଯେପରି ମହାସମରର ସୂଚନା, ତାଙ୍କ ବେଣୀ ସଂହାରରେ ପରିସମାପ୍ତି । ‘ବିନା ଯୁଦ୍ଧେ ଦେବି ନାହିଁ ସୂଚ୍ୟିଗ୍ରେ ମେଦିନି’ ମଧ୍ୟ ମହାଭାରତ ଯୁଦ୍ଧର ଅନ୍ୟତମ କେନ୍ଦ୍ର ବାକ୍ୟ । ଗ୍ରୀକ୍‌ମହାକାବ୍ୟ ଇଲିଆଡ଼ର କାବ୍ୟବସ୍ତୁ ସଂପୂର୍ଣ୍ଣ ସମର କୈନ୍ଦ୍ରିକ । ଟ୍ରୟର ରାଜକୁମାର ପାରିସ୍‌ଗ୍ରୀସ୍‌ରାଜା ଗେନେଲାଭିସ୍‌ଙ୍କ ପତ୍ନୀ ହେଲେନ୍‌ଙ୍କୁ ହରଣ କରି ଆଣିବାରୁ ପେନେ ଲାଉସ ସଦଳବଳେ ଟ୍ରୟ ଅବରୋଧ କଲେ । ଚାଲିଲା ଘୋରତର ସମର । ଶେଷରେ ଟ୍ରୟ ଧ୍ଵଂସ ହେଲା । ପାରିସ୍‌ମଲେ । ହେଲେନ୍‌ଙ୍କୁ ଘେନି ପେନେ ଲାଉସ ନିଜ ରାଜ୍ୟକୁ ଫେରିଲେ । ଠିକ୍‌ରାମାୟଣର କାହାଣୀ ପରି ଇଲିଆଡ୍‌ର କାହାଣୀ । ଉପଲକ୍ଷ୍ୟଟା ସାମାନ୍ୟ କିନ୍ତୁ ପରିଣାମ ନିଦାରୁଣ । ଏଥିରେ ସୀତା ନା ହେଲେନ୍‌ଙ୍କୁ ଦାୟୀ କରି ମାନବର ସମର ପିପାସାକୁ ଗୌଣ ମନେ କରାଯାଏ କିନ୍ତୁ ଦୋଷ ପ୍ରକୃତରେ ସୁନ୍ଦର ରମଣୀର ନୁହେଁ, ରମଣୀକୁ ଘେରି ମାନବର ଯେଉଁ ଚିରନ୍ତନ ପିପାସା, ଦୋଷ ସେହି ପିପାସାର । ଅଡ଼ିସୀ କାବ୍ୟର ଶେଷରେ ଯେଉଁ ସମର ବୃତ୍ତାନ୍ତ ତାହା ଓଡ଼ିସୀୟସଙ୍କ ପତ୍ନୀ ପେନେଲସ୍‌ଙ୍କୁ କେନ୍ଦ୍ରକରି ଦୀର୍ଘପ୍ରବାସୀ ଓଡ଼ିସୀୟସଙ୍କୁ ମୃତ ଭାବି ପେନେଲପଙ୍କ ପ୍ରତି ଆକୃଷ୍ଟ ହୋଇଥିବା ରାଜକୁମାରମାନଙ୍କୁ ପରିଶେଷରେ ଗୃହକୁ ଫେରି ନିପାତ କରିଛନ୍ତି ଓଡ଼ିସୀୟସ । ଏହି ଚାରୋଟି ମହାକାବ୍ୟ ମଧ୍ୟରେ ମହାଭାରତ ଯେପରି ବିପୁଳ ସେପରି ବିଚିତ୍ର । ଏଥିରେ ସମରର ସୂତ୍ରପାତ କରି ମାନବ ଚରିତ୍ରର ଦୁର୍ବଳ ଦିଗଗୁଡ଼ିକୁ କେବଳ ପ୍ରାଧାନ୍ୟ ଦିଆଯାଇ ନାହିଁ । ବିପର୍ଯ୍ୟୟର କରୁଣ କାହାଣୀ କୁହାଯାଇ ନାହିଁ, ଶାନ୍ତି ପର୍ବରଚନା କରି ଶାସନ ତନ୍ତ୍ରର ମର୍ଯ୍ୟାଦା ପ୍ରତିଷ୍ଠା କରିବା ପାଇଁ ପ୍ରୟାସ କରାଯାଇଛି-। ସକଳ ଦାରିଦ୍ର୍ୟ ଭିତରେ ଐଶ୍ଵର୍ଯ୍ୟ, ଦୁରାତ୍ମାଙ୍କ ଭିତରେ ମହାତ୍ମା ଓ ସମର ଭିତରେ ଶାନ୍ତି ଅନ୍ୱେଷଣର ମହାନ ଶିକ୍ଷା ଦିଆଯାଇଛି ।

 

ଚାରି

 

ଉତ୍କଳର ସମୟର ଇତିହାସ ଯେପରି ମହାନ୍, ଓଡ଼ିଆ କାବ୍ୟରେ ସମର ବର୍ଣ୍ଣନା ସେହିପରି ବୈଚିତ୍ର୍ୟପୂର୍ଣ୍ଣ । ‘‘କଳିଙ୍ଗାଃ ସାହସିକାଃ’’ ପ୍ରବାଦ ବାକ୍ୟଟି ସର୍ବତ୍ର ଗୃହୀତ ହୋଇଥିଲା । ରାମାୟଣ, ମହାଭାରତ ଓ ବିଭିନ୍ନ ପୁରାଣରେ ସ୍ଵକର୍ମ ନିରତ ପ୍ରଜାରକ୍ଷଣ- ଦୀକ୍ଷିତ କଳିଙ୍ଗକ୍ଷତ୍ରୀୟମାନଙ୍କର ପରିଚୟ ଦେଖିବାକୁ ମିଳେ । ଖ୍ରୀଷ୍ଟପୂର୍ବ ତୃତୀୟ ଶତକରେ ସମ୍ରାଟ ଅଶୋକଙ୍କ ‘କଳିଙ୍ଗଯୁଦ୍ଧ’ର ସୁବିସ୍ତୃତ ବିବରଣୀ ନ ଥିଲେ ମଧ୍ୟ କଳିଙ୍ଗଜାତିର ଅତୁଳନୀୟ ବୀରତ୍ୱର କିମ୍ବଦନ୍ତୀ ହୋଇ ରହିଛି । କାଳିଦାସଙ୍କ ରଘୁବଂଶରେ କଳିଙ୍ଗରାଜାଙ୍କ ସମରାଭିଯାନ ବର୍ଣ୍ଣନା ଚିତ୍ତାକର୍ଷକ ।

 

‘ଯସ୍ୟ କ୍ଷରତ୍‌ସୈନ୍ୟ ଗଜଛଳେନ ଯାତ୍ରାସୁ ଯାତୀବ ପୁରୋ ମହୀନ୍ଦ୍ରଃ

ଦ୍ୟାଘାତିରେଖେ ସୁଭୁଜୋ ଭୁଦାଭ୍ୟାଂ ବିବର୍ଣ୍ଣି ଯଶ୍ଚାଚାଭୁତା ପୁରୋଗଃ

ରିପୁସ୍ତ୍ରୀୟାଂ ସାଞ୍ଜନ ବାଷ୍ପସେକେ ବନ୍ଦୀକୁଣ ନାମିବ ପଦ୍ଧତି ଦ୍ୱେ ।’

 

କଳିଙ୍ଗ ରାଜାଙ୍କ ଅଜସ୍ର ଗଦାଙ୍କ ଅପ୍ରତିହତ ଗତି ଦେଖିଲେ ସାକ୍ଷାତ ମହେନ୍ଦ୍ର ପର୍ବତ ଆଗେ ଆମେ ଗମନ କରୁଛୁ ମନେ ହେଉଛି । ବଳିଷ୍ଠ ବାହୁ ଧନୁର୍ଦ୍ଧରମାନଙ୍କ ଅଗ୍ରଗଣ୍ୟ କଳିଙ୍ଗ ରାଜାଙ୍କ ଧନୁର୍ଗୁଣର ସତତ ସଞ୍ଚାଳନ ଫଳରେ ବାହୁରେ ଦୁଇଟି କଳାଚିହ୍ନ ବସିଯାଇଛି । ମନେହୁଏ, ଶତ୍ରୁନାରୀମାନଙ୍କର କଜ୍ଜ୍ୱଳଯୁକ୍ତ ଦୁଇ ଆଖି‌ର ଅଶ୍ରୁଧାରା ଏଇ ବାଟେ ବହି ଯାଇ ଏ ଚିହ୍ନ ରଖି ଯାଇଛି । ପୁଣି ‘ଗଙ୍ଗବଂଶାନୁ ଚରିତମ୍‌’ ରେ ଗଙ୍ଗରାଜାଙ୍କ ବୀରତ୍ୱର ବର୍ଣ୍ଣନାରେ କାବ୍ୟିକ ଛଟା ପ୍ରକାଶ ପାଇଛି ।

 

ରାଢ଼ ବରେନ୍ଦ୍ର ଯବନୀ ନୟନାଞ୍ଜନାଶ୍ରୁ

ପୁରେଣ ଦୂର ବିନିବେଶିତ କାଳିମାଶ୍ରୀଃ

ତଦ୍‌ବିପ୍ରଲମ୍ଭ କରୁଣାଦ୍ଭୁତ ନିସ୍ତରଙ୍ଗାଃ

ଗଙ୍ଗାପି ନୂନମମୁନା ଯମୁନା ଧୂନାଭୂତ୍‌

 

ଯାହାଙ୍କ ଅଲୌକିକ ବୀରତ୍ୱ ଦର୍ଶନରେ ଗଙ୍ଗା ନିସ୍ତରଙ୍ଗା ହୋଇଥିଲା । ରାଢ଼ ବାରେନ୍ଦ୍ରବାସିନୀ ଯବନୀମାନଙ୍କର ଅଶ୍ରୁଜଳ ଧୌତ କଜ୍ଜ୍ୱଳ ସ୍ରୋତରେ କାଳିମାମୟୀ ଯମୁନା ଅଧୁନା ପ୍ରବାହିତା ।

 

ସମ୍ରାଟ ଖାରବେଳ, ଅନଙ୍ଗଭୀମଦେବ, ଲାଙ୍ଗୁଳା ନରସିଂହଦେବ ଓ ଶେଷରେ ଗଜପତି କପିଳେନ୍ଦ୍ର ଦେବ ଓ ପୁରୁଷୋତ୍ତମ ଦେବଙ୍କ ଦିଗ୍‌ବିଜୟର କାହାଣୀ ଶିଳାଲିପିରେ ଓ ମନ୍ଦିର ଗାତ୍ରରେ ଖୋଦିତ ହୋଇଅଛି । ଆମର ଜାତୀୟ ଇତିହାସ ପ୍ରସ୍ତର ଉପରେ ନିହାଣରେ ଯେତେ ଖୋଦିତ ହୋଇଅଛି, ଲେଖନୀରେ ସେତେ ଲିପିବଦ୍ଧ ହୋଇନାହିଁ । ମନ୍ଦିରର ମୁଖ୍ୟ ଦ୍ୱାର ଥିଲା ସିଂହଦ୍ଵାର । ଗଜପସିଂହ ମୂର୍ତ୍ତି ଆମ ଶକ୍ତିମତ୍ତାର ପ୍ରତୀକ ଥିଲା । ଏବେ ମଧ୍ୟ ପୁରୀ ଗଜପତି ମହାରାଜାଙ୍କ ନାମ ପୂର୍ବରୁ ‘‘ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକଳବର୍ଗେଶ୍ୱର ବୀରାଧିବର ଶ୍ରୀପ୍ରତାପବୀର’’ ସେଇ ଅତୀତ ଗୌରବର ସନ୍ତକ ବହନ କରେ । ଏବର ନାଗାନୃତ୍ୟ ଓ ପାଇକନୃତ୍ୟରୁ ଅତୀତର ଯୋଦ୍ଧୃବେଶର ସଂକେତ ମିଳେ । ତା’ର ପୃଷ୍ଠଦେଶରେ ଗଣ୍ଡାଚର୍ମର ଢାଲ, ବହୁ ଶରସଂଯୁକ୍ତ ଧନୁ, କଟିଦେଶରେ ତରବାରୀ, କୁତ୍ରି, ବ୍ୟାଘ୍ରଚର୍ମ, ଘଣ୍ଟି, ହସ୍ତରେ ବନ୍ଧୁକ - ଓଡ଼ିଶା ପାଇକ ତା’ର ଶେଷ ବିଦ୍ରୋହରେ ମଧ୍ୟ ପ୍ରାଚୀନ ଓ ଆଧୁନିକ ଅସ୍ତ୍ର ବ୍ୟବହାର କରିବାର ଥିଲା । ସତର୍କ କରାଇବାକୁ ନାଗା ସିଙ୍ଗା ବଜାଏ । ପ୍ରାର୍ଥନା ଓ ଜପତପ କରିବା ପାଇଁ ଗଳାରେ ତୁଳସୀମାଳା ଧାରଣ କରିଥାଏ । ଶରୀରରେ ହରିଦ୍ରା ବର୍ଣ୍ଣୀର ରାମରଜ, ଲଲାଟରେ ସିନ୍ଦୁରବିନ୍ଦୁ, ହସ୍ତରେ ଏରା ପକ୍ଷୀ ଓ ମସ୍ତକରେ ମୟୂରଚୂଳ, ନାଗାର ଦୀର୍ଘନିଶ, ଗାଲ ମୁଚା, ଆଖିରେ ବୀରତ୍ୱ ବ୍ୟଂଜକ ଚାହାଣୀ, ପାଦର ପାହୁଲ, ଯୋଡ଼ି ନାଗରାର ତାଳେ ତାଳେ ତା’ର ଉଦଣ୍ଡ ନୃତ୍ୟ ଦର୍ଶକର ଭୀତି ସଂଚାର କରେ । ଏହା ହିଁ ଅତୀତ ଯୋଦ୍ଧୃ ବେଶର ପ୍ରତିରୂପ ।

 

ପୃଥିବୀ ଇତିହାସରେ କେତେ ସମର ସଂଘଟିତ ହୋଇଛି । କେତେ ସାମ୍ରାଜ୍ୟ ଲୋପପାଇ ଯାଇଛି, କେତେ ମହାବୀରଙ୍କ ନାମ କାଳକାନ୍ତାରରେ ହଜିଯାଇଛି । ସାହିତ୍ୟ ସେମାନଙ୍କୁ ଅମର କରିପାରି ନାହିଁ । ଓଡ଼ିଶା ପକ୍ଷରେ ମଧ୍ୟ ତାହା ହିଁ ଘଟିଛି । ସାହିତ୍ୟ ଧର୍ମାଶ୍ରୟୀ ହୋଇଥିବାରୁ ବୀର ଚରିତକୁ ଅମର କରିବା ପ୍ରୟାସ ସେ ଯୁଗର କବିମାନେ କରିନାହାନ୍ତି । ତେଣୁ ସମର ସାହିତ୍ୟ ସ୍ଵଳ୍ପ । ଖାରବେଳଙ୍କଠାରୁ ମୁକୁନ୍ଦଦେବଙ୍କ ପର୍ଯ୍ୟନ୍ତ ବିପୁଳ ଯୁଦ୍ଧର କାହାଣୀ କାବ୍ୟରେ କ୍ଵଚିତ୍‌ସ୍ଥାନ ପାଇଛି । ଆଦିକବି ସାରଳାଦାସଙ୍କଠାରୁ ଆଧୁନିକ କାବ୍ୟ ଯୁଗର ପୁରୋଧା ରାଧାନାଥଙ୍କ ପର୍ଯ୍ୟନ୍ତ କବିଗଣଙ୍କ କାବ୍ୟ କୃତିରେ ସମର ପରିକଳ୍ପନା ବିଶେଷ ରୂପ ନେଇଛି । ସାରଳାଙ୍କ ‘ବିଲଙ୍କା ରାମାୟଣ’ ଓ ‘ଚଣ୍ଡୀ ପୁରାଣ’ ରେ ରାବଣ ଓ ମହିଷାସୁରର ଯୁଦ୍ଧଯାତ୍ରା ପ୍ରସଙ୍ଗରେ, ମହାଭାରତରେ ଭୀମ - ଦୁଃଶାସନଙ୍କ ସମର ବର୍ଣ୍ଣନାରେ, ବଳରାମ ଦାସଙ୍କ ‘ଦାଣ୍ଡୀ ରାମାୟଣ’ର ଲଙ୍କାକାଣ୍ଡରେ ରାମ- ରାବଣ ସମର ବର୍ଣ୍ଣନାରେ, ଅଚ୍ୟୁତାନନ୍ଦଙ୍କ ‘ହରିବଂଶ’ ରେ ଜରାସନ୍ଧ ଆକ୍ରମଣ ପ୍ରସଙ୍ଗରେ, ଭକ୍ତଚରଣଙ୍କ ‘ମଥୁରାମଙ୍ଗଳ’ ରେ କୃଷ୍ଣ-ଚାଣୁର ଓ ବଳରାମ-ମୁଷ୍ଟିକ ମଲ୍ଲଯୁଦ୍ଧ ପ୍ରସଙ୍ଗରେ, ପୁରୁଷୋତ୍ତମ ଦାସଙ୍କ ‘କାଞ୍ଚିକାବେରୀ’ରେ ଜଗନ୍ନାଥ ଓ ବଳରାମଙ୍କ ଯୋଦ୍ଧୃବେଶ ବର୍ଣ୍ଣନାରେ, ବ୍ରଜନାଥ ବଡ଼ଜେନାଙ୍କ ‘ସମର ତରଙ୍ଗ’ ରେ ମରହଟ୍ଟା ସୁବାଦାରଙ୍କ ସହିତ ରାଜା ତ୍ରିଲୋଚନ ମହେନ୍ଦ୍ର ବାହାଦୁରଙ୍କ ଯୁଦ୍ଧ ପ୍ରସଙ୍ଗରେ ଓ ମରହଟ୍ଟାଙ୍କ ଦ୍ୱିତୀୟ ଅଭିଯାନ ବର୍ଣ୍ଣନାରେ, ରାଧାନାଥଙ୍କ ‘ମହାଯାତ୍ରା’ର ଶେଷ ଦୁଇ ସର୍ଗରେ ଯୁଦ୍ଧ ବର୍ଣ୍ଣନାରେ ଯେଉଁ ବୈଚିତ୍ର୍ୟପୂର୍ଣ୍ଣ ସମର ଚିତ୍ର ଅଙ୍କିତ ତାହା ଉତ୍କଳୀୟ ସମର ପରମ୍ପରାର ପୁଷ୍କଳଚିତ୍ର ପ୍ରଦାନ କରେ ।

 

ଶୁଦ୍ରମୁନି ସାରଳାଦାସ ଥିଲେ ଦିଗ୍‌ବିଜୟୀ ଗଜପତି କପିଳେନ୍ଦ୍ରଙ୍କ ସମସାମୟିକ । ଉତ୍ତରରେ ଗଙ୍ଗାନଦୀ, ପୂର୍ବରେ ମହୋଦଧି ଓ ଦକ୍ଷିଣରେ କାବେରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ତାଙ୍କ ସାମ୍ରାଜ୍ୟ । କପିଳେନ୍ଦ୍ରଙ୍କ ଯୁଦ୍ଧ ବିଜୟର ସତ୍ୟକାହାଣୀକୁ ପୌରାଣିକ ଆବରଣ ଦେଇ ସାରଳା ଦାସ ବର୍ଣ୍ଣନା କରିଛନ୍ତି । କପିଳେନ୍ଦ୍ରଙ୍କ ଯୁଦ୍ଧଯାତ୍ରାରେ ଅଭିଭୂତ କବି ସେଇ ଅମରଜାତୀୟ ବୀରଙ୍କୁ ଓ ତାଙ୍କ ଯୁଦ୍ଧଯାତ୍ରାକୁ ରୂପାୟିତ କରି ହୋଇଛନ୍ତି ଅମର ଜାତୀୟ କବି । କପିଳେନ୍ଦ୍ରଙ୍କ ଯୁଦ୍ଧଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ସତେ ଯେପରିକି କବି ମହିଷାସୁର ଓ ରାବଣର ଯୁଦ୍ଧଯାତ୍ରା ପ୍ରସଙ୍ଗରେ ଅବିକଳ ଭାବେ ପ୍ରଦାନ କରିଛନ୍ତି :

 

‘ପର୍ଶୁ ମୁଦୁଗର ଧନୁଶର ଧରି ହସ୍ତେ

ବିଜେ ଦାନବ ଯେ ସୂର୍ଯ୍ୟ ମଣ୍ଡଳର ରଥେ ।

ଦ୍ୱିତୀ ସମୁଦ୍ର ଜିଣିଣ ରକ୍ଷବଳ ଥାଟ

ଗଗନ ଅନ୍ଧକାର ଯେ ଉଲ୍‌କାପାତ ରାଷ୍ଟ୍ର ।

ସିଂହନାଦ ଗଲେ ପଚିଶି କ୍ଷଉଣୀ

ବେନି ଲକ୍ଷ ଯୋଦ୍ଧା ପଞ୍ଚ ଅର୍ବୁଦ ସଇନି ।

ଶୈଷାସୁର ତୁଲେ ରଥ ଏଗାର ସାଗର

ନବକୋଟି ପଞ୍ଚଶତ ଅର୍ବୁଦ ଯେ ବୀର ।’’

 

ବିଲଙ୍କା ରାମାୟଣରେ ବିଲଙ୍କା ରାଜନ ହିମାଳୟ ଦିଗରୁ ଭାରତ ଆକ୍ରମଣ କରିଛି । ଭାରତଭୂମି ହିଁ କବିଙ୍କ ଦୃଷ୍ଟିରେ ସ୍ଵର୍ଗ । ଦେବତା ଏହାର ଅଧିକାରୀ ।

 

ଅରଣ୍ୟ ମଧ୍ୟରେ ଯାଇ ରହିଲେ ଲୁଚିଣ

ହିମାଳୟ ବାଟେ ଯାଏ ବିଲଙ୍କା ରାଜନ ।

ଅସୁରଙ୍କ ଗରଜନ ଦେବତା ଦେଖିଲେ

ଇନ୍ଦ୍ରଙ୍କ ଆଗରେ ଯାଇ ବେଗେ ଜଣାଇଲେ ।

 

ମହାଭାରତରେ କର୍ଣ୍ଣାର୍ଜୁନ, ଭୀମ - ଦୁଃଶାସନ ଓ ଭୀମ ଦୁର୍ଯ୍ୟୋଧନ ଯୁଦ୍ଧ ଓ ଅଭିମନ୍ୟୁ ବଧ ପାଠ କଲେ ସାରଳା ଦାସ ଯେ ସମର ବର୍ଣ୍ଣନାରେ ଅଦ୍ୱିତୀୟ ମହାକବି- ଏକଥା ବାରମ୍ବାର ମାନିବାକୁ ପଡ଼େ । ସାରଳାଙ୍କର ବିଶେଷ ଦୃଷ୍ଟି ଭୀମ ଉପରେ । ସେହିଁ ତାଙ୍କର ନାୟକ । ମଲ୍ଲ ଯୁଦ୍ଧରେ ଅପରାଜିତ, ତିଳକୁ ହସ୍ତରେ ମର୍ଦ୍ଦନ କରି ତୈଳ ବାହାର କରେ, ହୁଣ୍ଡୀ ପରି ଭୋଜନ କରେ, ଦ୍ରୁମ ଉପାଡ଼ି ଶତ୍ରୁ ସଂହାର କରେ । ଭୀମ-ଦୁଃଶାସନ ସମର ବର୍ଣ୍ଣନା କେଡ଼େ ଜୀବନ୍ତ-

 

ବିକ୍ରମସିଂହଙ୍କୁ ଜିଣି ଦୁଇ ମହାବଳ

କ୍ରୋଧେ ପିଟାପିଟି ହେଲେ ଠିଆ ହୋଇ ତଳ ।

ଅଧରେ ରଦନ ଚାପି ରେ ରେ କାରି

ଦୁହେଁ ଧରାଧରି ହୋଇ ହେଲେ ମରାମରି ।

 

ଦୁହେଁ ଦୁହିଁଙ୍କର ଖଣ୍ଡା ବୁଲାନ୍ତି ଆମଞ୍ଚି

ଦୁଇ ରଣ ଷଣ୍ଢ ଯାନ୍ତି ଯୂପେ ପଥ ଘୁଞ୍ଚି

ପୁଣି ଦୁଇଜଣ ଆସି ମୁଣ୍ଡେ ମୁଣ୍ଡେ ଲଢ଼ି

ଧରାଧରି ହୋଇ କରି ଯାନ୍ତି ଗଡ଼ାଗଡ଼ି ।

 

ଉଠନ୍ତି ପଡ଼ନ୍ତି ପୁଣି ଗଡ଼ନ୍ତି ମହୀରେ

ପୃଥବୀ କମ୍ପେ ଦୁହିଁଙ୍କ ଗଦା ଆଘାତରେ ।

 

ସାରଳାଙ୍କ ସମର ଚିତ୍ର ପଢ଼ିଲେ ପାଠକ ବା ଶ୍ରୋତା ରଣକ୍ଷେତ୍ରରେ ଉପସ୍ଥିତ ରହି ପ୍ରତ୍ୟକ୍ଷ ଭାବେ ଯୁଦ୍ଧ ଦେଖୁଥିଲା ଭଳି ମନେ କରିବ । ଭୀରୁ ମନରେ ଆସିବ ସାହସ, ଜାତିପ୍ରାଣରେ ପ୍ରେରଣା ଜାଗ୍ରତ ହେବ ।

 

ବଳରାମ ଦାସଙ୍କ ‘ଦାଣ୍ଡୀ ରାମାୟଣ’ରେ ସମର ଚିତ୍ର ମାର୍ମିକ ଓ ଜୀବନ୍ତ । ଯୁଦ୍ଧଯାତ୍ରା କାଳରେ ଯେଉଁ ଢୋଲ, ଦମା, ଟମକ, ମର୍ଦ୍ଦଳ, ତାଳ, କଂସାଳ, କାହାଳି, ମୃଦଙ୍ଗ, ଝଞ୍ଜାଳ, ପଟହ ଓ ଘଣ୍ଟା ଆଦି ଯୁଦ୍ଧବାଦ୍ୟ ବାଜୁଥିଲା, ତାର ସୂକ୍ଷ୍ମଚିତ୍ର ଦେଖିବାକୁ ମିଳେ । ରାଜ୍ୟରକ୍ଷାର କେନ୍ଦ୍ର ଗଡ଼ ବା ଦୁର୍ଗର ଚିତ୍ର ଆକର୍ଷଣୀୟ । ସମ୍ମୁଖେ ଯୁଦ୍ଧ ଓ ମାୟା ଯୁଦ୍ଧର ବର୍ଣ୍ଣନା ଲୋମହର୍ଷଣକାରୀ । ଯୁଦ୍ଧରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରର ଦୀର୍ଘ ବିବରଣୀ ପାଠକଲେ ମନେହେବ ସତେ ଯେପରିକି ଯୁଦ୍ଧ ପାଇଁ ପ୍ରତ୍ୟକ୍ଷ ପ୍ରସ୍ତୁତି ଚାଲିଛି । ଶୂଳ, ଗରୁଡ଼, ପନ୍ନଗ, କାଳପାଶ, ବିମନ, ମୋହନ, ସୋମକାନ୍ତି, ସୂର୍ଯ୍ୟକାନ୍ତ ନୀଳବାଣ, ଭୁଜବାଣ, ସାବିତ୍ରୀ, ଚକ୍ର, ବଜ୍ରମୁନ, ସପ୍ତଧାରା, କୁନ୍ତ, ଯଷ୍ଟି, ମନଭେଦୀ, ଲୌହଗଦା ପ୍ରଭୃତି ବହୁବିଧ ଅସ୍ତ୍ରଶସ୍ତ୍ର- କେତେକ ପ୍ରାଚୀନ ଓ କେତେକ ସମସାୟମିକ । ପଞ୍ଚଭୌତିକ ଶକ୍ତିକୁ ଶସ୍ତ୍ରରେ ସନ୍ନିବିଷ୍ଟ କରି ପ୍ରୟୋଗ କରିବା ସେ କାଳର ବୈଶିଷ୍ଟ୍ୟ ଥିଲା । କିନ୍ତୁ ପ୍ରତ୍ୟେକ ଅସ୍ତ୍ରର ପ୍ରତି ଅସ୍ତ୍ର ମଧ୍ୟ ଥିଲା । ପର୍ବତାସ୍ତ୍ରକୁ ବଜ୍ରାସ୍ତ୍ର, ଆଗ୍ନେୟାସ୍ତ୍ରକୁ ମେଘାସ୍ତ୍ର, ପନ୍ନଗାସ୍ତ୍ରକୁ ଗରୁଡ଼ାସ୍ତ୍ର ଶାନ୍ତ କରୁଥିଲା ।

 

ବଳରାମଙ୍କଠାରୁ ବଜ୍ରନାଥ ବଡ଼ଜେନାଙ୍କ ମଧ୍ୟରେ ରୀତିଯୁଗର ବହୁ ବିଶିଷ୍ଟ କବିଙ୍କ କାବ୍ୟରେ ଯୁଦ୍ଧ ବର୍ଣ୍ଣନା ଅଛି । କିନ୍ତୁ ନିତାନ୍ତ ଗତାନୁଗତିକ, ଘଟଣାର ଉଲ୍ଲେଖ ଓ ଶତ୍ରୁଙ୍କ ମୃତ୍ୟୁ ବିବରଣୀରେ ସୀମିତ । କିନ୍ତୁ ଭକ୍ତ ଚରଣଙ୍କ ‘ମଥୁରା ମଙ୍ଗଳ’ ର ମଲ୍ଲଯୁଦ୍ଧର ବର୍ଣ୍ଣନା ବୈଶିଷ୍ଟ୍ୟ ମଣ୍ଡିତ । ଏଥିରେ ଅସ୍ତ୍ରଶସ୍ତ୍ରର ପ୍ରୟୋଗ ନାହିଁ।

 

ପ୍ରଚଳିତ କିମ୍ବଦନ୍ତୀକୁ ଆଧାର କରି ରଚିତ ପୁରୁଷୋତ୍ତମ ଦାସଙ୍କ ‘କାଞ୍ଚି କାବେରୀ’ ରେ ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର କେବଳ ଶାନ୍ତି ଓ ମୈତ୍ରୀର ଦେବତା ନୁହନ୍ତି ସେମାନେ ଦୁର୍ଦ୍ଧର୍ଷ ବୀର, ଅପ୍ରତିଦ୍ୱନ୍ଦ୍ୱୀ ଯୋଦ୍ଧା । ଭକ୍ତର ମହତ୍ତ୍ୱ ରକ୍ଷା ପାଇଁ ସେ ଦୁହେଁ ପ୍ରତ୍ୟକ୍ଷ ରଣ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି । ଜଗନ୍ନାଥ ବଳଭଦ୍ରଙ୍କ ଯୋଦ୍ଧୃ ବେଶ ବର୍ଣ୍ଣନାରେ କବି ଭାବବିହ୍ୱଳ -

 

ଶ୍ଵେତ ମେଘବାରୁ ପରେ ବିଜେ ଜଗନ୍ନାଥ

ସେ ଘୋଡ଼ାକୁ ଅନୁପମ ରାଉତ ସମର୍ଥ

ରାଉତ ବସନ୍ତେ ବାରୁ ଲଞ୍ଜ ଉର୍ଦ୍ଧ୍ୱେ ତୋଳି

ଦଶଦିଗରୁ ଯେ ଘୋଡ଼ା ଆଡ଼ଚିର ମାରି ।

 

ନୀଳ କନ୍ଦରୁ ରାଉତେ ହୋଇଲେ ବାହାର

ବିଜୁଳି ରୂପାଳୟେ ଦୁଇ ଚେରଦାର ।

ଦୁହିଁଙ୍କର ବରଛି ଯେ ଦୁହେଁ ଛନ୍ତି ଧରି

ଘୋଡ଼ା ଘୋଡ଼ ବନଉତ କାନ୍ଧେ ଘେନି କରି

 

କାଞ୍ଚିକାବେରୀ କି ଯେ ଆପଣେ ନଟକାଇ

ଜଗନ୍ନାଥ ବଳଭଦ୍ର ସହ ବେନି ଭାଇ ।

 

କାଞ୍ଚିକାବେରୀରେ ପୁରୁଷୋତ୍ତମଙ୍କ ବୀରତ୍ୱ ନୁହେଁ, ଜଗନ୍ନାଥଙ୍କ ବୀରତ୍ୱ ଚିତ୍ରିତ ହୋଇଛି-। ଭଗବତ୍ ମହିମା ସମକ୍ଷରେ ମାନବ ଚରିତ୍ର ନିତାନ୍ତ ଗୌଣ ହୋଇ ପଡ଼ିଛି । ଦେବତାଙ୍କ ଶକ୍ତି ପରୀକ୍ଷାରେ ମନୁଷ୍ୟ ନିମିତ୍ତ ମାତ୍ର । ଜଗନ୍ନାଥ ଯେପରି ଉତ୍କଳର, ଗଣନାଥ ସେହିପରି କାଞ୍ଚିର ଇଷ୍ଟ ଦେବତା, ରକ୍ଷାକର୍ତ୍ତା । ସେ ବିଦ୍ୟାରେ ଯେପରି ସଂଗ୍ରାମରେ ସେହିପରି ଧୂରୀଣ । ଖର୍ବ, ସ୍ଥୂଳତନୁ, ଗଜେନ୍ଦ୍ରବଦନ, ଲମ୍ୱୋଦର ହସ୍ତରେ ପାଶଅଙ୍କୁଶ ଧରି ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ । ଜଗନ୍ନାଥଙ୍କ ମନ୍ତ୍ର ବଳରେ ତାଳ ଅଶ୍ଵ ମାର୍ଜାର ରୂପେ ଗଣେଶଙ୍କ ବାହନ ମୂଷିକକୁ ଆକ୍ରମଣ କରିଛି-। ସ୍ଵୟଂ ନୃସିଂହ ରୂପ ଧାରଣ କରିଛନ୍ତି । ନୃସିଂହଙ୍କ ତେଜରେ ଗଣପତି ଅଚେତ ହୋଇ ପଡ଼ିଛନ୍ତି । ଶେଷରେ ସେ ବଳରାମ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ।

 

ପୁରୁଷୋତ୍ତମଙ୍କ ଯୁଦ୍ଧଯାତ୍ରାର ଚିତ୍ର ଓ କାଞ୍ଚିଗଡ଼ ଅଧିକାର କରିବାର ବର୍ଣ୍ଣନା ଅତି ପ୍ରାଣସ୍ପର୍ଶୀ । ଯୁଦ୍ଧରେ ବିଜୟ ଲାଭ କରି ପୁରୁଷୋତ୍ତମ ଦେବ କାଞ୍ଚି ରାଜାଙ୍କୁ ବନ୍ଦୀ କରି ମନ୍ତ୍ରୀଙ୍କ ଦାୟିତ୍ଵରେ ରଖିଲେ । ସାକ୍ଷୀଗୋପାଳ, ଭଣ୍ଡ ଗଣେଶଙ୍କୁ ଘେନି ସ୍ଵରାଜ୍ୟକୁ ଫେରିଲେ । ଓଡ଼ିଶା ଗଜପତିଙ୍କ ଏଇ କାଞ୍ଚି ବିଜୟ ଚିତ୍ର ପାଠ କଲେ ପ୍ରାଣ ଗୌରବରେ ଭରିଯାଏ ।

 

 

ଓଡ଼ିଶା ଗଜପତି କର୍ଣ୍ଣାଟ ଜୟ କରି

ଆଣନ୍ତି ଯେ ଯାହାର ଯେତେକ ଦ୍ରବ୍ୟଧରି

ସତ୍ୟବାଦୀ ଗୋପାଳ ଦେଉଳି ହସ୍ତେ ଦେଇ

ଏତେ ଦିନେ ଜୟ କଲେ ସେ କଥା ଚିତୋଇ

ଅତି ଆନନ୍ଦେ ନୃପତି ଓଡ଼ିଶାକୁ ଚଳି

ଭଣ୍ଡ ଗଣପତିଙ୍କି ଯେ ଆଣିଲେକ ଟାଳି ।

 

ବ୍ରଜନାଥ ବଡ଼ଜେନାଙ୍କ ‘ସମର ତରଙ୍ଗ’ ଓଡ଼ିଶା ସମର ସାହିତ୍ୟର ଶ୍ରେଷ୍ଠ କୃତି । ଏଥିରେ ଅଲୌକିକ ଶକ୍ତିର ହସ୍ତକ୍ଷେପ ନାହିଁ । ମନୁଷ୍ୟ ହଁ ନିଜର ଭାଗ୍ୟ ନିର୍ମାଣ । ଢେଙ୍କାନାଳ ରାଜା ତ୍ରିଲୋଚନ ମହେନ୍ଦ୍ର ବାହାଦୂର ୧୭୭୨ରୁ ୧୭୯୫ ମଧ୍ୟରେ ରାଜତ୍ୱ କରିଥିଲେ । ୧୭୮୧ରେ ତାଙ୍କ ସହିତ ମରହଟ୍ଟା ସୁବାଦାରଙ୍କର ଯେଉଁ ସମର ହୋଇଥିଲା, ତାହା ହିଁ ‘ସମର ତରଙ୍ଗ’ର ବିଷୟବସ୍ତୁ । ଢେଙ୍କାନାଳ ରାଜା ପେସ୍‌କିସ୍‌ନ ଦେବାରୁ ମରହଟ୍ଟା ସୁବାଦାର ରାଜାରାମ ସୈନ୍ୟସାମନ୍ତ ଘେନି ଢେଙ୍କାନାଳ ଆକ୍ରମଣ କରିଥିଲେ । କିନ୍ତୁ ପରାସ୍ତ ହେଲେ । ଅପମାନିତ ହୋଇ ସେ ନାଗପୁରକୁ ସମ୍ବାଦ ପଠାଇଲେ । ଭୋନ୍‌ସଲା ମୂତୋଜି ୪୦ ହଜାର ଅଶ୍ଵାରୋହୀଙ୍କ ସହିତ ନିଜର ସତର ବର୍ଷର ପୁତ୍ର ଚେମେଣାବାବୁଙ୍କୁ ପ୍ରେରଣ କଲେ । ଏହା ପରେ ମଧ୍ୟ ମରହଟ୍ଟା ସୈନ୍ୟମାନେ ଶୋଚନୀୟଭାବେ ପରାସ୍ତ ହେଲେ । ଏହି ଯୁଦ୍ଧରେ ପ୍ରାଚୀନ ଓ ଆଧୁନିକ ଉଭୟ ଅସ୍ତ୍ରଶସ୍ତ୍ର ବ୍ୟବହୃତ ହୋଇଥିଲା । ଯୁଦ୍ଧ ବର୍ଣ୍ଣନା ଯେପରି ବାସ୍ତବ, ସେହିପରି ହୃଦୟ ବିଦାରକ ।

 

ଗୁଳି ଗଳି ଗଲାନି କାହୃଦର, ତେବେ ଡାକୁଛି ଭାଇ ଭାଇ ମୋର

ଚୋଟ ବସିଲାନି କାହା ମୁଖରେ, ଖଣ୍ଡା ହାତ ସେ ବିଞ୍ଚୁଚି ପ୍ରଖରେ ।

କାହା ଗୋଡ଼ ଭାଙ୍ଗି ପଡ଼େ ଧରଣୀ, ଯାଇ ଘୋଷାରି ପଶୁ ଅଛି ହାଣି ।

 

ବ୍ରଜନାଥଙ୍କ ବର୍ଣ୍ଣନା ଉତ୍କଳର ଐତିହାସିକ ଗୌରବ ଫୁଟି ନାହିଁ । ଉତ୍କଳ ଇତିହାସର ଏକ ବିରଳ ଘଟଣା ଲୌକିକ ମହତ୍ତ୍ୱରେ ଉଜ୍ଜଳ ହୋଇ ଉଠିଚି । ପରାଜିତ ମରହଟ୍ଟା ବାହିନୀର ଘୋର ଦୁର୍ଦ୍ଦଶା କବି ବର୍ଣ୍ଣନା କରିଛନ୍ତି । କିଏ ଆହତ ସୈନିକ ଦେହରୁ ଶର କାଢ଼ି ଦେଉଛି, କିଏ ନିଜ ହାତରେ ଗାତ କରି ପ୍ରିୟଜନ ଶବ ପୋତୁଛି । ଆଖିରେ ଲୁହ, ମନରେ ଆତଙ୍କ ।

 

ସମଗ୍ର ରୀତିଯୁଗର ଶୃଙ୍ଗାରୀ କାବ୍ୟ ପରମ୍ପରା ଭିତରେ ବ୍ରଜନାଥଙ୍କ ‘ସମର ତରଙ୍ଗ’ ଏକ ବିସ୍ମୟକର ବ୍ୟତିକ୍ରମ । ଏଥିରେ ସେ ଯଶସ୍ୱୀ । କେବଳ ଉତ୍କଳରେ ନୁହେଁ, ସମଗ୍ର ଭାରତୀୟ ସାହିତ୍ୟରେ ବିରଳ ଓ ଅତୁଳନୀୟ । ତାଙ୍କ ବର୍ଣ୍ଣନାରେ ଗତାନୁଗତିକତାର ଲେଶ ମାତ୍ର ନାହିଁ । ସତେ ଯେପରିକି ଦୁର୍ଗ ସଂପର୍କରେ ତାଙ୍କର ଜ୍ଞାନ ପ୍ରତ୍ୟକ୍ଷ, ସମର- କୌଶଳ ଓ କୂଟନୀତିରେ ସେ ବିଶାରଦ, ଅସ୍ତ୍ରଶସ୍ତ୍ର ସଜା, ସୈନିକଙ୍କ ବେଶ ଭୂଷଣ, ପରାଜିତଙ୍କ ମନୋବିଜ୍ଞାନ- ପ୍ରତ୍ୟେକ ବିଷୟରେ ସେ ଗଭୀରତର ବିଶ୍ଳେଷଣ କରିଛନ୍ତି । ପାଠକଙ୍କ ମନରେ ଯୁଦ୍ଧର ଅକୃତ୍ରିମ ପରିବେଶ ସୃଷ୍ଟି କରିବାରେ ତାଙ୍କର ପ୍ରତିଭା ଅନନ୍ୟ ।

 

ଇଂରାଜୀ ସାହିତ୍ୟରେ ମିଲ୍‌ଟନ୍‌ଙ୍କ 'paradise Lost' ପରି ଓଡ଼ିଶା ସାହିତ୍ୟରେ ରାଧାନାଥଙ୍କ ‘ମହାଯାତ୍ରା’ ମହାକାବ୍ୟ ରଚନାର ଶେଷ ଅବତରଣିକା । ରାଧାନାଥ କେବଳ ପ୍ରକୃତି କବି ନଥିଲେ, ଥିଲେ ଜାତୀୟତାବାଦର ଶ୍ରେଷ୍ଠ କବି । ତାଙ୍କ କାବ୍ୟ ଓଡ଼ିଶାର ପ୍ରାକୃତି ଭୂଗୋଳ କେବଳ ନୁହେଁ, ସାଂସ୍କୃତିକ ଇତିହାସ ମଧ୍ୟ । ଜାତୀୟଭାବର ଉନ୍ମାଦନା ପାଇଁ ମହତ୍ କୀର୍ତ୍ତି ସଚେତନତା ଘେନି ସେ ଗୌରବୋଜ୍ଜ୍ୱଳ ଗାଥାଗୁଡ଼ିକୁ ଅବଲମ୍ବନ କରି କାବ୍ୟ କବିତା ରଚନା କରିଛନ୍ତି । ଅମର୍ଷୀବାଣୀ ଓ ଶିବାଜୀଙ୍କ ଉତ୍ସାହବାଣୀରେ ବୀରତ୍ୱର ଉଦ୍ବୋଧନ । ‘ମନ୍ତ୍ରର ସାଧନ ଅବା ଶରୀର ପାତନ’- ବୀରର ଏଇ ଆଦର୍ଶ କବିତାରେ ଅଭିବ୍ୟଂଜିତ ହୋଇଛି । ଯୁଦ୍ଧର ଆୟୋଜନ ଓ ପଟୁଆର ଚିତ୍ରଣରେ କବିଙ୍କ ଦକ୍ଷତା ଅତୁଳନୀୟ । ନନ୍ଦିକେଶରୀରେ ଚୋଡ଼ଗଙ୍ଗଙ୍କ ଯୁଦ୍ଧାୟୋଜନରେ ଓ ‘ମହାଯାତ୍ରା’ରେ ତିରୋରୀ ଯୁଦ୍ଧରେ ରାଜାଙ୍କର ସାଡ଼ମ୍ବର ଯୋଗଦାନ ବର୍ଣ୍ଣନାରେ ଏହାର ପରିଚୟ ମିଳେ । ‘ବେଣୀ ସଂହାର’ ର ବର୍ଣ୍ଣନା ସଂଯତ ଓ ମାର୍ଜିତ । ପତିତ ଶତ୍ରୁର ଅପକର୍ମ ସ୍ମରଣ ଓ ତା’ ପ୍ରତି ବିଦ୍ରୁପ ଏହାର ବିଶେଷତ୍ଵ ।

 

ମହାଯାତ୍ରା କବିଙ୍କର ଶ୍ରେଷ୍ଠ ସମର କାବ୍ୟ । ଏହାର ପ୍ରଥମାଂଶୟ ଯୁଦ୍ଧ ବିରତି, ସଂସାରର ନଶ୍ୱରତା, ବିଜେତାଙ୍କ ବୈରାଗ୍ୟ ଓ ଶୋକୋଚ୍ଛ୍ୱାସ କିନ୍ତୁ ଶେଷଦୁଇ ସର୍ଗରେ ବୀରଙ୍କର ହୁଙ୍କାର, ଅଶ୍ଵହ୍ରେଷା, ବାରଣ ବୃହିତ ଓ ଅସ୍ତ୍ରର ଝନତ୍‌କାର । ପ୍ରାଚ୍ୟ ପାଶ୍ଚାତ୍ୟ ସବୁ ମହାକାବ୍ୟ ଅଧ୍ୟୟନ କରି କବି ଭାରତୀୟ ଇତିହାସର ସେଇ ମହାନ୍ ଅଭ୍ୟୁଦୟ ଓ କ୍ଷୀଣ ଅସ୍ତମାନ ଅବସ୍ଥାର ଜୀବନ୍ତ ଚିତ୍ର ପ୍ରଦାନ କରିବାକୁ ସମର୍ଥ ହୋଇଛନ୍ତି ।

 

‘‘ଏହିକି ସେ ଆର୍ଯ୍ୟଭୂମି ? ଏ ଭୂମିର ସୁତ

ତୁମ୍ଭେଟିକି ଆର୍ଯ୍ୟନାମ ଦାୟାଦ ଜଗତେ ?

ବିନା ଯୁଦ୍ଧେ ନ ଦେବାର ସୂଚ୍ୟଗ୍ର ମେଦିନୀ

ପଣ ଯେଉଁ ଆର୍ଯ୍ୟଙ୍କର, ତାଙ୍କରି ଶୋଣିତ

ବହୁଛି କି ଆହେ ଯୋଦ୍ଧେ ତୁମ୍ଭ ଧମନୀରେ ?’’

 

ଏହି ଉଦ୍‌ବୋଧନୀର ଉଦ୍ଦୀପନା ସାହିତ୍ୟରେ ବୀର ରସାତ୍ମକ ଓ ସମର କାବ୍ୟର ଅନ୍ୟତମ ଶ୍ରେଷ୍ଠ ଉଦାହରଣ।

 

ଏହିପରି ମାନବ ସଭ୍ୟତାର ବହମାନ ଗତିପଥରେ ସମର ଏକ ଶଙ୍କୁ । ଏକ ଅନିବାର୍ଯ୍ୟ ଆହ୍ୱାନ । ଜୀବନରେ ଏହା ଯେପରି ସତ୍ୟ, ସାହିତ୍ୟରେ ସେହିପରି ମାର୍ମିକ । ଯୁଦ୍ଧପାଇଁ ଯୁଦ୍ଧ ନୁହେଁ, ଅନ୍ତତଃ ଶାନ୍ତି ପାଇଁ ଯୁଦ୍ଧ ସତତ ପ୍ରୟୋଜନ । ପିଟ୍‌ସିଗାରଙ୍କ ସେଇ ଅବିସ୍ମରଣୀୟ ପଂକ୍ତିଟିରେ ସେଇ ସ୍କୁଲଛାତ୍ରିଟିର ମୁଖରେ ଯୁଦ୍ଧର ଅବତାରଣା କରି ଉପସଂହାର କଲେ ଯଥାର୍ଥ ହେବ ।

 

"What did you learn in school the day,

dear little boy of mine ? .

I learnt that the war is not so bad

I learnt about great one we have had."

 

 

ଓଡ଼ିଆ ଭାଷାମୁଖ୍ୟ,

ଭାଷା ଓ ସମାଜବିଜ୍ଞାନ ବିଭାଗ,

ଆଞ୍ଚଳିକ ଭାଷା ପ୍ରତିଷ୍ଠାନ

ଭୁବନେଶ୍ୱର-୨୨

 

***

 

ଫକୀରମୋହନ ସେନାପତି ଓ ତତ୍‌କାଳୀନ ଭାରତୀୟ ଉପନ୍ୟାସ

ଡକ୍ଟର ସାନ୍ତ୍ଵନା ହାଲ୍‌ଦାର

 

ଅଷ୍ଟାଦଶ ଶତାବ୍ଦୀରେ ପାଶ୍ଚାତ୍ୟ ସାହିତ୍ୟରେ ଉପନ୍ୟାସ(Novel) ର ସୃଷ୍ଟି । ଏହାର ପୂର୍ବରୁ କାବ୍ୟ ଓ ନାଟକ ଛଡ଼ା ମହାକାବ୍ୟ (epic), ଗାଥା (ballad), କାହାଣୀ (tales) ଆଦି ପ୍ରଚଳିତ ଥିଲା । George Lukacs, George Steiner, lan Watt ଆଦି ପ୍ରଖ୍ୟାତ ସମାଲୋଚକମାନେ ମତବ୍ୟକ୍ତ କରିଛନ୍ତି ଯେ ଅଷ୍ଟାଦଶ ଶତାବ୍ଦୀରେ ରାଜନୈତିକ- ଅର୍ଥନୈତିକ ପରିବର୍ତ୍ତନ ଯୋଗୁଁ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଯେଉଁ ସାମାଜିକ ପରିବର୍ତ୍ତନ ଆସିଥିଲା ତାକୁ ସାହିତ୍ୟ ମାଧ୍ୟମରେ ଯଥାଯଥ ଭାବରେପ୍ରକାଶ କରିବା ସମ୍ଭବ ହେଉନଥିଲା । ତେଣୁ ସାହିତ୍ୟକମାନେ ନୂତନ ଶୈଳୀ ତଥା ସାହିତ୍ୟର ମାଧ୍ୟମ ଅନୁସନ୍ଧାନ କରିବାକୁ ଲାଗିଲେ ଏବଂ ଉପନ୍ୟାସ (Novel) ହେଲା ସେହି ଅନୁସନ୍ଧାନର ଫଳ । ପୂରାତନ କୃଷିଭିତ୍ତିକ ସଭ୍ୟତାରୁ ବାହାରିଆସି ପାଶ୍ଚାତ୍ୟ ଦେଶଗୁଡ଼ିକ ଯେତେବେଳେ ଶିଳ୍ପ ସମୃଦ୍ଧ ଦେଶ ଭାବରେପରିଗଣିତ ହେଲେ, ସେତେବେଳେ ସମାଜରେ ଗୋଟିଏ ମଧ୍ୟବିତ୍ତ ଶ୍ରେଣୀର ଉତ୍‌ଥାନ ହେଲା । ଶିଳ୍ପାୟନର ପ୍ରଥମ ଯୁଗରେ ମାଲିକମାନଙ୍କର ସୀମାହୀନ ଲୋଭ, ଶ୍ରମିକ ସୁରକ୍ଷା ପାଇଁ ଉପଯୁକ୍ତ ଆଇନ୍‌ର ଅଭାବ ଇତ୍ୟାଦି ସମାଜରେ ପ୍ରକଟିତ ଥିଲା । ବ୍ୟକ୍ତି ସ୍ଵାତନ୍ତ୍ରର ଉନ୍ମେଷ ମଧ୍ୟ ଏହି ସମୟରେ ପରିଲକ୍ଷିତ ହୋଇଥିଲା । କୃଷିଭିତ୍ତିକ ସମାଜର ମୂଲ୍ୟବୋଧ ସହିତ ନୂତନ ଶିଳ୍ପଭିତ୍ତିକ ସମାଜର ମୂଲ୍ୟବୋଧର ଯେଉଁ ସଂଘାତ ସୃଷ୍ଟି ହେଲା, ତା’ର ଯଥାର୍ଥ ପରିପ୍ରକାଶ ଉପନ୍ୟାସ ମାଧ୍ୟମରେ ହିଁ ସମ୍ଭବ ହେଲା । ଭାରତୀୟ ଉପନ୍ୟାସର ସୂଚନା କାଳ ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ । ସାଧାରଣତଃ ଭାରତୀୟ ଉପନ୍ୟାସର ଜନ୍ମକୁ ଔପନିବେଶିକ ଶାସନର ଫଳ ବୋଲି କୁହାଯାଏ । ଭାରତରେ ଇଂରାଜୀ ଶିକ୍ଷାର ପ୍ରସାର ଫଳରେ ଇଂରାଜୀ ଉପନ୍ୟାସଗୁଡ଼ିକ ଭାରତୀୟମାନଙ୍କର ହସ୍ତଗତ ହେଲା । ଦେଶୀୟ ଭାଷାରେ ସେଗୁଡ଼ିକର ଅନୁବାଦ ମଧ୍ୟ ହେଲା । ଦେଶୀୟ ସାହିତ୍ୟିକମାନେ ଏହି ନୂତନ ମାଧ୍ୟମ ପ୍ରତି ଆକୃଷ୍ଟ ହେଲେ ଏବଂ ବିଭିନ୍ନ ଭାରତୀୟ ଭାଷାରେ ଉପନ୍ୟାସର ଆବିର୍ଭାବ ହେଲା । ମାତ୍ର ମୀନାକ୍ଷୀ ମୁଖୋପାଧ୍ୟାୟ ପ୍ରମୁଖ କେତେକ ସମାଲୋଚକ ଭାରତୀୟ ଉପନ୍ୟାସକୁ British Legacy ବୋଲି ମାନିବାକୁ ରାଜି ନୁହନ୍ତି । ସେମାନଙ୍କ ମତରେ ଭାରତୀୟ ଉପନ୍ୟାସର ଆବିର୍ଭାବ ପଶ୍ଚାତରେ ପାଶ୍ଚାତ୍ୟ ଉପନ୍ୟାସର ପ୍ରଭାବ ନିଶ୍ଚିତ ଭାବରେ ଥିଲା କିନ୍ତୁ ଭାରତୀୟ ଉପନ୍ୟାସ ମଧ୍ୟ ତଦାନିନ୍ତନ ଭାରତର ସାମାଜିକ ପରିବର୍ତ୍ତନକୁ ପ୍ରକାଶ କରିବାର ଏକ ମାଧ୍ୟମ ଭାବରେ ହଁ ଉଦ୍‌ଭୁତ ହୋଇଥିଲା, ଅନୁକରଣ ମାତ୍ର ନୁହେଁ । ଊନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଭାରତୀୟ ଉପମହାଦେଶରେ ବିଶେଷ ସାମାଜିକ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା । ଔପନିବେଶିକ ଶାସନ ସମାଜର ବିଭିନ୍ନ ସ୍ତରରେ ମିଶ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା, ଇଂରାଜୀ ଶିକ୍ଷାର ପ୍ରଚଳନ, ବ୍ରିଟିଶ୍‌ଆଇନ୍‌ର ପ୍ରୟୋଗ, ମୁଷ୍ଟିମେୟ କ୍ଷମତାଶାଳୀ ଲୋକମାନଙ୍କ ଦ୍ଵାରା ଦେଶରେ ସାଧାରଣ ମଣିଷଙ୍କର ଶୋଷଣ ଇତ୍ୟାଦି ଥିଲା ସାମାଜିକ ପରିବର୍ତ୍ତନର କାରଣ । ଜାତୀୟ କଂଗ୍ରେସର ଉତ୍‌ଥାନ ଓ ତା’ ପରବର୍ତ୍ତୀ ସ୍ୱାଧୀନତା ଆନ୍ଦୋଳନ ଏହି ସାମାଜିକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିଥିଲା । ବିଭିନ୍ନ କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଉପଲବ୍ଧ ହେଲା, ସେଗୁଡ଼ିକ ପ୍ରଚଳିତ ସାହିତ୍ୟ ମାଧ୍ୟମରେ ପ୍ରକାଶ କରିବା ଅସମ୍ଭବ ଥିଲା । ତେଣୁ ଭାରତୀୟ ଗଦ୍ୟ ସାହିତ୍ୟରେ ଉପନ୍ୟାସର ପ୍ରୟୋଜନ ଲେଖକମାନେ ଅନୁଭବ କଲେ । ପ୍ରଥମେ ଯେଉଁ ଲେଖକମାନେ ଉପନ୍ୟାସ ସାହିତ୍ୟକୁ ଆଦରି ନେଇଥିଲେ, ସେମାନେ ସାମାଜିକ ବାସ୍ତବତାକୁ ସାହିତ୍ୟରେ ପ୍ରକାଶ କରିବା ପାଇଁ ଅତି ମାତ୍ରାରେ ସଚେଷ୍ଟ ଥିଲେ । ପ୍ରଖ୍ୟାତ ମାଲାୟାଲାମ ଉପନ୍ୟାସିକ O' Chandu Menon ତାଙ୍କ ଉପନ୍ୟାସ Indulekha (1888) ର ମୁଖବନ୍ଧରେ ତତ୍‌କାଳୀନ ଭାରତୀୟ ଲେଖକମାନଙ୍କର ବାସ୍ତବତାକୁ ପ୍ରକାଶ କରିବାର ମନୋଭାବ ଅତି ପରିଷ୍କାର ଭାବରେ ପରିସ୍ଫୁଟ କରିଛନ୍ତି :

 

"Others asked me, while । was employed on the novel, how । expected to make it a success if । described only the ordinary affairs of the modern life without introducing any element of the supernatural. My answer was this : Before the European style of oil painting began to be known and appreciated in this country, we had -painted in defiance of all possible existence - pictures of Vishnu as half man and half lion.... Such production used to be highly thought of, and those who produced them were highly remunerated but now they are looked upon by many with aversion. A test has set in for pictures, whether in oil or water colours in which shall be delineated men, beasts and things according to their true appearance, and the closer that a picture is to nature the greater is the honour paid to the artist. Just in the same way, if stories composed of incidents true to natural life or attractively & gracefully written, are once introduced, then by degrees the old order of books, filled with the impossible and the supernatural, will change, yielding place to the new. [from the preface to Indulekha (1888)]

 

ବଂଗଳା ସାହିତ୍ୟରେ ପ୍ୟାରିଚାନ୍ଦ ମିତ୍ରଙ୍କର ‘ଆଲୋଲାର୍‌ଘରେର୍‌ ଦୁଲାଲ୍‌’ (୧୮୫୮)ରେ ସାମାଜିକ ବାସ୍ତବତାକୁ ପ୍ରକାଶ କରିବାର ପ୍ରଥମ ପ୍ରଚେଷ୍ଟା ପରିଲକ୍ଷିତ ହୁଏ । କିନ୍ତୁ ଏ ପ୍ରଚେଷ୍ଟା ବିଶେଷ ସଫଳ ହେଲା ନାହିଁ । ମରାଠୀ ଭାଷାରେ ରଚିତ ବାର ସଦାଶିବ ରିସ୍‌ବଦ୍‌ଙ୍କ ମଂଜୁଘୋଷା (୧୮୬୮), ସମାଜର ବାସ୍ତବ ରୂପାୟନର ଆଉ ଗୋଟିଏ ସଫଳ ପ୍ରଚେଷ୍ଟା । ବିଖ୍ୟାତ ବଂଗଳା ଉପନ୍ୟାସିକ ବଂକିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ବିଭିନ୍ନ ଦୃଷ୍ଟିରୁ ଭାରତର ପ୍ରଥମ ଉପନ୍ୟାସିକମାନଙ୍କ ମଧ୍ୟରେ ଜଣେ ଅଗ୍ରଗଣ୍ୟ ଲେଖକ ବୋଲି ଗଣ୍ୟ କରାଯାଏ । ମାତ୍ର ତାଙ୍କର ଉପନ୍ୟାସଗୁଡ଼ିକ ପ୍ରକୃତ ବାସ୍ତବ ଚିତ୍ର ପ୍ରକାଶ କରିବାଠାରୁ ରୋମାନ୍ସ ଓ କଳ୍ପନା ଜାତ ଘଟଣାବଳୀକୁ ପ୍ରକାଶ କରିବା ଉପରେ ଅଧୁକ ଗୁରୁତ୍ୱ ଦେଇଛି । ତାଙ୍କ ସମସାମୟିକ ହିନ୍ଦି ଉପନ୍ୟାସ ଗୁଡ଼ିକରେ ମଧ୍ୟ ସମାଜର ବାସ୍ତବ ଚିତ୍ରଠାରୁ ମଧ୍ୟଯୁଗୀୟ ପ୍ରେମ କାହାଣୀର ବ୍ୟବହାର ବେଶି ଦେଖାଯାଏ । ଲୋକପ୍ରିୟ ହିନ୍ଦି ଔପନ୍ୟାସିକ ଦେବଜୀ ନନ୍ଦନ କ୍ଷତ୍ରୀୟଙ୍କ ଚନ୍ଦ୍ରକାନ୍ତ ସନ୍ତନ୍ତି (୧୮୯୬) ଗୋଟିଏ ପ୍ରକୃଷ୍ଟ ଉଦାହରଣ । ପରବର୍ତ୍ତି ସମୟର ବିଖ୍ୟାତ ହିନ୍ଦି ଔପନ୍ୟାସିକ ପ୍ରେମଚାନ୍ଦ ଦୁଃଖ କରି କହିଛନ୍ତି ଯେ ‘‘ଆଉ କେତେକାଳ ହିନ୍ଦି ଉପନ୍ୟାସ ମନ ଭୁଲାଣିଆ କାହାଣୀ ପରିବେଷଣ କରୁଥିବ ଏବଂ ସମାଜର ବାସ୍ତବତାକୁ ଉପେକ୍ଷା କରିଥିବ ।’’ (୧୯୩୬)

 

ଭାରତୀୟ ଉପନ୍ୟାସର ଇତିହାସକୁ ଭଲଭାବରେ ପର୍ଯ୍ୟବେକ୍ଷଣ କଲେ ଫକୀର ମୋହନ ସେନାପତିଙ୍କ ବିଶିଷ୍ଟ ଅବଦାନ ସହଜରେ ଉପଲବ୍ଧ ହୁଏ । ଉନବିଂଶ ଶତାବ୍ଦୀରେ ରଚିତ ପାଶ୍ଚାତ୍ୟ ଉପନ୍ୟାସର ଦୁଇଗୋଟି ବିଶେଷତ୍ଵ ସମସ୍ତ ସମାଲୋଚକମାନେ ସ୍ୱୀକାର କରି ନେଇଛନ୍ତି । ପ୍ରଥମତଃ, ଆଗରୁ ପ୍ରଚଳିତ କାହାଣୀରେ ଯେଉଁ ରୂପକଥାର ବାତାବରଣ (Once upon a time ambiance) ଥାଏ ଉପନ୍ୟାସରେ ତାହା ବଦଳରେ ନିର୍ଦ୍ଦିଷ୍ଟ ସମୟ ଓ କାଳର ବାତାବରଣ ଉପସ୍ଥାପିତ ହୁଏ । ଦ୍ୱିତୀୟତଃ, ଉପନ୍ୟାସରେ ଅଲୌକିକ କାହାଣୀ ବଦଳରେ ବାସ୍ତବ ଜୀବନରେ ସଂମ୍ଭାବ୍ୟ ଘଟଣା (probable) ଗୁଡ଼ିକ ଉପସ୍ଥାପିତ ହୁଏ । ଏହି ଦୃଷ୍ଟିରୁ ବିଚାର କଲେ ଫକୀର ମୋହନଙ୍କର ରଚିତ ଉପନ୍ୟାସଗୁଡ଼ିକ ତାଙ୍କ ସମସାମୟିକ ଅନ୍ୟାନ୍ୟ ଭାରତୀୟ ଔପନ୍ୟାସିକଙ୍କର ରଚନାଠାରୁ ଅଧିକ ବାସ୍ତବମୁଖୀ । ଉଦାହରଣ ସ୍ୱରୂପ, ବଙ୍କୀମ ଚନ୍ଦ୍ର ଉଚ୍ଚାଙ୍ଗର ରୋମାନସ୍‌, ସମାଜିକ ଉପନ୍ୟାସ, ମନସ୍ତାତ୍ତ୍ୱିକ ଉପନ୍ୟାସ ରଚନା କରିଥିଲେ ହେଁ ଅନେକ ସମୟରେ ସଂଭାବ୍ୟତା (probable) ର ସୀମା ଅତିକ୍ରମ କରି ରୂପକଥାର ରାଜ୍ୟକୁ ଉପସାପନ କରିଛନ୍ତି । ଦୁର୍ଗେଶ ନନ୍ଦିନୀ, ଚନ୍ଦ୍ର ଶେଖର ଓ ଆନନ୍ଦ ମଠ ରେ ସାମାନ୍ୟ କିଛି ଐତିହାସିକ ତଥ୍ୟ ଦେଇ ବଙ୍କୀମ ଚନ୍ଦ୍ର ମୂଳତଃ ‘ରୋମାନସ୍‌’ ରଚନା କରିଛନ୍ତି । ଐତିହାସିକ ତଥ୍ୟର ଅପ୍ରାଚୁର୍ଯ୍ୟ ତାଙ୍କର କଳ୍ପନାକୁ ଉଦ୍‌ବୋଧିତ କରିଛି । ‘ଦୁର୍ଗେଶ ନନ୍ଦିନୀ’ ର ପଟ୍ଟଭୂମି ହେଉଛି ଆକବରଙ୍କ ବଙ୍ଗ ବିଜୟ । କିନ୍ତୁ ଏହି ଉପନ୍ୟାସର ଆକର୍ଷଣ ହେଉଛି ବିମଳା ଓ ଆୟେଶାର ପରମାଶ୍ଚର୍ଯ୍ୟ କାହାଣୀ । ଚନ୍ଦ୍ରଶେଖର ଉପନ୍ୟାସରେ ସେ ମୀର କାଶୀମ ବିଷୟରେ ଅଳ୍ପକିଛି ତଥ୍ୟ ସହିତ ଶୈବାଳିନୀ ଓ ଦଳନୀର କାହାଣୀକୁ ସଂଯୁକ୍ତ କରିଛନ୍ତି । ଆନନ୍ଦ ମଠ ଉପନ୍ୟାସରେ ମଧ୍ୟ ସେ ଅଷ୍ଟାଦଶ ଶତାବ୍ଦୀରେ ଘଟିଥିବା ସନ୍ନ୍ୟାସୀ ବିଦ୍ରୋହର ଘଟଣାକୁ ଆଶ୍ରୟ କରି କାଳ୍ପନିକ ଉପାଖ୍ୟାନ ଉପସ୍ଥାପନ କରିଛନ୍ତି । ରାଜସିଂହକୁ ତାଙ୍କର ଏକମାତ୍ର ଐତିହାସିକ ଉପନ୍ୟାସ ବୋଲି କୁହାଯାଏ । ମାତ୍ର ଔରଙ୍ଗଦେବଙ୍କୁ ସେ ଯେମିତି କାପୁରୁଷ ଭାବରେ ବର୍ଣ୍ଣନା କରିଛନ୍ତି ତାହା ଅନ୍ୟ ଐତିହାସିକ ଏବଂ ଚରିତ୍ରର ରୂପାୟନ ବାସ୍ତବ ସମ୍ମତ ନୁହେଁ । ରୂପକଥା (fairy tale) ପ୍ରତି ଆସକ୍ତି ହିଁ ବଙ୍କୀମ ଚନ୍ଦ୍ରଙ୍କର ବାସ୍ତବ ସମାଜ ଚିତ୍ର ରଚନାର ପରିପନ୍ଥୀ ହୋଇଛି । ‘ବିଷବୃକ୍ଷ’ ପାରିବାରିକ ଜୀବନର ଘଟଣା ଉପରେ ଆଧାରିତ ହେଲେ ମଧ୍ୟ ଉପନ୍ୟାସର କାହାଣୀଗୁଡ଼ିକ ନିୟତି ନିୟନ୍ତ୍ରିତ । କୃଷ୍ଣକାନ୍ତର ଉଇଲ ଓ ରଜନୀ ସାଂସାରିକ ଉପନ୍ୟାସ । ମାତ୍ର ବଙ୍କୀମଚନ୍ଦ୍ର ତାଙ୍କ ଚରିତ୍ରଗୁଡ଼ିକୁ ଏପରି ଭାବରେ ଚିତ୍ରିତ କରିଛନ୍ତି ଯେ ସେଗୁଡ଼ିକ ରୋମାନସ୍‌ର କଳ୍ପଲୋକକୁ ଉନ୍ନୀତ ହୋଇଛି । କୃଷ୍ଣକାନ୍ତର ଉଇଲ ଉପନ୍ୟାସର ଆରମ୍ଭର ହୀନ ଭାଷା ଓ ଘରୋଇ ଚାଲିଚାଳନର ବିବରଣୀ ଯୋଗୁଁ ଅତ୍ୟନ୍ତ ଜନପ୍ରିୟ ହୋଇଥିଲା, ମାତ୍ର ଧନୀ ଲୋକର ଅନ୍ତପୁରରେ ଘଟିଥିବା ଘଟଣାଗୁଡିକ ଛଡ଼ା ସାଧାରଣ ଲୋକଙ୍କର ଜୀବନର କଥା ପ୍ରାୟ ଅନୁପସ୍ଥିତ । ବଙ୍କୀମ ଚନ୍ଦ୍ରଙ୍କର ରଚନା କୌଶଳ ଓ ଚରିତ୍ର ଚିତ୍ରଣ ତାଙ୍କୁ ଜଣେ ଶ୍ରେଷ୍ଠ ଔପନ୍ୟାସିକଙ୍କର ମର୍ଯ୍ୟାଦା ଦେଇଛି । କିନ୍ତୁ ସମାଜର ସାଧାରଣ ଲୋକଙ୍କ କଥା, ବିଶେଷତଃ ଚାଷିମାନଙ୍କର ନାନାବିଧ ସମସ୍ୟା ଓ ଦାରିଦ୍ର୍ୟ ମୂଲ୍ୟବୋଧର ସଂଘାତ, ଭାରତୀୟ ଐତିହ୍ୟର କ୍ରମ ବିଲୁପ୍ତି ପାଇଁ ଉଦ୍‌ବେଗ ଇତ୍ୟାଦି ତାଙ୍କର ଉପନ୍ୟାସଗୁଡ଼ିକରେ ପରିସ୍ଫୁଟ ହୋଇନାହିଁ । ଅନ୍ୟ ଦିଗରେ ଫକୀର ମୋହନଙ୍କର ଉପନ୍ୟାସଗୁଡ଼ିକ ଏତେ ସୁଗଠିତ ନୁହେଁ । ତାଙ୍କ ରଚିତ ଚରିତ୍ରଗୁଡ଼ିକ ମଝିରେ ଅନନ୍ୟ ସାଧାରଣ କୌଣସି ଚରିତ୍ର ଅଥବା ଇଂରାଜୀ ନଭେଲର ଅନୁକରଣରେ ରଚିତ କୌଣସି ନାରୀ ଚରିତ୍ରର ସନ୍ଧାନ ମିଳେନାହିଁ । କିନ୍ତୁ ସମାଜରେ ମୂଲ୍ୟବୋଧର ସଂଘାତ, ଦରିଦ୍ର ଲୋକମାନଙ୍କ ଶୋଷଣ ବ୍ରିଟିଶ ଆଇନ ବଳବତ୍ତର ହେବାକୁ ସାଧାରଣ ଲୋକମାନଙ୍କ ଅସୁବିଧା ଇତ୍ୟାଦି ତାଙ୍କ ରଚନାରେ ଅତି ସୁନ୍ଦର ଭାବରେ ପରିସ୍ଫୁଟ ହୋଇଛି । ତାଙ୍କ ସମସାମୟିକ ଲେଖକମାନେ ଅନନ୍ୟ ସାଧାରଣ ପୁରୁଷ ଚରିତ୍ର ଏବଂ ଇଂରାଜୀ ଉପନ୍ୟାସର ନାୟିକା ପରି ଚରିତ୍ର ଉପନ୍ୟାସର ରଚନା ପାଇଁ ନିହାତି ଆବଶ୍ୟକ ବୋଲି ମନେ କରୁଥିଲେ । ତେଣୁ ମାଲାୟାଲମ୍‌ଲେଖକ ଚାନ୍ଦୁମୋହନ ଲେଖିଥିଲେ, "My object is to write a novel after the English fashion and it is evident that no ordinary Malayalie lady can fill the role of the heroine in such a story. My Indulekha is not, therefore, an ordinary Malayalie lady”. (Preface to Indulehke) ଫକୀର ମୋହନ କେବେହେଲେ ଏହି ପ୍ରକାର ମତ ବ୍ୟକ୍ତ କରିନାହାନ୍ତି । ତାଙ୍କ ଚତୁଃପାର୍ଶ୍ଵରେ ଯେଉଁ ପ୍ରକାର ନାରୀ ଚରିତ୍ର ସେ ଦେଖିଛନ୍ତି ଠିକ୍‌ସେହି ପ୍ରକାର ନାରୀ ଚରିତ୍ର ହିଁ ସେ ଅଙ୍କନ କରିଛନ୍ତି । ଏହା ଫଳରେ ତାଙ୍କ ଉପନ୍ୟାସ ଯେ ସବୁବେଳେ ମନମୁଗ୍ଧକାରୀ ହୋଇଛି, ତାହା ନୁହେଁ । ପ୍ରାୟଶ୍ଚିତ ଉପନ୍ୟାସରେ ଯେତେବେଳେ ଇନ୍ଦୁପ୍ରଭାର ନାମ ଉଲ୍ଲେଖ ହୁଏ ଓ ତାର କାବ୍ୟ ରଚନା କରିବା କ୍ଷମତା ଜଣାଯାଏ, ପାଠକମାନେ ଗୋଟିଏ ନୂତନ ନାରୀ ଚରିତ୍ରର ଦର୍ଶନ ମିଳିବ ଭାବି ଉତ୍‌ଫୁଲ୍ଲ ହୁଅନ୍ତି । ମାତ୍ର ସେମାନଙ୍କର ସବୁ ଆଶା ବ୍ୟର୍ଥ ହୁଏ ଏବଂ ଉପନ୍ୟାସର କାହାଣୀ ‘ରୋମାନାସ୍‌’ ଆଡ଼କୁ ନଯାଇ ଗତାନୁଗତିକ ପାପ-ପୁଣ୍ୟ-କର୍ମ- ଫଳ ଢାଞ୍ଚା ଆଡ଼କୁ ଅଗ୍ରସର ହୁଏ । ମରାଠି ଔପନ୍ୟାସିକ ନାର ସଦାଶିବ ରିସବାଦ୍‌ମଧ୍ୟ ଚାନ୍ଦୁମେନନ୍‌ଙ୍କ ପରି କହିଥିଲେ ଯେ ଭାରତୀୟ ସମାଜରେ ରୋମାନସ୍‌ର ବାତାବରଣ ନ ଥିବାରୁ କେବଳମାତ୍ର ବାସ୍ତବ ଚିତ୍ର ଅଙ୍କନ କଲେ ତାହା ମନମୁଗ୍ଧକାରୀ ନ ହୋଇପାରେ । "Because of our attitude to marriage, and for several other reasons, one finds in the lives of us Hindus neither interesting vices nor virtues, and this is the difficulty which we find in trying to write novels,. If we write about the things we experiance daily, there would be nothing enthralling about them, so that if we set out to write an interesting Book we are forced to take up with the marvellous...." (Introduction to Manju Ghosha - 1868)

 

ସଦାଶିବ ରିସ୍‌ବାଦ୍‌ଙ୍କ ଉଦ୍‌ବେଗ କେବେହେଲେ ଫକୀର- ମୋହନଙ୍କୁ ସ୍ପର୍ଶ କରିନାହିଁ । ଊନବିଂଶ ଶତାବ୍ଦୀର ଅନ୍ତିମ ସମୟରେ ଯେତେବେଳେ ସେ “ଛ’ ମାଣ ଆଠ ଗୁଣ୍ଠ” ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ, ସେ ଜନପ୍ରିୟ ହେବାପାଇଁ ଲେଖନି ଧାରଣ କରିନଥିଲେ । ନିଜର ପାରିପାର୍ଶ୍ଵକୁ ପର୍ଯ୍ୟବେକ୍ଷଣ କରି ଓ ଓଡ଼ିଶାରେ ଘଟିଥିବା ଘଟଣାମାନ ଓଡ଼ିଆ ଲୋକ ମାନସରେ କିପରି ପ୍ରଭାବ ବିସ୍ତାର କରିଛି ତାହାକୁ ଅନୁଭବ କରି, ସେଗୁଡ଼ିକ ପ୍ରକାଶ କରିବାପାଇଁ ବ୍ୟଗ୍ର ହୋଇଥିଲେ । ବିଦେଶୀ ଉପନ୍ୟାସରେ ବର୍ଣ୍ଣିତ ରୋମାଣ୍ଟିକ ପ୍ରେମ ବର୍ଣ୍ଣନା କରିବାକୁ ସେ ଆଗ୍ରହ ପ୍ରକାଶକରି ନାହାନ୍ତି କାରଣ ସମସାମୟିକ ଓଡ଼ିଆ ସମାଜରେ ସେଭଳି ପରିବେଶ ନଥିଲା । ତେଣୁ ତାଙ୍କ ଉପନ୍ୟାସ ଏକାନ୍ତ ଭାବରେ ବାସ୍ତବଧର୍ମୀ ।

 

ବ୍ୟକ୍ତି ସ୍ୱାତନ୍ତ୍ରଉନ୍ମେଷକୁ (individuality) ମଧ୍ୟ ପାଶ୍ଚାତ୍ୟ ଉପନ୍ୟାସର ଏକ ଅଙ୍ଗ ବୋଲି ମନେ କରାଯାଏ । କିନ୍ତୁ ଫକୀର ମୋହନଙ୍କ ଅଙ୍କିତ ଚରିତ୍ରଗୁଡ଼ିକ, ‘ସ୍ଵତନ୍ତ୍ର’ (Indivisual) ନୁହେଁ । କାରଣ ଔପନିବେଶିକ ଶାସନ ଓ ସାମନ୍ତ ଶାସନର ଯୌଥ ଅତ୍ୟାଚାର ଓଡ଼ିଆ ଜନଜୀବନକୁ ଏପରି ଭାବରେ ପଙ୍ଗୁ କରି ରଖିଥିଲା ଯେ ତଥାକଥିତ ‘ସ୍ଵତନ୍ତ୍ର’ ଚରିତ୍ର ତତ୍କାଳୀନ ସମାଜରେ ଦୃଶ୍ୟମାନ ନଥିଲା । ପାଶ୍ଚାତ୍ୟ ଦେଶଗୁଡ଼ିକରେ ଶିଳ୍ପାୟନ ଆରମ୍ଭ ହେବା ସହିତ ପୁରାତନ କୃଷିଭିତ୍ତିକ ସମାଜରେ ପରିବର୍ତ୍ତନ ଆସିଲା ଓ ଏକ ‘ସ୍ୱତନ୍ତ୍ର’ ମଧ୍ୟବିତ୍ତ ବୁଦ୍ଧିଜୀବି ସଂପ୍ରଦାୟର ଆବିର୍ଭାବ ହେଲା । କିନ୍ତୁ ଇଂରେଜ ଅମଳରେ ଓଡ଼ିଶାର ଗ୍ରାମୀଣ ଜନଗଣ ସାମନ୍ତ ବ୍ୟବସ୍ଥାର କୁଫଳ ଯୋଗୁଁ ନିଷ୍ପେଶିତ ହେଉଥିଲେ ଏବଂ ଇଂରେଜ ଶିକ୍ଷିତ ସ୍ଵଳ୍ପ ସଂଖ୍ୟକ ବାବୁମାନେ ସହରର ସୁବିଧା ସୁଯୋଗ ଭୋଗକରି ଅନୈତିକ ଜୀବନଯାପନ କରୁଥିଲେ । ଏହି ବାସ୍ତବ ପଟ୍ଟଭୂମିରେ ବ୍ୟକ୍ତି ସ୍ଵତନ୍ତ୍ର ଉନ୍ମେଷ ଥିଲା ଅଚିନ୍ତନୀୟ । ତେଣୁ ଫକୀର ମୋହନ ଏହିପରି ସ୍ଵତନ୍ତ୍ର ଚରିତ୍ର ସୃଷ୍ଟି କରିନାହାନ୍ତି । ତାଙ୍କ ଡର ଥିଲା ଯେ ଆଧୁନିକ ବ୍ୟକ୍ତି ସ୍ଵତନ୍ତ୍ରବାଦର ଉତ୍‌ଥାନ ଭାରତୀୟ ଐତିହ୍ୟ ତଥା ନୀତିବାଦର ବିନାଶ କରିବ ଓ ଫଳରେ ସାମାଜିକ ବିପର୍ଯ୍ୟୟ ଆଣିବ । ପାଶ୍ଚାତ୍ୟ ଶିକ୍ଷା ବିଷୟରେ ତାଙ୍କର ମାନସିକ ଦ୍ୱନ୍ଦ୍ୱ ମଧ୍ୟ ବିଭିନ୍ନ ଉପନ୍ୟାସରେ ପରିସ୍ଫୁଟ ହୋଇଛି । ମାମୁ ଉପନ୍ୟାସରେ ଇଂରାଜୀ ଶିକ୍ଷାଲାଭ କରି ପ୍ରତାପଉଦିତ ସିଂହମଲ୍ଲ ଉତ୍ତରରାୟ ଉଦାର ଧାର୍ମିକ ଓ ପ୍ରଜାବତ୍ସଳ ଜମିଦାର ହେଲେ, କିନ୍ତୁ ନଟବର ନବ ଶିକ୍ଷାର କୁଫଳଗୁଡ଼ିକ ଗ୍ରହଣ କରି ନିଜର ପତନକୁ ଡାକିଆଣିଥିଲା । ତେଣୁ ଫକୀର ମୋହନଙ୍କ ଉପନ୍ୟାସରେ ଆମେ କେବଳମାତ୍ର ସମାଜର ପୁଂଖାନୁପୁଂଖ ଚିତ୍ରଣ ପାଉ ତାହା ନୁହେଁ, ସମାଜର ବିଭିନ୍ନ ଦିଗପ୍ରତି ଲେଖକଙ୍କର ଭାବନା, ସେଗୁଡ଼ିକର ବ୍ୟାଖ୍ୟା, ଓ ସଂମ୍ଭାବ୍ୟ ସ୍ଥଳେ ସାମାଜିକ ବ୍ୟାଧି ନିରୂପଣ କରିବାର ଉପାୟ ମଧ୍ୟ ଦେଖିବାକୁ ପାଉ । ଛ'ମାଣ ଆଠଗୁଣ୍ଠ ଉପନ୍ୟାସରେ ଗ୍ରାମର କ୍ଷୁଦ୍ର କୃଷକ ମାନଙ୍କର ଦୁର୍ଗତି, ଜମିଦାରଙ୍କ କୁଶାସନ, ମହାରାଜଙ୍କ ଲୋଭ ଇତ୍ୟାଦି ସୁଚାରୁ ଭାବରେ ପରିସ୍ଫୁଟ ହୋଇଛି । ମାମୁଁ ଓ ପ୍ରାୟଶ୍ଚିତ ଉପନ୍ୟାସରେ ଇଂରାଜୀ ଶିକ୍ଷା ତଥା ଔପନିବେଶିକ ଶାସନର ସୁଫଳ ଓ କୁଫଳ ଭଲଭାବରେ ବ୍ୟାଖ୍ୟା କରା ହୋଇଛି । ଐତିହାସିକ ଉପନ୍ୟାସ ଲଛମା ରେ ତତ୍‌କାଳୀନ ଓଡ଼ିଶାର ଚିତ୍ର ସହିତ ଐତିହାସିକ ତଥ୍ୟକୁ ନେଇ ଫକୀର ମୋହନଙ୍କ ଚିନ୍ତା ଭାବନା ପ୍ରକାଶିତ ହୋଇଛି । ତାଙ୍କ ଉପନ୍ୟାସ ଗୁଡ଼ିକରେ ତତ୍‌କାଳୀନ ସାମାଜିକ ସମସ୍ୟାଗୁଡ଼ିକ ପ୍ରାଞ୍ଜଳ ଭାବରେ ଉପସ୍ଥାପିତ ହୋଇଛି ଏବଂ ଏହି ଦୃଷ୍ଟିରୁ ଭାରତୀୟ ଉପନ୍ୟାସିକମାନଙ୍କ ମଧ୍ୟରେ ସେ ଅଗ୍ରଗଣ୍ୟ ।

 

ଉପନ୍ୟାସର ଗଠନ ଓ କୌଶଳ ଦୃଷ୍ଟିରୁ ବିଚାର କଲେ ମଧ୍ୟ ଫକୀର ମୋହନ ତାଙ୍କ ସମସାମୟିକ ଭାରତୀୟ ଲେଖକମାନଙ୍କଠାରୁ ସ୍ୱତନ୍ତ୍ର । ସେମାନେ ଉଣାଅଧି‌କ ଇଂରାଜୀ ଉପନ୍ୟାସର ଗଠନ ଶୈଳୀକୁ ହିଁ ନିଜନିଜ ଭାଷାରେ ଅନୁସରଣ କରିଛନ୍ତି । କିନ୍ତୁ ଫକୀର ମୋହନଙ୍କ ରଚନା ଶୈଳୀ ତାଙ୍କ ନିଜସ୍ଵ । ଏହା ସଂପୂର୍ଣ୍ଣ ଭାବରେ ଭାରତୀୟ । ତାଙ୍କର ରଚନା ଶୈଳୀକୁ ସୁରେନ୍ଦ୍ର ମହାନ୍ତି ‘‘ଆବୃତ୍ତି ଉପଯୋଗୀ ଶୈଳୀ’’ (ଫକୀର ମୋହନଙ୍କ ସମୀକ୍ଷା, ପୃଷ୍ଠା- ୭୧) ବୋଲି ବର୍ଣ୍ଣନା କରିଛନ୍ତି । ନିରକ୍ଷର ଜନତାଙ୍କ ଭିତରେ ପଶିବା ପାଇଁ ସେ ଏହିପରି ଶୈଳୀ ବ୍ୟବହାର କରିଥିଲେ ବୋଲି ସୁରେନ୍ଦ୍ର ମହାନ୍ତି ମତ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଉପନ୍ୟାସର ବାତାବରଣ ଓ ପରିବେଶ ସୃଷ୍ଟିପାଇଁ ଫକୀର ମୋହନ ଯେଉଁସବୁ ଟିକିନିଖି ଘଟଣାମାନ ବର୍ଣ୍ଣନା କରିଛନ୍ତି। ସେଗୁଡ଼ିକ ଅସାଧାରଣ ହେଲେ ମଧ୍ୟ, ଏହା ତାଙ୍କ ଶୈଳୀର ଦୁର୍ବଳତା । ମହାନ୍ତିଙ୍କ ମତରେ ଏହି ବର୍ଣ୍ଣନାଗୁଡ଼ିକ ଉପନ୍ୟାସର ସଂହତି ଓ ଐକ୍ୟରେ ବାଧା ସୃଷ୍ଟି କରୁଅଛି । ୧୯୫୫ ମସିହାରେ ଯେତେବେଳେ ଫକୀର ମୋହନ ସମୀକ୍ଷା ପ୍ରକାଶିତ ହୋଇଥିଲା, ସେତେବେଳେ ସମାଲୋଚକମାନେ ଉପନ୍ୟାସର ‘ସଂହତି ଓ ଐକ୍ୟ’ ଉପରେ ହିଁ ଗୁରୁତ୍ଵ ଦେଉଥିଲେ । ବର୍ତ୍ତମାନର ସମାଲୋଚକମାନେ ପ୍ଲଟର ସଂହତି ଓ ଐକ୍ୟକୁ ଉପନ୍ୟାସର ବୈଶିଷ୍ଟ ବୋଲି ମଧ୍ୟ ସ୍ଵୀକାର କରୁନାହାନ୍ତି । ଉପନ୍ୟାସର ବିଷୟବସ୍ତୁ, ସେହି ବିଷୟବସ୍ତୁର ସଫଳ ଉପସ୍ଥାନନ ନିମନ୍ତେ ଭାଷାର ପ୍ରୟୋଗ ଓ ସର୍ବୋପରି ପାଠକଙ୍କ ମନରେ ସେହି ବିଷୟବସ୍ତୁ କିପରି ପ୍ରଭାବ ପକାଉଛି, ସେହି ଦିଗରେ ହିଁ ସମାଲୋଚକମାନେ ଦୃଷ୍ଟି ଦିଅନ୍ତି ।

 

ବିଗତ ଚାରି ଦଶକରେ ବିଭିନ୍ନ literary theory ଗୁଡ଼ିକ ପାଠକ ଉପରେ ଅଧିକ ଗୁରୁତ୍ୱ ଦେଉଅଛି । ଗୋଟିଏ ବହିକୁ ଲେଖିବା ଓ ପଢ଼ିବା ଗୋଟିଏ 'action' ର ଦୁଇଟା ଦିଗ ବୋଲି କୁହାଯାଉଛି । Reader Response-criticism ଓ Reception Theory ର ନାମ ଏ ବିଷୟରେ ଉଲ୍ଲେଖଯୋଗ୍ୟ । Reception Theory ର ପ୍ରବକ୍ତାମାନେ ପାଠକ ସହିତ ଲିଖିତ ପୁସ୍ତକର ଦୂରତ୍ୱ କମାଇବା ନିମନ୍ତେ ବିଭିନ୍ନ ପ୍ରକାର Narrative device ର ଆବଶ୍ୟକତା ଅଛି ବୋଲି କହିଛନ୍ତି । Russian Formalism ର ଜଣେ ପ୍ରବକ୍ତା Shalovski ଏହି device କୁ device of de-formalization of objects ବୋଲି ବର୍ଣ୍ଣନା କରିଛନ୍ତି । ଯାହା ହେଉ ଏହି theory ଗୁଡ଼ିକର ମୂଳତତ୍ତ୍ୱକୁ ଅନୁସରଣ କଲେ ଆମେ ଦେଖିବାକୁ ପାଉ ଯେ ଫକୀର ମୋହନଙ୍କ ଉପନ୍ୟାସ ଗୁଡ଼ିକ Reader Response theory ଅନୁସାରେ ଉଚ୍ଚକୋଟୀର ରଚନା । ସେ ଏପରି ଗୋଟିଏ ରଚନା ଶୈଳୀ ଆୟତ୍ତ କରିଛନ୍ତି ଯାହାକି ତାଙ୍କ ଲିଖିତ ବିଷୟଠାରୁ ପାଠକର ଦୂରତ୍ୱ କମାଇ ଦିଏ । ଫକୀର ମୋହନଙ୍କ ନଭେଲଗୁଡ଼ିକରେ ଉପସ୍ଥାପକ (Narrator) ଖୁବ୍‌ସୁନ୍ଦର ଭାବରେ ନିଜକୁ ପାଠକ ମଧ୍ୟରୁ ଜଣେ ବୋଲି ଉପସ୍ଥାପନ କରନ୍ତି । ସାଧାରଣତଃ ଉପନ୍ୟାସରେ ପ୍ରଥମ ପୁରୁଷ ଅଥବା ତୃତୀୟ ପୁରୁଷ ବକ୍ତା ଥାଆନ୍ତି । ପ୍ରଥମ ପୁରୁଷ ବକ୍ତା ଯେପରି ନିଜର ଅଭିଜ୍ଞତା ମାତ୍ର ବର୍ଣ୍ଣନା କରିଥାନ୍ତି ବୋଲି ମନେହୁଏ ପାଠକମାନେ ଭାବନ୍ତି ସେମାନେ ତାଙ୍କ କଥା ବିଶ୍ୱାସ କରିବାକୁ ବାଧ୍ୟ ହେଉଛନ୍ତି । ତୃତୀୟ ପୁରୁଷ ବକ୍ତା ହେଲେ ସର୍ବଜ୍ଞ । ସମସ୍ତଙ୍କ ମନକଥା, ସବୁ ଘଟଣା, ଭୂତ ଭବିଷ୍ୟତ୍ ସବୁ ତାଙ୍କୁ ଜଣା । ସେ ପରି ଗୋଟିଏ ସର୍ବଜ୍ଞ ଲୋକ ସହିତ ପାଠକ ଏକାତ୍ମ ହୋଇପାରେ ନାହିଁ । ବିଖ୍ୟାତ ଫରାସୀ ସମାଲୋଚକ Ronald Barthes ଆଉ ଗୋଗିଏ ପ୍ରକାର ବକ୍ତାଙ୍କ କଥା କହୁଛନ୍ତି- "The third and most recent conception (Henry James, Sartre) decrees that the narrator must limit his narrative to what the characters can observe or know, everything proceeding as if each of the characters in turn were the sender of the narrative"(A Barthes Reader, 282). ଆଶ୍ଚର୍ଯ୍ୟ କଥାହେଲା, Ronald Barthes ଉପନ୍ୟାସର ଯେଉଁ ତୃତୀୟ ପ୍ରକାର narrator ଙ୍କ କଥା କହୁଛନ୍ତି, ଛ'ମାଣ ଆଠଗୁଣ୍ଠର narrator ସେହି ଜାତି ଭୁକ୍ତ । ଉଦାହରଣ ସ୍ଵରୂପ ଛ'ମାଣ ଆଠ ଗୁଣ୍ଠରେ ବାଘସିଂହ ଘରପୋଡ଼ି ଘଟଣା ପରେ, ଘର କିପରି ପୋଡ଼ିଲା, ସେ ବିଷୟରେ narrator କିଛି ଜାଣି ନାହାନ୍ତି ବୋଲି ଦର୍ଶାଇଛନ୍ତି । ଦୁଇଟି ନଗଣ୍ୟ ଚରିତ୍ର ସାବିମା' - କେଉଟୁଣି ଓ ଶଙ୍କରା ହଳିଆ ଯେଉଁ ତଥ୍ୟ ଦେଲେ, ସେଗୁଡ଼ିକ ପାଠକ ଆଗରେ ଉପସ୍ଥାପନ କରିଛନ୍ତି ମାତ୍ର । ଫକୀର ମୋହନଙ୍କ ଉପନ୍ୟାସଗୁଡ଼ିକରେ ବକ୍ତା ନିଜକୁ ପାଠକମାନଙ୍କ ଭିତରୁ ଜଣେ ବୋଲି ଉପସ୍ଥାପିତ କରନ୍ତି । ସେ ଯେପରି ପାଠକମାନଙ୍କର ମୁଖପାତ୍ର । ଯେତେବେଳେ ଯେତିକି ଜାଣି ପାରିଛନ୍ତି ତାହା ପାଠକମାନଙ୍କୁ ଜଣାଇଛନ୍ତି, ଯେଉଁ କଥା ତାଙ୍କ ଅଜ୍ଞାତରେ ରହିଛି ତାହା ମଧ୍ୟ ସେ ପାଠକଙ୍କୁ କହି ଦିଅନ୍ତି । ପାଠକ ଅତି ସହଜରେ ଏହି ବକ୍ତାପ୍ରତି ଆକୃଷ୍ଟ ହୁଅନ୍ତି, ତାଙ୍କ ବାକ୍‌ଶୈଳୀ ପାଠକଙ୍କୁ ଆକୃଷ୍ଟକରେ ଓ ଅତି ସହଜରେ ଗୋଟିଏ ଉତ୍କଣ୍ଠା (suspense) ର ପରିବେଶ ତିଆରି ହୁଏ । ବକ୍ତାଙ୍କର ବାଚନ ଶୈଳୀ ହାସ୍ୟରସ (humour) ଓ ତୀର୍ଯ୍ୟକ ଭଙ୍ଗୀ (Irory) ଦ୍ୱାରା ପରିପୂର୍ଣ୍ଣ-। ଉଦାହରଣ ସ୍ୱରୂପ, ଛ’ମାଣ ଆଠଗୁଣ୍ଠର ଦଶମ ପରିଚ୍ଛେଦରେ ଭଗିଆ ବିଷୟରେ କହିଛନ୍ତି ‘‘ଆପଣଙ୍କୁ କହିବାକୁ ଏତେବେଳେ ସଳଖ ଦାଣ୍ତ ପଡ଼ିଗଲା । ଆମ୍ଭେମାନେ ଇସାରାରେ ସବୁ ବୁଝିପାରୁ । ଆପଣଙ୍କ ମୁହଁ ଆକାରରୁ ସବୁକଥା ଜଣା ପଡ଼ିଗଲା । ଆପଣ କହୁଛନ୍ତି ବା କହିବେ କିମ୍ବା କହିବାକୁ ମନେ କରିଅଛନ୍ତି ବା କରିବେ - ଏଗୁଡ଼ାକ ନିପଟ ତନ୍ତି ନୁହନ୍ତି ତ ଆଉ କ’ଣ ? ବାପ ପରମାଣିକ ଥିଲା ବୋଲି ହୁଣ୍ଡାଟାକୁ ସରଦାର କରି ସବୁ ତନ୍ତିଗୁଡ଼ାକ ତାକୁ ଜୁହାରୁଛନ୍ତି । ଆରେ ବାବୁ, ଯେବେ ଜଣେ ସରଦାର କରିବାର ଦରକାର ହେଲା, ପାର୍ଲିଆମେଣ୍ଟର ମେମ୍ବର ବା ୟୁନାଇଟେଡ଼ ଷ୍ଟେଟ୍‌ର ପ୍ରେସିଡ଼େଣ୍ଟ ବାଛିଲା ପରି ପାଞ୍ଚଜଣର ଭୋଟ (ମତ) ନେଇ ଜଣେ ସିଆଣାଭଳିଆ ଲୋକଙ୍କୁ ପରମାଣିକ କର । ତାହା ନକରି ବାପ ପରମାଣିକ ଥିଲା ବୋଲି ଅଯୋଗ୍ୟ ଲୋକଟାକୁ ପରମାଣିକ କରି ବସିଅଛ ? କଥାଟା ଏକା ସତ । ମନ ମାନିଗଲା ପରା । ହକ କଥାରେ ଉଁ ଚୁଁ କରିବାକୁ କି ବାଟ ଥାଏ ? ଆମ୍ଭେମାନେ ବରାବର ତନ୍ତୀମାନଙ୍କ ପଟଧରି ଚାଲିଥିଲୁ, ଏଣିକି ଆଉ ବାଟ ନାହିଁ । ଆମ୍ଭେମାନେ ପ୍ରତିଜ୍ଞା କରିଅଛୁଁ ବା କରିବୁ, ତନ୍ତୀ କଥାରେ ଆଉ ପାଖ ପଶିବୁ ନାହିଁ । ହେଲେ ତନ୍ତୀମାନଙ୍କୁ ଚିହ୍ନି ରଖିବା ଉଚିତ । ହେ ପାଠକ ଅବଧାନେ, ଆମ୍ଭମାନଙ୍କର ଜ୍ଞାନ ଅତି ଅଳ୍ପ, ସୁତରାଂ ତନ୍ତୀ ଚିହ୍ନିବାକୁ ନିତାନ୍ତ ଅକ୍ଷମ । ଅନୁଗ୍ରହ କରି ଆମ୍ଭମାନଙ୍କୁ ତନ୍ତୀ ଚିହ୍ନାଇ ଦିଅନ୍ତୁ’’ । (୩୬-୩୭) ଫକୀର ମୋହନ ଗ୍ରନ୍ଥାବଳୀ, ଉପନ୍ୟାସମାଳା-- ସଂପାଦକ କୌଳାଶ ପଟ୍ଟନାୟକ) ପାଠକମାନଙ୍କ ସହିତ ଉପନ୍ୟାସର ବକ୍ତା ଏକାତ୍ମ ହୋଇଯାଇଛନ୍ତି । ବକ୍ତା ଏଠାରେ ପାଠକଙ୍କୁ କିଛି ଜ୍ଞାନ ଦେଉ ନାହିଁ । ଅବୋଧ୍ୟ କୌଣସି ତତ୍ତ୍ୱକୁ ପରିବେଷଣ ମଧ୍ୟ କରୁ ନାହିଁ । ସେ ଯେପରି ପାଠକମାନଙ୍କ ସହିତ ମଉଜ ମଜଲିସ୍‌ରେ ଅଛନ୍ତି । ଅତି ତୁଚ୍ଛ କଥାକୁ ଆଶ୍ରୟ କରି ସେ ହାସ୍ୟରସ ସୃଷ୍ଟି କରନ୍ତି - ସେ ହାସ୍ୟରସ ବ୍ୟଙ୍ଗ ମିଶ୍ରିତ ଏବଂ ବୌଦ୍ଧିକ ଗୁଣରେ ଉଜ୍ଜଳ । ଛ’ମାଣ ଆଠଗୁଣ୍ଠର ଦଶମ ପରିଚ୍ଛେଦର ଆଉ ଗୋଟିଏ ଉଦାହରଣ ନିଆଯାଉ- ‘‘ଆହୋ ! ଆମ୍ଭେମାନେ ଗୋଟାଏ ଉତ୍କଟ ଭୁଲ କରିପକାଇ ଅଛୁ । ‘ମୁନୀନାଞ୍ଚ ମତିଭ୍ରମଃ’, ମୁନିମାନେ ଲେଖାପଢ଼ା କରିବାବେଳେ ବଡ଼ ଭୁଲ କରିପକାନ୍ତି, ଅର୍ଥାତ୍ ଯେଉଁମାନେ ଲେଖିବାବେଳେ ଭୁଲନ୍ତି ସେମାନେ ମୁନି । ସୁତରାଂ ଆଜିଠାରୁ ଲୋକମାନେ ଯେ ଆମ୍ଭମାନଙ୍କୁ ମୁନି କିମ୍ବା ଋଷି ବୋଲି ଡାକିବେ, ସେ ବିଷୟରେ କିଛିମାତ୍ର ସନ୍ଦେହ ନାହିଁ । ଓହୋ ! କି ଭାଗ୍ୟ ! ବରଷସାରା ସାହେବଙ୍କ ଦୁଆରେ ନେଉଳ ପରି ଲୁଙ୍ଗ୍‌ଲୁଙ୍ଗ୍‌ହେବାକୁ ନାହିଁ, କରଜଦାମ୍‌କରି ହଜାର ହଜାର ଟଙ୍କା ଖରଚରେ ଡାକ୍ତରଖାନା ବସାଇବାକୁ ନାହିଁ କିମ୍ବା ସହଜ କଥା ବକ୍‌ସିସ୍‌ଦେଇ ଚପରାସୀ, ଖାନସମାର ଗୋଡ଼ହାତ ଧରିବାକୁ ନାହିଁ, ମହାଳିଆଟାରେ କେଡ଼େ ନାମଟାଏ ପାଇଗଲୁ’’ । (39) Logic ର ଗୋଟିଏ ସାଧାରଣ fallacy କୁ ଆଶ୍ରୟ କରି ବକ୍ତା ଏପରି ହାସ୍ୟରସ ସୃଷ୍ଟି କରିଛନ୍ତି ଯେ ପାଠକମାନେ ଅତି ସହଜରେ ତା’ ପ୍ରତି ଆକୃଷ୍ଟ ହୋଇଯାଆନ୍ତି । ହାସ୍ୟରସ ସହିତ ତୀର୍ଯ୍ୟକ୍‌ଦୃଷ୍ଟିଭଙ୍ଗୀର ପ୍ରକାଶ ହୋଇଛି ‘‘ସାହେବଙ୍କ ଦୁଆରେ ନେଉଳ ପରି ଲୁଙ୍ଗୁ ଲୁଙ୍ଗୁ ହେବା’’ ବାକ୍ୟାଂଶରେ । ବିଦେଶୀ ଶାସକକୁ ନିଜ ଲାଭ ପାଇଁ ଯେଉଁମାନେ ତୋଷଣ କରନ୍ତି, ସେମାନଙ୍କ ପ୍ରତି ବକ୍ରଦୃଷ୍ଟି ଅତି ସଂକ୍ଷେପରେ ପ୍ରକାଶ ପାଇଛି । ଫକୀର ମୋହନଙ୍କ ଏହି ପ୍ରକାର ବର୍ଣ୍ଣନା ଓ ଉପନ୍ୟାସର ଗଠନ କୌଶଳ କୌଣସି ବିଦେଶୀ ଉପନ୍ୟାସର structure ଠାରୁ ଗୃହୀତ ହୋଇନାହିଁ । ଆମ ଦେଶରେ ଶ୍ରୋତାମାନଙ୍କ ଆଗରେ କାହାଣୀ ବୋଲିବାର ଯେଉଁ ରୀତି ଥିଲା, ଫକୀର ମୋହନ ସେହି ରୀତିକୁ ହଁ ପରିମାର୍ଜିତ ଓ ପରିବର୍ତ୍ତିତ କରିଛନ୍ତି । ତାଙ୍କ ସାଫଲ୍ୟର ମୂଳ କାରଣ ଗାଉଁଲି ଓଡ଼ିଆ ଭାଷାର ଯଥାଯଥ ପ୍ରୟୋଗ, କାହାଣୀ ସୃଷ୍ଟି କରିବାର ନିଜସ୍ଵ କ୍ଷମତା, ରାମାୟଣ, ମହାଭାରତ ଓ ପୁରାଣ ଆଦିରେ ଜ୍ଞାନ ଓ ସର୍ବୋପରି ମାନବତା ବୋଧ । ଏହି ଗୁଣଗୁଡ଼ିକ ଯୋଗୁଁ ପାଠକ ତାଙ୍କ ରଚନା ସହିତ ଏକାତ୍ମ ହୋଇଯାଆନ୍ତି । ଯୁଗର ପରିବର୍ତ୍ତନ ସଙ୍ଗେ ସଙ୍ଗେ ମଣିଷର ଧର୍ମ ବିଶ୍ଵାସ, ଲୌକିକ ଆଚରଣ ଆଦିର ପରିବର୍ତ୍ତନ ହୁଏ । ଫକୀର ମୋହନଙ୍କ ରଚନାରେ ଯେଉଁ Poetic justice ଦେଖିବାକୁ ପାଉଁ, ଆଧୁନିକ ସମାଲୋଚକମାନଙ୍କର ସେଗୁଡ଼ିକ ନାପସନ୍ଦ ହୋଇପାରେ । ମାତ୍ର ଏହା ଲକ୍ଷଣୀୟ ଯେ ଫକୀର ମୋହନଙ୍କ ରଚନା କୌଣସି ନୀତି ପ୍ରଚାର କରିବା ଉଦ୍ଦେଶ୍ୟରେ ରଚିତ ହୋଇ ନାହିଁ । ମହତ ସାହିତ୍ୟିକଙ୍କର ଜୀବନ ଏବଂ ଜଗତ ବିଷୟରେ ସୁଚିନ୍ତିତ ମତାମତ ଥାଏ, ଏବଂ ସେମାନଙ୍କ ରଚନାରେ ଏହି ମତାମତ ପ୍ରତିଫଳିତ ହୋଇଥାଏ । ଫକୀର ମୋହନଙ୍କ ଧର୍ମ ବିଶ୍ଵାସ ମଧ୍ୟ ସେହିପରି ତାଙ୍କ ରଚନାରେ ପ୍ରତିଫଳିତ ହୋଇଛି, କିନ୍ତୁ aesthetic ଦୃଷ୍ଟିକୋଣରୁ ତାଙ୍କ ରଚନା କ୍ଷତିଗ୍ରସ୍ତ ହୋଇ ନାହଁ ।

 

 

ପ୍ରାଧ୍ୟାପିକା ଇଂରାଜୀ, ଫକୀର ମୋହନ କଲେଜ

ରାଣୀପାଟଣା, ବ୍ୟାଙ୍କ କଲୋନୀ, ବାଲେଶ୍ୱର- ୭୫୬୦୦୧

 

***

 

ଭାଷାର ଶାସ୍ତ୍ରୀୟ ମାନ୍ୟତା ଓ ଓଡ଼ିଆ ଭାଷା

ସୁବ୍ରତ କୁମାର ପୃଷ୍ଟି

ନିକଟରେ ତେଲୁଗୁଭାଷାର ପ୍ରାଚୀନତାକୁ ନ୍ୟାୟାଳୟ ସ୍ଵୀକାର କରିବାପରେ ଏହାକୁ ଭାରତ ସରକାର ଶାସ୍ତ୍ରୀୟଭାଷା ମାନ୍ୟତା ପ୍ରଦାନ କରିଛନ୍ତି । ଏହାପୂର୍ବରୁ ୨୦୦୪ରେ ତାମିଲ, ୨୦୦୫ରେ ସଂସ୍କୃତକୁ ମାନ୍ୟତା ଦିଆ ସରିଥିବାବେଳେ ୨୦୦୮ରେ ତେଲୁଗୁ ଓ କନ୍ନଡ଼କୁ ଏହି ମାନ୍ୟତା ଦେବା ଘୋଷଣା କରିଥିଲେ । କୌଣସି ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିବାପାଇଁ କେନ୍ଦ୍ର ସରକାର କେତେକ ସର୍ତ୍ତ ରଖିଛନ୍ତି । ଯଥା- ୧- ଶାସ୍ତ୍ରୀୟ ମାନ୍ୟତା ଦାବି କରୁଥିବା ଭାଷାଭାଷୀ ଜାତିର ୧୫୦୦ରୁ ୨୦୦୦ ବର୍ଷ ଧରି ଲିପିବଦ୍ଧ ଇତିହାସ ଓ ସଂସ୍କୃତି ଥିବ-। ୨ - ମହତ୍ୱପୂର୍ଣ୍ଣ ପ୍ରାଚୀନ ସାହିତ୍ୟ ରଚନା ପରଂପରା ଥିବ । ୩ - ଅନ୍ୟ କୌଣସି ଭାଷାଦ୍ୱାରା ପ୍ରଭାବିତ ନ ହୋଇ ମୌଳିକ ସୃଷ୍ଟିସମ୍ଭାରରେ ସମୃଦ୍ଧ ଥିବ । ୪-ପ୍ରାଚୀନ ଓ ଆଧୁନିକ ଭାଷା ରୂପ ମଧ୍ୟରେ ଅବିଚ୍ଛିନ୍ନ ସଂପର୍କ ଥିବ । ଏହି ସର୍ତ୍ତ ପୂରଣ କରୁଥିବା ଭାରତର ଯେକୌଣସି ଭାଷାକୁ ଶାସ୍ତ୍ରୀୟଭାଷା ମାନ୍ୟତା ପ୍ରଦାନ କରିବାରେ ଭାରତ ସରକାର ସମାନ ସଂଘୀୟନୀତି ଅନୁସାରେବାଧ୍ୟ । ଅଥଚ ଓଡ଼ିଶା ଓ ଓଡ଼ିଶା ଭାଷା କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟିଛି । କାରଣ ସଂସ୍କୃତସମ ଏକ ପ୍ରାଚୀନ ଭାଷା ହେଉଛି ଓଡ଼ିଆଭାଷା, ଯାହା ତାମିଲ ଓ ତେଲୁଗୁ ଭାଷାଠାରୁ ବହୁ ପ୍ରାଚୀନ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଓଡ଼ିଆଭାଷାର ପ୍ରାଚୀନତାକୁ ଭାରତ ସରକାର ସ୍ୱୀକାର କରିନାହାଁନ୍ତି । ଏଥିପାଇଁ ବହୁବିଜ୍ଞ ଏବେ ବି ସନ୍ଧିହାନ ଯେ, ଓଡ଼ିଆ ଭାଷା କ’ଣ ସତରେ ପ୍ରାଚୀନ ?

 

(୧)

 

ଗୋଟିଏ ଜାତିର ପ୍ରାଚୀନତାକୁ ଆଧୁନିକ ଐତିହାସିକଗଣ ତିନୋଟି ସ୍ରୋତ ୧- ପ୍ରତ୍ନତାତ୍ତ୍ୱିକ ଆବିଷ୍କାର ୨ - ପ୍ରାଚ୍ୟ ଓ ୩ - ପାଶ୍ଚାତ୍ୟ ସାହିତ୍ୟଦ୍ଵାରା ଆକଳନ କରିଥାନ୍ତି । ବିଶ୍ଵର ମାନବଜାତି ଭଳି ଓଡ଼ିଆଜାତିର ପ୍ରାଚୀନତା ସଂପର୍କରେ ପ୍ରତ୍ନତାତ୍ତ୍ୱିକ ଖନନରୁ ପ୍ରାପ୍ତ ଜୀବାଶ୍ମ, ଆଦିମାନବ ବ୍ୟବହାର କରୁଥିବା ପଥରର ଅସ୍ତ୍ରଶସ୍ତ୍ରରୁ ଜଣାପଡ଼ିଛି । ଏହିସବୁ ଜୀବାଶ୍ମ , ପଥରର ଅସ୍ତ୍ରଶସ୍ତ୍ର ଓଡ଼ିଶାରେ ପ୍ରବାହିତ ମହାନଦୀ, ସୁବର୍ଣ୍ଣରେଖା, ବୈତରଣୀ, ବ୍ରାହ୍ମଣୀ ଆଦି ବିଭିନ୍ନ ନଦୀ ଅବବାହିକାରୁ ପ୍ରଚୁର ପରିମାଣରେ ମିଳିଥିବାରୁ ଓଡ଼ିଶା ଭୂଖଣ୍ଡରୁ ମଧ୍ୟ ପୁରାତନ ପ୍ରସ୍ତର ଯୁଗଠାରୁ ଅଧୁନିକ ମାନବର କ୍ରମିକ ବିକଶିତ ଅବସ୍ଥା ସମ୍ପର୍କରେ ସୂଚନା ମିଳେ । ଏଥି ସହିତ ଆଧୁନିକ ମାନବ ସଭ୍ୟତା ସଂପର୍କରେ ଝାରୁସୁଗୁଡ଼ାର ବିକ୍ରମଖୋଲ, କଳାହାଣ୍ଡିର ଗୁଡ଼ହାଣ୍ଡି ଓ ନୂଆପଡ଼ାର ଯୋଗୀମଠ ସମେତ ୫୫ଟି ଗୁମ୍ଫାରୁ ୨୦ ହଜାରବର୍ଷ ତଳେ ଅଙ୍କିତ ୫୭୭୫ଟି ବିଭିନ୍ନ ଚିତ୍ରଲିପିରୁ ଜଣାପଡ଼ିଥିବାବେଳେ ଓଡ଼ିଆଜାତିର ଉତ୍କର୍ଷ ସମ୍ପର୍କିତ ସୂଚନା ଭାରତର ବିଭିନ୍ନ ପ୍ରାଚୀନ ସାହିତ୍ୟ ଏବଂ ବିଦେଶାଗତ ଭାରତ ଭ୍ରମଣକାରୀଙ୍କ ବିବରଣୀରେ ଦେଖିବାକୁ ମିଳେ ।

 

ପ୍ରତ୍ନତାତ୍ତ୍ୱିକ ଖନନରୁ ଜଣାପଡ଼େ ଯେ, ଏ ପର୍ଯ୍ୟନ୍ତ ଆବିଷ୍କୃତ ଭାରତର ସର୍ବପ୍ରାଚୀନ ସଭ୍ୟତା ହେଉଛି ପଶ୍ଚିମ ଭାଗରେ ପ୍ରବାହିତ ସିନ୍ଧୁ ଓ ଏହାର ଶାଖା ନଦୀକୂଳରେ ଗଢ଼ି ଉଠିଥିବା ଏକ ବାଣିଜ୍ୟିକ ସଭ୍ୟତା । ୫,୦୦୦ ବର୍ଷ ତଳେ ଗଢ଼ି ଉଠିଥିବା ଏହି ସଭ୍ୟତା ପ୍ରମାଣ କରିଥାଏ ଯେ, ଭାରତ କେବଳ ବାଣିଜ୍ୟ ବ୍ୟବସାୟ ନୁହଁ, ଲିଖନ କଳାରେ ମଧ୍ୟ ତତ୍କାଳୀନ ସୁମେରିୟଙ୍କ ଭଳି ସଫଳ ଥିଲେ । ବାରମ୍ବାର ପ୍ରାକୃତିକ ଦୁର୍ବିପାକ ତଥା ସିନ୍ଧୁ ଓ ଏହାର ଶାଖାନଦୀରେ ପ୍ରବଳ ବନ୍ୟା ଆସିବାରୁ ବିଶେଷ କରି ଏହି ନଗର ସଭ୍ୟତା ଗଢ଼ି ଉଠିଥିବା ପଛରେ ଟେକ୍ନୋଲୋଜିର କୌଣସି ପରିବର୍ତ୍ତନ ନ ଘଟିବାରୁ ଏହି ସଭ୍ୟତାର ଅବକ୍ଷୟ ଘଟିଲା । ଏହାର ଅଧିବାସୀ ସିନ୍ଧୁନଦୀ କୂଳର ନଗର ସଭ୍ୟତା ଉପରେ ଭରସା କରି ନ ପାରି ପୂର୍ବପରି ପୁଣି ଗ୍ରାମାଭିମୁଖୀ ହୋଇ ଭାରତର ବିଭିନ୍ନ ନଦୀକୂଳ ଅଞ୍ଚଳରେ ବସବାସ କରିବାରେ ଲାଗିଲେ । ଯଦିଓ ଏହି ସଭ୍ୟତା କୃଷିଭିତ୍ତିକ ବଳକା ଶସ୍ୟ ବ୍ୟବସ୍ଥା ଉପରେ ଗଢ଼ି ଉଠିଥିଲା ଓ ଖ୍ରୀ.ପୂ. ୨୫ ଶହରୁ ଖ୍ରୀ.ପୂ. ୧୮ଶହ ପର୍ଯ୍ୟନ୍ତ ନଗର ବିକାଶର ଚରମ ଅବସ୍ଥାରେ ପହଞ୍ଚିଥିଲା, ତଥାପି ଏହା ଜୋରୱେ ସଂସ୍କୃତି (ଖ୍ରୀ.ପୂ-୭ଶହ ପର୍ଯ୍ୟନ୍ତ) ଅର୍ଥାତ ଲୁହାର ଆବିଷ୍କାର ପରେ ଗଙ୍ଗା ଉପତ୍ୟକାରେ ଦ୍ୱିତୀୟ ନଗରୀକାରଣ ସୃଷ୍ଟି ହେବା ପର୍ଯ୍ୟନ୍ତ ବ୍ୟାପ୍ତଥିଲା ବୋଲି ପ୍ରତ୍ନତାତ୍ତ୍ୱିକ ଖନନରୁ ପ୍ରାପ୍ତ ବିଭିନ୍ନ ସାମଗ୍ରୀକୁ ବିଶ୍ଳେଷଣ କରି ଐତିହାସିକଗଣ ମତବ୍ୟକ୍ତ କରନ୍ତି । ଏହି କାଳ ମଧ୍ୟରେ କୃଷି ଓ ପଶୁପାଳନକୁ ଆଧାରକରି ସେହି ଉତ୍ତର ଭାରତରେ ଆର୍ଯ୍ୟ ନାମକ ଆଉ ଏକ ଶିକ୍ଷିତଗୋଷ୍ଠୀର ଆବିର୍ଭାବ ଘଟିଲା ଏବଂ ଏମାନେ ଭୂମଧ୍ୟସାଗର କିମ୍ବା ମଧ୍ୟଏସୀୟରୁ ଆନୀତ ଏକ ଉଚ୍ଚଶିକ୍ଷିତ ଯାଯାବର ଗୋଷ୍ଠୀଙ୍କ ଅଂଶବିଶେଷ ବୋଲି ଇଂରେଜ ଗବେଷକଙ୍କଦ୍ୱାରା ଆମ ମୁଣ୍ଡରେ ଭର୍ତ୍ତି କରିଦିଆଗଲା । ପ୍ରକୃତରେ ଏହି ଗୋଷ୍ଠୀ ସିନ୍ଧୁସଭ୍ୟତା ଜନଜୀବନର ଏକ କ୍ଷୁଦ୍ର ଅଂଶବିଶେଷ ବୋଲି ଏବଂ ଏମାନେ ସିନ୍ଧୁ ନଗର ପତନ ପରେ ଜୀବନ ଧାରଣ ଉଦ୍ଦେଶ୍ୟରେ ଗଙ୍ଗା, ଯମୁନା, ଦୋଆବ ଅଞ୍ଚଳରେ ବାଣିଜ୍ୟ କରିବାପାଇଁ ସୁବିଧା ନ ଥିବାରୁ କୃଷି ଓ ଗୋ- ପାଳନକୁ ନେଇ ନୂଆ ଭିତ୍ତିଭୂମିଟିଏ ତିଆରି କଲେ । ଏମାନଙ୍କ ସଭ୍ୟତାକୁ ବୈଦିକ ସଭ୍ୟତା କୁହାଗଲା । ଏହି ସମୟରେ ଲୁହାର ଆବିଷ୍କାର ଘଟି ନ ଥିବାରୁ ଏମାନେ ଭାରତୀୟ ତାମ୍ର ଯୁଗର ଅଧି‌ବାସୀ ରୂପେ ପରିଗଣିତ ହେଲେ । ସିନ୍ଧୁ ସଭ୍ୟତାର ଭାଷା ଓ ଲିପିଠାରୁ ବିଛିନ୍ନ ଥିବା ବୈଦିକ ସଭ୍ୟତାର ମଣିଷ କେଉଁ ଲିପି ଓ ଭାଷା ବ୍ୟବହାର କରୁଥିଲା ତାହା ଆମକୁ ଜଣା ନ ଥିଲେ ମଧ୍ୟ ଗୋଟିଏ ପିଢ଼ୀରୁ ଆଉ ଗୋଟିଏ ପିଢ଼ୀ ଶୁଣି ଶୁଣି ମନେ ରଖିଥିବା ଶ୍ରୁତି ଶାସ୍ତ୍ର ଇତ୍ୟାଦିକୁ ଅନୁଶୀଳନ କଲେ ଜଣାପଡ଼େ ଯେ, ଏମାନେ ବୈଦିକ ସଂସ୍କୃତ ସହ ପରିଚିତ ଥିଲେ ଏବଂ କୌଣସି ଲିପି ଅନାବିଷ୍କୃତ ଥିବାରୁ ଏମାନେ ନିଜର ପାଣ୍ଡିତ୍ୟକୁ ଶ୍ରୁତିରେ ବଞ୍ଚାଇ ରଖିଥିଲେ

 

ପ୍ରାୟ ୩ହଜାର ବର୍ଷ ପୂର୍ବେ ଖ୍ରୀଷ୍ଟପୂର୍ବ ଦଶମ ଶତାବ୍ଦୀ ବେଳକୁ ଭାରତରେ ଲୁହାର ଆବିଷ୍କାର କୃଷିକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଲା । ଲୁହାର ବ୍ୟାପକ ପ୍ରୟୋଗ ଯୋଗୁଁ ଉତ୍ପାଦନ ବୃଦ୍ଧି ହେବାଦ୍ଵାରା ପୁଣି ଥରେ ଲୌହ ଉପଲବ୍ଧ କ୍ଷେତ୍ର ଗଙ୍ଗାନଦୀ ଅବବାହିକାରେ ଦ୍ୱିତୀୟ ନଗରୀକରଣ ଗଢ଼ି ଉଠିଲା । ଯଦିଓ ଏହି ସମୟରେ ୧୬ଟି ବୃହତ୍ ରାଜ୍ୟ ସହିତ ଅନ୍ୟାନ୍ୟ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟ ଗଢ଼ି ଉଠିଥିଲା ଓ ଧାର୍ମିକ ଅନ୍ଧବିଶ୍ଵାସର ପ୍ରଚଣ୍ଡ ପ୍ରଭାବ ଶିକ୍ଷିତ ସମାଜକୁ ଘୋଡ଼ାଇ ପକାଇଥିଲା । ତେବେ ଏହାକୁ ପ୍ରତିହତ କରିବାପାଇଁ ବିଶ୍ଵର ଦୁଇଟି ଶ୍ରେଷ୍ଠ ଧର୍ମ- ଜୈନ ଓ ବୌଦ୍ଧ ଧର୍ମ ଏହି କାଳରେ ଆବିର୍ଭବ ଘଟିଲା । ତଥାପି ଏହି ସମୟରେ ଭାଷା ଓ ଲିପି ପ୍ରଚଳିତ ଥିଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଦ୍ୱିତୀୟ ନଗରୀକରଣ ପରିସୀମା ଉତ୍ତର- ମଧ୍ୟ ଭାରତରେ ବିସ୍ତାର କରିଥିବାବେଳେ ତିନୋଟି ଶକ୍ତିଶାଳୀ ରାଜବଂଶଦ୍ଵାରା ମଗଧ ନାମକ ଏକ ବୃହତ୍‌ରାଜ୍ୟ ଗଢ଼ି ଉଠିଥିଲା । ଭାରତରେ ତାମ୍ର ଯୁଗର ନଗରୀ ସଭ୍ୟତା ସିନ୍ଧୁନଦୀ କୂଳରେ ଏବଂ ଲୌହ ପାଷାଣକାଳୀନ ୨ୟ ନଗରୀ ସଭ୍ୟତା ଗଙ୍ଗାନଦୀ କୂଳରେ ଗଢ଼ିଉଠି କ୍ରମେ ଅନ୍ୟ ଅଞ୍ଚଳକୁ ବ୍ୟାପି ଏକ ସୁସ୍ଥ ଓ ସଭ୍ୟ ସମାଜ ଭାରତର ବିଭିନ୍ନ ପ୍ରାନ୍ତରେ ଦେଖଦେଇଥିଲା । ବିଶେଷ କରି କୃଷି କ୍ଷେତ୍ରରେ ମଗଧ ଅଞ୍ଚଳ ନିଜର ଉତ୍କର୍ଷ ପ୍ରମାଣ କରିସାରିଥିବାବେଳେ ଏହାର ନିକଟବର୍ତ୍ତୀ ଅଞ୍ଚଳ ଭାବରେ କଳିଙ୍ଗକ୍ଷେତ୍ର ମଗଧର କୃଷିବିକାଶ ପ୍ରଭାବରୁ ମୁକୁଳି ନ ଥିଲା । ତେଣୁ କୃଷି, ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ମଗଧର ଏକମାତ୍ର ପ୍ରତିଦ୍ଵନ୍ଦ୍ୱୀ ସାଜିଥିଲା କଳିଙ୍ଗ । ଏଥିପାଇଁ ସହାୟକ ହୋଇଥିଲା ପୂର୍ବ ଉପକୂଳରେ ଥିବା ବିସ୍ତୀର୍ଣ୍ଣ ସାଗରବେଳା, ଯାହା ବର୍ହିବାଣିଜ୍ୟପାଇଁ ଏକମାତ୍ର ଅନୁକୂଳ ଭିତ୍ତିଭୂମି ଥିଲା । ତତ୍କାଳୀନ ସମୟରେ ଘଞ୍ଚଅରଣ୍ୟ ଯୋଗୁଁ ଜଳପଥ ହିଁ ବାଣିଜ୍ୟର ଶ୍ରେଷ୍ଠମାର୍ଗ ବୋଲି ବିଚାର କରାଯାଉଥିବାରୁ ତଥା ଏହାଉପରେ କୌଟିଲ୍ୟ ଅଧିକ ଗୁରୁତ୍ୱ ଦେଉଥିବାରୁ ମଗଧର ଏକମାତ୍ର ଜଳପଥ ଥିବା ଗଙ୍ଗାନଦୀ ଓ ଏହାର ମୁହାଣରେ ଗଢ଼ିଉଠିଥିବା ତାମ୍ରଲିପ୍ତି ବନ୍ଦର କଳିଙ୍ଗ ଅଧିକାରରେ ଥିବାରୁ ମଗଧର ବ୍ୟବସାୟୀ ଗୋଷ୍ଠୀ କଳିଙ୍ଗ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିଲେ । ଆଧୁନିକ ଶିଳ୍ପବିପ୍ଳବ ଫ୍ରାନ୍ସରେ ସୃଷ୍ଟି ହୋଇଥିବାବେଳେ ଏହାର ସଫଳତା ପଡ଼ୋଶୀ ବ୍ରିଟେନ ପାଇବା ପରି ତତ୍କାଳୀନ ସମୟରେ ଉନ୍ନତ କୃଷି ଟେକ୍ନୋଲୋଜି ମଗଧରେ ଆବିଷ୍କୃତ ହୋଇଥିଲେ ମଧ୍ୟ ଏହାର ସୁଫଳ କଳିଙ୍ଗ ପାଇଁ ନିଜର ବ୍ୟବସାୟିକ ପ୍ରତିଷ୍ଠା ସମଗ୍ର ବିଶ୍ୱଠାରେ ପ୍ରତିପାଦିତ କରିପାରିଥିଲା । ଏହି କଥା ବିଭିନ୍ନ ପ୍ରତ୍ନତାତ୍ତ୍ଵିକ ଖନନଦ୍ୱାରା ପ୍ରମାଣ ହୋଇସାରିଛି । ବୋଧହୁଏ ସେଇଥିପାଇଁ ପୂର୍ବରୁ ମହାପଦ୍ମନନ୍ଦ ଓ ପରେ ଅଶୋକଙ୍କ ଦୃଷ୍ଟିକଟୁର ଶିକାର ଏହି ମାଟି ହୋଇଥିଲା । ଯଦିଓ ମହାପଦ୍ମନନ୍ଦଙ୍କ କଳିଙ୍ଗ ଆକ୍ରମଣ ସୂଚନା ଖାରବେଳଙ୍କ ହାତୀଗୁମ୍ଫା ଅଭିଲେଖ ବ୍ୟତୀତ ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ, ତେଣୁ ଏହା ନିଶ୍ଚିତ ଭାବରେ ଭୟଙ୍କର ଯୁଦ୍ଧ ହୋଇ ନ ଥିଲା । କେବଳ ପାରମ୍ପରିକ ଭାବେ ରାଜ୍ୟ ଜୟ, ଧନସଂପତ୍ତି ଅଧିକାର କିମ୍ବା ବାଣିଜ୍ୟିକ ସୁବିଧା ହାସଲ ମଧ୍ୟରେ ସୀମିତ ଥିଲା-। ତାହା ପୁଣି ଦୁର୍ଭିକ୍ଷ ସମୟରେ ହୋଇଥିବାରୁ ଏହାର ଦୂରୀକରଣ ପାଇଁ ନନ୍ଦରାଜା କେନାଲ ଖୋଳାଇଥିଲେ । ମାତ୍ର ପରବର୍ତ୍ତୀ ନନ୍ଦ ଶାସକ ଓ ମୌର୍ଯ୍ୟବଂଶର ପ୍ରାରମ୍ଭିକ ଶାସନ କାଳରେ କଳିଙ୍ଗ ପୁଣି ନିଜର ସ୍ଵାତନ୍ତ୍ର୍ୟ ପ୍ରଦର୍ଶନ କରି ମଗଧ ବିକାଶ ପଥରେ ଏକ ପ୍ରାଚୀର ସଦୃଶ ଠିଆ ହେଲା । ଯାହା ଫଳରେ କଳିଙ୍ଗ ମାଟିରେ ଘଟିଯାଇଥିଲା ଭାରତବର୍ଷର ସେ ସମୟରେ ସବୁଠାରୁ ଭୟଙ୍କର ଓ ଲୋମହର୍ଷଣକାରୀ ଯୁଦ୍ଧ । ଏ ଯୁଦ୍ଧ ଥିଲା ସ୍ଵାଭିମାନ ସହିତ ପ୍ରାଚୁର୍ଯ୍ୟ ଓ ପ୍ରତିଷ୍ଠାର ଯୁଦ୍ଧ-। ଅଶୋକ ନିଜର ପ୍ରାଚୁର୍ଯ୍ୟ ଓ ପ୍ରତିଷ୍ଠାକୁ ସୁରକ୍ଷିତ ରଖିବାପାଇଁ କଳିଙ୍ଗ ସ୍ଵାଭିମାନକୁ ନିର୍ଦ୍ଦୟ ଭାବରେ ହତ୍ୟା କଲେ ସତ୍ୟ, ମାତ୍ର ଅନୁଶୋଚନାରେ ଜର୍ଜରିତ ହୋଇ ଯୁଦ୍ଧ କରିବା ପ୍ରବୃତ୍ତିକୁ ତ୍ୟାଗ କରିନେଲେ । ନିଜର ଏହି ଭାବନା ଜନସାଧାରଣଙ୍କ ଗୋଚର ଉଦ୍ଦେଶ୍ୟରେ ପଥର ଖୋଦେଇ କରି ବିଭିନ୍ନ ଜନଗହଳିପୂର୍ଣ୍ଣ ଉପକଣ୍ଠରେ ସ୍ଥାପନ କରିବା ସହ କଳିଙ୍ଗର ୨ଟି ବିଶ୍ୱ ପ୍ରସିଦ୍ଧ ରାଜଧାନୀ ସହର ତୋଷାଳୀ (ଭୁବନେଶ୍ୱର) ଓ ସମପା (ଜଉଗଡ଼) ଠାରେ ନିଜର ଆଦେଶକୁ ପଥର ଦେହରେ ଖୋଦେଇ କରି ସେଠାରେ ନିଯୁକ୍ତ ମଗଧ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଏମାନେ ମୋର ପୁଅ ପରି । ଏମାନଙ୍କ ପ୍ରତି ସର୍ବଦା ନ୍ୟାୟବିଚାର କରିବ । ପୁଣି କଳିଙ୍ଗବାସୀଙ୍କୁ ପ୍ରଚ୍ଛନ୍ନ ଧମକ ମଧ୍ୟ ଦେଇଥିଲେ - ରାଜା (ଅଶୋକ) କ୍ଷମା କରିବାକୁ ଯେତେ ଦୂର ସମର୍ଥ ସେମାନଙ୍କୁ କ୍ଷମା ଦେବେ । ଅର୍ଥାତ୍‌କଳିଙ୍ଗବାସୀ ତଥା କଳିଙ୍ଗସେନାର ମୂଖ୍ୟ ସ୍ରୋତ ଆଟବୀକ ବା ଆଦିବାସୀ ସଂପ୍ରଦାୟ ଯଦି ପୁଣି ବିଦ୍ରୋହ କରନ୍ତି, ତେବେ ଅସ୍ତ୍ରତ୍ୟାଗ କରିଥିବା ଅଶୋକ ବିଦ୍ରୋହୀଙ୍କୁ ପୂର୍ବଯୁଦ୍ଧର ପୁନରାବୃତ୍ତି ଘଟାଇବାକୁ ପଛେଇ ଯିବେନାହଁ । କେବଳ ସେତିକି ନୁହେଁ, କଳିଙ୍ଗଠାରୁ ବହୁ ଦୂରରେ ଥିବା ତଥା କଳିଙ୍ଗବାସୀଙ୍କ ସହ ବାଣିଜ୍ୟିକ ସଂପର୍କ ନ ଥିବା ବର୍ତ୍ତମାନ ପାକିସ୍ଥାନର ହିନ୍ଦୁକୁଶ ପର୍ବତମାଳା ଅନ୍ତର୍ଭୁକ୍ତ ସାହେବାଜଗଡ଼ ଓ ମାନସହରା ନାମକ ସ୍ଥାନରେ ଭୟଙ୍କର କଳିଙ୍ଗଯୁଦ୍ଧର ବର୍ଣ୍ଣନା ଉଲ୍ଲେଖ କରି ଅଭିଲେଖର ସପ୍ତମ ଧାଡ଼ିରେ ସିଧାସଳଖ ଧମକ ଦେଇଥିଲେ - ‘‘ଦେବପ୍ରିୟଙ୍କ ବିଜିତ ରାଜ୍ୟରେ ଯେଉଁ ଆଟବିକମାନେ ଅଛନ୍ତି, ସେମାନଙ୍କୁ ଅନୁନୟ ପୂର୍ବକ ସତର୍କ କରିଦେଉଛନ୍ତି ଯେ - ଦେବପ୍ରିୟ ଅନୁତପ୍ତ ଥିବାବେଳେ ମଧ୍ୟ ପ୍ରଭାବଶାଳୀ ଅଟନ୍ତି । ତେଣୁ ସେ ସେମାନଙ୍କୁ କହନ୍ତି - ଅପକର୍ମରୁ କ୍ଷାନ୍ତ ହୁଅ, ନଚେତ ନିହତ ହେବ ।’’ ଏକଥା ସେ ବିଜୟ ଗର୍ବରେ ଧଉଳି ଓ ଜଉଗଡ଼ ଅଭିଲେଖରେ ଉଲ୍ଲେଖ କରି ପାରନ୍ତେ, ମାତ୍ର ତାହା କଲେନାହିଁ । କାରଣ ସେ ଜାଣିଥିଲେ ଦୁର୍ଦ୍ଦଷ କଳିଙ୍ଗଜାତିର ବୀରତ୍ୱ । ଭୟଙ୍କର କଳିଙ୍ଗଯୁଦ୍ଧରେ ଦୟାନଦୀର ଲାଲ ଜଳରାଶିକୁ ଦେଖି ସେ ଅନୁଭବ କରିପାରିଥିଲେ ଆଲେକଜାଣ୍ଡାର, ଚନ୍ଦ୍ରଗୁପ୍ତ, ବିନ୍ଦୁସାର କଳିଙ୍ଗ ଆକ୍ରମଣ ନ କରିବାର କାରଣକୁ । ସେ ଦେଖି ପାରିଥିଲେ ଉଭୟ କଳିଙ୍ଗନାରୀ-ପୁରୁଷଙ୍କଠାରେ ଦେଶପ୍ରୀତି, ଆତ୍ମସମ୍ମାନବୋଧ ଓ ସ୍ଵାଭିମାନପଣିଆକୁ । ତେଣୁ କଳିଙ୍ଗ ଯୁଦ୍ଧରେ କଳିଙ୍ଗମାଟିରୁପୁରୁଷଶୂନ୍ୟ କରିଦେଇଥିଲେ ମଧ୍ୟ କଳିଙ୍ଗର ଉତ୍ତର ପୁରୁଷଠାରୁ ନିଜ ଅପକର୍ମର କଳଙ୍କ ଲୁଚାଇବାପାଇଁ କଳିଙ୍ଗବାସୀ ନ ବୁଝିବା ଭଳି ଖରୋଷ୍ଠି ଲିପି ଓ ଅରମାଇକ୍‌ଭାଷାରେ ନିଜ ବୀରତ୍ୱଗାଥା ସମ୍ବଳିତ ଅନୁଶୋଚନାର କାହାଣୀ ଉଲ୍ଲେଖ କରିଥିଲେ । ସେତିକିରେ ସନ୍ତୁଷ୍ଟ ନ ହୋଇ ସ୍ୱାଧୀନଚେତା କଳିଙ୍ଗବାସୀଙ୍କ ପରବର୍ତ୍ତୀ ପିଢ଼ି କାଳେ ଏ ବିଷୟରେ ଜାଣି ପ୍ରତିହିଂସା ପରାୟଣ ହୋଇପଡ଼ିବେ, ସେଥିପାଇଁ ଯୁଦ୍ଧର ଖଣ୍ଡାଧାରରୁ ବଞ୍ଚିରହିଥିବା ହାତଗଣତି ସାଧବ - ସନ୍ତାନଙ୍କୁ ଅହିଂସାମାର୍ଗ ଦେଖାଇ ବୌଦ୍ଧଧର୍ମରେ ଦୀକ୍ଷିତ କରାଇଥି‌ଲେ ଓ କଳିଙ୍ଗ ବଣିକ ଗୋଷ୍ଠୀଙ୍କୁ ବୌଦ୍ଧଧର୍ମ ପ୍ରଚାରପାଇଁ ବିଶ୍ଵର ବିଭିନ୍ନ ଅଞ୍ଚଳକୁ ପ୍ରେରଣ କଲେ । ଗୋଟିଏ ସମୃଦ୍ଧି ଜାତିକୁ ପଙ୍ଗୁ କରିବାରେ ଅଶୋକ କିଭଳି ହୀନ ଉଦ୍ୟମ କରିଥିଲେ, ଏହା ହିଁ ହେଉଛି ଶ୍ରେଷ୍ଠ ଉଦାହରଣ ।

 

ଏହାପରେ ଯେଉଁ ଶିଳାଲେଖରେ ଓଡ଼ିଆ ଜାତିର ସର୍ବୋତ୍କୃଷ୍ଟ ପରିଚୟ ମିଳିଥାଏ, ତାହା ହେଉଛି ଓଡ଼ିଆ ଭାଷାରେ ରଚିତ ପ୍ରଥମ ସାହିତ୍ୟ- ପ୍ରଥମ ଐତିହାସିକ ଦଲିଲ୍‌ ହାତୀଗୁମ୍ଫା ଶିଳାଲେଖ, ଯାହା ‘କଳିଙ୍ଗାଃ ସାହସୀକାଃ’ ଉକ୍ତିର ସାର୍ଥକତା ପ୍ରତିପାଦନ କରିଥାଏ । ଖାରବେଳଙ୍କୁ କେବଳ ଓଡ଼ିଶାର ଅଦ୍ୱିତୀୟ ବୀର ଭାବେ ନୁହେଁ, ବରଂ ଓଡ଼ିଶାର କଳା, ସଂସ୍କୃତି, ବିଜ୍ଞାନ ଓ ଓଡ଼ିଆ-- ଜାତୀୟତାର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଗ୍ରହଣ କରାଯାଇପାରେ । କାରଣ ଖାରବେଳଙ୍କ ଦ୍ଵାରା ଭୁବନେଶ୍ୱରର କୁମାରୀପର୍ବତ ବା ଉଦୟଗିରି ପର୍ବତ ପୀଠିକାରେ ନିର୍ମିତ ୧୧୭ଟି ଗୁମ୍ଫାରେ ଓଡ଼ିଆ କଳା, ସଂସ୍କୃତି, ଆତିଥେୟତା ସର୍ବୋପରି ଧାର୍ମିକ, ଉଦାରତା ଭଳି ଉତ୍କୃଷ୍ଟ ସଭ୍ୟମାନବିକ ପରମ୍ପରାର ଅପୂର୍ବ ନିଦର୍ଶନ ଦେଖିବାକୁ ମିଳେ । ଏଥି ସହିତ ସେହି ଗୁମ୍ଫା ମଧ୍ୟରେ ପଥର ଖୋଦିତ ଏକ ବିଶାଳ ହାତୀମୂର୍ତ୍ତି ଦେହରେ ନିଜ ଜୀବନୀ, ଅଶୋକଙ୍କଦ୍ୱାରା ଆହୂତ କୁତ୍ସିତ କଳିଙ୍ଗ ଯୁଦ୍ଧର ପ୍ରତିଶୋଧ ସ୍ୱରୂପ ମଗଧ ବିଜୟ ବର୍ଣ୍ଣନା, ସମଗ୍ର ଭାରତ ଭୂମିର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଭାଗରେ ଥିବା ଶକ୍ତିଶାଳୀ ଶାସକଙ୍କୁ ପରାସ୍ତ ଓ କଳିଙ୍ଗକୁ ଭାରତବର୍ଷର ଶ୍ରେଷ୍ଠ ସାମ୍ରାଜ୍ୟ ଭାବେ ପରିଚିତ କରାଇବା ସହିତ ଜଣେ କ୍ଷମତାପିପାସୁ ମୌଳବାଦୀ ନୁହେଁ, ବରଂ ଜଣେ ଧାର୍ମିକ ଉଦାର ଓ ମାନବବାଦୀ ରାଜା ଭାବରେ ନିଜ ୧୩ ବର୍ଷ ରାଜ୍ୟ ଶାସନର ଧାରାବାହିକ ଅଥଚ ସଂକ୍ଷିପ୍ତ ବିବରଣୀ ଯେଉଁଭଳି ଢଙ୍ଗରେ ନିହାଣ ମୁନରେ ଲେଖି ଯାଇଛନ୍ତି, ସେଥିରୁ ତାଙ୍କର ଜାତିପ୍ରୀତି ଓ ଲେଖକୀୟ କଳାର ପରିଚୟ ମିଳେ । ଏଥିରେ ପୁଣି ଅଛି କଳିଙ୍ଗର ସୈନ୍ୟ ଓ ଜନସଂପର୍କିତ ସୂଚନା, ଯୁଦ୍ଧ ବ୍ୟବସ୍ଥା, ରାଜାର ଧର୍ମ-କର୍ତ୍ତବ୍ୟ- ଶତ୍ରୁପ୍ରତି ବ୍ୟବହାର- ପ୍ରଜାପାଳନ, ଘର, ପୁଷ୍କରିଣୀ, ବାମ୍ଫୀ, କେନାଲ ଆଦି ନିର୍ମାଣ ବ୍ୟବସ୍ଥା, ଅବସର ବିନୋଦନ ମାଧ୍ୟମ, କଳାସଂସ୍କୃତି, ଭାସ୍କର୍ଯ୍ୟ ଇତ୍ୟାଦି ସମ୍ପର୍କିତ ବିସ୍ତୃତ ବିବରଣୀ । ଏହି ୧୩ ବର୍ଷର ରାଜ୍ୟ ଶାସନ ବର୍ଣ୍ଣନା ଅଶୋକଙ୍କ ଶିଳାଲେଖରେ ସ୍ଥାନିତ ୧୩ ବର୍ଷ ଶାସନକାର୍ଯ୍ୟ ବର୍ଣ୍ଣନା ଅନୁରୂପ । ପାର୍ଥକ୍ୟ ଏତିକି, ଅଶୋକଙ୍କ ବର୍ଣ୍ଣନାରେ ଏକମାତ୍ର କଳିଙ୍ଗ ଯୁଦ୍ଧ କଥା ସହିତ ବୌଦ୍ଧଧର୍ମ ପ୍ରଚାର ଓ ରାଜାଦେଶ ସାଧାରଣ ଭାବରେ ସ୍ଥାନିତ ହୋଇଥିବାବେଳେ ଖାରବେଳଙ୍କ ବର୍ଣ୍ଣନାରେ ଭାରତର ବୃହତ୍‌ ରାଜ୍ୟ ଅଧିକାର, ବିଭିନ୍ନ ଅଭିଯାନ, କାର୍ଯ୍ୟକଳାପ କାବ୍ୟିକ ଶୈଳୀରେ ଦେଖିବାକୁ ମିଳେ । ତାହା ପୁଣି ଅଶୋକଙ୍କ ଭଳି ସାଧାରଣ ଓଡ଼ିଆଲୋକଙ୍କ କଥିତ ଭାଷାରେ ।

 

ଖାରବେଳଙ୍କ ପରି ଆଉ ଏକ ଅଦ୍ୱିତୀୟ ଓଡ଼ିଆ ଯୋଦ୍ଧା ତଥା ମଗଧର ମୁରୁଣ୍ଡ ରାଜବଂଶ ଲୋପକାରୀ ତୃତୀୟ ଶତାବ୍ଦୀର ଶତ୍ରୁଭଞ୍ଜଠାରୁ ଆରମ୍ଭ କରି ଷୋଡ଼ଶ ଶତାବ୍ଦୀର ପ୍ରତାପରୁଦ୍ରଦେବଙ୍କ ପର୍ଯ୍ୟନ୍ତ ବହୁ ଓଡ଼ିଆରାଜା ସ୍ଵକୀୟ ପ୍ରତିଭା ବଳରେ ଓଡ଼ିଆ ଜାତିର ଗୌରବ ବୃଦ୍ଧି କରିଯାଇଛନ୍ତି ।

 

ସେହି ବୀର କଳିଙ୍ଗଜାତିର ଉତ୍ତରଦାୟାଦ ହେଉଛନ୍ତି ବର୍ତ୍ତମାନର ଓଡ଼ିଆ ଜାତି । ଏହି ଜାତିର ରକ୍ତରଞ୍ଜିତ ପ୍ରାଚୀନ ଐତିହ୍ୟ ଆଜି ଗବେଷଣା ନୁହେଁ, କେବଳ ଭାଷଣର ସାମଗ୍ରୀ ପାଲଟିଯାଇଛି । ଓଡ଼ିଆ ଜାତି ଭଳି ଓଡ଼ିଆ ଭାଷା, ସଂସ୍କୃତିର ଚେର ବହୁକାଳରୁ ଲମ୍ବି ଆସିଥିଲେ ମଧ୍ୟ ଆଜିର ଉତ୍ତରଦାୟାଦ ନିକଟରେ ଏହି ପ୍ରାଚୀନତାର ମଞ୍ଜ ନ ଥିବାରୁ ସମୟର କଷଟି ପଥରରେ ବହୁ ପରିକ୍ଷିତ ଶୁଦ୍ଧ ଓଡ଼ିଆ ଭାଷା ଆଜି ସେମାନଙ୍କ ନିକଟରେ ଅପାଙକ୍ତେୟ ହୋଇଯାଇଛି । କିନ୍ତୁ ଏହି ଜାତି ପରି ଏହାର ଭାଷାରେ ବହୁ ମୌଳିକ ଗୁଣ ରହିଛି, ଯାହା ଗତ ୧୮୮୦ ବର୍ଷ ଧରି ବିଦେଶୀଭାଷା ରାଜଭାଷା ରୂପେ ପ୍ରଚଳନ ହୋଇଥିଲେ ମଧ୍ୟ ସେମାନଙ୍କ ସଂସ୍ପର୍ଶରେ ଆସି ନିଜସ୍ଵ ସତ୍ତା ହରାଇନାହିଁ କିମ୍ବା ସଂସ୍କୃତ ଭଳି ଲୋପ ପାଇବାର ଆଶଙ୍କାସୃଷ୍ଟି ହୋଇନାହିଁ ।

 

ପ୍ରାଚୀନ ସାହିତ୍ୟରେ ମଧ୍ୟ ଓଡ଼ିଶାର ଗୌରବଗାରିମା ବର୍ଣ୍ଣନା ଦେଖିବାକୁ ମିଳେ । ଓଡ଼ିଶାର ପ୍ରାଚୀନ ନାମ କଳିଙ୍ଗ ଏବଂ ଉତ୍କଳ ଭାବରେସଂସ୍କୃତ ପୁରାଣଗ୍ରନ୍ଥ ରାମାୟଣ, ମହାଭାରତ, ପାଣିନୀଙ୍କ ଅଷ୍ଟାଧ୍ୟାୟୀ ଆଦିରେ ସୂଚୀତ ଥିବାବେଳେ ଏହା ବୌଦ୍ଧ ଓ ଜୈନ ସାହିତ୍ୟରେ ବର୍ଣ୍ଣିତ ଷୋଡ଼ଶ ମହାଜନପତ ଅନ୍ତର୍ଭୁକ୍ତ ହୋଇନାହିଁ । ଅଥଚ ଜାତକକଥାରେ ଉଲ୍ଲେଖ ଅଛି-ଗୌତମ ଯେତେବେଳେ ସମ୍ବୋଧିଲାଭ କରି ଗୟାଠାରେ ନିରଞ୍ଜନା ନଦୀକୂଳରେ ଥିବା ରାଜାୟତନ ନାମକ ଅଶ୍ମତ୍ଥବୃକ୍ଷ ମୂଳେ ଦୁଇମାସ କାଳ ନିସ୍ତବ୍ଧ ଥିଲେ, ସେ ସମୟରେ କଳିଙ୍ଗର ଉତ୍ତରଭାଗ-ଉତ୍କଳରୁ ଯାଉଥିବା ଦୁଇଜଣ ବଣିକ, ତପସୁ ଓ ଭଲ୍ଲିକ ମହୁ ଏବଂ ପିଠା (ଯାହା ଏବେ ବି ଓଡ଼ିଆଙ୍କରପ୍ରିୟ ଖାଦ୍ୟ ଓ ଏହା ବିଭିନ୍ନ ପୂଜା ପାର୍ବଣ, ଆନନ୍ଦ ମହୋତ୍ସବରେ ବିତରଣ କରାଯାଏ) ଏହି ଯୁବସନ୍ନ୍ୟାସୀକୁ ପ୍ରଦାନ କରି ତାଙ୍କର କ୍ଷୁଧା ନିବାରଣ କଲେ । ମହାବୀର ବର୍ଦ୍ଧମାନ କଳିଙ୍ଗ ଆସି ଜୈନ ଧର୍ମ ପ୍ରଚାର କରିଥିଲେ ବୋଲି ଜୈନ ସାହିତ୍ୟରେ ଉଲ୍ଲେଖ ଅଛି । ଜୈନଧର୍ମର ୨୪ତମ ତୀର୍ଥଙ୍କର ଋଷଭଦେବଙ୍କୁ ବିଶିଷ୍ଟଜର୍ମାନ ଗବେଷକ ହର୍ମନ୍‌ଜୈକୋବୀ ଜୈନଧର୍ମର ସଂସ୍ଥାପକ ଭାବେ ପ୍ରମାଣ କରିଥିବାବେଳେ ସିନ୍ଧୁସଭ୍ୟତା ପ୍ରତ୍ନତାତ୍ତ୍ୱିକ ଖନନରୁ ପ୍ରାପ୍ତ ଏକ ନଗ୍ନମଣିଷ ଶରୀରକୁ ଋଷଭଦେବ ବୋଲି କେନ୍ଦ୍ରୀୟ ପ୍ରତ୍ନତତ୍ତ୍ୱ ବିଭାଗର ମହାନିର୍ଦ୍ଦେଶକ ଡଃ ଟି.ଏନ. ରାମଚନ୍ଦ୍ରନ୍‌ହରପ୍ପା ଏଣ୍ଡ୍‌ଜୈନିଜିମ୍ ଗ୍ରନ୍ଥରେ ପ୍ରମାଣ କରିଛନ୍ତି-। ଏହି ଋଷଭଦେବଙ୍କ ମୂର୍ତ୍ତି ହିଁ କଳିଙ୍ଗ ଜିନ, ଯାହା କଳିଙ୍ଗ ଆକ୍ରମଣ କରି ମହାପଦ୍ମନନ୍ଦ ଅପହରଣ କରି ନେଇଥିଲେ ଓ ଖାରବେଳ ମଗଧ ଆକ୍ରମଣ କରି ଏହାକୁ ଉଦ୍ଧାର କରିବା ସହ କଳିଙ୍ଗରେପୁନଃସ୍ଥାପନ କରିଥିଲେ । ପାଣିନୀଙ୍କ ଅଷ୍ଟାଧ୍ୟାୟୀରେ କଳିଙ୍ଗଦେଶ ସମ୍ପର୍କରେ ଉଦାହରଣ ଛଳରେ ବିଶେଷ ଚର୍ଚ୍ଚା ହୋଇ ଥିବାବେଳେ ଦାକ୍ଷିଣାତ୍ୟର କୌଣସି ଜାତି ବା ଦେଶ କଥା ବର୍ଣ୍ଣନା ନ କରି କେବଳ ଗୋଦାବରୀ ନଦୀ ନାମୋଲ୍ଲେଖ କରିଥିବାରୁ ତତ୍କାଳୀନ କଳିଙ୍ଗର ସୀମା ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲାବୋଲି ଜଣାପଡ଼େ । କଳିଙ୍ଗ ବଣିକଙ୍କଦ୍ଵାରା ରପ୍ତାନୀ ହେଉଥିବା ବିଭିନ୍ନ ଦ୍ରବ୍ୟ ଓ ଦାକ୍ଷିଣାତ୍ୟ ପଥ ବର୍ଣ୍ଣନା ସମୟରେ କଳିଙ୍ଗରୁ ଉପଲବ୍ଧ ବସ୍ତୁ ବିଷୟରେ ସୂଚନା କୌଟିଲ୍ୟଙ୍କ ରଚିତ ଅର୍ଥଶାସ୍ତ୍ରରୁ ଜଣାପଡ଼େ । ବୌଦ୍ଧ ସାହିତ୍ୟ ‘‘ଆଜର୍ଯ୍ୟ ମଞ୍ଜୁଶ୍ରୀ ମୂଳକଳ୍ପ’ ଗ୍ରନ୍ଥରେ କୁହାଯାଇଛି-କଳିଙ୍ଗ ସାନଗର ମଧ୍ୟରେ ଥିବା ସମସ୍ତ ଦ୍ଵୀପ କଳିଙ୍ଗ ଦେଶ ନାମରେ ପରିଚିତି । କାଳିଦାସଙ୍କ ‘‘ରଘୁବଂଶ’’ରେ କଳିଙ୍ଗରାଜାଙ୍କୁ ‘‘ମହୋଦଧିପତି’’ ବୋଲି କୁହାଯାଇଛି ।

 

ଭାରତ ଭ୍ରମଣରେ ଆସିଥିବା ବହୁ ବିଦେଶୀ ପଣ୍ଡିତଙ୍କ ଲେଖନୀ କଳିଙ୍ଗ ବିଷୟରେ ବର୍ଣ୍ଣନା କରିବାକୁ କୁଣ୍ଠିତ ନଥିଲେ । ଯଦିଓ ଏ ବିଷୟରେ ବିସ୍ତୃତ ଗବେଷଣା ହୋଇପାରିନାହିଁ, ତଥାପି ଯେତକ ହୋଇଛି ସେଥିରେ ଓଡ଼ିଆଜାତିର ଅତୀତ ଇତିହାସକୁ ସ୍ପଷ୍ଟଭାବେ ଦେଖିହୁଏ । ଷ୍ଟ୍ରାବୋଙ୍କ ‘‘ଇଣ୍ଡିଆ’’, ପ୍ଲିନୀଙ୍କ ‘‘ନାଚୁରାଲ୍‌ହିଷ୍ଟ୍ରି’’, ଆରିଅନ୍‌ଙ୍କ ‘‘ଇଣ୍ଡିକା’’ରେ ମଧ୍ୟ କଳିଙ୍ଗ ବିଷୟରେ ବିସ୍ତୃତ ବର୍ଣ୍ଣନା ମିଳେ । କଳିଙ୍ଗର ସୂକ୍ଷ୍ମବସ୍ତ୍ର ବହୁ ଆକର୍ଷକ ଓ ଏହାକୁ ସମ୍ଭ୍ରାନ୍ତ ବଂଶୀୟ ନାରୀଗଣ ପାଇବାକୁ ପ୍ରଚୁର ଅର୍ଥ ବିନିମୟରେ ପାରସ୍ପରିକ ପ୍ରତିଦ୍ୱନ୍ଦିତା କରୁଥିଲେ ବୋଲି ‘‘ପେରିପ୍ଲସ ଅଫ୍‌ଦି ଆରିଥ୍ରିଆନ୍‌ସି’’ ପୁସ୍ତକରେ ଉଲ୍ଲେଖ ରହିଛି । କଳିଙ୍ଗ ସମ୍ପର୍କରେସବୁଠାରୁ ନିର୍ଭରଯୋଗ୍ୟ ଲିଖିତ ପ୍ରମାଣ ହେଲା-ମେଘାସ୍ଥିନିସ୍‌ଙ୍କ ‘‘ଇଣ୍ଡିକା’’ ଗ୍ରନ୍ଥ (ଖ୍ରୀ:ପୂ: ୩୫୦-ଖ୍ରୀ:ପୂ: ୨୯୦) । ଭୟଙ୍କର କଳିଙ୍ଗଯୁଦ୍ଧ ହେବାର ୩୦-୪୦ ବର୍ଷ ପୂର୍ବରୁ ଲିଖିତ ଏହି ଗ୍ରନ୍ଥରେ ପ୍ରାଚୀନ କଳିଙ୍ଗର ଭୌଗୋଳିକ ସ୍ଥିତି, ବୀରତ୍ୱ ବ୍ୟଞ୍ଜକ ଘଟଣାବଳୀର ବିସ୍ତୃତ ବର୍ଣ୍ଣନା ରହିଛି । ଏଥିରେ ସେ କଳିଙ୍ଗ ତିନୋଟି ଭୂଭାଗ-ପ୍ରାଚୀ କଳିଙ୍ଗ, ମାକ୍କୋ ବା ମଗ କଳିଙ୍ଗ ଓ ଗଙ୍ଗାରିଡ଼ାଇ କଳିଙ୍ଗକୁ ନେଇ ଗଠିତ ତଥା କଳିଙ୍ଗର ରାଜଧାନୀ ପାର୍ଥାଲିସ୍‌ବୋଲି ଉଲ୍ଲେଖ କରିଛନ୍ତି । ଗାଙ୍ଗିସ୍‌ନଦୀସମୁଦ୍ରରେ ପ୍ରବେଶ କରିବା ପୂର୍ବରୁ ତାହା ଗଙ୍ଗରିଡ଼ାଇ କଳିଙ୍ଗର ପୂର୍ବସୀମା (ବର୍ତ୍ତମାନର ହୁଗୁଳିନଦୀ) ଓ ଏହି ଅଞ୍ଚଳ ଅଗଣିତ ବୃହତ୍‌ହସ୍ତୀସମ୍ବଳିତ ନୌବାହିନୀର ଅଧିକାରୀ ଥିଲେ । ଏହି ଗଜବାହିନୀ ଯୁକ୍ତ ସାମରିକ ଶକ୍ତିପାଇଁ କୌଣସି ବୈଦେଶିକ ଯୁଦ୍ଧାଭିଯାନ ସଫଳ ହୋଇପାରିନାହିଁ । ଗାଙ୍ଗିସ୍‌ନଦୀ ମଧ୍ୟରେ (ପଶ୍ଚିମବଙ୍ଗ-ବଙ୍ଗଳା ଦେଶରେପ୍ରବାହିତ ହୁଗୁଳି ଓ ଗଙ୍ଗାନଦୀର ମଝି ଅଞ୍ଚଳ) ଥିବା ବିଶାଳଦ୍ୱୀପ ମୋଡ଼ୋ ବା ମକ୍କୋ କଳିଙ୍ଗାଇ ଜନଜାତିଙ୍କ ନିବାସ ସ୍ଥଳ । xxx କଳିଙ୍ଗ ଜନଜାତି ସମୁଦ୍ରର ଅଧିକ ନିକଟବର୍ତ୍ତୀ । ଏହି ଜାତିର ବୀରତ୍ୱ ସମ୍ପର୍କରେ ସେ ଲେଖିଛନ୍ତି-ସମସ୍ତ ରାଷ୍ଟ୍ର ଓ ଜନଜାତି ବିପକ୍ଷରେ ଯୁଦ୍ଧଘୋଷଣାକରି ଆଲେକ୍‌ଜାଣ୍ଡାର ମଧ୍ୟ- ଏସିଆକୁ ଜୟ କରିନେଲେ ସତ, କିନ୍ତୁ କଳିଙ୍ଗ ବିପକ୍ଷରେ ଯୁଦ୍ଧଘୋଷଣା କଲେ ନାହିଁ । ଅନ୍ୟ ସମସ୍ତ ରାଜ୍ୟ ଓ ଜନଜାତିକୁ ପରାଜିତ କରି ଆଲେକ୍‌ଜାଣ୍ଡାର ତାଙ୍କ ସେନାବାହିନୀଙ୍କୁ ନେଇ ଯେତେବେଳେ ଗାଙ୍ଗିସ୍‌ର କୂଳରେ ଉପସ୍ଥିତ ହେଲେ, ସେତେବେଳେ ସେ ଶୁଣିଲେ କଳିଙ୍ଗ ଛଅସହସ୍ର ସୁନିୟନ୍ତ୍ରିତ ଗଜବାହିନୀର ଅଧିକାରୀ (ପ୍ଲୁଟାର୍କ) । ଏ କଥା ଶୁଣି କଳିଙ୍ଗ ବିଜୟ ଅଭିଳାଷ ମଉଳିଗଲା । ଶକ୍ତିଶାଳୀ ଗ୍ରୀକ୍‌ସେନା ପ୍ରଥମକରି ମୃତ୍ୟୁକୁ ଦେଖି ଭୟଭୀତ ହୋଇ ପଡ଼ିଲେ । ଗଙ୍ଗାନଦୀ ଅତିକ୍ରମ କରିବାକୁ ଆଉ ରାଜି ନ ହେବାରୁ ଆଲେକ୍‌ଜାଣ୍ଡାରବହୁ ହତାଶା ମଧ୍ୟରେ ଯୁଦ୍ଧାଭିଯାନ ବର୍ଜ୍ଜନକରି ସ୍ଵଗୃହ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ହେଲେ । କଳିଙ୍ଗ ଅନ୍ତର୍ଭୁକ୍ତ ଗଙ୍ଗାରିଡାଡ଼ାଭ କଳିଙ୍ଗ ବିନା ଯୁଦ୍ଧରେ ଗ୍ରୀକବୀର ଆଲେକ୍‌ଜାଣ୍ଡାରଙ୍କୁ ପରାସ୍ତ କରିପାରିଥିଲା ।

 

ସମାନ ଘଟଣା ଘଟିଥିଲା ମୁସଲମାନ ଶାସନ କାଳରେ । ଯେତେବେଳେ ସମଗ୍ର ଭାରତ ମୁସଲମାନ ଆତଙ୍କରେ ତ୍ରାହି ତ୍ରାହି ଡାକୁଥିଲା, ସେତେବେଳେ ତ୍ରୟୋଦଶ ଶତାବ୍ଦୀର ରାଜା ନରସିଂହଦେବ ପ୍ରଥମ ଓଡ଼ିଶାବାସୀଙ୍କୁ ଆତଙ୍କମୁକ୍ତ ରଖିବା ପାଇଁ ପଡ଼ୋଶୀ ମୁସଲମାନ ଶାସକଙ୍କୁ ଆଗୁଆ ଆକ୍ରମଣ କରି ମୁସଲମାନ୍ ବେଗମଙ୍କ କଜ୍ଜ୍ୱଳପୂର୍ଣ୍ଣ ଲୋତକରେ ଗଙ୍ଗାନଦୀର ଜଳକୁ କଳା କରିବା ସହ ସମଗ୍ର ମୁସଲମାନ ଶାସକଙ୍କଠାରେ ଭୟ ସୃଷ୍ଟି କରିଥିଲେ ବୋଲି କେନ୍ଦୁଲି ତାମ୍ରଲେଖରୁ ଜଣାପଡ଼େ । କୋଣାର୍କ ମନ୍ଦିର ନିର୍ମାଣ ଏହି ଗୌଡ଼ ବିଜୟର ସ୍ମାରକ । କେବଳ ସେତିକି ନୁହେଁ, ମୁସଲମାନ ଶାସକଠାରୁ ପରାସ୍ତ ହୋଇଥିବାରୁ ଜନଅସନ୍ତୋଷର ଶିକାର ହୋଇ ଓଡ଼ିଶା ରାଜା ଭାନୁଦେବ ୪ର୍ଥ ନିଜ ସେନାପତି କପିଳେନ୍ଦ୍ରଦେବ ଦ୍ୱାରା ସିଂହାସନଚ୍ୟୁତ ହୋଇଥିଲେ । ପୁଣି ଫେରିସ୍ତା ଓ ବୁରାନ୍-ଇ-ମାସିଲ୍‌ଙ୍କ ମତରେ ଏହି ଓଡ଼ିଆରାଜା ଶକ୍ତିଶାଳୀ ବାହମନୀ ସାମ୍ରାଜ୍ୟ ଆକ୍ରମଣକରି ସୁଦୂର ବିଦରଦୁର୍ଗର ଫାଟକ ନିକଟରେ ପହଞ୍ଚିଥିଲେ । ଯାହାକି କୌଣସି ହିନ୍ଦୁରାଜାଦ୍ୱାରା ମୁସଲମାନ ଶାସକ ପରାସ୍ତ ଓ ଆଖିରୁ ନିଦ ହଜିବାଭଳି ଏକମାତ୍ର ଘଟଣାକୁ ତତ୍‌କାଳୀନ ମୁସଲମାନ ଐତିହାସିକଗଣ ସ୍ଵୀକାର କରିବାକୁ ବାଧ୍ୟ ହୋଇଛନ୍ତି । ଓଡ଼ିଆ ଜାତୀୟତାର ଦୃଢ଼ଭିତ୍ତି ଥିବାରୁ ଦୁର୍ଦ୍ଦଷ ଆଫଗାନ୍‌ସମଗ୍ର ଭାରତଭୂମିକୁ ଅଧିକାର କରି ସାରିଥିବାବେଳେ ଦୀର୍ଘ ୫୦୦ ବର୍ଷ ଧରି କେବଳ ଓଡ଼ିଶାମାଟି ସେମାନଙ୍କ ରକ୍ତକ୍ଷୟୀ ଧାର୍ମିକ ତାଣ୍ଡବରୁ ମୁକ୍ତ ରହିପାରିଥିଲା । ତବାକତ-ଇଆକବରୀ ଓ ମାଦଳାପାଞ୍ଜି ଅନୁସାରେ ୧୫୦୯ରେ ଗୌଡ଼ ସୁଲତାନ ହୁସେନସାହ ଓଡ଼ିଶା ଆକ୍ରମଣ ପୂର୍ବକ କଟକ ଅଧିକାରକୁ ପ୍ରତିହତ କରିବା ପାଇଁ ଦାକ୍ଷିଣାତ୍ୟ ବିଦ୍ରୋହରେ ବ୍ୟସ୍ତ ଥିବା ଓଡ଼ିଶା ରାଜା ପ୍ରତାପରୁଦ୍ର ଯେଉଁ ତ୍ୱରିତବେଗରେ ଦକ୍ଷିଣରୁ ଆସି ହୁସେନସାହକୁ ମନ୍ଦାରନଦୁର୍ଗରେ ଆତ୍ମଗୋପନ କରାଇବାକୁ ବାଧ୍ୟ କରିଥିଲେ, ତାହା ଏବେ ମଧ୍ୟ ଭାରତର ସବୁଠାରୁ ଦ୍ରୁତତମ ସୈନିକ ଅଭିଯାନ କହିଲେ ଅତ୍ୟୁକ୍ତି ହେବ ନାହଁ । କାରଣ ୧୫୭୩ରେ ଆକବରଙ୍କ ଗୁଜୁରାଟ ବିଦ୍ରୋହ ଦମନ ଅଭିଯାନଠାରୁ ଏହି ଅଭିଯାନ ବହୁ ନଦୀନାଳପୂର୍ଣ୍ଣ ଅସମତଳ ପାହାଡ଼ିଆଯୁକ୍ତ ଦୀର୍ଘପଥ କମ୍‌ଦିନରେ ଅତିକ୍ରମ କରାଯାଇଥିଲା । ଯଦି କୃଷ୍ଣଦେବ ରାୟର କ୍ରୂରତାକୁ ପ୍ରତାପରୁଦ୍ର ଓ ଆକବରଙ୍କ କୂଟନୀତିକୁ ମୁକୁନ୍ଦଦେବ ବୁଝି ପାରିଥାନ୍ତେ ତେବେ ଭାରତ ଇତିହାସର ଗତି ଭିନ୍ନ ପ୍ରକାରର ହୋଇଥାନ୍ତା । ବଙ୍ଗଳାର ମୁସଲମାନ ଶାସକ ଦକ୍ଷିଣସୀମାରେ ଥିବା ଗଙ୍ଗାନଦୀ ଅତିକ୍ରମ କରି ଓଡ଼ିଶା ଭୂଖଣ୍ଡ ଅଧିକାର କରିପାରି ନ ଥାନ୍ତେ, ପୂର୍ବଭାରତରେ ବାଣିଜ୍ୟିକ ବିଫଳ ହୋଇଥିବା ଇଂରେଜ ବ୍ୟବସାୟୀ ଓଡ଼ିଆ ଅଞ୍ଚଳରେ କଲିକତା ନଗର ସ୍ଥାପନ କରି ନିଜ ବାଣିଜ୍ୟିକ-ପ୍ରଶାସନିକ ଆଧିପତ୍ୟ ବିସ୍ତାରକରିବାର ସୁଯୋଗ ପାଇ ପାରି ନ ଥାନ୍ତେ । ପର୍ତ୍ତୁଗୀଜ କିମ୍ବା ଅନ୍ୟ ୟୁରୋପୀୟଙ୍କପରି ଇଂରେଜ ସେହି ବଣିକ ହୋଇ ରହିଥାନ୍ତେ, ବଙ୍ଗ ମୁସଲମାନ ଶାସନାଧିନ ଓଡ଼ିଆ ଅଞ୍ଚଳରେ ବାଣିଜ୍ୟକୋଠି ନିର୍ମାଣରୁ ଭାରତ ଓ ପରେ ସମଗ୍ର ବିଶ୍ଵର ଶାସକ ଭାବରେ ପ୍ରତିଷ୍ଠା କରିପାରି ନ ଥାନ୍ତେ । ସଂକ୍ଷେପରେ କହିଲେ ଓଡ଼ିଆ ଜାତି ପତନର ପୃଷ୍ଠପିଠିକା ଉପରେ ଇଂରେଜଜାତିର ଅଭ୍ୟୁତ୍‌ଥାନ ଘଟିଲା ।

 

ଓଡ଼ିଆ ଭାଷାର ବିଶେଷତ୍ୱ ହେଲା-ଏହା ଯେପରି ଉଚ୍ଚାରଣ ହୁଏ, ସେହିପରି ଭାବରେ ଲେଖାଯାଏ । ଅନ୍ୟ ଭାରତୀୟ ଭାଷାରେ ଏପରି ହୋଇ ନଥାଏ । ଓଡ଼ିଆ ବ୍ୟାକରଣ ନିୟମ ଅନୁସାରେ ବହୁବଚନରେ ‘ମାନେ’ର ପ୍ରୟୋଗ, ଯାହା ଭାରତରେ ଅନ୍ୟ କୌଣସି ଭାଷାରେ ଦେଖିବାକୁ ମିଳେ ନାହିଁ ତଥା ତୃତୀୟ ପୁରୁଷ ଏକ ବଚନରେ ବ୍ୟବହୃତ ‘ଅନ୍ତି’ (କିଣନ୍ତି, ଖାଆନ୍ତି ପ୍ରଭୃତି) ବର୍ତ୍ତମାନର କୌଣସି ଇଣ୍ଡୋୟୁରୋପୀୟ ଆର୍ଯ୍ୟଭାଷାରେ ପ୍ରୟୋଗ ନାହିଁ । ଏହା କେବଳ ଗ୍ରୀକ୍, ଲାଟିନ୍‌ଓ ବୈଦିକ ସଂସ୍କୃତ ଭାଷାରେ ବ୍ୟବହୃତ ହୋଇଥାଏ । ପୁଣି ବହୁ ପ୍ରାଚୀନ ବୈଦିକ ଶବ୍ଦ ଯଥା-ନଡ଼>ନଡ଼ା, ନନା>ନନା, ନାନୀ>ନାନୀ, ବିଷୟ>ବିଷୟ, ବକଳ>ବକଳ, ମେରି>ମେରି, ଆଣି>ଆଣି, ଖିଲା>ଖିଲା, ଲାଙ୍ଗୁଳ>ଲାଙ୍ଗୁଳ, ଘାସ>ଘାସ (ବେଦିକ୍‌ଇନ୍‌ଡ଼େକ୍ସ-ମାକ୍‌ଡ଼ୋନାଲ୍‌ଡ଼ ଆଣ୍ଡ୍‌କିଥ) ଇତ୍ୟାଦି ଅବିକଳଭାବେ କିମ୍ବା ସାମାନ୍ୟ ବିକୃତ ଭାବେ ଓଡ଼ିଆ ଭାଷା ବ୍ୟବହର କରାଯାଉଛି, ଅଥଚ ବୈଦିକ ସଂସ୍କୃତର ପରବର୍ତ୍ତୀ ରୂପ ବା ବର୍ତ୍ତମାନର ସଂସ୍କୃତ ଭାଷାରେ ଏ ସବୁ ପ୍ରୟୋଗ ହେଉନାହିଁ । ପୃଥିବୀର ଏକମାତ୍ର ଭାଷାଭାବେ ଓଡ଼ିଆ ଚାରିଟି ଲିଙ୍ଗ-ସଜୀବ, ନିର୍ଜୀବ, ପୁଲିଙ୍ଗ, ସ୍ତ୍ରୀଲିଙ୍ଗର ଅଧିକାରୀ ।

 

ଲିପିତତ୍ତ୍ଵ ଦୃଷ୍ଟିରୁ ଓଡ଼ିଆଭାଷାର ପ୍ରାଚୀନତା ସମ୍ପର୍କରେ ଏକ ବଳିଷ୍ଠ ପ୍ରମାଣ ହେଲା ଏଠାରୁ ଉଭୟ ଚିତ୍ରଲିପି ଏବଂ ଖୋଦିତଲିପି ମିଳିଛି । ବିକ୍ରମଖୋଲରୁ ଆବିଷ୍କୃତ ଖୋଦିତଲିପି ଏ ପର୍ଯ୍ୟନ୍ତ ପାଠ ହୋଇପାରି ନ ଥିବାବେଳେ ବିଶିଷ୍ଟ ଐତିହାସିକ ଜୟସ୍ୱାଲ ଏହାକୁ ବ୍ରାହ୍ମୀ ପୂର୍ବବର୍ତ୍ତୀ ଅବସ୍ଥା ବୋଲି ମତ ଦେଇଛନ୍ତି । ନୂଆପଡ଼ାର ଯୋଗୀମଠ ପାହାଡ଼ରେ ଅଙ୍କିତ ଚିତ୍ରଲିପିରେ ଜଣେ ମଣିଷ ସହ କିଛି ଗୃହପାଳିତ ପଶୁ ଏବଂ କିଛି ଅକ୍ଷର ଲେଖା ଯାଇଛି । ଏହି ଅକ୍ଷର ପ୍ରାଚୀନ ବ୍ରାହ୍ମୀଲିପି ସହ ସମତା ରଖୁଥିବାରୁ ଏହା ବ୍ରାହ୍ମୀ ପୂର୍ବବର୍ତ୍ତୀ ଲିପି ଓ ଲିପିତତ୍ତ୍ଵବିଦ ଏହାକୁ ‘ଗିଠ’ ବା ଆଧୁନିକ ଅର୍ଥରେ ଗୋଠ ଭାବରେ ପାଠ କରିଛନ୍ତି । ଏହିଲିପିର ସମୟ ପ୍ରାୟ ୫ ହଜାର ବର୍ଷର ହୋଇଥିବାବେଳେ ଏହାର ପରବର୍ତ୍ତୀକାଳୀନ ଖୋଦିତଲିପି ଖ୍ରୀ.ପୂ. ତୃତୀୟ ଶତାବ୍ଦୀଠାରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ବିଭିନ୍ନ ଅଭିଲେଖ ମାଧ୍ୟମରେ ଦେଖିବାକୁ ମିଳୁଛି, ଯାହା ଓଡ଼ିଆ ଲିପି ଓ ଭାଷାର କ୍ରମବିକଶିତ ସ୍ତରକୁ ସୂଚାଏ । ଏଭଳି ଦୃଢ଼ ପ୍ରମାଣ ଭାରତର ଅନ୍ୟ କୌଣସି ଭାଷାରେ ଦେଖିବାକୁ ମିଳି ନ ଥାଏ । ସଂସ୍କୃତଠାରୁ ପ୍ରାଚୀନ ଏବଂ ସ୍ଵତନ୍ତ୍ର ବୋଲି ପ୍ରମାଣ କରିଥିବା ତାମିଲ୍‌ଭାଷାର ଏଭଳି ପୁରାତନ ଲିପି ନାହିଁ । ଦକ୍ଷିଣଭାରତର ସିଦ୍ଦିପୁର, ଜଟିଂରାମେଶ୍ୱର, ବ୍ରହ୍ମଗିରି, ମାସ୍କୀ, ୟେରାଗୁଡ଼ି, ରଜୁଲ୍‌ମନ୍ଦିରରୁ ମିଳିଥିବା ବ୍ରାହ୍ମୀଲିପିରେ ଖୋଦିତ ଅଶୋକଙ୍କ ଏହି ଶିଳାଲେଖକୁ ଯଦିଓ ଦକ୍ଷିଣ ପାଠାନ୍ତର କୁହାଯାଉଛି, ମାତ୍ର ଏଥିରେ ସେହି ଅଞ୍ଚଳର ଭାଷା, ସଂସ୍କୃତି ଅପେକ୍ଷା ମହାଭାରତୀୟତାର ସୂଚନା ମିଳେ । ସେହିପରି ଦାକ୍ଷିଣାତ୍ୟର ପ୍ରାକୃତିକ ଗୁମ୍ପାମାନଙ୍କରୁ ମିଳିଥିବା ସଂକ୍ଷିପ୍ତ ଶିଳାଲେଖଗୁଡ଼ିକର ଲିପି ବ୍ରାହ୍ମୀ ଓ ଏଗୁଡ଼ିକ ବୌଦ୍ଧଧର୍ମ ସଂପର୍କିତ ଓ ଏହି ସମସ୍ତ ଶିଳାଲେଖ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପାଠ ହୋଇପାରିନାହିଁ । କେବଳ ଦ୍ରାବିଡ଼ ବର୍ଣ୍ଣମାଳାର ‘‘ଡ, ଲ୍ଲ, ଣ’’ ଆଦି ବର୍ଣ୍ଣକୁ ଆଧାର କରି ଆନୁମାନିକ ଭାବେ ଏହାକୁ ପଢ଼ିବାକୁ ଚେଷ୍ଟା କରାଯାଉଛି । ଘଞ୍ଚ ଅରଣ୍ୟର ଏକାନ୍ତ ନିର୍ଜ୍ଜନ ସ୍ଥାନରେ ତପସ୍ୟା କରୁଥିବା ସନ୍ନ୍ୟାସୀଙ୍କୁ ଦାନ ଦେବା ଉଦ୍ଦେଶ୍ୟରେ ଜଣେ ମହିଳା, ବ୍ୟବସାୟୀ (ବାଣୀକର), କରଣ ଜାତିର ଜଣେ ସଦସ୍ୟ, ଲଙ୍କାର ଜଣେ କୃଷକ (କୁଟୁମ୍ବିକା)ଙ୍କଦ୍ଵାରା ଖୋଦିତ ଏହି ସଂକ୍ଷିପ୍ତ ଶିଳାଲେଖ ସିଂହଳରୁ ପ୍ରାପ୍ତ ଶିଳାଲେଖ ଅନୁରୂପ । ଅର୍ଥାତ୍ ପ୍ରାଚୀନ ସିଂହଳଲିପି ସହ ସାମ୍ୟ ରଖିଥିବା ଏହିସବୁ ଶିଳାଲେଖ ତାମିଲ ଅଞ୍ଚଳରୁ ମିଳିଥିବାରୁ ଏହାର ଭାଷା ଓ ଲିପିକୁ ତାମିଲ ବୋଲି କେବଳ ଆନୁମାନିକ ଢଙ୍ଗରେ ଗ୍ରହଣ କରାଯାଇପାରେ । ଆମେ ଭୁଲିଯିବା ଉଚିତ ନୁହେଁ ଯେ, ଏହି ସମୟ ବେଳକୁ ସିଂହଳ ସହିତ କଳିଙ୍ଗର ବ୍ୟବସାୟିକ ସଂପର୍କ ସୁଦୃଢ଼ ସ୍ଥିତିରେ ଥିଲା । ତେଣୁ କୁହାଯାଇପାରେ ଯେ, ଏହି ଲିପି କଳିଙ୍ଗପଲ୍ଲୀଭାଷାରେ ଲିଖିତ ହୋଇଥିଲା । ବୋଧହୁଏ ଏହି ସତ୍ୟକୁ ଉପଲବ୍ଧି କରିବାକୁ ତାମିଲ ଗବେଷକଗଣ ଏହାର ବିଶ୍ଵାସନୀୟତାକୁ ସନ୍ଦେହ କରି ଅଷ୍ଟମ ଶତାବ୍ଦୀରେ ରଚିତ ‘ଇଡ଼ଈନାର ଅଗପ୍ପୋରୁଲ ଉରୈ’’ ନାମକ ପ୍ରାଚୀନ ତାମିଲ ଗ୍ରନ୍ଥ-ଟୀକାର ମୁଖବନ୍ଧରେ ସୂଚୀତ ତିନୋଟି ସଙ୍ଗମକୁ ତାମିଲ ଭାଷାର ପ୍ରାଚୀନ ପ୍ରମାଣ ଭାବେ ଗ୍ରହଣ କରିଛନ୍ତି । ଅଥଚ ସଙ୍ଗମ ସାହିତ୍ୟ ସମାନ କାଳ୍ପନିକ ମନେ ହେଉଥିବା ମାଦଳାପାଞ୍ଜି ଓଡ଼ିଆ ସାହିତ୍ୟର ବା ଜାତୀୟ ଜୀବନରପ୍ରାଚୀନ ପ୍ରାମାଣିକ ଉପାଦାନ ଭାବେ ସ୍ଵୀକୃତ ହୋଇପାରିନାହିଁ । ଅନ୍ୟପକ୍ଷରେ ଓଡ଼ିଶାକୁ ବହୁ ପରିମାଣର ଶିଳାଲେଖ, ତମ୍ବାପଟା ସନନ୍ଦ ମିଳିଛି, ଯାହା କେବଳ କର୍ଣ୍ଣାଟକ ବ୍ୟତୀତ ଅନ୍ୟ କୌଣସି ରାଜ୍ୟରୁ ମିଳିନାହିଁ । ଓଡ଼ିଆ ଭାଷା ଓ ଲିପିରେ ରଚିତ ବହୁ ଅଭିଲେଖ, ତାଳପତ୍ରପୋଥି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟାୟଦ୍ୱାରା ବିନଷ୍ଟ ହୋଇଥିବାରୁ ଏ ସବୁର ମହାର୍ଗ ମହକକୁ ଆଜି ବିଶ୍ଵ ଅନୁଭବ କରିପାରିନାହିଁ । ତଥାପି ଏଠାରେ ଯେ ଲେଖନଗତ କଳାକୌଶଳର ସୁଦୀର୍ଘ ପରମ୍ପରା କ୍ରମାନ୍ୱୟରେ ରହିଆସିଛି, ଏସବୁ ତାହାର ବଳିଷ୍ଠ ପ୍ରମାଣ ।

 

ଓଡ଼ିଆ ଲିପି ଓ ଭାଷାର ପ୍ରାଚୀନତା ସମ୍ପର୍କରେ ଜଣାପଡ଼େ ଯେ, ଖ୍ରୀ.ପୂ. ତୃତୀୟ ଶତାବ୍ଦୀର ଐତିହାସିକ କଳିଙ୍ଗଯୁଦ୍ଧ ବିଜୟୀ ଅଶୋକଙ୍କଦ୍ଵାରା ଓଡ଼ିଶାଭୂମିରେ ସୁଶାସନପାଇଁ ଧଉଳି ଓ ଜଉଗଡ଼ ପାହାଡ଼ରେ ଖୋଦିତ ଆଦେଶ ସେ ସମୟର ଓଡ଼ିଆ ଅଧିବାସୀଙ୍କ କଥିତ ଭାଷା ଏବଂ ପ୍ରଚଳିତ ଲିପିରେ ଲେଖାଯାଇଥିଲା । ଏହି ଅଭିଲେଖଦ୍ୱୟରେ ଖୋଦିତ ଠ ଲିପି ବର୍ତ୍ତମାନ ଅବିକଳ ଭାବେ ଲେଖା ହେଉଥିବାବେଳେ : କେତେକ ଶବ୍ଦ-କଳେ, ତିନି, ଦୁବେ, ପଛା, ପନି, ସେ, ହାନି, ସୁଧି, ଅଗି, ଦସ, ନିଲଠା, ଲହେବୁ, ବୁଢ଼ , ମଝି ଇତ୍ୟାଦି ବହୁ ଶବ୍ଦ ଏବେ ମଧ୍ୟ ଅବିକୃତ ଭାବେ ଓଡ଼ିଆ ଜନଜୀବନରେ ବ୍ୟବହାର ହେଉଛି । ତେଣୁ ଓଡ଼ିଆ ଭାଷା ଆଉ ଓଡ଼ିଆ ଲିପିର ପ୍ରଥମ ପ୍ରମାଣ ଏହି ଶିଳାଲେଖଦ୍ଵୟ ବହନ କରିଛି । କିନ୍ତୁ ଏ ପର୍ଯ୍ୟନ୍ତ ଆବିଷ୍କୃତ ଓଡ଼ିଆ ଜାତିର ସର୍ବପ୍ରାଚୀନ ଲିଖିତ ସାହିତ୍ୟ ହେଉଛି ‘‘ହାତୀଗୁମ୍ପା ଅଭିଲେଖ’’ । ଉକ୍ତ ଅଭିଲେଖର ଭାଷା ପାଲି ବୋଲି ଜେମସ୍‌ପ୍ରିନ୍‌ସେପ୍‌ ଚିହ୍ନିତ କରିଥିଲେ ମଧ୍ୟ ‘‘ଏହାହେଉଛି କଳିଙ୍ଗ ବା ଓଡ଼ିଶାବାସୀଙ୍କ ମୁଖର ଭାଷା’’ ଏବଂ ଲିପି ବୋଲି ବହୁ ଭାରତୀୟ ଓ ବିଦେଶୀ ପଣ୍ଡିତ ଯୁକ୍ତିପୂର୍ଣ୍ଣ ଭାବରେ ପ୍ରମାଣିତ କରିଯାଇଛନ୍ତି । ଫରାସୀ ପଣ୍ଡିତ ସିଲଭାଁ ଲେଭି ଭାଷାତତ୍ତ୍ୱ ଦୃଷ୍ଟିରୁ ବିଶ୍ଳେଷଣ କରି ଅଶୋକଙ୍କ କେତୋଟି ଶିଳାଲେଖରେ ବ୍ୟବହୃତ ଅସଂଖ୍ୟ ଶବ୍ଦ, ଯଥା- ଧଉଳିଗିରି ଅଭିଲେଖରେ ଲିଖିତ ଲିବି (ଲିପି), ଲହେୟୁ (ଲହେବୁ) ଜଉଗଡ଼ରେ ଖୋଦିତ ଅକଲ (ଅଚଲ) ହିଦଲୋଗ (ଇହଲୋକ) ଇତ୍ୟାଦି ଦ୍ୱାରା ପ୍ରମାଣିତ କରିଛନ୍ତି ଯେ ପାଲି ହେଉଛି ଅଶୋକଙ୍କ ପରବର୍ତ୍ତୀ ଭାଷା ଓ ପ୍ରାକ୍‌ଅଶୋକଯୁଗର ଏକ ଉନ୍ନତ ଭାଷାରୁ ସମ୍ଭବ । ସେ ଏହି କଥା ପ୍ରମାଣ କଲାବେଳେ ଯେଉଁ ସବୁ ଶବ୍ଦଗୁଡ଼ିକ ଦୃଷ୍ଟାନ୍ତ ଦେଇଛନ୍ତି ସେଥିରୁ ଅର୍ଦ୍ଧାଧିକ ଧଉଳି ଓ ଜଉଗଡ଼ଠାରେ ଅଶୋକଙ୍କଦ୍ୱାରା ଖୋଦିତ ଶିଳାଲେଖରେ ବ୍ୟବହୃତ ଶବ୍ଦ । ସିଲଭାଁ ଲେଭିଙ୍କ ଏହି ମତ ସ୍ଵୀକାର କରି ଲ୍ୟୁଦର ମତଦିଅନ୍ତି ଯେ, ପାଲି ଭାଷା ପ୍ରାଚୀନ ଅର୍ଦ୍ଧମାଗଧୀରୁ ସୃଷ୍ଟି । ଫରାସୀ ଭାଷାବିତ୍ ପ୍ରୁଜିଲୁସ୍କି ଏହାକୁ ସମର୍ଥନ କରି କୁହନ୍ତି ଯେ, ପାଲିରେ କେତେକ ଶବ୍ଦ ଶେଷରେ ‘ଏ’ ମାତ୍ରା ଲାଗିବା ଭିଖବେ, ଉନ୍ତେ, ପୁରସକାରେ, ଦୁକେଖ ଇତ୍ୟାଦି ଅର୍ଦ୍ଧମାଗଧୀ ପ୍ରଭାବିତ । ସୁଇଡ଼େନ ଭାଷାବିତ ଷ୍ଟେନ୍‌କୋନୋଙ୍କ ମତରେପାଲି ହେଉଛି ବିନ୍ଧ୍ୟର ଦକ୍ଷିଣପୂର୍ବ ଅଞ୍ଚଳର ଭାଷା । ଜର୍ମାନ ପଣ୍ଡିତ ଅଟୋଫ୍ରାଙ୍କ ନିଜର ପାଲି ଓ ସଂସ୍କୃତ ଗ୍ରନ୍ଥରେ ପାଲି ଭାଷା ସହ ପୈଶାଚୀ ଭାଷାର ଘନିଷ୍ଠତା ସମ୍ପର୍କରେ ଯୁକ୍ତି କରିଥିବାବେଳେ ପାଲି ମଗଧର ଭାଷା ନୁହେଁ ବୋଲି ଦୃଢ଼ ମତ ଉପସ୍ଥାପନ କରିଛନ୍ତି । ପାଲି ଗବେଷକ ହରମାନ ଓଲଡ଼େନ୍‌ବର୍ଗଙ୍କ ଦ୍ୱାରା ସଂପାଦିତ ଓ ସଂକଳିତ ‘ବିନୟପାଟକ’ ପ୍ରଥମ ଭାଗ ମୁଖବନ୍ଧରେ ପାଲିକୁ କଳିଙ୍ଗରଭାଷା ବୋଲି ଯୁକ୍ତି କରିଛନ୍ତି । ତାଙ୍କ ମତରେ ତ୍ରିପିଟକ ଯେ ପାଲିଭାଷାରେ ରଚିତ ତାହା ପ୍ରଥମେ ସିଂହଳରୁ ଜଣାଯାଏ । କଳିଙ୍ଗ ସହିତ ସିଂହଳ ଅତି ଘନିଷ୍ଠ ସମ୍ପର୍କ ଥିଲା । କଳିଙ୍ଗର ବଣିକ ସହାୟତାରେ କଳିଙ୍ଗର ବୋଇତରେ କଳିଙ୍ଗର ତାମ୍ରଲିପ୍ତି ବନ୍ଦର ଦେଇ ସଂଘମିତ୍ରା ଓ ମହେନ୍ଦ୍ର ସିଂହଳ ଯାଇଥିଲେ ବୌଦ୍ଧଧର୍ମ ପ୍ରଚାର ଓ ପ୍ରସାର ପାଇଁ । ଏମାନଙ୍କ ସହିତ କଳିଙ୍ଗର ସମ୍ଭ୍ରାନ୍ତ ପରିବାରମାନଙ୍କ ମଧ୍ୟରୁ ଯାଇଥିଲେ ୧୮ ଜଣ ରାଜପୁରୁଷ, ୧୮ ଜଣ ସମ୍ଭ୍ରାନ୍ତ ବ୍ୟକ୍ତି, ୮ ଜଣ ବ୍ରାହ୍ମଣ, ୮ ଜଣ ସାଧବ କେତେକ ତନ୍ତୀ, କୁମ୍ଭାର, ଚାଷୀ ଇତ୍ୟାଦି । ସାଥିରେ ନେଇଥିଲେ ତ୍ରିପିଟକ । ତେବେ ଏହି ଘଟଣାକୁ ବିଶେଷ ଗୁରୁତ୍ୱ ନ ଦେଇ ହର୍ମନା ଧଉଳି ଓ ଉଦୟଗିରି ଅଭିଲେଖର ଭାଷାକୁ ବିଶ୍ଲେଷଣ କରି ସେ ସମୟରେ ପ୍ରଚଳିତ ଏହି କଳିଙ୍ଗର ଭାଷା ସିଂହଳର ଆବିଷ୍କୃତ ପାଲିଭାଷାରେ ଲିଖିତ ତିପ୍ରିଟକର ଭାଷା ସହ ସାମ୍ୟ ରଖୁଥିବାରୁ କଳିଙ୍ଗ ଜନସାଧାରଣଙ୍କର ମୁଖର ଭାଷା ପାଲି ବୋଲି ସେ ପ୍ରମାଣିତ କରିଛନ୍ତି-। ତାଙ୍କର ଏହି ମତକୁ ବୌଦ୍ଧ ପଣ୍ଡିତ କାର୍ଣ୍ଣ ସମର୍ଥନ କରିଥିବାବେଳେ ଉଲନୁର ଏହା ମଗଧର ଭାଷା ବୋଲି ପ୍ରତ୍ୟାଖ୍ୟାନ କରି ବରଂ କଳିଙ୍ଗର ଭାଷା ବୋଲି ତାଙ୍କ ପୁସ୍ତକ ‘‘ଇଣ୍ଟ୍ରୋଡ଼୍‌କ୍ସନ ଟୁ ପ୍ରାକୃତ’ ‘ରେ ଦୃଢ଼ ଯୁକ୍ତ ଉପସ୍ଥାପନ କରିଛନ୍ତି ।

 

ଶବ୍ଦଗଠନ ଦୃଷ୍ଟିରୁ ଆଲୋଚନା କଲେ ଜଣାଯାଏ ଯେ, ଓଡ଼ିଆ ଭାଷାର ବ୍ୟାକରଣିକ ପଦ୍ଧତି ପାଲି ସହ ତୁଳନୀୟ । ଯଥା-

 

୧.

ପାଲି ଶ, ଷ, ସ ସ୍ଥାନରେ କେବଳ ‘‘ସ’’ର ପ୍ରୟୋଗ ରହିଛି, ଯାହା ପ୍ରାଚନୀ ଓଡ଼ିଆ ସାହିତ୍ୟରେ ଦେଖିବାକୁ ମିଳେ ।

୨.

ପାଲିରେ ‘‘ଅୟ’’ ସ୍ଥାନରେ ‘‘ଏ’’ ଏବଂ ‘‘ଅବ’’ ସ୍ଥାନରେ ‘‘ଓ’’ ହୋଇଥାଏ । ଯଥା ତ୍ରୟୋଦଶ>ତେରସ, ଲବଣ>ଲୋଣ (ଲୋଣ କଉଡ଼ି ସୁଳକ ନ୍ୟାଯ୍ୟ ଛାଡ଼ିଲି ଛାଡ଼ିଲି-ପୁରୀ ଜୟ ବିଜୟ ଦ୍ୱାରର ବାମପାର୍ଶ୍ଵରେକପିଳେନ୍ଦ୍ର ଦେବଙ୍କ ୪ର୍ଥ ଅଙ୍କରେ ଖୋଦିତ ୨ ନମ୍ବର ଶିଳାଲେଖ ।)

୩.

ପାଲିରେ ବିସର୍ଗର ବ୍ୟବହାର ସଂସ୍କୃତ ଭଳି ନାହିଁ । ସଂସ୍କୃତ ଅକାରାନ୍ତ ପଦର ଅନ୍ତସ୍ଥବିସର୍ଗ ସ୍ଥାନରେ ‘‘ଐ’’ କାର ସହିତ ‘‘ଓ’’କାର ହୋଇଥାଏ । ଯଥା କଃ>କୋ>କେ, ଅଗ୍ନିଃ>ଅଗ୍‌ଗି>ଅଗି ।

୪.

ପାଲି ପଦର ମଧ୍ୟ ବା ଶେଷରେ ‘‘ଥ୍ୟ’’ ସ୍ଥାନରେ ‘‘ଚ୍ଛ’’ ଓ ‘‘ଦ୍ୟ’’ ସ୍ଥାନରେ ‘‘ଜ୍ଜ’’, ‘‘ଷ୍ଟ’’ ସ୍ଥାନରେ ‘‘ଟଠ୍‌’’, ‘‘ତ୍ସ’’ ସ୍ଥାନରେ ‘‘ଚ୍ଛ’’ ‘‘ଶ୍ଚ’’ ସ୍ଥାନରେ ‘‘ଚ୍ଛ’’ ଏବଂ ‘‘ଧ୍ୟ’’ ସ୍ଥାନରେ ‘‘ଝ’’ ହୁଏ । ଯଥା- ମିଥ୍ୟା>ମିଚ୍ଛା>ମିଛ, ଅଦ୍ୟ>ଅଜ୍ଜ>ଆଜି, ଅଷ୍ଟ>ଅଟଠ୍‌>ଆଠ, ମତ୍ସ>ମଚ୍ଛ>ମାଛ, ପଶ୍ଚାତ୍‌>ପଚ୍ଛା>ପଛ, ସିଧ୍ୟତି>ସିଜ୍‌ଝତି>ସିଝଇ ଇତ୍ୟାଦି ।

୫.

ପଦର ପ୍ରଥମ ବର୍ଣ୍ଣରେ ‘‘ବ’’ କାର ଲୋକ ପାଇଥାଏ । ଯଥା-ଜ୍ୱଳତି>ଜଳତି>ଜଳଇ, ଦ୍ୱୀପ>ଦୀପୋ>ଦୀପ ଇତ୍ୟାଦି ଇତ୍ୟାଦି ।

 

ଏହିପରି ଭାବରେ ବହୁ ଓଡ଼ିଆଶବ୍ଦ ପାଲିଭାଷାର ଯେତେ ନିକଟତର, ତାହା ଅନ୍ୟ କୌଣସି ଭାଷା ସହିତ ନାହଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସଂସ୍କୃତ ଭାଷାର ପରବର୍ତ୍ତୀ ବିକଶିତରୂପ ପାଲି ବୋଲି ଇଂରେଜ ବିଦ୍ୱାନଙ୍କ ମତକୁ ଆଜିପର୍ଯ୍ୟନ୍ତ ବହୁ ଭାରତୀୟ ଗ୍ରହଣ କରିଆସିଥିବାରୁ ଏମାନଙ୍କ ଦୃଷ୍ଟିରେ ପାଲି ଏକ ସ୍ଵତନ୍ତ୍ର ଭାଷା ନୁହେଁ । ସଂସ୍କୃତଭାଷା ବିକାଶ ପରିପ୍ରେକ୍ଷୀରେ ପାଲି>ପ୍ରାକୃତ>ଅପଭ୍ରଂଶରୁ ଆଧୁନିକ ଭାରତୀୟ ଭାଷାର ସୃଷ୍ଟି । ଏହି ଯୁକ୍ତିବଳରେ ଓଡ଼ିଆ ଭାଷା ପାଲି ସହ ସମ୍ବନ୍ଧ ଥିବାରୁ ମୂଳଭାଷା ନିଶ୍ଚିତଭାବେ ସଂସ୍କୃତ ବୋଲି ଏମାନେ ପ୍ରମାଣ କରିଥାନ୍ତି । ମାତ୍ର ଏହି ଯୁକ୍ତି କରୁଥିବା ବିଦ୍ଵାନଗଣ ‘‘ଗଛ ଆଗ ନା ମଞ୍ଜି ଆଗ’’ ନ୍ୟାୟରେ ସଂସ୍କୃତ ଆଗ ନା ପାଲି ଆଗ- ତାହା ବୁଝିବା ଉଚିତ । କାରଣ ସଂସ୍କୃତ ଭାଷାର ଆଦିସ୍ତର ହେଲା ବୈଦିକ ସାହିତ୍ୟ । ଅଥଚ ଏହି ସାହିତ୍ୟ-ସଭ୍ୟତା ପୂର୍ବରୁ ଭାରତର ସିନ୍ଧୁନଦୀ କୂଳରେ ଏକ ଉନ୍ନତ ସଭ୍ୟତା ଥିଲା । ଏହି ସଭ୍ୟତାର ମଧ୍ୟ ଲୋକପ୍ରଚଳିତ ଭାଷା ଥିଲା । ଅର୍ଥାତ୍‌ବୈଦିକ ସଂସ୍କୃତ ପୂର୍ବରୁ ଭାରତରେ ଏକ ସମୃଦ୍ଧ ଭାଷା ଓ ଲିପି ଥିଲା । ଏହା କେଉଁ ଭାଷା ଓ କେଉଁ ଲିପିକୁ ଆଧାର କରି ପରିବର୍ଦ୍ଧିତ ହୋଇଥିଲା, ତାହା ଏ ପର୍ଯ୍ୟନ୍ତ ନିରୂପିତ ହୋଇପାରି ନାହିଁ । ବର୍ତ୍ତମାନର ବିଭିନ୍ନ ଆଦିବାସୀ ଭାଷା ବହୁକାଳରୁ ବିନା ଲିପି, ବ୍ୟାକରଣରେ ଜୀବିତ ଥିବା ପରି ସାଧାରଣ ଜନତାଙ୍କ ପାଲି ବା ପଲ୍ଲୀଭାଷା ଦୀର୍ଘଦିନ ଧରି ଉଚ୍ଚାରିତ ହୋଇ ଆସୁଥିବାବେଳେ ଖ୍ରୀ:ପୂ: ଷଷ୍ଠଶତାବ୍ଦୀ ବେଳକୁ ମହାତ୍ମା ବୁଦ୍ଧଦେବ ଜନସାଧାରଣଙ୍କ ଭାଷା ବା ପଲ୍ଲୀଭାଷାରେ ବୌଦ୍ଧଧର୍ମ ପ୍ରଚାର କରିବାକୁ ଶିଷ୍ୟଗଣଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ଏହାର ଲୋକପ୍ରିୟତା ବୃଦ୍ଧି ପାଇଲା । ଅଶୋକଙ୍କ ସମୟରେ ପାଲିଭାଷା ବ୍ରାହ୍ମଲିପି ମାଧ୍ୟମରେ ବ୍ୟାପକଭାବେ ଆତ୍ମପ୍ରକାଶ କଲା । ଅଲିଖିତ ବୈଦିକ ସଂସ୍କୃତ ମଧ୍ୟ ଖ୍ରୀ:ପୂ: ଷଷ୍ଠ ଶତାବ୍ଦୀଠାରୁ ଦୀର୍ଘ ଏକ ହଜାର ବର୍ଷ ଧରି ବ୍ରାହ୍ମୀଲିପିର ଆଶ୍ରୟ ନେଇଥିଲା । ତେଣୁ ବ୍ରାହ୍ମୀଲିପି ଆଶ୍ରିତ ଏହି ଦୁଇଭାଷା ମଧ୍ୟରେ କିଏ ପ୍ରାଚୀନ ତାହା ପ୍ରମାଣ ନ କରି ସଂସ୍କୃତକୁ ଆଦିଭାଷାର ମାନ୍ୟତା ଦେବା ଅନ୍ଧର ହାତଲେଖା କଥା ସହ ସମାନ ।

 

ଭାଷାତତ୍ତ୍ୱ ଦୃଷ୍ଟିରୁ ବିଚାର କଲେ ଦେଖାଯିବ ଯେ, ଓଡ଼ିଆ ଭାଷାରେ ପ୍ରଚଳିତ ଶବ୍ଦ ଓ ବାକ୍ୟ ଗଠନ ଶୈଳୀ ସଂସ୍କୃତ ଅପେକ୍ଷା ଦ୍ରାବିଡ଼ ବା ଆଦିବାସୀ ଭାଷାର ଅଧିକ ନିକଟବତ୍ତୀ ଏବଂ ୬୨ ପ୍ରକାରର ଜନଜାତି ସମୁଦାୟ ଜନସଂଖ୍ୟାର ଅର୍ଦ୍ଧାଧିକ (ବର୍ତ୍ତମାନ ୧୭+୨୩=୫୦) ହେଉଛନ୍ତି ଆଦିବାସୀ । ତେଣୁ ଓଡ଼ିଆ ଭାଷା ଆଦିବାସୀ ଭାଷାରୁ ସୃଷ୍ଟି ବୋଲି ମତ ଅଧିକ ଯୁକ୍ତିଯୁକ୍ତ ହେବ । କିନ୍ତୁ ଏହା ଗ୍ରହଣଯୋଗ୍ୟ ନୁହେଁ । ଏହି ମର୍ମରେ ତୃତୀୟ/ଚତୁର୍ଥ ଶତାବ୍ଦୀରେ ବିକଶିତ ସଂସ୍କୃତଭାଷାକୁ ଓଡ଼ିଆ ଭାଷାର ଜନନୀ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ । କାରଣ ଓଡ଼ିଆ ଭାଷାରେ ବ୍ୟବହୃତ କିଛି ସଂସ୍କୃତ ଶବ୍ଦ ଓ ଇଂରେଜପାଦ୍ରୀଙ୍କ କୃପା ପାଇବା ପାଇଁ ବିଶ୍ୱମ୍ବରବିଦ୍ୟାବାଗୀଶ ଭଳି କେତେକ ସଂସ୍କୃତ ପଣ୍ଡିତଙ୍କ ଦ୍ଵାରା ଅନୁବାଦିତ ସଂସ୍କୃତ ବ୍ୟାକରଣକୁ ଓଡ଼ିଆ ବ୍ୟାକରଣ କହି ସଂସ୍କୃତକୁ ଓଡ଼ିଆ ଭାଷାର ଜନନୀ ଭାବେ ପ୍ରମାଣ କରିବା ଯଥେଷ୍ଟ ନୁହେଁ-। ଓଡ଼ିଆ ଭାଷାର ସ୍ଵତନ୍ତ୍ର ବ୍ୟାକରଣ ନିୟମ ରହିଛି, ଯାହା ସଂସ୍କୃତ ନିୟମଠାରୁ ଭିନ୍ନ । ସଂସ୍କୃତଭାଷା ମଧ୍ୟ ବହୁ ଓଡ଼ିଆ ଶବ୍ଦକୁ ଗ୍ରହଣ କରିଛି ଓ ବୈଦିକ ସଂସ୍କୃତ ସହିତ ବର୍ତ୍ତମାନ ର ସଂସ୍କୃତ ଭଳି ଓଡ଼ିଆଭାଷାର ସମ୍ବନ୍ଧ ରହିଛି । ଏପରିକି ପ୍ରାରମ୍ଭିକ କାଳରେ ବ୍ରାହ୍ମୀଲିପି ମାଧ୍ୟମରେ ସଂସ୍କୃତ ଭଳି ଓଡ଼ିଆଭାଷା ପଲ୍ଲୀ ବା ପାଲି ଭାଷା ରୂପରେ ନିଜକୁ ପରିପ୍ରକାଶ କରିଛି । ପୁନଶ୍ଚ କୌଣସି ଭାଷାରେ ଅନ୍ୟ ଭାଷାର କେତୋଟି ଶବ୍ଦ ପ୍ରଚଳନ ହୋଇଗଲେ ଉଭୟ ଭାଷା ସଂପର୍କ ମାଆ-ଝିଅର ସଂପର୍କ ହୁଏନାହିଁ । ଯଦି ତାହାହୁଏ, ତେବେ ଭା-ରୋପିୟ ଭାଷା ଅନ୍ତର୍ଭୁକ୍ତ ଇଂରାଜୀ ଶବ୍ଦର ବହୁଳ ବ୍ୟବହାର ଦେଖି ଆମର ୧୦୦୦ବର୍ଷ ପରବର୍ତ୍ତୀ ପିଢ଼ୀ ଇଂରାଜୀକୁ ସମସ୍ତ ଭାରତୀୟ ଭାଷାର ଜନନୀ ବୋଲି କହିବେ । ତେଣୁ ଓଡ଼ିଆ ଭାଷା ସଂସ୍କୃତରୁ ଜନ୍ମ ନୁହେଁ, ଏହା ଏକ ମୌଳିକ ଭାଷା । ଏହା ସଂସ୍କୃତ, ଦ୍ରାବିଡ଼ କିମ୍ବା ଆଦିବାସୀ ଭାଷାରୁ ଆସିନାହିଁ । ସଂସ୍କୃତ ତଥା ଅନ୍ୟନ୍ୟା ଭାଷାପରି ଓଡ଼ିଆ ଭାଷା ନିଜର କ୍ରମ ବିକାଶ ପଥରେ ଅଗ୍ରସର ହୋଇ ଦଳଗତ ଜୀବନ ଯାପନ, ବାଣିଜ୍ୟ ଓ ପ୍ରଶାସନ କାରଣରୁ ସଂସ୍କୃତ, ଦ୍ରାବିଡ଼, ଗ୍ରୀକ୍, ଲାଟିନ୍‌ଆଦି ବିଭିନ୍ନ ଦେଶୀ ବିଦେଶୀ ଶବ୍ଦପୁଞ୍ଜକୁ ଗ୍ରହଣ କରିଛି । ଏହି ଭାଷା ବ୍ୟବହାର ହେଉଥିବା ମାଟି ଉପରେ ଗତ ୨୦୧୦ ବର୍ଷ ମଧ୍ୟରୁ ୧୩୦ ବର୍ଷ ଓଡ଼ିଆ (୧୪୩୮-୧୫୬୮) ଓ ବାକି ୧୮୮୦ବର୍ଷ ଅନ୍ୟ ଭାଷାର ରାଜତ୍ଵ (୧୪୪୦ ବର୍ଷ ସଂସ୍କୃତ, ୨୮୫ ବର୍ଷ ପାର୍ଶୀ, ୯୫ ବର୍ଷ ଇଂରାଜୀ ତଥା ୧୯୪୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଇଂରାଜୀ ଓ ହନ୍ଦୀ ଭାଷା ମିଶ୍ରିତ) ଦେଖିବାକୁ ମିଳେ । ସର୍ବାଧିକ ପ୍ରଶାସନିକ ଭାଷା ଭାବେ ବ୍ୟବହୃତ ସଂସ୍କୃତ କୁଶାଣ ଶାସନ ସମୟରୁ ଓଡ଼ିଶା ଶାସକଙ୍କ ଶାସନ ଭାଷା (ମୁସଲମାନ ଶାସନ କାଳରେ ପାର୍ଶୀ ଓ ବର୍ତ୍ତମାନର ଇଂରାଜୀଭାଷା ପରି) ହୋଇପଡ଼ିବାରୁ ଧିରେଧିରେ ସାଧାରଣ ଓଡ଼ିଆଙ୍କଦ୍ୱାରା ବ୍ୟବହୃତ ମୂଳ ଗ୍ରାମାଞ୍ଚଳ ଓଡ଼ିଆ ବା ପଲ୍ଲୀ (ପାଲି) ଶବ୍ଦର ଉଚ୍ଚାରଣ ଓ ଲିଖନରେ ପରିବର୍ତ୍ତନ ଘଟି ରାଜଭାଷା ସଂସ୍କୃତ ପ୍ରଭାବିତ ନୂଆ ଓଡ଼ିଆ ଶବ୍ଦ ସୃଷ୍ଟି ହେଲା । କପିଳେନ୍ଦ୍ରଦେବ ଭଳି ଓଡ଼ିଆରାଜାଙ୍କ ହାତକୁ ଶାସନ କ୍ଷମତା ଆସିବାପରେ ଓଡ଼ିଆଭାଷା ସ୍ଵୟଂସଂପୂର୍ଣ୍ଣ ରୂପ ପାଇବା ସହ ସାରଳା, ବଳରାମ, ଜଗନ୍ନାଥ, ଉପେନ୍ଦ୍ର, ଅଭିମନ୍ୟୁଙ୍କ ଭଳି କୃତି ସନ୍ତାନଙ୍କ ହାତରେ ନୂଆନୂଆ ଓଡ଼ିଆଶବ୍ଦ ଗଠନ ପୂର୍ବକ ସଂସ୍କୃତ ସମାନ ବିପୁଳ ସାହିତ୍ୟିକ ସମ୍ଭାର ସୃଷ୍ଟି ହୋଇ ଏହାର ମର୍ଯ୍ୟାଦା ବୃଦ୍ଧିପାଇଲା । ତେଣୁ ଓଡ଼ିଆଭାଷାର ଯଦି ଦୃଢ଼ ଭିତ୍ତିଭୂମି ନ ଥାଆନ୍ତା, ହଠାତ୍‌ଏଭଳି ସାହିତ୍ୟ ଆତ୍ମପ୍ରକାଶ କରିଥାନ୍ତା କି ? କପିଳେନ୍ଦ୍ର ପ୍ରମାଣ କରିଦେଲେ ଯେ, ଓଡ଼ିଆଙ୍କଦ୍ୱାରା କେବଳ ଓଡ଼ିଶାର, ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ଘଟିବନାହିଁ, ବରଂ ଓଡ଼ିଆଭାଷା, ସାହିତ୍ୟର ମଧ୍ୟ ଭୂୟୋବିକାଶ ଘଟିବ ।

 

(୨)

 

ଭାରତର ସର୍ବପ୍ରାଚୀନ ଲିଖିତ କାବ୍ୟ ତଥା ପ୍ରଥମ ଓଡ଼ିଆ ସାହିତ୍ୟ-ଓଡ଼ିଆଜାତି ସଂପର୍କରେ ସର୍ବପ୍ରାଚୀନ ପ୍ରାମାଣ ଭାବେ ପାଣିନୀଙ୍କ ‘‘ଅଷ୍ଟାଧ୍ୟାୟୀ’’ ଗ୍ରନ୍ଥ (ଖ୍ରୀ.ପୂ.ଷଷ୍ଠ ଶତାବ୍ଦୀ)କୁ ଗ୍ରହଣ କରାଗଲେ ମଧ୍ୟ, ଓଡ଼ିଆ ଭାଷାର ଏ ପର୍ଯ୍ୟନ୍ତ ଆବିଷ୍କୃତ ସର୍ବପ୍ରାଚୀନ ଲିଖିତ ରୂପ ଧଉଳି ଓ ଜଉଗଡ଼ଠାରେ ମଗଧ ସମ୍ରାଟ୍‌ଅଶୋକଙ୍କଦ୍ଵାରା ସ୍ଥାପିତ ଦୁଇଟି ବୃହତ ଶିଳାଲେଖରେ ସ୍ଥାନ ପାଇଥିଲା । କିନ୍ତୁ ଏହି ଦୁଇଟି ଶିଳାଲେଖ ରାଜାଦେଶ ବହନ କରିଥିବାରୁ ଏଥିରେ ଓଡ଼ିଆ ସାହିତ୍ୟ ଅପେକ୍ଷା କେବଳ ଓଡ଼ିଆ ଭାଷା ଓ ଲିପିର ଆଦ୍ୟ ପ୍ରମାଣ ଭାବେ ଗ୍ରହଣ କରାଯାଇପାରେ । ଏହାପରେ ଶିଳାଲେଖଟି ହେଉଛି ହାତୀଗୁମ୍ଫା ଶିଳାଲେଖ । ଯେହେତୁ ଏହି ଶିଳାଲେଖରେ ଲେଖକଙ୍କ ନାମୋଲ୍ଲେଖ ନାହିଁ, ତେଣୁ ଓଡ଼ିଆ ସାହିତ୍ୟର ପ୍ରଥମ ସୃଷ୍ଟି ଭାବେ ହାତୀଗୁମ୍ଫା ଶିଳାଲେଖକୁ ନେଇପାରିବା । ଆଜି ପ୍ରତ୍ୟେକ ଓଡ଼ିଆ ଗର୍ବ କରିବା ଉଚିତ ଯେ ଓଡ଼ିଆଜାତି ସମଗ୍ର ଭାରତବର୍ଷକୁ କେବଳ ବାଣିଜ୍ୟିକ କଳା ଶିଖାଇ ନାହିଁ, ବରଂ ଭାରତର ପ୍ରଥମ ଲେଖକଜାତି ଭାବରେ ପଥର ଦେହରେ ସାହିତ୍ୟ ସୃଷ୍ଟିକରି ପରବର୍ତ୍ତୀ ଶାସକଙ୍କ ପଥ ପ୍ରଦର୍ଶକ ସାଜିଛି । ଯଦିଓ ଖାରବେଳଙ୍କ ପୂର୍ବରୁ ଅଶୋକଙ୍କ ବହୁ ଶିଳାଲେଖ ଦେଖିବାକୁ ମିଳେ, ମାତ୍ର ସେସବୁ ଅଶୋକଙ୍କ ନିର୍ଦ୍ଦେଶ କଠୋର, ରୁକ୍ଷ କିମ୍ବା କଥନ ଶୈଳୀରେ ରଚିତ, ହାତୀଗୁମ୍ଫା ଶିଳାଲେଖପରି କାନ୍ତକୋମଳ ଲାଳିତ୍ୟ ସାହିତ୍ୟିକ ଭାଷାରେ ନୁହେଁ । ଏହି ଶିଳାଲେଖର ବୈଶିଷ୍ଟ୍ୟ ହେଲା ସଂସ୍କୃତ କାବ୍ୟ ରଚନା ପାଇଁ ଅନୁସୃତ ନିୟମାନୁସାରେ ରଚିତ । ଯଥା-

 

‘‘ସଦ୍‌ବଂଶଃ କ୍ଷତ୍ରିୟୋ ବ<ପି ଧୀରୋଦାତ୍ତଃଗୁଣନ୍ୱିତଃ ।

ଏକବଂଶଭବା ଭୂପାଃ କୁଳଜା ବହବୋ<ପିବା ।।

 

ଶୃଙ୍ଗାରବୀରଶାନ୍ତାନାମୋକୋ<ଙ୍ଗୀ ରସ ଇଷ୍ୟତେ ।

ଅଙ୍ଗାନି ସର୍ବେ<ପି ରସାଃ ସର୍ବେ ନାଟକସନ୍ଧୟଃ ।।

 

ଇତିହାସୋଦ୍ଭବଂ ବୃତ୍ତମନନ୍ୟଦ୍‌ବା ସଜ୍ଜନାଶ୍ରୟମ୍‌।

ଚତ୍ୱାରସ୍ତସ୍ୟ ବର୍ଗାଃ ସ୍ତ୍ୟୁସ୍ତେଷ୍ଣେକଂ ଚ ଫଳଂ ଭବେତ ।।

 

ଆଦୌ ନଗମସ୍ତିୟାଶୀର୍ବା ବସ୍ତୁ ନିର୍ଦ୍ଦେଶ ଏବ ବା ।

କୃଚିନ୍ନିନ୍ଦା ଖଳାଦୀନାଂ ସତାଂ ଚ ଗୁଣକୀର୍ତ୍ତନମ ।।’’

 

‘‘ଅର୍ଥାତ୍‌ସେହି ରଚନାକୁ କାବ୍ୟ କହିବା, ଯାହର ନାୟକ ଧୀରୋଦାତ୍ତ ଗୁଣଯୁକ୍ତ ଜଣେ କୁଳୀନ କ୍ଷତ୍ରିୟ ହୋଇଥିବ । ଶୃଙ୍ଗାର, ବୀର ଓ ଶାନ୍ତ ରସ ଭିତରୁ ଗୋଟିଏ ମୁଖ୍ୟ ରସ ଓ ଅନ୍ୟ ସବୁ ଗୌଣରସ ଭାବରେ ଥିବ । ନାଟକର ସମସ୍ତ ସନ୍ଧି, ଐତିହାସିକ କଥା ବା ଅନ୍ୟ କିଛି ସଜ୍ଜନ ବୃତ୍ତାନ୍ତ ରହିବ । ଏଥିରେ ଚାରି ବର୍ଗ-ଧର୍ମ, ଅର୍ଥ, କାମ ଓ ମୋକ୍ଷ ବର୍ଣ୍ଣନା ଥିଲେ ମଧ୍ୟ ଏଥିରୁ ଯେକୌଣସି ଗୋଟିଏ ମୁଖ୍ୟ ଫଳ ଭାବରେ ବର୍ଣ୍ଣିତ ହୋଇଥିବ । ଆରମ୍ଭରେ ନମସ୍କାରାତ୍ମକ, ଆଶୀର୍ବାଦାତ୍ମକ କିମ୍ବା ବସ୍ତୁନିର୍ଦ୍ଦେଶାତ୍ମକ, ମଙ୍ଗଳାଚରଣ ସହିତ ଖଳନିନ୍ଦା, ସାଧୁସ୍ତୁତି ଉଲ୍ଲେଖ ରହିବ ।’’ କାବ୍ୟ ରଚନା ସଂପର୍କରେ ଥିବା ଏହି ନିୟମ ଖାରବେଳ କିନ୍ତୁ ବହୁ ପୂର୍ବରୁ ପାଳନ କରିଥିଲେ ହାତୀଗୁମ୍ଫା ଶିଳାଲେଖ ରଚନା କରିବା ସମୟରେ । ଯାହାକୁ ପରବର୍ତ୍ତୀ କାଳରେ ଅନୁସରଣ କରିଥିଲେ ରୂଦ୍ରଦମନ (ଗିରିନାର ଲେଖ-ଖ୍ରୀ.ଅ. ୧୫୦), ସମୁଦ୍ରଗୁପ୍ତ (ପ୍ରୟାଗ ଶିଳାଲେଖ-ଖ୍ରୀ.ଅ. ୩୬୫) କୁମାରଗୁପ୍ତ (ମନ୍ଦାସୋର ଶିଳାଲେଖ-ଖ୍ରୀ ୪୭୩) ଇତ୍ୟାଦି ଯୋଦ୍ଧାଗଣ ସ୍ଵକିର୍ତ୍ତୀକୁ ସଂସ୍କୃତ ଭାଷାରେ କାବ୍ୟିକ ଢଙ୍ଗରେ ନିର୍ଜୀବ ପଥରଦେହରେ ରଚନା କରି-। ଓଡ଼ିଆ ସାହିତ୍ୟର ଏହି ଲେଖନୀଗତ କ୍ରମବିକଶିତ ଧାରା ଖାରବେଳଙ୍କପରେ ବନ୍ଦ ହୋଇ ନ ଥିଲା । ପରବର୍ତ୍ତୀ ଓଡ଼ିଆ ଯୋଦ୍ଧା ଶତୃଭଂଜଙ୍କ ବିଜୟବାର୍ତ୍ତା ବହନ କରିଥିବା କେନ୍ଦୁଝରସ୍ଥ ଅସନପାଟ ଶିଳାଲେଖଠାରୁ ଆରମ୍ଭ କରି ଷୋଡ଼ଶ ଶତାବ୍ଦୀରେ ମୁକୁନ୍ଦଦେବଙ୍କଦ୍ୱାରା ସୀମାଞ୍ଚଳମ୍‌ର ଲକ୍ଷ୍ମୀନରସିଂହ ମନ୍ଦିରରେ ଖୋଦିତ ଶିଳାଲେଖ ଇତ୍ୟାଦି ଏହାର ସମୁଜ୍ଜ୍ୱଳ ଦୃଷ୍ଟାନ୍ତ । ପ୍ରାରମ୍ଭରେ ଏହିସବୁ ଶିଳାଲେଖ ପାଲିରୁ ସଂସ୍କୃତକୁ ଗତିକରି ପରବର୍ତ୍ତୀକାଳରେ ପୂର୍ଣ୍ଣରୂପେ ସଂସ୍କୃତ ପ୍ରଭାବିତ ହୋଇ ମଧ୍ୟ ଓଡ଼ିଆତ୍ୱକୁ ହରାଇ ନାହଁ । ସେଥିପାଇଁ ଓଡ଼ିଆ ଭାଷା, ସାହିତ୍ୟ, ଲିପି ଓ ସଂସ୍କୃତି ଆଲୋଚନାର ମୂଖ୍ୟ ସ୍ରୋତ ଭାବେ ଏହି ସବୁ ଶିଳାଲେଖ ଏବଂ ତାମ୍ରପତ୍ରକୁ ଗ୍ରହଣ କରାଯାଇଛି ।

 

ତାଳପତ୍ର ପୋଥି ରଚନାରେ ଏ ଜାତି ଶ୍ରେଷ୍ଠ ଆସନର ଅଧିକାରୀ । କାରଣ ତାଳପତ୍ରରେ କେବଳ ପୁରାଣ ସାହିତ୍ୟ ନୁହଁ, ବରଂ ବିଭିନ୍ନ ଚୁକ୍ତି, ଶିଶୁ ଜନ୍ମ ହେବାର ସମସ୍ତ ବିବରଣୀ ବା ଜାତକ, ବିବାହ ପୂର୍ବରୁ ନିର୍ବନ୍ଧର ସମସ୍ତ ବିବରଣୀ (ଇସଲାମ ଧର୍ମର ନିକାହନାମା ଭଳି) ଆଦି ଏବେ ମଧ୍ୟ ଶିକ୍ଷିତ ଅଶିକ୍ଷିତ ପରିବାରରେ ଲେଖାଯାଉଛି । କାଗଜ-କଲମ ଯୁଗରେ କେତେକ ଏହାକୁ ଅନ୍ଧବିଶ୍ଵାସ କିମ୍ବା ଏଠାରେ ତାଳପତ୍ର ପ୍ରଚୁର ମିଳୁଥିବାରୁ ଏହିସବୁ କାର୍ଯ୍ୟରେ ବ୍ୟବହାର ହେଉଛି ବୋଲି ଆଜିର ଗବେଷକମାନେ କହିପାରନ୍ତି: ମାତ୍ର ଏ କଥା ସତ୍ୟ ଯେ, ପରଂପରାକୁ ସମ୍ମାନ ଦେବା, ଧର୍ମକୁ ବଞ୍ଚିବାର ଆଧାର ଭାବେ ବରଣ କରିଥିବା ଓଡ଼ିଆ ଜାତି ତାଳପତ୍ରକୁ ପବିତ୍ର କର୍ମର ଏକମାତ୍ର ମାଧ୍ୟମ ଭାବେ ଗ୍ରହଣ କରି ନିଜର ପ୍ରତ୍ୟେକ ଶୁଭାଶୁଭ କାର୍ଯ୍ୟର ଏକ ଅଙ୍ଗ ଭାବି ବ୍ୟବହାର କରୁଛି । ଯଦିଓ ବୈଜ୍ଞାନିକ ଦୃଷ୍ଟିରୁ ଏହା ଦୀର୍ଘକାଳ ସ୍ଥାୟୀ, ତେଣୁ ନିଜ ଅଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟର ଲିଖିତ ପ୍ରମାଣକୁ ଭବିଷ୍ୟତପାଇଁ ଏହି ସ୍ଥାୟିତ୍ୱକୁ ବରଣକରି ନେଉଛି ଏହି ଜାତିର ଦାୟାଦ । ଅତଏବ କେଉଁ ଅନାଦି କାଳରୁ ତାଳପତ୍ର ଏହି ଜାତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ଯାଇଛି । ତାଳପତ୍ରରେ ସାହିତ୍ୟ ରଚନା କରିବା ଓଡ଼ିଆ ପୁଅପାଇଁ କେବଳ ଏକ ମାଧ୍ୟମ ନୁହଁ, ଗୌରବ ମଧ୍ୟ । ସେଥିପାଇଁ ତାଳପତ୍ରକୁ ବିଭିନ୍ନ ଆୟତନରେ କାଟି ସୃକ୍ଷ୍ମାତିସୂକ୍ଷ୍ମ ଗୋଲାକାର ଅକ୍ଷରରେ ଲେଖିବାର କୌଶଳ ଆପଣେଇ ନେଇଥିଲା । ତାହା ହୋଇ ନ ଥିଲେ ଅଶୋକ, ଖାରବେଳ, ଶତୃଭଞ୍ଜଙ୍କ ସମୟର ସରଳରେଖାଯୁକ୍ତ ଓଡ଼ିଆଲିପି ବର୍ତ୍ତମାନର ସଂପୂର୍ଣ୍ଣ ଗୋଲାକାର ରୂପ ଧାରଣ ନ କରି ଭାରତର ଅନ୍ୟାନ୍ୟ ଭାଷାଭାଷୀଙ୍କ ଲିପି ପରି ସରଳ କିମ୍ବା ସାମାନ୍ୟ ବକ୍ରାକାର ହୋଇଥାଆନ୍ତା ।

 

ଧର୍ମ ଓ ସାହିତ୍ୟ ପରସ୍ପର ପ୍ରତି ନିର୍ଭରଶୀଳ । ଧର୍ମର ବହୁଳ ପ୍ରଚାର ଓ ପ୍ରସାର ପାଇଁ ଲୋକ ବୁଝିବାଭଳି ଢଙ୍ଗରେ ସାହିତ୍ୟ ରଚନା ପ୍ରତ୍ୟେକ ଧାର୍ମିକ ମତବାଦର ମୂଳଲକ୍ଷ୍ୟ ଥିବାବେଳେ, ଧର୍ମ ମାଧ୍ୟମରେ ନିଜର କଳେବର, ବିଷୟବସ୍ତୁ, ଲେଖକୀୟ ଶୈଳୀ, ଭାଷା ଆଦିରେ ପରିବର୍ତ୍ତନ ଆଣି ସାହିତ୍ୟ ନିଜର ଗତିକୁ ଚଳଚଞ୍ଚଳ କରିଥାଏ । ଫଳରେ ଭାଷା ସମୃଦ୍ଧ ଓ ସ୍ଥାୟୀ ହୁଏ । ତେଣୁ ଗୋଟିଏ ଜାତିର ଭାଷା ଓ ସାହିତ୍ୟ ସମୃଦ୍ଧିପାଇଁ ଧର୍ମର କିଛି ଭୂମିକା ରହିଛି । କିନ୍ତୁ ଏହି ଧର୍ମ ଅନ୍ୟ କେଉଁଠୁ ଆମଦାନୀ ହୋଇ ଆସିବା ଅପେକ୍ଷା ସେହିଜାତିର ମାଟି ଉପରେ ସୃଷ୍ଟି, ବିକାଶ କିମ୍ବା ପରିବର୍ଦ୍ଧିତ ହୋଇଥିବା ଆବଶ୍ୟକ । ଏହି ଦୃଷ୍ଟିକୋଣରୁ ଓଡ଼ିଆ ମଧ୍ୟ ପଛରେ ପଡ଼ିନାହିଁ । ଧାର୍ମିକ କ୍ଷେତ୍ରରେ ଓଡ଼ିଶାର ସର୍ବପ୍ରଥମ ଗୌରବାବହ ପରିଚୟ ହେଉଛି କଳିଙ୍ଗବାସୀଙ୍କ ପୂର୍ଣ୍ଣ ସହଯୋଗରେ ଲୁପ୍ତପ୍ରାୟ ବୌଦ୍ଧଧର୍ମ କଳିଙ୍ଗ ଯୁଦ୍ଧ ପରେ ସମଗ୍ର ଭାରତ ସମେତ ଦକ୍ଷିଣ-ପୂର୍ବ-ଉତ୍ତର ଏସିଆରେ ପୁନଃସ୍ଥାପିତ ହେବା । ଏହାପରେ ଜୈନ, ବ୍ରାହ୍ମଣ୍ୟ, ଗାଣପତ୍ୟ, ଶାକ୍ତ, ଶୈବଧର୍ମର ପ୍ରଚାର ଏବଂ ପ୍ରସାରକ୍ଷେତ୍ର ଏହିମାଟି ପାଲଟି ଯାଇଥିଲେ ମଧ୍ୟ ପୁଣିଥରେ ଲୋପ ପାଉଥିବା ବୌଦ୍ଧଧର୍ମକୁ ଜୀବନ୍ୟାସଦେବା ଉଦ୍ଦେଶ୍ୟରେ ସମ୍ବଳକ ବା ସମ୍ବଲପୁର ରାଜା ଇନ୍ଦ୍ରଭୂତି ଆଗେଇ ଆସିଲେ । ସେ ନିଜର ସ୍ଵକୀୟ ପ୍ରତିଭା ବଳରେ ତାନ୍ତ୍ରିକ ପଦ୍ଧତିଦ୍ଵାରା କଳୁଷିତ ମହାଯାନପନ୍ଥାରେ ସସ୍କାର ଆଣି ପଞ୍ଚଧ୍ୟାନୀବୁଦ୍ଧ ସାଧନା ପ୍ରଚଳନ କରିବାଦ୍ୱାରା ବଜ୍ରଯାନ ନାମକ ଏକ ଅଭିନବ ବୁଦ୍ଧପରିବାରର ଅଭ୍ୟୁଦୋୟ ବୌଦ୍ଧଧର୍ମରେ ଘଟିଲା-। ମାତ୍ର ନିଜ ସାନ ଭଉଣୀ ଓ ଶିଷ୍ୟା ଲକ୍ଷ୍ମୀଙ୍କରା ବଜ୍ରଯାନର ଆଦର୍ଶ ତ୍ୟାଗକରି କାୟା ସାଧନ ବା ଦେହପୂଜା ଉପରେ ଗୁରୁତ୍ୱ ଦେଇଥିଲେ । ତାଙ୍କ ମତରେ ଜପ, ତପ, ପୂଜା, ଧ୍ୟାନ ବଦଳରେ ମଣିଷ ଜନ୍ମ ସମୟରୁ ଥିବା ଗୁଣ ଓ ପ୍ରବୃତ୍ତିକୁ ଦମନ ନ କରି ତାର ଅଭିବୃଦ୍ଧି ଓ ସମ୍ଭୋଗରେ ହିଁ ସିଦ୍ଧିଲାଭ କରିପାରିବ । ଏହା ସିଦ୍ଧିଲାଭର ସହଜମାର୍ଗ ହୋଇଥିବାରୁ ଏହାକୁ ସହଜଯାନ କୁହାଯାଏ । ସେହିପରି ଇନ୍ଦ୍ରଭୂତିଙ୍କ ପାଳିତପୁତ୍ର ପଦ୍ମସମ୍ଭବ ଜାହୋର ବା କେନ୍ଦୁଝର ରାଜକନ୍ୟା ମନ୍ଦାରବାଙ୍କୁ ବିବାହ କଲାପରେ ସହଜଯାନ ସାଧନ କରି ନାଭିଗୟା ବିରଜାକ୍ଷେତ୍ରରେ ସିଦ୍ଧିଲାଭ କଲେ । ଏହି ସମୟରେ ତିଦ୍ଦତର ରାଜା ଖ୍ରୀ-ସ-ଦି-ତ୍‌ସାନ ସେଠାରେ ଥିବା କଳୁଷିତ ବନ୍‌ଧର୍ମ ବଦଳରେ ବୌଦ୍ଧଧର୍ମ ପ୍ରଚଳନପାଇଁ ପଦ୍ମସମ୍ଭବଙ୍କ ଶ୍ୟାଳକ ତଥା ନାଳନ୍ଦା ବିଶ୍ଵବିଦ୍ୟାଳୟର ପ୍ରଧାନ ପୁରୋଧା ଓ ଶିକ୍ଷକ ଶାନ୍ତରକ୍ଷିତଙ୍କୁ ଆମନ୍ତ୍ରଣ କଲେ । ମାତ୍ର ଶାନ୍ତରକ୍ଷିତ ପୃଥିବୀପ୍ରସିଦ୍ଧ ବୌଦ୍ଧପଣ୍ଡିତ ତଥା ଦାର୍ଶନିକ ଥିଲେ ମଧ୍ୟ ତାନ୍ତ୍ରିକ ନ ଥିବାରୁ ଏହିକାର୍ଯ୍ୟ ପଦ୍ମସମ୍ଭବ ଓ ମନ୍ଦରବା କରିପାରିବେ ବୋଲି ପରାମର୍ଶ ଦେଇଥିଲେ । ଉଭୟ ଦମ୍ପତି ତିଦ୍ଦତ ଆସି ଅଳ୍ପକାଳ ମଧ୍ୟରେ ତାନ୍ତ୍ରିକ ବନ୍‌ଧର୍ମାବଲମ୍ବୀଙ୍କୁ ବଶୀଭୂତ କରିବାସହ ସହଜଯାନ ଓ ବନ୍‌ଧର୍ମର ସମନ୍ୱୟରେ ଲାମାଧର୍ମ ସଂସ୍ଥାପନ କଲେ । ତିଦ୍ଦତରେ ଆଜି ଯେଉଁ ବିଶ୍ୱବିଖ୍ୟାତ ଲାମାଧର୍ମ ଏ ପର୍ଯ୍ୟନ୍ତ ବଞ୍ଚି ତିବ୍ଦତବାସୀଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି ଓ ଏହାର ଧାର୍ମିକଗୁରୁ ଭାବେ ଦଲାଇଲାମାଙ୍କୁ ସ୍ଵୀକାର କରାଯାଇଛି, ତାହାରି ମୂଳରେ ରହିଛି ଏହି ସହଜଯାନର ପ୍ରଭାବ । ଠିକ ସେହିଭଳି ଜଗନ୍ନାଥ ଧର୍ମ । ଏହି ଧର୍ମ ଓଡ଼ିଆ ଜନଜୀବନକୁ ଏଭଳି ଭାବେ ପ୍ରଭାବିତ କରିଥିଲା ଯେ, ବିଶିଷ୍ଟ ଶୈବଧର୍ମ ପ୍ରଚାରକ ତଥା ଅଦୈତ ମତବାଦର ପ୍ରତିଷ୍ଠାତା ଶଙ୍କରାଚାର୍ଯ୍ୟଙ୍କଠାରୁ ଆରମ୍ଭକରି ଭକ୍ତିଭାବର କାରୁଣ ମୂର୍ତ୍ତୀମନ୍ତ ପ୍ରତୀକ ଶ୍ରୀଚୈତନ୍ୟଙ୍କ ପର୍ଯ୍ୟନ୍ତ ଯେତେସବୁ ଧାର୍ମିକ ମତବାଦ ପ୍ରବକ୍ତା ଓ ପ୍ରଚାରକ ଓଡ଼ିଶା ମାଟିକୁ ଆସିଥିଲେ, ଏମାନେ ସମସ୍ତେ ନିଜକୁ ଜଗନ୍ନାଥଙ୍କ ନିକଟରେ ସମର୍ପଣ ପୂର୍ବକ ଜଗନ୍ନାଥୈକ ଚେତନାକୁ ସ୍ଵୀକାର କଲାପରେ ଓଡ଼ିଶାବାସୀ ଏମାନଙ୍କୁ ଗ୍ରହଣ କରୁଥିଲେ ଯାହା ଭାରତର ଅନ୍ୟ କୌଣସି ଭୂଖଣ୍ଡରେ ଏଭଳି ହେଉ ନ ଥିଲା । ଏହା ବ୍ୟତୀତ ମହିମାଧର୍ମ ଆଉ ଏକ ଯୁଗୋପଯୋଗୀ ମାନବୀୟ ଧର୍ମ । ମହିମା ଗୋସେଇଁଙ୍କ ନୂଆ ମତବାଦ ପ୍ରଚଳନ ଫଳରେ ଓଡ଼ିଆ ଧର୍ମଧ୍ଵଜୀଙ୍କଦ୍ୱାରା ଜାତିଭେଦକୁ ଜାତି-ବିବାଦରେ ପରିଣତ କରିବା ତଥା କୁଳୀନପ୍ରଥାନାମରେ କୁପ୍ରଥାକୁ ପ୍ରଶ୍ରୟ ଦେବା ମାନସିକତାରୁ ଦୂରେଇ ରହିବାସହ ଆଦିବାସୀଗଣ ମିଶନାରୀ ପାଦ୍ରୀଗଣଙ୍କଦ୍ୱାରା ପ୍ରଲୋଭିତ ହୋଇ ବହୁସଂଖ୍ୟାରେ ଖ୍ରୀଷ୍ଟିୟାନ ହେବା କଥା ବନ୍ଦ ହୋଇଗଲା । ଏହିପରି ଭାବରେ ଉପରୋକ୍ତ ଧର୍ମଗୁଡ଼ିକ ଓଡିଶାମାଟିରେ ଜନ୍ମଲାଭକରି ବିଶ୍ଵମାନବତାକୁ ନୂଆ ଦିଗ୍‌ଦର୍ଶନ ଦେଇନାହିଁ, ବରଂ ନୂଆନୂଆ ଚିନ୍ତାଧାରାର ସାହିତ୍ୟ ରଚିତ ହୋଇ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛି ।

 

ଓଡ଼ିଆ ସାହିତ୍ୟର ଆଦିରୂପ ‘‘ଚର୍ଯ୍ୟାଗୀତି’’ (ସପ୍ତମ ଶତାବ୍ଦୀରେ ସହଜଯାନପନ୍ଥୀ ବୌଦ୍ଧ ଚର୍ଯ୍ୟାକବିମାନଙ୍କଦ୍ୱାରା ରଚିତ ନିର୍ଗୁଣ ଭକ୍ତି କବିତା) ତାଳପତ୍ରରେ ରଚିତ । ଏହି ସାରସ୍ଵତ କୃତୀକୁ ପୂର୍ବାଞ୍ଚଳର ସମସ୍ତ ଭାଷାଭାଷୀ ସ୍ଵ-ସାହିତ୍ୟର ପ୍ରାଚୀନ ରୂପବୋଲି ଦାବି କରନ୍ତି । ମାତ୍ର ଏଥିରେ ବ୍ୟବହୃତ ହୋଇଥିବା କେତେକ ଶବ୍ଦକୁ ବୁଝି ନ ପାରି ଏହାକୁ ଅବୋଧ୍ୟ, ଅପ୍ରଚଳିତ କିମ୍ବା ବୌଦ୍ଧ ଯୁଗୀୟ ଶବ୍ଦ ଭାବେ ଏମାନେ ଗ୍ରହଣ କରିନେଇଛନ୍ତି । ଅଥଚ ଏହିସବୁ ଶବ୍ଦ ଓଡ଼ିଶାରେ ଏବେ ମଧ୍ୟ ଅବିକୃତ ଭାବେ ପ୍ରଚଳିତ । ଦୃଷ୍ଟାନ୍ତ ରୂପେ ବୌଦ୍ଧସିଦ୍ଧାଚାର୍ଯ୍ୟ ଗୁଣ୍ଡୁରୀପାଦଙ୍କ କବିତାରେ ବର୍ଣ୍ଣିତ-

 

ତିଅଡ୍ଡା ଚାପୀ ଜୋଇନି ଦେ ଅଙ୍କବାଳୀ

କମଳ କୁଳିଶ ପାଣ୍ଟ କରହୁ ବିଆଳୀ ।।

ଜୋଇନି ତଇଁ ବିନୁ ଖନହିଁ ନ ଜୀବମି ।

ତୋ ମୁହ ଚୁମ୍ବୀ କମଳ ରସ ପିବମି । ।

 

ଅର୍ଥାତ୍‌- “ହେ ବାଳିକା ଯୋଗିନୀ ତିନିନାଡ଼ି ଚାପିବାପାଇଁ ମୋତେ ତୋର କୋଳ ଦିଅ । ହେ ବିଆ-ବାଳୀ, କମଳ (ଯୌନାଙ୍ଗ)ରେ କୁଳିଶ (ବଜ୍ର ବା ପୁରୁଷାଙ୍ଗ) ଘାଣ୍ଟ ବା ରମଣ କରିବି । ହେ ଯୋଗିନୀ, ତାହା ବିନା କ୍ଷଣେମାତ୍ର ଜୀଇଁପାରିବିନି । ତୋ ମୁହଁ ଚୁମି କମଳ ରସ ପିଇବି (ଏବେ ବି ଗ୍ରାମାଞ୍ଚଳରେ ପିଇବି ବଦଳରେ ପିଇମି>ପିମି>ପିୱମି ଆଦି ଉଚ୍ଚାରିତ ହେଉଛି) । ଅନ୍ୟ ଅର୍ଥରେ କବି ବିଶୁଦ୍ଧ ଅବଧୂତିକାକୁ ଯୋଗିନୀ ରୂପରେ ଓ ନିଜକୁ ତାହାର ଉପପତି ଭାବରେ ବର୍ଣ୍ଣନା କରିଛନ୍ତି । ଲଳନା, ରସନା, ଅବଧୂତିକା (ଇଡ଼ା, ପିଙ୍ଗଳା, ସୁଷୁମ୍ନା) ନାଡୀ ତିନୋଟିକୁ ଚାପିଦେଇ ବନ୍ଦ କଲେ ନିଶ୍ଵାସ ପବନର ଗତି ବନ୍ଦ ହୁଏ । ସେତେବେଳେ ସାଧକ ନୈରାତ୍ମ୍ୟ ବା ମହାଶୂନ୍ୟର ଉପଲବ୍ଧି କରେ । ଫଳରେ ହୃଦୟ ମହାନନ୍ଦ ପାଇଥାଏ । ତେଣୁ କବି କମଳ ବାପଦ୍ମ ଓ କୁଳିଶ ବା ବଜ୍ରର ମିଳନରେଚିତ୍ତକୁ ଶୂନ୍ୟତାରେ ପୂର୍ଣ୍ଣକିରି ସହଜାନନ୍ଦ ଲାଭ କରୁଛନ୍ତି । ଏହି ଆନନ୍ଦ ବା ପରମ ସୁଖ ବିନା କ୍ଷଣେ ମାତ୍ର ବଞ୍ଚିବାକୁ ଚାହୁଁନାହାନ୍ତି । ମସ୍ତକରେ ଥିବା ଉଷ୍ମୀଷକମଳ ଚୁମ୍ବନ କରି ଆନନ୍ଦରସ ପାନ କରିବାକୁ (ସ୍ତ୍ରୀ ସମ୍ଭୋଗଠାରୁ ଅଧିକ ସୁଖ ଅନୁଭବ) ଇଚ୍ଛା କରିଛନ୍ତି-। ସେହିପରି ଅନ୍ୟ ଜଣେ ସିଦ୍ଧାଚାର୍ଯ୍ୟ ତାଡ଼କପାଦ ଲେଖିଛନ୍ତି- “ସନ୍ତାର ବା ଛୋଟ ନୌକାରେ ନଦୀ ପାର ହେବାବେଳେ ଘାଟିଆ ଘାଟ ମାହାସୁଲ ନ ଦେଇଥିବା ଲୋକଙ୍କ ଅଣ୍ଟି ଖୋସଣି ବା ପିନ୍ଧାଲୁଗା ଖୋଲି ପଇସାପତ୍ର ଅନ୍ୱେଷଣ କରିଥାଏ । ତେଣୁ ସେ ଗୋପନରେ ଲୋକଟିର, ଗୁପ୍ତଥିବା ପୁରୁଷାଙ୍ଗ ଦେଖିଥାଏ । କିନ୍ତୁ ଏ କଥା ପଥଚାରୀ ଜାଣିପାରି ନଥାଏ । ଯିଏ ଜାଣିପାରେ, ସେ ସହଜରେ ବଖାଣି ପାରେ ନାହିଁ, ତାହାର ଗଳା ବନ୍ଦ ହୋଇଯାଏ । ଏଣୁ ତାଡ଼କ କୁହେ : ତତ୍ତ୍ୱ ବୁଝିଲେ ମଧ୍ୟ ପ୍ରକାଶ କରିବା ଶକ୍ତିର ଅଭାବଯୋଗୁଁ ଅପ୍ରକାଶିତ ରହେ । କାରଣ ଏହା ଅନୁଭବର ବିଷୟ ।’’

 

ଉପରୋକ୍ତ ଦୃଷ୍ଟାନ୍ତ ଦୁଇଟି ସପ୍ତମ ଶତାବ୍ଦୀରେ ଲିଖିତ କବିତାରୁ ନିଆଯାଇଥିଲେ ମଧ୍ୟ ବର୍ତ୍ତମାନ ଯେକୌଣସି ଓଡ଼ିଆବ୍ୟକ୍ତି ବୁଝିବାରେ ଅସୁବିଧା ନାହିଁ । କାରଣ ଏଥିରେ ବ୍ୟବହୃତ ପ୍ରତ୍ୟେକ ଶବ୍ଦ ସହିତ ଓଡ଼ିଶାବାସୀ ପରିଚିତ, ଯାହା ଅନ୍ୟଭାଷୀଙ୍କ ନିକଟରେ ଦୁର୍ବୋଧ୍ୟ । ବିଶେଷକରି ବୌଦ୍ଧ ସିଦ୍ଧାଚାର୍ଯ୍ୟଙ୍କ ରଚିତ ଏହିସବୁ କବିତାକୁ ବଙ୍ଗଳା ଭାଷାର ଆଦିରୂପ ବୋଲି ବାରମ୍ବାର ଘୋଷଣା କରୁଥିବା ବଙ୍ଗୀୟ ଗବେଷକଗଣ ତାଡ଼କପାଦଙ୍କ କବିତାରେ ଲିଖିତ ବାଣ୍ଡ-କୁରୁଣ୍ଡକୁ “ବଟୁଆ’’ ବୋଲି ଅର୍ଥ କରିଛନ୍ତି । କାରଣ ଏହିସବୁ ଶବ୍ଦ ଓଡ଼ିଆ ବ୍ୟତୀତ ବଙ୍ଗଳା କିମ୍ବା ଅନ୍ୟ ଭାରତୀୟ ଭାଷାରେ ବ୍ୟଦହାର ନାହିଁ । ଏହିଭଳି କେବଳ କେତୋଟି ଅଶ୍ଳୀଳ ଓଡ଼ିଆ ଶବ୍ଦ ନୁହେଁ, ବରଂ ଚର୍ଯ୍ୟାକବିତାରେ ଲିଖିତ ପ୍ରଚୁର ଶବ୍ଦ ବର୍ତ୍ତମାନ ସମୟରେ ଅନ୍ୟ କୌଣସି ଭାଷାରେ ପ୍ରୟୋଗ ହେଉ ଥିବାବେଳେ କେବଳ ଓଡ଼ିଆ ଭାଷାରେ ଅବିକଳ ଭାବେ ଉଭୟ ଲିଖିତ ଓ କଥିତ ଭାବେ ବ୍ୟବହାର ହେଉଛି। ଦୁର୍ଭାଗ୍ୟ ଯେ ଏହିସବୁ ଶବ୍ଦ ଓ ବ୍ୟାକରଣକୁ ଓଡ଼ିଆ ରକ୍ତଧାରୀ ସଂସ୍କୃତ ପଣ୍ଡିତଗଣ ବିଭିନ୍ନ ବ୍ୟୁତ୍ପତ୍ତି ଅର୍ଥ ବାହାର କରି ଏହା ସଂସ୍କୃତରୁ ସୃଷ୍ଟି ବୋଲି ପ୍ରମାଣ କରିବାକୁ ଚେଷ୍ଟିତ । ଅଥଚ ଏହି ଶବ୍ଦଗୁଡ଼ିକ ଓଡ଼ିଆରୁ ସଂସ୍କୃତ, ବଙ୍ଗଳା କିମ୍ବା ଅନ୍ୟ ଭାଷାକୁ ଯାଇଛି-ତାହା ପ୍ରମାଣକରିବା ଶକ୍ତି ଏହି ମେରୁଦଣ୍ଡହୀନ ପଣ୍ଡିତମାନଙ୍କର ନାହଁ । ୮୪ ସିଦ୍ଧକବିଙ୍କ ମଧ୍ୟରୁ ଦୁଇ କବି ଗୁଣ୍ଡୁରୀପାଦ ଓ ତାଡ଼କପାଦଙ୍କ ନିକଟରେ ଆଜି ଓଡ଼ିଆଜାତି କୃତଜ୍ଞ ଯେ, ଯଦିନିଜ କବିତାରେ ସବୁବେଳେ ଘୋଡ଼େଇହୋଇ ରହୁଥିବା ଆମ ଶରୀର ଏହି ତିନୋଟି ସମ୍ବେଦନଶୀଳ ଅଙ୍ଗର ନାମ ଲେଖି ନ ଥାନ୍ତେ, ତେବେ ଅତି ବକାଳି ବଙ୍ଗଳା ଓ ଓଡ଼ିଆମାଟିର ପାଣିପବନରେ କଥାକହିବା ଶକ୍ତି ଆହରଣ କରି ଓଡ଼ିଆତ୍ୱ ହରଣ କରୁଥିବା ନୀଳବର୍ଣ୍ଣ ଶୃଗାଳସମ ଆମ ଓଡ଼ିଆ ସଂସ୍କୃତ ପଣ୍ଡିତଙ୍କ ମୁହଁରେ ତୁଣ୍ଡି ବାନ୍ଧିବା ଅସମ୍ଭବ ହୋଇଥାନ୍ତା ।

 

(୩)

 

ଆଧୁନିକ ଭାରତୀୟ ପ୍ରାଦେଶିକ ଆର୍ଯ୍ୟ ଭାଷାଗୁଡ଼ିକ ମଧ୍ୟରେ ଓଡ଼ିଆ ସାହିତ୍ୟ ବହୁ ପ୍ରାଚୀନ ଓ ସମୃଦ୍ଧ, ବହୁଦିଗରୁ ସ୍ଵତନ୍ତ୍ର । ଏ ସମ୍ପର୍କରେ ପୂର୍ବରୁ ଆଲୋଚନା କରାସରିଛି । ତେବେ କାଳରୁ କ୍ରମବିବର୍ତ୍ତନ ପଥରେ ଆସି ଏହା ୧୫ ଶତକରେସ୍ଵୟଂସମ୍ପୂର୍ଣ୍ଣ ଓ ସମୃଦ୍ଧ ରୂପ ନିଏ ମହାକବି ସାରଳାଦାସଙ୍କ ରଚନାରେ । ଏ କଥା ବହୁ କମ ଆଲୋଚକ ଜାଣନ୍ତି ଯେ ସାରଳା ଦାସଙ୍କ ଭାଷା ସଂସ୍କୃତ ମୁକ୍ତ ଭାଷା । ଏହା ଲୋକ ପ୍ରଚଳିତ ଭାଷାର ସାହିତ୍ୟିକ ରୂପ । ଆଗଙ୍ଗା-ଗୋଦାବରୀ କ୍ଷେତ୍ରର ସାଧାରଣ ଜନତା ସେଥିପାଇଁ ଏହି ଗ୍ରନ୍ଥକୁ ଆଦରରେ ପୂଜା କରୁଥିଲେ । ଭାରତର ଅନ୍ୟ କୌଣସି ଭାଷାରେ ସେ ସମୟରେ ଏପରି ଏକ ଗ୍ରନ୍ଥ ରଚନା ଜଣେ ବ୍ୟକ୍ତିଦ୍ୱାରା ସମ୍ଭବ ହୋଇନଥିଲା । ଏପରିକି ବ୍ୟାସ ରଚିତ ବୋଲି କୁହାଯାଉଥିବା ସଂସ୍କୃତ ମହାଭାରତ ଜଣେ ବ୍ୟାସଙ୍କ ରଚନା ନୁହେଁ । ତାହା ବହୁକାଳ ଧରି ଭିନ୍ନ ଭିନ୍ନ ସମୟରେ ବ୍ୟାସଙ୍କ ନାମରେ ଲେଖାଯାଇଛି । ତାମିଲ ଏକ ପ୍ରାଚୀନ ଓ ସମୃଦ୍ଧ ଭାଷା ହେଲେ ମଧ୍ୟ ସେ ଭାଷାରେ ଏତେ ବଡ଼ ଗ୍ରନ୍ଥ ବା ‘ମହାଭାରତ’ ଗ୍ରନ୍ଥ ରଚିତ ହୋଇନାହିଁ । ତେଲୁଗୁ ମହାଭାରତ ଲେଖୁଛନ୍ତି ତିନିଜଣ କବି ୨୦୦ ବର୍ଷ ଭିତରେ । ବଙ୍ଗଳା, ଅସମୀୟା, ହିନ୍ଦୀ, ମରାଠୀ, ଗୁଜୁରାଟୀ ଆଦି ଭାଷାରେଏପରି ଗ୍ରନ୍ଥଟିଏ ଦୁର୍ଲ୍ଲଭ । ୧୫ଶ ଶତକ ହିସାବରେ ଶାରଳା ମହାଭାରତ ଏସିଆ ମହାଦେଶର ବୁହତ୍ତମ ଗ୍ରନ୍ଥ । ସାରଲା ଦାସ ଏକମାତ୍ର ଭାରତୀୟ କବି ଯେ କି ମହାଭାରତ ପରି ବିରାଟ ଗ୍ରନ୍ଥ ସମେତ ଆଉ ଦୁଇଟି ବୃହତଗ୍ରନ୍ଥ ବିଲଙ୍କାରାମାୟଣ ଓ ଦେବୀ ଭାଗବତ ବା ଚଣ୍ଡୀ ପୁରାଣ ତାଳପତ୍ରରେ ଲେଖିବା ସହ ଲକ୍ଷ୍ମୀନାରାୟଣ ବଚନିକା ନାମକ କଥାସାହିତ୍ୟ ସୃଷ୍ଟି କରି ଓଡ଼ିଆସାହିତ୍ୟକୁ ଏକ ନୂତନ ମୋଡ଼ ପ୍ରଦାନ କରିଛନ୍ତି । ଏହିସବୁ କୃତିରେ ପୁରାଣର ମହାଭାରତୀୟ ଚେତନାକୁ ପ୍ରତ୍ୟାହାରକରି ଓଡ଼ିଆତ୍ୱର ମହକକୁ ପାଠକ ପ୍ରାଣରେପହଞ୍ଚାଇବା ଉଦ୍ଦେଶ୍ୟରେ ଓଡ଼ିଆ ପାଣି, ପବନ, ଭୂଗୋଳ, ଇତିହାସ, ଜାତୀୟ ଜୀବନ, ସଂସ୍କୃତି ସହ ଖାପ ଖୁଆଇଥିବା ତଥ୍ୟ ପ୍ରଦାନ ପୂର୍ବକ ବିଶ୍ୱାସଯୋଗ୍ୟ ଉପାଖ୍ୟାନ ସଂଯୋଗ କରି ଏହିସବୁ ଗ୍ରନ୍ଥକୁ ଆହୁରି ରସାଳ, ମନୋଜ୍ଞ ଓ ସୁଖପାଠ୍ୟ କରିବା ସହ ମଧ୍ୟଯୁଗୀୟ ଭାରତୀୟ ସମାଜ ଓ ସାହିତ୍ୟରେ ନାରୀର ଅବମୂଲ୍ୟନ ଘଟୁଥିବାବେଳେ ସମଗ୍ର ଭାରତବର୍ଷରେ ଏକମାତ୍ର କବି ଭାବେ ନାରୀର ମହନୀୟ ଭୂମିକାକୁ ଲୋକପ୍ରିୟ ସାହିତ୍ୟରେ ସ୍ଥାନିତ କରି ସେମାନଙ୍କ ସ୍ଥିତିକୁ ସୁଦୃଢ଼ କରିବାକୁ ଚେଷ୍ଟା କରିଛନ୍ତି । ଯାହାର ପରିଣାମ ପରବର୍ତ୍ତୀ କବି ବଳରାମ ଦାସଙ୍କ ଦ୍ୱାରା ଲିଖିତ ଲକ୍ଷ୍ମୀପୁରାଣ କେବଳ ପରିବାରରେ ନାରୀର ଶ୍ରେଷ୍ଠତ୍ଵକୁ ପରିପ୍ରକାଶ କରି ନଥିଲା, ବରଂ ସାମାଜିକ ଜାତି ବ୍ୟବସ୍ଥା ଉପରେ କୁଠାରାଘାତ କରିପାରିଥିଲା । ଓଡ଼ିଆ ପୁରାଣ ସାହିତ୍ୟର ଅନ୍ୟ ଦୁଇ ଅନନ୍ୟ କୃତି ବଳରାମଙ୍କ ଦାଣ୍ଡି ରାମାୟଣ ଓ ଜଗନ୍ନାଥ ଦାସଙ୍କ ଭାଗବତ । ୧୫୬୮ ପରେ ଇଂରେଜ ଉପନିବେଶିକ ଶାସନରୁ ମୁକ୍ତ ହୋଇ ସ୍ଵାଧୀନ ଭାରତରୁ ଜମିଦାରି ପ୍ରଥା ଲୋପ ହେବା ପର୍ଯ୍ୟନ୍ତ ପରାଧିନତାର ଦୀର୍ଘ ୪୦୦୦ ବର୍ଷ ଧରି ବିଧର୍ମୀଙ୍କ କବଳରୁ ଜଗନ୍ନାଥ ମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଜାତିଗତ ପ୍ରତିବନ୍ଧକ ସୃଷ୍ଟି ଫଳରେ ଜଗନ୍ନାଥୈକ ଚେତନା ସଂକୁଚିତ ହେବାଯୋଗୁଁ ଧର୍ମପ୍ରାଣ ଓଡ଼ିଆ ଜାତିକୁ ଭାଗବତ ପୁଣି ଥରେ ବାନ୍ଧି ରଖିପାରିବା ସହ ସମଗ୍ର ପୂର୍ବକ୍ଷେତ୍ର (ବର୍ତ୍ତମାନର ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ତ୍ରିପୁରା ଓ ବଙ୍ଗଳାଦେଶ) ରେ ଆଧ୍ୟାତ୍ମିକ ଚେତନାର ନୂତନ ବାତାବରଣ ସୃଷ୍ଟି କରିଥଲା । ଏହି ଭାଗବତ ଆଗଙ୍ଗାଗୋଦାବରୀ କ୍ଷେତ୍ରର ଓଡ଼ିଆ ଜନଜୀବନକୁ ଏଭଳି ଭାବରେ ପ୍ରଭାବିତ କରିଥିଲା ଯେ, ପିଲାରଜନ୍ମଠାରୁ ପୌଢ଼ର ମୃତ୍ୟୁ ପର୍ଯ୍ୟନ୍ତ, ଗୃହପାଳିତ ପଶୁମୃତ୍ୟୁଠାରୁ ନ୍ୟାୟ ବିଚାର ପର୍ଯ୍ୟନ୍ତ ସବୁଥିରେ ଭାଗବତପାଠ ଏକ ପରମ୍ପରାରେ ପରିଣତ ହୋଇଗଲା । ଏପରିକି ଯୁବକ ଜଗନ୍ନାଥଦାସଙ୍କ ଭକ୍ତିଭାବନା ଓ କାବ୍ୟିକ ପ୍ରାଣରେ ବିଗଳିତ ହୋଇ ଆସାମର ଭକ୍ତକବି ପୌଢ଼ ଶଙ୍କରଦେବ କେବଳ ଆସାମଭାଷାରେ ଭାଗବତ ଗ୍ରନ୍ଥ ରଚନା କରିନଥିଲେ, ବରଂ ଓଡ଼ିଶାର ଗାଁ ଗହଳିରେ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ଗଢ଼ି ଉଠିଥିବା ଭାଗବତ ଟୁଙ୍ଗୀ ଅନୁସରଣରେ ନାମଘର ସ୍ଥାପନ କରି ଅହମୀୟା ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନୂଆରୂପ ଦେବା ସହ ସ୍ଥାୟୀତ୍ୱ ପ୍ରଦାନ କରିଥିଲେ । ଯାହାର ଆରାଧ୍ୟ ଦେବତା ଭାବେ ଏବେ ବି ଓଡ଼ିଆ ଜାତୀୟ ଜୀବନର ପ୍ରତୀକ ପ୍ରଭୁ ଜଗନ୍ନାଥ ସ୍ଥାନ ପାଇ ପୂଜା ପାଉଛନ୍ତି । ପୁଣି ଏହି ଗ୍ରନ୍ଥର ମହନୀୟତା ଏଭଳି ଯେ ୧୫୮ ବର୍ଷ ପରେବଙ୍ଗଳାର ସନାତନ ଚକ୍ରବର୍ତ୍ତୀ ବଙ୍ଗ ଭାଷାରେ ଭାଗବତ ରଚନା କଲାବେଳେ ଦଶମସ୍କନ୍ଧ ରଚନା ବେଳକୁ ନିଜର ଅକ୍ଷମତା ପ୍ରକାଶ କରି ଜଗନ୍ନାଥ ଦାସଙ୍କ ଭାଗବତକୁ ଗ୍ରହଣ କରି ନେଲେ ବୋଲି ସ୍ପଷ୍ଟ ସ୍ଵୀକାର କରିଛନ୍ତି –

 

ଶୁନଶୁନ ଶ୍ରୋତଗଣ କରି ନିବେଦନ ।

ପ୍ରଥମ ହଇତେ ଗ୍ରନ୍ଥ ଲେଖିଲୁ ଆପନ ।

ଦଶମେର ଶେଷ ଖଣ୍ଡ ଭାଷା ନ ପାଇଲ ।

ଅନେକ ତ ପାଶି ଗ୍ରାମେ ଗ୍ରାମେ ବେଡ଼ାଇଲ ।

ଏ ହେତୁ ଉତ୍କଳଭାଷା କରିଲ ଲିଖନ ।

ଜଗନ୍ନାଥ ଦାସ କୃତ ଅପୂର୍ବ ବର୍ଣ୍ଣନ ।

ଗ୍ରନ୍ଥ ସମାପନ ହେତୁ ଉତ୍କଣ୍ଠା ହଇୟା ।

ବଙ୍ଗଜ ଭାଷାୟ ଉତ୍କଳ ମିଶାଇୟା ।

ଇଥେ ସାଧୁଜନ ମୋର ଦୋଷ ନ ଲାଇବେ ।

ଭାଗବତ ସାଧୁ ବାକ୍ୟ ଆନନ୍ଦେ ଶୁନିବେ ।

 

ତେଣୁ ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ କୃତି ଭହାଭାରତ, ରାମାୟଣ, ଭାଗବତ- ଏହି ତିନୋଟି ଗ୍ରନ୍ଥର ତୁଳନା ପାଇଁ ଭାରତର ଅନ୍ୟ ଭାଷାରେ ଗ୍ରନ୍ଥ ନାହିଁ । ଏହା ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ରସ, ରୀତି, ଅଳଙ୍କାର, ଧ୍ଵନି, ଶବ୍ଦାର୍ଥ ଇତ୍ୟାଦିକୁ ବିଭିନ୍ନ ଢଙ୍ଗରେ ପରୀକ୍ଷା ନିରୀକ୍ଷା କରି କବି ଉପେନ୍ଦ୍ର ଭଞ୍ଜ ଯେତେ ପ୍ରକାର କାବ୍ୟକବିତା ସୃଷ୍ଟି କରିଛନ୍ତି, ସେପରି ବୈଚିତ୍ର୍ୟ ସଂସ୍କୃତ ଭାଷା ବ୍ୟତୀତ ଅନ୍ୟ ଭାଷାରେ ଦେଖିବାକୁ ମିଳେ ନାହିଁ । କବିଙ୍କ ସୃଜନକଳାର ଝଲକ ନିମ୍ନ ପଂକ୍ତିରୁ ଜଣାପଡ଼େ । ଯଥା

 

ଆସାର ସଘନ କାଳ ହେଲା ଉଦୟ ।

ଅସିତ ପରବଳରୁ ଦରଶମୟ ।

(ତିନୋଟି ଋତୁର ବର୍ଣ୍ଣନା )

କିମ୍ବା

ଅହି ମକର ତାପ ନାଶୋ ଶୋଭା ସାରସ ଚକ୍ରେ ।

ଅହି ମକର ତାପ ନାଶେ ଶୋଭା ସାରସ ଚକ୍ରେ ।

କିମ୍ବା

ହ ର ସ ର ର ସ ର ହ । ର ତ ର ସ ସ ର ତ ର ।

ଶ ର ଧ ର ର ଧ ର ସ । ର ସ ର ସ ସ ର ସ ର ।

 

କବି ଉପେନ୍ଦ୍ରଙ୍କ ଆଉ ଏକ କାବ୍ୟିକ ବିଶେଷତ୍ୱ ହେଲା- “ବୈଦେହୀଶ ବିଳାସ’’ କାବ୍ୟ ପୃଥିବୀର ଅନ୍ୟ କୌଣସି ଭାଷାକୁ ଅନୁବାଦ ହୋଇ ପାରିବ ନାହିଁ । କାରଣ ଏହି କାବ୍ୟର ପ୍ରତ୍ୟେକ ପଦ ଅନେକଗୁଡ଼ିଏ ଅର୍ଥ ପ୍ରକାଶ କରୁଥିବାରୁ ଏହାର ମୂଳ ଭାବକୁ ସୁରକ୍ଷିତ ରଖି ଅନୁବାଦ କରିବା କେବଳ କଷ୍ଟକର ନୁହେଁ, ଅସମ୍ଭବ ମଧ୍ୟ । ସେହିଭଳି ଭାବେ ଓଡ଼ିଆ ଲୌକିକ ସାହିତ୍ୟ, ନିର୍ଗୁଣ ସାହିତ୍ୟ ଅନ୍ୟ ଭାରତୀୟ ସାହିତ୍ୟଠାରୁ ଯଥେଷ୍ଟ ଉତ୍କୃଷ୍ଟ । ଆଧୁନିକ ଓଡ଼ିଆ ସାହିତ୍ୟ ମଧ୍ୟ ଏହି କୃତିତ୍ଵରୁ ବାଦ ନୁହେଁ । ଆଜି ଓଡ଼ିଆ ସାହିତ୍ୟ ନିଜର ସ୍ଵକୀୟତା ଯୋଗୁଁ ବିଶ୍ଵ ସାହିତ୍ୟର ସମକକ୍ଷ ହୋଇପାରିଛି । ତେଣୁ ଓଡ଼ିଆ ଜାତି ଯେ ଅତୀତରେ ସୁସମୃଦ୍ଧ, ସୁସଂସ୍କୃତ ତଥା ବିଜ୍ଞ ଥିଲେ, ତାହା ଏହିସବୁ କୃତିରୁ ଜଣାପଡ଼େ ।

 

ସଂକ୍ଷେପରେକହିଲେ ଓଡ଼ିଆ ଭାଷାର ଉତ୍କର୍ଷ ରହିଛି ତାର ସାହିତ୍ୟରେ । ଓଡ଼ିଆ ଶବ୍ଦଭଣ୍ଡାର ରକ୍ଷଣଶୀଳ ନୁହେଁ । ଏହାର ଅସାମାନ୍ୟ ଗ୍ରହଣଶକ୍ତି ଅଛି । ଫଳରେ ବିଭିନ୍ନ ଦେଶ ଓ ଭାଷାଗତ ଶବ୍ଦରେ ଓଡ଼ିଆ ଶବ୍ଦଭଣ୍ଡାରସମୃଦ୍ଧ । ଏଥିରେ ସଂସ୍କୃତର ପ୍ରଭାବ ଯେତିକି, ଆଦିବାସୀ ପ୍ରଭାବ ମଧ୍ୟ ସେତିକି । ଭାଷାବିତ୍‌ମାନେ କୁହନ୍ତି ଆହରଣ ଫଳରେ ଭାଷା ସମୃଦ୍ଧ ହୁଏ । ତାହା ଏଠାରେ ଘଟିଛି । ବିଶ୍ଵର ସର୍ବାଧିକ ଶବ୍ଦ ଇଂରାଜୀ ଭାଷାରେ ଅଛି । ଏହାର ମୋଟ ୧୦ ଲକ୍ଷ ଶବ୍ଦ ମଧ୍ୟରୁ ମାତ୍ର ୨ ଲକ୍ଷ ମୂଳଶବ୍ଦ ଥିବାବେଳେ ଅନ୍ୟ ଭାଷାରୁ ପ୍ରାୟ ୮ ଲକ୍ଷ ଶବ୍ଦ ଗ୍ରହଣ କରିଛି ଔପନିବେଶିକ ଶାସନାଧିକାର ଯୋଗୁଁ । ତେବେ ଜଣେ ବ୍ୟକ୍ତି ମାତ୍ର ୧ ହଜାର ଶବ୍ଦ ଶିଖିଲେ ଇଂରାଜିଭାଷା କଥିତ ବିଶ୍ଵର ଯେ କୌଣସି ଅଞ୍ଚଳରେନିଜ ଭାବ ବିନିମୟ କରିପାରିବ । ଏ କ୍ଷତ୍ରରେ ଓଡ଼ିଆ ଭାଷା ଇଂରାଜୀଭାଷାଠାରୁ ପାଦେ ଆଗରେ ଅଛି । କାରଣ ୧୯୪୦ରେ ପ୍ରକାଶିତ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ଶବ୍ଦସଂଖ୍ୟା ୧ ଲକ୍ଷ ୮୫ ହଜାର, ଯାହା ଉପକୂଳ ଓଡ଼ିଶା ଅଞ୍ଚଳର କଥିତଭାଷାରୁ ସଂଗୃହୀତ । ଏଥିରେ ଗ୍ରୀୟରର୍ସନଙ୍କ ଦ୍ୱାରା ଲିଙ୍ଗୁଇଷ୍ଟିକ୍‌ସର୍ଭେ ଅଫ ଇଣ୍ଡିଆ ପୁସ୍ତକର ପଞ୍ଚମଖଣ୍ଡ ଦ୍ୱିତୀୟଭାଗ ପୃ ୩୪୭-୩୭୪ରେ ଚିହ୍ନିତ କରିଥିବା ଓଡ଼ିଆ ଅଞ୍ଚଳର କଥିତ ଶବ୍ଦସମୂହକୁ ଯଦି ଲିପିବଦ୍ଧ କରିଥାନ୍ତେ ତେବେ ଏହା ଅତିକମ୍‌ରେ ୪ ଲକ୍ଷ ହୋଇଥାନ୍ତା । ପୁନଃ ଆଗଙ୍ଗା-ଗୋଦାବରୀ- ନର୍ମଦା-କଳିଙ୍ଗସାଗର ମଧ୍ୟସ୍ଥ ଓଡ଼ିଆ ଭୂଖଣ୍ଡର କଥିତ ଶବ୍ଦାବଳୀ ସହିତ ଅଶୋକଙ୍କ ଅଭିଲେଖଠାରୁ ବର୍ତ୍ତମାନର ସାହିତ୍ୟରେ ବ୍ୟବହୃତ ଶକପୁଞ୍ଜକୁ ଏ ସବୁରେ ମିଶା ଯାଆନ୍ତା ତେବେ ଓଡ଼ିଆ ଶବ୍ଦ ସଂଖ୍ୟା ୧୦ ଲକ୍ଷ ଅଚିରେ ଅତିକ୍ରମ କରିଯାଆନ୍ତା । ପୁଣି ଏହିସବୁ ଶବ୍ଦଗୁଡ଼ିକ ଇଂରାଜୀଭଳି କୌଣସି ଭାଷାରୁ ଆହରିତ ନୁହେଁ, ବରଂ ଗୋଟିଏ ଗୋଟିଏ ମୌଳିକ ଓଡ଼ିଆ ଶବ୍ଦ । ଏଥିସହିତ ଓଡ଼ିଆଲିପି ଓ ଭାଷା ଏତେ ନମନୀୟ ଓ ବୈଜ୍ଞାନିକ ପଦ୍ଧତିଯୁକ୍ତ ଯେ, ୪୦ଟି ପ୍ରମୁଖ ଓଡ଼ିଆ ଅକ୍ଷର ଶିଖିବା ପାଇଁ ଠ, ି, ।- ଏହି ୩ ମାତ୍ରା ଏବଂ କେତେକ ବ୍ୟବହାରିକ ବସ୍ତ୍ର ନାମକୁ ଛାଡ଼ି ମାତ୍ର ୧୦୦ଟି ଶବ୍ଦ ଶିକ୍ଷା କରି ପୃଥିବୀର ଯେ କୌଣସି ବ୍ୟକ୍ତି ଓଡ଼ିଆ ଭାଷାରେ କଥା ହୋଇପାରିବ, ଓଡ଼ିଆ ମଧ୍ୟ ବୁଝିପାରିବ ।

 

(୪)

 

ଓଡ଼ିଆ ଭାଷାର ସୁଦୀର୍ଘ ଏବଂ ବଳିଷ୍ଠ ଇତିହାସ ରହିଛି । ଏହି ଇତିହାସର ଚେର ପ୍ରାୟ ୨୦ ହଜାର ବର୍ଷ ତଳର ବୋଲି ବିକ୍ରମଖୋଲ, ଗୁଡ଼ହାଣ୍ଡି, ଯୋଗୀମଠ ଇତ୍ୟାଦି ପାହାଡ଼ଗୁମ୍ଫାର ଚିତ୍ରଲିପିରୁ ଜଣାଯାଏ । ବର୍ତ୍ତମାନର ଓଡ଼ିଆ ଶବ୍ଦ ଓ ବ୍ୟାକରଣ ବୈଦିକ ସଂସ୍କୃତ, ଲାଟିନ୍ ଏବଂ ଗ୍ରୀକ୍‌ଭାଷାର ଶବ୍ଦ ଓ ବ୍ୟାକରଣ ସହ ସାଦୃଶ୍ୟ ରଖିବା, କାତ୍ୟାୟନଙ୍କ “ବାର୍ତ୍ତିକ’’ ଗ୍ରନ୍ଥରେ ଉଦାହରଣ ରୂପେ ବହୁ ଓଡ଼ିଆଶବ୍ଦର ବ୍ୟବହାର, ଆଶୋକଙ୍କ ଅଭିଲେଖ ସଂପୂର୍ଣ୍ଣରୂପେ କଳିଙ୍ଗବାସୀଙ୍କ ବୁଝିବା ପାଇଁ କଥିତ ଭାଷାରେ ଲେଖାଯିବା, ପାଲିଭାଷାର ଏକମାତ୍ର ଅଭିଲେଖ କଳିଙ୍ଗ ମାଟିରେ ମିଳିବା, କଳିଙ୍ଗର ପ୍ରାଚୀନ ଉପନିବେଶ ତଥା ବାଣିଜ୍ୟିକ ସହଯୋଗୀ ଥିବା ସିଂହଳରୁ ପାଲିଗ୍ରନ୍ଥ ଏବଂ ଅଭିଲେଖ ମିଳିବା ଇତ୍ୟାଦି ଏହି ଭାଷାର ପ୍ରାଚୀନତା, ସ୍ଥାୟୀତ୍ଵ ଏବଂ କ୍ରମ ବିକଶିତ ଅବସ୍ଥାକୁ ସୂଚିତ କରେ । ଭାରତର ଏକମାତ୍ର ଭାଷାଭାବେ ଖ୍ରୀ:ପୂ: ତୃତୀୟ ଶତାବ୍ଦୀଠାରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଖୋଦିତ ଅଭିଲେଖମାନଙ୍କରେ ଓଡ଼ିଆଲିପିର କ୍ରମବିକଶିତ ସ୍ଥିତି ଦେଖିବାକୁ ମିଳିଥାଏ ଓ ଏହି ଭାଷା ଯେଭଳି ଉଚ୍ଚାରିତ ହୁଏ, ସେହିଭଳି ଲିଖିତ ରୂପ ନିଏ । ଏହାର ପ୍ରୟୋଗବିଧି ମଧ୍ୟ ବୈଦିକ ସଂସ୍କୃତ ଭଳି ବିଜ୍ଞାନସମ୍ମତ । ଏହାକୁ ଲକ୍ଷ୍ୟ କରି ଭାରତରେ ପ୍ରଥମକରି ଭାଷା ସର୍ବେକ୍ଷଣ କରିଥିବା ପୃଥିବୀ ବିଖ୍ୟାତ ଭାଷାବିଜ୍ଞାନୀ ଜନ୍ ଗ୍ରୀୟର୍ସନ ଓଡ଼ିଆ ଭାଷାର କାଳ ନିରୂପଣ କରି ପ୍ରାଚୀନ ବୈଦିକ ସଂସ୍କୃତ ଗୁପ୍ତକାଳରେ ନିଜର ସାହିତ୍ୟିକ ଭୂୟୋବିକାଶ ଘଟାଇ ଅନ୍ୟଭାଷାକୁ ପ୍ରଭାବିତ କରିପାରିଥିବାବେଳେ ସମତାଳରେ ଓଡ଼ିଆଭାଷା ଓଡ଼ିଶାମାଟିରେ ଅସହାୟ ମଣିଷ ପରି ନୀରବରେ ସାଧାରଣ ଜନମାନସ ମଧ୍ୟରେ ଲୋକକଥା, ଲୋକଗୀତ, ଲୋକନାଟକ ଦେଇ ନିଜର କାୟା ବିସ୍ତାରକରିଚାଲିଛି ଦୀର୍ଘ ଦୁଇ ହଜାର ବର୍ଷ ଧରି । ଏପରିକି ଧାର୍ମିକ କ୍ଷେତ୍ରରେ ସଂସ୍କୃତ ଭାଷା ଓ ସଂସ୍କୃତ ପଣ୍ଡିତଙ୍କ ଦୌରାତ୍ମ୍ୟରୁ ରକ୍ଷାପାଇବା ପାଇଁ ନିଜସ୍ଵ ପୁରାଣ, ପୂଜାପଦ୍ଧତି ସୃଷ୍ଟିକରି ଓଡ଼ିଆଜାତୀୟ ଜୀବନକୁ ଆହୁରି ମାର୍ଜିତ ଓ ସ୍ଵାଭିମାନୀ କରିପାରିଛି ।

 

ତେଣୁ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ନିର୍ଦ୍ଧାରିତ ସମସ୍ତ ଯୋଗ୍ୟତା ଓଡ଼ିଆଭଷାର ଅଛି । ଏପରିକି ସଂସ୍କୃତଠାରୁ ପ୍ରାଚୀନ ବୋଲି ଦାବି କରୁଥିବା ତାମିଲ ଭାଷାପାଇଁ ସେଭଳି ପ୍ରମାଣଯୋଗ୍ୟ ତଥ୍ୟ ନାହିଁ, ଯାହା ଓଡ଼ିଆ ଭାଷା ପାଇଁ ଅଛି । ଓଡ଼ିଶାରେ ୫ ହଜାର ବର୍ଷ ତଳର ଲିପି ସହିତ ଅଶୋକ, ଖାରବେଳ, ଶତ୍ରୁଭଞ୍ଜ, ନରସିଂହ, କପିଳେନ୍ଦ୍ର, ପ୍ରତାପରୁଦ୍ର ଆଦି ଓଡ଼ିଆ ବୀରଙ୍କ ଅଭିଲେଖ ଏବଂ ମେଘାସ୍ଥିନିସ୍‌, ଫାହିୟାନ୍‌ଆଲବେରୁଣୀଠାରୁ ଆବୁଲଫାଜଲ୍‌ପର୍ଯ୍ୟନ୍ତ ବହୁ ବିଦେଶୀ ପଣ୍ଡିତ କଳିଙ୍ଗକଥା ବର୍ଣ୍ଣନା କରିବାରେ ଅକୁଣ୍ଠିତ ମନୋଭାବ ହିଁ ଓଡ଼ିଆ ଜାତି,, ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରାଟୀନତାକୁ ପ୍ରମାଣ କରିଥାଏ । ଓଡ଼ିଶାର କଳା, ଭାସ୍କର୍ଯ୍ୟ, ସାହିତ୍ୟ, ସଂସ୍କୃତି ସର୍ବଦା ବିଶ୍ଵ ସମୁଦାୟକୁ ଆକୃଷ୍ଟ କରିଆସିଛି । ଓଡ଼ିଶାର ଅତୀତ ଗୌରବ ଆଜିର ଓଡ଼ିଆଠାରେ ଲୁକ୍‌କାୟିତ ଥିବାବେଳେ ବର୍ମା, ସିଂହଳ, ମାଳୟ, ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ, କାମ୍ମୋଡ଼ିଆ, ଭିଏତ୍‌ନାମ ଆଦି ଦକ୍ଷିଣ-ପୂର୍ବ ଏସିଆ ଦେଶ, ଏପରିକି ରୋମ୍‌ର ଅଧିବାସୀ ନିକଟରେ ଅଜଣା ନୁହେଁ । କାରଣ କଳିଙ୍ଗର ଇତିହାସ ସହିତ ଏହିସବୁ ରାଷ୍ଟ୍ରର ଇତିହାସ ଜଡ଼ିତ । ଯେପରି ଏବେ ଇଂରେଜ ଜାତିର ଇତିହାସ ବିଶ୍ୱର ସବୁଜାତିର ଇତିହାସ ସହ ଜଡ଼ିତ ହୋଇଯାଇଛି ।

 

ଏ ପରିପ୍ରେକ୍ଷୀରେ ଓଡ଼ିଆଜାତି ଓ ଭାଷାର ପ୍ରାଚୀନତାକୁ ସ୍ଵୀକାର କରି ଶାସ୍ତ୍ରୀୟମାନ୍ୟତା ପ୍ରଦାନ କରିବାଦ୍ୱାରା ଓଡ଼ିଆଭାଷାର ଗୌରବ ବୃଦ୍ଧିହେବା ଅପେକ୍ଷା ପ୍ରଦାନକାରୀ ସଂସ୍କାର ନିରପେକ୍ଷ କାର୍ଯ୍ୟଧାରା ପ୍ରତି ସମଗ୍ର ଭାରତୀୟଙ୍କଠାରେ ବିଶ୍ଵାସନୀୟତା ବୃଦ୍ଧି ପାଇବା ସହ ସୁଦୃଢ଼ ଆସ୍ଥା ସ୍ଥାପନ ହେବ ।

 

 

ୟୁଜିସି ବୃତ୍ତିପ୍ରାପ୍ତ ବରିଷ୍ଠ ଗବେଷକ

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ

୪୦୨-ସୁଭଦ୍ରା ଏନକ୍ଲେଭ, ପଳାଶୁଣୀ, ଭୁବନେଶ୍ୱର-୧୦

 

ଉପାଦାନ ସୂଚୀକା :

*

ଆନ୍‌ସିଏଣ୍ଟ ଇଣ୍ଡିଆ-ଝା ଓ ଶ୍ରୀମାଲୀ

*

ଓଡ଼ିଆ ଜାତିର ଇତିହାସ-ନବୀନ କୁମାର ସାହୁ

*

ଓଡ଼ିଆ ଲିପିର କ୍ରମବିକାଶ-ସତ୍ୟ ନାରାୟଣ ରାଜଗୁରୁ

*

ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି-ପ୍ରବୋଧ କୁମାର ମିଶ୍ର

*

ଅଶୋକ ଏଣ୍ଡ ଡେକ୍‌ଲାଇନ଼ ଅଫ୍‌ମୌର୍ଯ୍ୟ-ରୋମିଲା ଥାପର

*

ଦି ବିନୟ ପିଟକ (ଭୋଲ୍ୟୁମ୍‌-୧) ଇଣ୍ଟ୍ରୋଡ଼କ୍‌ସନ୍‌-ହର୍‌ମାନ୍‌ ଓଲ୍‌ଡ଼େନବର୍ଗ

*

ଦି ଏଭୋଲ୍ୟୁସନ ଅଫ୍‌ଓରିୟା ଲାଙ୍ଗୁଏଜ୍‌ଏଣ୍ଡ୍ ସ୍କ୍ରିପ୍ଟ-କୁଞ୍ଜବିହାରୀ ତ୍ରିପାଠୀ

*

ଦି ଷ୍ଟ୍ରଗଲ୍‌ଫର୍‌ ଏମ୍ପାୟାର୍‌-ରମେଶ ଚନ୍ଦ୍ର ମଜୁମ୍‌ଦାର (ଭାରତୀୟ ବିଦ୍ୟା ଭବନ)

*

ହିଷ୍ଟ୍ରି ଅଫ୍‌ଓରିଶା (ଭୋଲ୍ୟୁମ୍‌- ୧) ରାଖଲଦାସ ବାନାର୍ଜୀ

*

ମିଡ଼ିଆଭାଲ୍‌ଇଣ୍ଡିଆନ୍‌କଲ୍‌ଚର୍‌-ଜେ ଏଲ୍‌ମେହେଟ୍ଟା

*

ସିଭିଲାଇଜେସନ୍‌ଅଫ ଦି ଦକ୍ଷିନ୍ : ଡାଉନ୍‌ଟୁ ସିକ୍ସଥ୍‌ସେଞ୍ଚୁରୀ ବି.ସି. -ଥୋମାସ୍‌ଫୋଲ୍‌କେସ୍‌(ଦି ଇଣ୍ଡିଆନ ଏଣ୍ଟକ୍ୱାରି, ଭୋଲ୍ୟୁମ୍‌(୭-୮, ୧୮୭୯)

*

ଓଡ଼ିଶା ସାହିତ୍ୟର ଇତିହାସ- ମାୟାଧର ମାନସିଂହ

*

ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ- କରୁଣାକର କର

*

ମାନୁଆଲ୍‌ଅଫ ଇଣ୍ଡିଆନ୍‌ ବୁଦ୍ଧିଜିମ୍‌-କାର୍ଣ୍ଣ

*

ପାଲି ଆଣ୍ଡ୍ ସାଂସ୍କ୍ରିଟ୍‌-ଅଟୋଫ୍ରାଙ୍କ ।

*

ଓଡ଼ିଶା ଭାଷାତତ୍ତ୍ୱର ଭୂମିକା-ବଂଶୀଧର ମହାନ୍ତି

*

ଇଣ୍ଟ୍ରୋଡ଼୍‌କ୍ସନ ଟୁ ପ୍ରାକ୍ରିଟି- ଉଲ୍‌ନୁର୍‌

*

ପ୍ରାକ୍ରିତି ଲାଙ୍ଗୁଏଜ ଏସ୍‌.ଏମ୍‌. କାଟ୍ରେ ।

*

ଗ୍ଲିମ୍ପ୍ ସେସ୍‌ ଅଫ୍ କଳିଙ୍ଗ ହିଷ୍ଟ୍ରି - ମନ୍ମଥ ନାଥ ଦାସ

*

ହିଷ୍ଟ୍ରି ଅଫ ସାଉଥ୍‌ ଇଣ୍ଡିଆ - କେ.ଏ. ନୀଳକଣ୍ଠ ଶାସ୍ତ୍ରୀ

*

ହିଷ୍ଟ୍ରି ଅଫ ଦି ତାମିଲ୍‌ସ୍‌-ପି.ଟି. ଶୀନିବାସ ଆୟଂଙ୍ଗର

 

***

 

୧୫୭ତମ ସଂଖ୍ୟା-କୋଣାର୍କ-୨୦୧୦

ଚନ୍ଦ୍ରକଳାର କବି : ଶିବବ୍ରତ ଦାସ

ଡକ୍ଟର ତୁଳସୀ ଓଝା

 

ଏହା ଏକ ସୀକୃତ ସତ୍ୟ ଯେ ସଂଗୀତମୟ ସାହିତ୍ୟ ଚର୍ଚ୍ଚା ସାହିତ୍ୟର ଆଦି ଉତ୍ସ ଥିଲା । ସାହିତ୍ୟ ଓ ସଂଗୀତ ପରସ୍ପରର ପରିପୂରକ ଭାବରେ ଶତାବ୍ଦୀ ଶତାବ୍ଦୀ ଧରି କାର୍ଯ୍ୟ କରି ଆସିଥିଲେ । ଗୋଟିକ ବିନା ଅନ୍ୟଟିର ଅସ୍ତିତ୍ୱ ପରିକଳ୍ପନା କରାଯାଇ ପାରୁ ନଥିଲା । ସ୍ଵରର ମାଧୁର୍ଯ୍ୟ ମଧ୍ୟ ଦେଇ ବକ୍ତବ୍ୟ ମନକୁ ଛୁଇଁବାରେ ସକ୍ଷମ ହେଉଥିଲା । ଭାବ ଭାଷା ଓ ସ୍ଵରର ମଧୁର ସଂଗମରେ ତିଆରି ହୋଇଥିଲା ଗୀତି ସାହିତ୍ୟ । ସାହିତ୍ୟର ଆଦିମ ରୂପ, ଚର୍ଯ୍ୟା ପଦଠାରୁ ଢଗଢ଼ମାଳି, ପ୍ରବାଦ, ପ୍ରବଚନ, ବୋଲି ପୋଇ, କଳସା, ଚଉତିଶା ଛାନ୍ଦ, ଚମ୍ପୂ ଇତ୍ୟାଦି ପର୍ଯ୍ୟନ୍ତ ଓଡ଼ିଆ ଗୀତି କବିତାର ସୁଦୂର ପ୍ରସାରୀ ପ୍ରବାହ ଦେଖା ଯାଇଥାଏ । ଜୀବନ ଓ ଯୌବନର ଜାଗତିକ ସଂଚରଣ ସହିତ ପ୍ରେମ ସଂଜୀବନୀର ଅନାହତ ସ୍ଵର ଅସ୍ଥିର କରିଥିଲା କବି ଚିତ୍ତକୁ । ସେ କାପାଳିକ ଡୋମ୍ବୀର ପ୍ରୀତି ଚିତ୍ର ହେଉ, ଶବରୀ ବାଳୀ ବା ନୈରାତ୍ମା ଦେବୀଙ୍କର ଚିତ୍ରକଳ୍ପ ହେଉ ପ୍ରେମ ଓ ସାଧନାର ଆଦି ଦେବୀ ଭାବରେ ସେମାନେ ଅବିର୍ଭୂତ ହୋଇଥିଲେ । ସମୟର କ୍ରମ ବିବର୍ତ୍ତନରେ ଯେତେ ବେଳେ ରାଧାକୃଷ୍ଣ ଆସିଲେ ଓ ଭାଗବତ ଗୋପୀ ପ୍ରେମକୁ ସର୍ବଶ୍ରେଷ୍ଠ ପ୍ରେମଭାବ ଭାବରେ ଘୋଷଣା କରିବା ସହିତ ରାଧାଙ୍କୁ ପ୍ରେମିକା ଶ୍ରେଷ୍ଠା ଓ କୃଷ୍ଣଙ୍କୁ ଶ୍ରେଷ୍ଠ ପ୍ରେମାସ୍ପଦ ପୁରୁଷ ଭାବରେ ବୈଷ୍ଣବ କବିମାନେ ଗ୍ରହଣ କରିନେଲା ପରେ ସମଗ୍ର ଭୂଭାରତ ତାଙ୍କ ପ୍ରେମ ସ୍ରୋତରେ ଭାସମାନ ହେଲା । ଭାସମାନ ହେଲେ କବି କୋକିଳ ଗଣ । ଜୀବନର ଅନାସ୍ଵାଦିତ ସ୍ନାନ ଭିତରେ ସେମାନେ ଖୋଜିଲେ ପରମପୁରୁଷଙ୍କୁ । ହଜିଗଲା ମଣିଷର ନିଜସ୍ଵ ମୂଲ୍ୟବୋଧ । କିନ୍ତୁ ଆଧୁନିକ ଯୁଗର ଅୟମାରମ୍ଭ ସଂଗେ ସଂଗେ ନିଜକୁ ନାୟକ କରି ଗୀତ ରଚନା କରିବାର ପରମ୍ପରା ଜୀବନ୍ୟାସ ନେଲା । ଏବଂ ନିଜ ପ୍ରେମ ବେଦୀରେ ନିଜସ୍ଵ ନାୟିକାର ଚିତ୍ର ଚିତ୍ରଣ କରିବାକୁ କବି ଚିତ୍ତ ଏକ ଅଫୁରନ୍ତ ଆନନ୍ଦ ଲାଭ କଲା । ରାଧା ଏବଂ କୃଷ୍ଣ ପ୍ରେମର ପ୍ରତିଭୂ ଭାବରେ ପୂଜନୀୟ ହୋଇ ରହିଲେ । ତାଙ୍କୁ ନେଇ ନଗ୍ନ ଶୃଙ୍ଗାର ରସ ସଂଚରଣର ପରମ୍ପରା କ୍ରମେ କ୍ଷୀଣ ହୋଇପଡ଼ିଲା । ସାହିତ୍ୟ ଓ ସଂଗୀତର ଯୁଗଳ ବନ୍ଦୀର ନବସ୍ୱାକ୍ଷର ସାହିତ୍ୟ ସୃଷ୍ଟିର ବିଭାଗୀକରଣକୁ ବିଧିବଦ୍ଧ କରି ଦେଲା । ସେହି ବିଧି ବିବରଣ ମଧ୍ୟରେ ଆଧୁନିକ ଗୀତ ସୃଷ୍ଟିର ଯେଉଁ ପରମ୍ପରା ସୃଷ୍ଟି ହେଲା ସେଥିରେ କେତେଜଣ ସ୍ଵନାମଧନ୍ୟଗୀତି କବିଙ୍କର ଅଙ୍ଗୀକାରକୁ ଓଡ଼ିଆ ଗୀତି ଜଗତ ସର୍ବାଗ୍ରେ ସ୍ୱୀକୃତି ପ୍ରଦାନ କରିଥିଲା ସେମାନଙ୍କ ମଧ୍ୟରେ ଗୋଟିଏ ଗୁରୁ କୃଷ୍ଣ ଗୋସ୍ଵାମୀ, ଜୀବନନାନ୍ଦ ପାଣି, ପାର୍ଥ ସାରଥୀ ମହାପାତ୍ର, ଶିବବ୍ରତ ଦାସ, ସ୍ନେହଲତା ମହାନ୍ତି, ବିନୋଦିନୀ ଦେବୀ, ନାରାୟଣ ପ୍ରସାଦ ସିଂ, ପରଶୁରାମ ପଟ୍ଟନାୟକ, ଅକ୍ଷୟ ମହାନ୍ତି, ଦେବଦାସ ଛୋଟରାୟ, ନନ୍ଦ କିଶୋର ସିଂ ଆଦି ଅଗ୍ରଗଣ୍ୟ ଅଟନ୍ତି ।

 

ସାଧାରଣତଃ ଦେଖାଯାଏ ଗୀତି କବିତାକୁ ଅନୁରାଗର ଅନୁରଣନରେ ଗୁଞ୍ଜରିତ ଶବ୍ଦ ସତ୍ତାମାନେ ଏକ ଅନବଦ୍ୟ ରୂପ ପ୍ରଦାନ କରିଥାନ୍ତି । ଗୀତର ଆଦିମ ଗୁଞ୍ଜରଣ ହିଁ ପ୍ରେମାନୁଭୂତିର ଆଦିମ ଗୁଞ୍ଜନ । ଯେତେବେଳେ ମଣିଷ କଥା କହି ଶିଖି ନଥିଲା, ଶବ୍ଦର ଜାଲ ବୁଣି ଶିଖି ନଥିଲା ସେଦିନ ବି ଗୀତ ହିଁ ତାର ମନର କଥା ବଖାଣିବାର ସର୍ବଶ୍ରେଷ୍ଠ ମାଧ୍ୟମ ଥିଲା । ଯେତେବେଳେ ସେ ଶବ୍ଦର ଜାଲବୁଣି ଶିଖିଗଲା ସେତେବେଳେ ବି ଗୀତ ହିଁ ତାର କାମନା ବାସନା, ସ୍ମୃତି, ସ୍ପପ୍ନ, ବିରହମିଳନ, ଆଶା ନିରାଶା ରାଗଅନୁରାଗକୁ ବ୍ୟକ୍ତ କରିବାର ସର୍ବଶ୍ରେଷ୍ଠ ମାଧ୍ୟମ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆମେ ସମସ୍ତ ଗୀତି କବିମାନଙ୍କର ଗୀତର ମାନ ନିର୍ଦ୍ଧାରଣ କରିପାରିବା । ଗୀତି କବିତା ଶବ୍ଦ ଭାସର ଏକ ଅନନ୍ୟ ପରିକଳ୍ପନା । ସାହିତ୍ୟର ଅନ୍ୟାନ୍ୟ ବିଭାଗର ସର୍ଜନା ପାଇଁ ଭାଷାର ଆଡ଼ମ୍ବର, ଭାବର ବୈଚିତ୍ର୍ୟ ତଥା ବହୁବିଧ ତତ୍ୱଜ୍ଞାନ ଓ ଅନୁଭବର ଆବଶ୍ୟକତା ପଡ଼ିଥାଏ । ବହୁ ଚରିତ୍ର ଓ ଚାରିତ୍ରିକ ନିଷ୍କର୍ଷ ସେଠି ଭିଡ଼ ଜମାଇଥାନ୍ତି । କିନ୍ତୁ ଗୀତି କବିତାରେ ସାଧାରଣତଃ ଦେଖାଯାଏ ମୁଠାଏ ଶବ୍ଦ, ଆତ୍ମାନୁଭୂତିର ନିବିଡ଼ ପ୍ରଦେଶରୁ ଝରି ଆସୁଥିବା ବୁନ୍ଦାଏ ଭାବ, ଗୋଟିଏ ଗୀତି କବିତାର ସୃଷ୍ଟି ପାଇଁ ଯଥେଷ୍ଟ । ସେ ପ୍ରେମ ହେଉ ଶୋକ ହେଉ, ଦୁଃଖ ହେଉ, ଆନନ୍ଦ ହେଉ, ଗୋଟିଏ ଭାବର ସ୍ଫୁରଣ ଗୋଟିଏ ଗୀତି ରଚନା ପାଇଁ ପଯ୍ୟାପ୍ତ । ତେଣୁ ଗୀତି କବିତା ସବୁବେଳେ ସ୍ଵତନ୍ତ୍ର ଓ ସ୍ଵୟଂ ସଂପୂର୍ଣ୍ଣ । ପୂର୍ବାପର ସଂଗତି ବିହୀନ । ଏମିତି କେତେକ ବିଚିତ୍ର ବୈଶିଷ୍ଟ୍ୟ ନେଇ କବି ଦ୍ଧ ଶିବବ୍ରତ ଦାସଙ୍କର ସୃଷ୍ଟିର ଆକଳନ ।

 

ପ୍ରୀତି କସ୍ତୁରୀର ମହକରେ ମହକିତ ଉପବନର କବି ସ୍ଵର୍ଗତ ଶିବବ୍ରତ ଦାସ । ସେ ମହକରେ ଅଛି ହେନାର ବାସ୍ନା ପୁଣି ପଳାଶର ଦହନ, କେତକୀ କକ୍ଟାର ଅଛୁଆଁ ଆଘାତ ଓ ସରମୀ ଲତାର ନରମ ପରଶ । ତଥାପି କବି ଆଖିରେ ଆଖିଏ ସ୍ଵପ୍ନ । ମନତଳେ ଅଛୁଆଁ ଯୌବନର ଆଦିମ ଉତ୍ତାଳ ତରଙ୍ଗ । ଚିର କୈଶୋରର ମନ ନେଇ ଯୌବନର ପହିଲି ଛୁଆଁରେ ରୋମାଞ୍ଚିତ କବି ମନ ଦେହ ଓ ଦାହର ସୀମା ଭିତରେ ଆନ୍ଦୋଳିତ । ଦେହରୁ ଦେହାତୀତକୁ ଯିବାର କାମନା ନାହିଁ । ଅଛି ଖାଲି ସ୍ଵପ୍ନ । ଭରା ଯୌବନର ତରଙ୍ଗାୟିତ ସ୍ଵପ୍ନ । ବିରହରେ ବି ମିଳନରେ ବି ଝୁରି ହେଉଥିବା ମନର ଅନାହତ ଝଙ୍କାର । ଏଠି ସ୍ଵପ୍ନ ସତ୍ୟ, ପ୍ରେମ ସତ୍ୟ, ଏକ କାୟାହୀନ ପ୍ରେମିକାର କାୟା ଗଠନ କରି ତାର ହଜିଯିବାର କାମନା କରିବାର କାମନା ସତ୍ୟ । ଏକ ମାୟା ଲୋକ, ଏକ ଛାୟା ଲୋକ, ଏକ କଳ୍ପ ଲୋକ ତୋଳିବାର ଅବାରିତ ସ୍ୱପ୍ନ । ସଜଡ଼ା ଜୀବନର ଅସଜଡ଼ା ପ୍ରେମାନୁଭୂତିର ସ୍ୱପ୍ନ ।

 

‘‘ଏ ଯଉବନ ଉଛୁଳାନଦୀ ମାନେନା ବନ୍ଧନ

ଆକୁଳ ତାର ମରମ ଖୋଜେ ସାଗର ସଂଗମ

ମରମେ ଜାତ ଅଭିଳାଷ ଅଭିଳାଷରୁ ତୃଷ୍ଣା

ତୃଷ୍ଣାରୁ ଜାତ ସ୍ଵପ୍ନ ଆଉ ତହିଁରୁ ଜାତ ପ୍ରେମ ।’’

 

ଜୀବନ, ଯୌବନ ଚହଲା ମନର ଅଦେଖା ଅଜଣା ତୃଷ୍ଣାରୁ ଜାତ ହୁଏ ଜୀବନ ବେଦର ଏକ ଅକଥନୀୟ ଯନ୍ତ୍ରଣାଭରା ସୁଖଦ ଅନୁଭୂତି । ପ୍ରଥମ ବର୍ଷାର ଓଦାମାଟିର ଗନ୍ଧଧରି ଯାହା ଜୀବନକୁ ମହକାଇ ଦିଏ ଝରଣାର କଳ କଳ ନାଦର କଳରୋଳରେ ଜୀବନକୁ ନିକ୍ୱଣିତ କରେ । ପ୍ରଥମ ବର୍ଷାର ସ୍ପର୍ଶରେ ଫୁଲି ଉଠୁଥିବା ବକ୍ଷପରି ପ୍ରେମର ଅନାସ୍ଵାଦିତ ଉତ୍‌ଫେଣିତ ତରଙ୍ଗମାଳାରେ ଧୌତ ହୋଇଯାଏ ଜୀବନ ନଈର ନିଶ୍ଚୁପ ବକ୍ଷ । ଯାହାର ନାମ ପ୍ରେମ । ଏ ପ୍ରେମ ସ୍ଵୟଂ ସଂବୃତ୍ତ ନୁହେଁ । ଏ ପ୍ରେମ ପାଇଁ ଦୁଇଟି ଚଂଚୁରେ ଗୋଟିଏ ଫଳ ଖାଉଥିବା ଦୁଇଟି ପକ୍ଷୀର ଆବଶ୍ୟକତା ପଡ଼େ । ଜଣେ ଜଣକୁ ଖୋଜେ । ଜଣେ ଜଣକୁ ଲୋଡ଼େ । ଏ ଲୋଡ଼ିବା ପଣ ହିଁ ପାଲଟିଯାଏ ଏକ ନିରଙ୍କୁର ସତ୍ୟ । ଏକ ସୀମାହୀନ ଅପ୍ରାପ୍ତ ଅଭୀପ୍ସା । ଏ ପାଇବାରେ ତୃପ୍ତି ଯେତିକି ହଜେଇବାର ଦହନର ଆନନ୍ଦ ସେତିକି । ଏ ପାଇବା ହଜେଇବାର ଅନନ୍ତ ଖେଳର ଖେଳାଳିର ଅନ୍ୟ ନାମ ପ୍ରେମିକ କବି ।

 

ଜ୍ୟୋତିଷ ଶାସ୍ତ୍ରବିତ୍‌ମାନେ ଆକାଶରେ ଚିକ୍‌ଚିକ୍‌କରୁଥିବା ନକ୍ଷତ୍ରମାନଙ୍କୁ ଯୋଡ଼ି ଯୋଡ଼ି ନକ୍ଷତ୍ର ଦେବୀଙ୍କର ପରିକଳ୍ପନା କଲାପରି ଆଦିମ ଯୁଗରୁ କବିମାନେ ନିଜର ରୂପ ତୃଷ୍ଣା ଓ ଭାବତୃଷ୍ଣାରୁ ତିଆରି କରିଥିଲେ ଅନନ୍ୟା ଶାସ୍ତ୍ରୀୟ ନାୟିକମାନଙ୍କୁ । ଅପସରାମାନଙ୍କୁ, କିନ୍ନରୀ ଓ ଅଳସକନ୍ୟାମାନଙ୍କୁ, ଯେଉଁମାନେ ସେମାନଙ୍କର ଅନିନ୍ଦ୍ୟ ସୁନ୍ଦର ରୂପ ମାଧୁରୀ ବଳରେ ପାଲଟି ଯାଇଥିଲେକବି ଶିଳ୍ପୀ ଚିତ୍ରକର, ରୂପକାରମାନଙ୍କର ପ୍ରେରଣା ଭୂମି ଏବଂ ଶିଳ୍ପୀ, କବି ଚିତ୍ରକର ନିଜ ମନର କାନଭାସରେ ସେମାନଙ୍କର ପ୍ରତିମୂର୍ତ୍ତି ଅଙ୍କନ କରି ତାଙ୍କର ପ୍ରତିଟି ଅଙ୍ଗକୁ ଭାବ, ଅନୁଭାବର ମାର୍ମିକ ପ୍ରଲେପ ସଜାଇଥାନ୍ତି । ଏହି ପ୍ରକ୍ରିୟାରେ କବିଟିଏ ଶବ୍ଦର ରଙ୍ଗପୁଟ ଦେଇ ତାର ନାୟିକାର ଅଦୃଶ୍ୟ ରୂପର ଦୃଶ୍ୟାନ୍ତର ଘଟାଏ । ସ୍ଵପ୍ନ ସଂଚାରିଣୀର କଳେବରକୁ କାୟାବଦ୍ଧ କରେ । ଯାହା ଭାସ୍କର, ଚିତ୍ରକର, ରୂପକାର ପକ୍ଷରେ ସମ୍ଭବ ନୁହେଁ । ନିଜର ହୋଇ ଯେଉଁ ମନଚି କବି ପାଖରେ ଥାଏ ତାକୁ ସେ ତା ପାଖରେ ସମର୍ପି ଦିଏ ଏବଂ

 

ନଦୀର ନାମ ଅଳସ କନ୍ୟା/ତୀରର ନାମ ତନ୍ଦ୍ରା ।

ଗ୍ରାମର ନାମ ସ୍ୱପ୍ନପୁରୀ/ପ୍ରିୟାର ନାମ ଚନ୍ଦ୍ରା ।

ଆଖିର ନାମ ଶାମୁକାତାର/ଲୁହର ନାମ ମୁକ୍ତା ।

ପ୍ରେମର ନାମ ପଦ୍ମ ମଧୁ/ବିରହ ନାମ ରିକ୍ତା ।

ତାର ଈର୍ଷା ନାମ ପ୍ରଭଞ୍ଜନ/ଅନୁରାଗେ ସେ ଭଦ୍ରା ।

ପ୍ରଥମ ଛୁଆଁ କଦମ୍ବ ଫୁଲ/କଥାର ନାମ ବଂଶୀ ।

ବେପଥୁ ନାମ ପତ୍ର ଝରା/ମନ ତା ବନ ହଂସୀ ।

 

ତାର ଲାଜର ନାମ କୃଷ୍ଣଚୂଡ଼ା/ଚୁମ୍ବନ ତା ନିଦ୍ରା । ରଚନା କରେ । ଏହି ଭାବ ସମ୍ପଦର ନାୟିକା କବିର ନିଜସ୍ଵ ପରିକଳ୍ପନା । ନିଭୃତରେ ଏହି ସ୍ଵପ୍ନ ନାୟିକା ସାଜେ କବିର ପ୍ରଣୟିନୀ ଏବଂ ବେଳ ଅବେଳରେ ଯେ କବିର ସ୍ମୃତିର ଅଗଣାକୁ ମହକାଇ ଦେଉଥାଏ । କେବେ ଚିହ୍ନା କେବେ ଅଚିହ୍ନା ଭାବରେ ଯେ କବି ମନକୁ ଆବୋରି ବସେ । କବିର ଅଝଟ ମନ ସ୍ମୃତିର ଅତଳ ଗହ୍ୱରରେ ତାକୁ ଖୋଜି ବୁଲେ ।

 

‘‘ଅଳେଇଚର ଦ୍ୱୀପରେ ଅବା କନଉଜର ପଥେ

ବିମ୍ୱିସାର ରାଜସଭାରେ ଦେଖିଛି କେବେ ମୋତେ

ମୁଁ କୁଆଡ଼େ ତାକୁଇ ଦିନେ ଦେଇଚି ଉପହାର

ଉଦ୍ୟାନର ବାରଣ କଲା ଫଳ ।’’

 

ଉଦ୍ୟାନର ବାରଣ କଲା ଫଳ ଆଦାମ ଇଭଙ୍କ ପରି ସମସ୍ତେ ଜୀବନରେ ଥରେ ହେଲେ ଚାଖିଥାନ୍ତି । ଏବଂ ସେଇ ଫଳର ସ୍ୱାଦରେ ଜୀବନ ଯେପରି ପୁଲକିତ ହୋଇଉଠେ । ସେଇ ଫଳରେ ଲୁଚି ରହିଥିବା କୀଟର ବିଷ ଦଂଶନରେ ଜୀବନ ସେହିପରି ଜର୍ଜରିତ ହୋଇ ପଡ଼େ । ଯିଏ ପ୍ରେମ କରେ ଏ ଦୁଇ ଅନୁଭବରୁ ତାର କେବେ ମୁକ୍ତି ନାହଁ। ଏହି ଜର୍ଜରିତ ଜୀବନ ଗାଥାର ଅନନ୍ୟ ଶିଳ୍ପୀ ଦ୍ଧ ଶିବବ୍ରତ ଦାସ । ଯାହାଙ୍କର ପ୍ରେମଗୀତିର ଗୁଂଜରଣ ଅନେକ ବର୍ଷ ଧରି ଅନେକ ମନକୁ ବିମୋହିତ କରି ରଖିଛି । ତାଙ୍କର ପ୍ରତ୍ୟେକ ଗୀତରେ ପାଇବାର ସ୍ପୂର୍ତ୍ତିଠାରୁ ହଜେଇବାର ଦହନ ଅଧିକ । ଆଳଙ୍କାରିକମାନେ ଶୃଙ୍ଗାର ରସର ଯେଉଁ ସ୍ପଷ୍ଟୀକରଣ କରିଛନ୍ତି ସେଥିରେ ଏହାର ନାମ ବିପ୍ରଲମ୍ଭ ଶୃଙ୍ଗାର । ଏହି ବିପ୍ରଲମ୍ଭ, ସଂଭୋଗ ଶୃଙ୍ଗାରଠାରୁ ଯେପରି ଅଧିକ ପ୍ରଭାବଶାଳୀ ସେହିପରି ଅହକ ହୃଦୟଗ୍ରାହୀ । ଭକ୍ତିଯୁଗର ବୈଷ୍ଣବ କବିମାନେ ଏହି ବିପ୍ରଲମ୍ଭକୁ ଆଧାର କରି ବହୁ କାବ୍ୟ କବିତା ତଥା ଗୀତି କବିତା ମାନ ରଚନା କରିଥିଲେ । ତାହା ଥିଲାବୈଷ୍ଣବ କବିମାନଙ୍କର ଭକ୍ତି ଶ୍ରଦ୍ଧା ପ୍ରେମାପ୍ଲୁତ ହୃଦୟର ଅମୀୟ ରସ । କାରଣ ପାଇବାଠାରୁ ପାଇବାର ପ୍ରତୀକ୍ଷାରେ ଜୀବନ ବିତେଇବାର ସ୍ଵାଦକୁ ସେମାନେ ଅତି ଆତ୍ମିୟତାର ସହିତ ଆସ୍ଵାଦନ କରୁଥିଲେ ।

 

ସମୟ ବଦଳି ଯାଇଛି । ବୈଷ୍ଣବ କାବ୍ୟଧାରାର ସେ ସ୍ରୋତ କିନ୍ତୁ ଆଜିବି କବିମାନଙ୍କର ହୃଦ୍ୟ ସଂପିତ୍ତି ଭାବରେ ସ୍ୱୀକୃତ । ଦେଶ ବିଦେଶର ସବୁ କବି ବିଷାଦର ଏ ଋତୁକୁ କାବ୍ୟ କବିତାର ସୁଦୂର ପ୍ରସାରୀ ଐଶ୍ଵର୍ଯ୍ୟ ଭାବରେ ଗ୍ରହଣ କରି ନେଇଛନ୍ତି । ଦ୍ଧ ଦାସଙ୍କର ପ୍ରେମ କବିତାଗୁଡ଼ିକର ବିଷଦ ଆଲୋଚନା କଲେ ଏ ଉକ୍ତିର ସତ୍ୟତା ପାଖରେ ଆମେ ଅକ୍ଳେଶରେ ପହଞ୍ଚିଯାଇଥାଉ । ଅନନ୍ତ ବିରହକୁ ନିଜସ୍ଵ କରି ପ୍ରେମର ନବ ନବ ସଂଜ୍ଞା ସହିତ ନବ ନବ ଅନୁଭବକୁ ବ୍ୟକ୍ତ କରିବାର କଳା କଳ୍ପନା ମଧ୍ୟ ତାଙ୍କର ଅଭିନବ । ପ୍ରେମରେ ହଜିବାର ଅବଶୋଷ, ପାଇବା ଆହ୍ଳାଦ ତଥା ଅବୁଝା ମନର ସବୁଜ ଗୀତିକା ତାଙ୍କ ଗୀତିମାନଙ୍କ ମଧ୍ୟରେ ବହୁ ଭାବରେ ବହୁ ଧାରାରେ ପ୍ରବାହିତ । ନିର୍ଦ୍ୱନ୍ଦ୍ୱରେ ସେ ସ୍ଵୀକାର କରନ୍ତି ‘‘ପ୍ରେମ ସିଏ ବିତ ଏକ ସ୍ଵପ୍ନ ।

 

“ଏ ପାଖରେ ଅମାଅନ୍ଧାରତାର

ସେପାଖରେ ଭରାଜହ୍ନ ।’’

‘‘ଅଲଗା ଅଲଗା ମନ ଲାଗି ପରା

ପ୍ରେମର ଚେହେରା ଭିନ୍ନ

କାହା ପାଇଁ ତାହା ପାଣି ଗାର ପୁଣି

ପଥରେ ନିହଣ ଚିହ୍ନ ।’’ ୧୮୬

 

ଅଥଚ କାଳ କାଳ ଧରି ଏହି ପ୍ରେମର ସଂଜ୍ଞା ଓ ସ୍ଵରୂପ ନିର୍ଣ୍ଣୟରେ କଟିଯାଏ କବିର ସମସ୍ତ ଜୀବନ । କବି ଦ୍ଧ ଦୀପକ ମିଶ୍ରଙ୍କର କେତୋଟି କାଳଜୟୀ ପଂକ୍ତି-

 

“ତୁମର ମନେ ଥିବ କି ନାଇଁ/ମୁଁ ଜାଣେନା -

ତଥାପି କହୁଛି ଶୁଣ- ଯେ ଉଭୟ ପ୍ରେମ ଓ ମୃତ୍ୟୁ

ମଣିଷର ଶତ୍ରୁ

ଏବଂ ଆମେ ସମସ୍ତେ ଜୀବନର ପ୍ରତୀକ୍ଷା ଗୃହରେ

ଆଗେ ପ୍ରେମ ଓ ପରେ ମୃତ୍ୟୁକୁ ହିଁ ଅପେକ୍ଷା କରିଛୁ

କାଳ କାଳ ଧରି ॥’’ ( ଅରଣା ମହିଁଷି ) ।

 

ମନୁଷ୍ୟ ଜୀବନର ଏହି କଠୋର ସତ୍ୟକୁ କେହି କୌଣସି ଦିନ ଅସ୍ଵୀକାର କରିପାରେ ନାହିଁ । ସ୍ଵର୍ଗତ ଦାସଙ୍କର ସମସ୍ତ କବିତାରେ ପ୍ରେମର ଏହି ଅନାସ୍ଵାଦିତ ସ୍ଵାଦର ଆସ୍ଵାଦ ମିଳେ । କିଏ କାହଁକି ପ୍ରେମ କରେ ? ଏ ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର ଯେପରି ପୃଥିବୀର କୌଣସି ମଣିଷ ପାଖରେ ନାହିଁ ଠିକ୍‌ଏହି ଶେଷ ଶତ୍ରୁକୁ ମଣିଷ ତା‘ର ନିଶ୍ଚିତ ଜୀବନକୁ କାହିଁକି ନିମନ୍ତ୍ରଣ କରି ଆଣେ ତାର ମଧ୍ୟ କୌଣସି ଉତ୍ତର ମଣିଷ ପାଖରେ ନାହିଁ । ଏହି ରହସ୍ୟ ବୃତ୍ତରେ ଘୂରି ଘୂରି କବି ଦ୍ଧ ଦାସ ତୋଳିଛନ୍ତି ଅଜସ୍ର ଗୀତି କବିତାର ଅନିନ୍ଦ୍ୟ ଝଙ୍କାର ।

 

‘‘ଜୀବନ ହିସାବ ଖାତାରେ କିଛି ଫୁଲ ଆଉ ଭଲ ପାଇବା

ଜମା ରଖି ଆଜି ଅସାଗୋ

ଆମେ ଗହମ ନିଦରେ ଶୋଇବା ।’’

 

ଏଇ ଦର୍ଶନରେ ବିଶ୍ଵାସୀ କବି ଅନ୍ତର କେବଳ ଅଜସ୍ର ପ୍ରେମର ଉତ୍ତାଳ ତରଙ୍ଗ ଦେଖିଛନ୍ତି-। ମନେ ହେଇଛି ଜୀବନ ଓ ଜୀବିକାର ବହୁ ଉର୍ଦ୍ଧ୍ୱରେ ରହିଛି ଏ ପ୍ରଶ୍ନ ବୃତ୍ତର ରହସ୍ୟମୟ ଶବ୍ଦସତ୍ତା ଏବଂ ସେ ଖାଲି ବୁଝନ୍ତି-

 

‘ଦେହ ଏକ ନଦୀ / ସେ ନଦୀରେ ଆସେ ଯେଉଁ ବନ୍ୟାର ପ୍ଳାବନ

ସେତ ଯଉବନ / ମନ ଏକ ରାତି / ସେ ରାତିରେ ହସେ

ଯେଉଁ ଦ୍ୱାଦଶୀର ଜହ୍ନ / ତା ନାମଟି ପ୍ରେମ ।’’ ୨୬

 

ଏଠି ସମସ୍ତେ ଏଇ ପ୍ରେମର ବଣିକ । ସ୍ଵପ୍ନର ସହରରେ ପ୍ରେମ କିଣନ୍ତି ପ୍ରେମ ବିକନ୍ତି । ସେଇ ବିକା କିଣା ହାରଜିତ଼୍, ଲାଭ କ୍ଷତି ଭିତରେ ସେ ଦେଖନ୍ତି ସ୍ୱପ୍ନ । ସେଇ ସ୍ଵପ୍ନରେ ସେ ଭେଟନ୍ତି ମନର ମାନସୀକୁ । ବଇଶାଖ ସକାଳର କୃଷ୍ଣଚୂଡ଼ାରେ, ଭାଦ୍ର ଆକାଶର ମେଘମଖା ଇନ୍ଦ୍ରଧନୁରେ, ଚନ୍ଦ୍ରିକା ଝରା ଝାଉଁ ବଣରେ ଚଇତି ସଞ୍ଜର ଅଭିସାରରେ । ରଙ୍ଗଭରା ପ୍ରଜାପତିର ନରମ ଡେଣା, ଖୋଜି ପାଆନ୍ତି ତାକୁ । କେତେବେଳେ ସେ ପ୍ରିୟା ତାଙ୍କର ମନୋଇ ମିଛେଇ ଝିଅ, ପୁଣି କେତେବେଳେ ଦୂର ଗାଁ ନଈ । ଗଭୀରତା କେତେ ତାର କିଛି ଜଣା ନାହିଁ । ତା ଦେହରଙ୍ଗ, ମନର ବାସ୍ନାରେ ବିଭୋର କବି ତାର କେତେ ରୂପଚିତ୍ର ଆଙ୍କୁଥାଏ ।

 

ଚନ୍ଦ୍ରମଲ୍ଲି ହସେ ଚିତ୍ରଲେଖା ଓଠେ

ଲଜ୍ଜାନତ ମୁଖେ ତା ରକ୍ତ ଜବା ଫୁଟେ ।

 

ଚୁପ୍‌ଟି କରି ଅଜାଣତେ ମୋତେ ଭଲ ପାଇ ବସେ ।’’ ତାର ଭଲ ପାଇବା ଗନ୍ଧରେ ବିଭୋର କବି- ‘‘ଜ୍ୟୋସ୍ନାରଙ୍ଗ ତା ଶାଢ଼ୀ ହାସନା ହେନା ଦେହେ । ତୃଷାତୁର ମନେ ମୋ ବାସନା ଭରିଦିଏ ।’’ ତଥାପି କବି ଖୋଲି ପାରେ ନାହିଁ ତାର ମନର ସିନ୍ଦୁକ । ଅକାତରେ ସ୍ଵୀକାର କରେ ‘‘ଝିଅଙ୍କର ମନ ପରା ଯଉମୁଦ ଘର’’ ଅଥଚ ଯଉମୁଦ ଖୋଲି ଥରେ ସିଏ ଆହା କରି ଦେଲେ ଅଜସ୍ର ସାହାର ଶେଫାଳି ଝରିପଡ଼େ କବିର ମନ ଅଙ୍ଗନରେ ଏବଂ ଯାହାକୁ କବି କଳ୍ପନା କରେ-

 

‘‘ସବୁଜ ସତର । ତମେ ଏକ ଦରଫୁଟା ଫୁଲ ଆଭ ଦିଓଟି ପତର ।’’

ଯାହାକୁ ଥରେ ଦେଖିଦେଲେ କବି ଆଖିରେ ଧରା ଦିଏ ଶତ କଦମ୍ବର ରୋମାଞ୍ଚ-

‘‘ଦେଖିଲେ ମୁଁ ତୁମକୁ ଗୋ ମୋ ଅଇନା କାଚରେ

କେତେ ଫୁଲ ଫୁଟେ ମୋର ମନ ପାହାଚରେ ।’’

 

ଫୁଲର ଗନ୍ଧରେ ଆତୁର ଅଳିପରି କବି ତାଙ୍କ ପ୍ରିୟାର ଅନେଶୋତ ଅନନ୍ୟ ସୁନ୍ଦର ଚିତ୍ର ଅଙ୍କନ କରନ୍ତି । ଚିତ୍ର ଆଙ୍କୁ ଆଙ୍କୁ ଭାଷା ନଅଣ୍ଟ ପଡ଼େ ହେଲେ କବି ଥକି ଯାଆନ୍ତି ନାହଁ । ଅସଂଖ୍ୟ ଇନ୍ଦ୍ରଧନୁର ଭାଷ୍ୟରେ କବିର ସାରା ଆକାଶ ଚିତ୍ରିତ ହୋଇଯାଏ । ନିଜ ପ୍ରେମର ପରିତୃପ୍ତି ଓ ପ୍ରେମିକାର ରୂପ ସୌନ୍ଦର୍ଯ୍ୟକୁ ନେଇ ବିଭୋର କବି ନିଜ ପ୍ରେମର ଗଭୀରତାକୁ ନିଜେ ମାପଚୂପ କରି ଲେଖନ୍ତି-

 

‘‘ଚନ୍ଦ୍ରକଳା ଯେତିକି ନୀଳ କଇଁକୁ ଭଲ ପାଏଗୋ

ପାଇଚି ଭଲ ତାଠାରୁ ବେଶି ତୁମକୁ ଆଜିଯାଏ ଗୋ ।’’

 

ଅଥଚ ବେଳେବେଳେ ନିଜ ବିଶ୍ଵାସର ଅନ୍ଧକାର ଇଲାକାରେ ନିଜେ କବି ପଥହରା ହୋଇପଡ଼ନ୍ତି - ପ୍ରେମିକା ମନର ଗଭୀରତାକୁ କଳି ପାରନ୍ତି ନାହିଁ । ସେଇ ମନୋଇ ମିଛେଇ ଝିଅ, ଯାହାର ମୁହୂର୍ତ୍ତ ମୁହୂର୍ତ୍ତକର ନିସର୍ତ୍ତ ପ୍ରେମ ଓ ଅଙ୍ଗୀକାର କବି ଚିତ୍ତକୁ ମତୁଆଲା କରି ରଖେ ଯାହାର ବିନ୍ଦୁଏ ପ୍ରେମ କଣିକା ପାଇବା ପାଇଁ ସେ ପୃଥିବୀର ସବୁ କିଛି ଐଶ୍ୱର୍ଯ୍ୟ ପରିତ୍ୟାଗ କରିବା ପାଇଁ ପ୍ରସ୍ତୁତ । ଗୋଟିଏ ରାତିର କାନି ପଣତରେ ଶତ ରାତିର ସ୍ମତିକୁ ସାଉଁଟି ନେବା ପାଇଁ ବ୍ୟଗ୍ର କବି ଲେଖେ-

 

‘‘ଜ୍ୟୋସ୍ନାରେ ଭିଜି ଭିଜି ଆସ ଆଜି / ଆମେ ଦୁହେଁ ସ୍ୱପ୍ନ ଦେଖିବା

ଏ ରାତିର କାନି ତଳେ ଏକା ଏକା ବସି ବସି ଗଳ୍ପ କରିବା ।’’

XXXX

ଖିସି ଆଉ ଲାଜର ସେ ଲହରୀରେ ଭାସି ଭାସି ମୁକ୍ତା ଖୋଜିବା

XXXX

କସ୍ତୁରୀ ମୃଗ ସମ ଖୋ ସିନା ପ୍ରୀତିର ସୁଗନ୍ଧ।

ତୁମରି ସେ ମୁଲାଏମ ମନ ତଳେ କସ୍ତୁରୀ ଗନ୍ଧ

ପ୍ରୀତିର ସେ ମିଠା ମିଠା ମହକରୁ / ଆସ କିଛି ବାସ୍ନା ଲୁଟିବା ।’’

 

ଏବଂ ସେଇ ପ୍ରିୟତମାର ପ୍ରତୀକ୍ଷାରେ ବିତିଯାଏ କେତେ ବିନିଦ୍ର ରଜନୀ-

ପଦ୍ମବନର ମହକ ଛୁଟାଇ ସପନରେ ।

ଆସିବକି ଆଜି ଗୋପନରେ ।’’

 

ଅନ୍ଧ ମହୁମାଛି ପରି ପ୍ରୀତି ପଦ୍ମର ପାଖୁଡ଼ାରେ ବନ୍ଦୀ କବି କିନ୍ତୁ ଯେତେବେଳେ ନିଜ ଅଭିସାରରେ ନିଶ୍ଚତ ହୋଇ ପାରନ୍ତି ନାହିଁ ତାଙ୍କ ହୃଦୟର ଅଧୀଶ୍ୱରୀଙ୍କୁ ମଝିରେ ମଝିରେ ପ୍ରଶ୍ନ କରନ୍ତି । ଆତୁର ହୁଅନ୍ତି ତାର ଚିରୁଡ଼ାଏ ପ୍ରତ୍ୟୁତ୍ତର ପାଇଁ - ତମେ ବି ମତେ କୁହନା - ସତେ ସେତିକି ଭଲ ପାଇନ ଯଦି ପାଇବକି ?’’ କିଛି ନାହିଁ ପ୍ରତ୍ୟୁତ୍ତର- ପ୍ରେମର ଅସରନ୍ତି ଉତ୍‌ଫଣିତ ଲହରୀ ଅକାଳରେ ହଜିଯାଏ କେଉଁ ମାୟାବିନୀ ମରୁଭୂମି ବିରହ ବିଧୂର କବି ବୁଝିପାରେନା ତା ଜୀବନରେ - ଯେତେ ସବୁ ଘଟଣା ସତ ନା ମିଛ । ସନ୍ଦେହର କୁହେଳିରେ ହଜିଯାଏ ଚଲାବାଟ- ‘‘ଜୀବନ ସାରା ରହିତ ଗଲା ଅବୁଝା ତୋର ମୁହଁ’’ ସ୍ଵପ୍ନଭଙ୍ଗର ଯନ୍ତ୍ରଣାରେ ଜର୍ଜରିତ କ୍ଷତ ବିକ୍ଷତ ହୋଇଯାଏ କବି ମନ ।

 

‘‘ତୋର ଓଠର ମାନେ ଜହରଟିକେ/ ପ୍ରେମର ମାନେ ଦାହ ।’’

 

ଏ ଦାହରେ ବି କମ୍‌ଉତ୍ତେଜନା ନାହିଁ । ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଶ୍ରୀରାଧାଙ୍କର ପ୍ରେମର ଅଭିବ୍ୟକ୍ତି- ଏ ଅତି ବିଚିତ୍ର କଜ୍ଜ୍ୱଳର ଚିତ୍ର - ଲେଖି ଚୁମ୍ବ ଦିଏ ବାରବାର’’ ପରି ବିରହୀ କବି ବିରହର ଶତ କ୍ଷତର ଯନ୍ତ୍ରଣାକୁ ଚାଟି ଚାଟି ପିଇବାର ଆନନ୍ଦରେ ବିଭୋର ହୁଏ । ପ୍ରେମ ଯେତିକି ନିବିଡ଼ ଯନ୍ତ୍ରଣା ସେତିକି ତୀବ୍ର । ସେ ଯନ୍ତ୍ରଣାର ଦହନ ବି କବି କଣ୍ଠରୁ ଶବ୍ଦର ଫୁଲ ହୋଇ ଝରି ପଡ଼େ ।

 

‘‘ଅନନ୍ତ ଏକ ଚାରଣ ଭୂମିର ଅଧମ ଏ ଯାଯାବରେ

କାହିଁକି କୁହନା ବାନ୍ଧିଲ ସଖୀ ପ୍ରୀତିର ବଲଗା ଡୋରେ

ମୋର ଦୁଃଖ କି ଫେରିବାଲା ପରି

ବାହୁନି ବାହୁନି ବୁଲୁଥଲା ଘୂରି

ତୁମରି ଅନ୍ଧ ଗଳିରେ ?’’

ପ୍ରେମର ପରିପୂର୍ଣ୍ଣତାରେ ଆତ୍ମତୃପ୍ତିର ସ୍ଵାକ୍ଷର ରଚନା କରି

‘‘ତମମନ ପାଇଁ ଆଜି । ପାଇଚି ସିନା ମୁଁ ଆଜି ।

ଦୁଦୟର ମୀନା କରା ଇଲାକା ।’’

 

ଡିଣ୍ଡିମ ପିଟୁଥିବା କବିର ଆତ୍ମତୃପ୍ତି ହଜିଯାଏ କେଉଁ ବିଷାଦର ଅତଳ ଗହ୍ୱରରେ । ବିରହ କି ବିପ୍ରଲମ୍ଭ ନୁହେଁ- ବିଶ୍ୱାସଭଙ୍ଗ ହିଁ କବି ଛାତିରେ ଜାଳିଦିଏ ବେଦନାର ଅଗ୍ନି ।

 

‘‘ଏ ଦୁନିଆ ମୋତେ ନଖରେ ଦେଇଛି ଚିରି

ଛାତିରୁ ମୋ ଯାଏ ତତଲା ରକତ ଝରି

ମରିବା ଆଗରୁ ଦେଖୁଛି ମୁଁ ସାରା

ଦୁନିଆଁ ଯାଇଛି ମରି ।’’ ୩୮

 

ପ୍ରେମର ମହକରେ ବାଟଭୁଲା ଭ୍ରମର ପରି ଅଜସ୍ର ଯାତନାର ଚୌହଦୀରେ ବନ୍ଦୀ କବି ଲେଖୁଛନ୍ତି-

 

‘‘ମନ ଦେଇ ଖାଲି ଦହନ ପାଇଚି ।

ହୃଦୟ ତ ପାଇ ନାହିଁ

ବନ୍ଦର ଖୋଜି ବାଲିଚର କେତେ ଛୁଇଁଚି

ତାର ବା ଖବର କାହିଁ ?’’

 

ଅକୁହା ବେଦନାର ଅଝଟ ସ୍ଵର ଶବ୍ଦ କୁଞ୍ଜର ପ୍ରତି ଶାଖାରେ ଶାଖାରେ ପ୍ରତିଧ୍ୱନିତ ହୋଇଛି ଏବଂ ସେଇ ଅଭୁଲା ପ୍ରଣୟିନୀର କୁହୁ ସଂଗୀତରୁ ଝରି ଆସୁଛି ଅଜସ୍ର ହାହାକାର ।

 

‘‘ମୋ ଗୀତରେ ସିନା ଅନେକ ନାୟିକା ମୋଅରତ କେହି ନୁହେଁ

ମୋ ଗପରେ ଭରା ଅନେକ ଘଟଣା ହେଲେ ସତ କେହି ନୁହେଁ ।

ଦିନେ ମୋ କବିତା ମୋ ଗୀତ ଗଳପ ସବୁଥିରେ ଥିଲା ଯିଏ

ସେ ଆଜି କହୁଚି ମୁଁ ତା ଲାଗି ଅନ୍ତତଃ କେହି ନୁହେଁ ।’’

 

କଳ୍ପନାର ଇନ୍ଦ୍ରଜାଲ ରଚି କବିତା ରଚନା କରିବା କବିର ସ୍ଵୟଂସିଦ୍ଧ ପ୍ରବୃତ୍ତି । କିନ୍ତୁ ଗାଳ୍ପିକ ପରି, କଥାକାରଟିଏ ପରି, ନାଟ୍ୟକାରଟିଏ ପରି କଂଚା ନିଚ୍ଛକ ଜୀବନର ଇତିବୃତ୍ତିକୁ ନେଇ କବିତା ରଚନା କରିବା ଏକ ଦୁରୁହ ବ୍ୟାପାର । ପ୍ରେମରେ କଳ୍ପନାଭାବ ପ୍ରବଣତା ଯେପରି ଭାବରେ ଏକ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରିଥାନ୍ତି ସେହିପରି ସଂବୃତ୍ତ ଜୀବନ ଯାତ୍ରାରେ ପ୍ରେମ ପରି ପ୍ରତାରଣା ମଧ୍ୟ ଏକ ସହଜ ଲଭ୍ୟ ଅନୁଭୂତି ହୋଇଥାଏ ଯାହାର ସ୍ଵପ୍ନିଳ ପରିବର୍ତ୍ତେ ବାସ୍ତବ ନିଷ୍ଠୁର ରୂପ କବି ସ୍ଵର୍ଗତ ଦାସଙ୍କ କବିତାରେ ପରିସ୍ଫୁଟ ।

 

‘‘ସେ କହିଲା ଆଜିଯାଏ ସେ କାହାକୁ କୁଆଁରୀ ମନ ତା’ ଦେଇନାହିଁ

କହିଥିଲା ସେଇ କାହାକୁ ଭିତରେ ମୋତେ ବି ମିଶାଇ ଦେଇ ନାହିଁ ।’’

 

ଏ ସ୍ୱରଲିପିରେ ମାଟି ମଣିଷର ଭଙ୍ଗାଗଢ଼ା, ଲୁହ ଲହୁର ଚିତ୍ରିତ ଉପାଖ୍ୟାନ ଫୁଟି ଉଠେ-। ଏଠି ନାୟିକା ଆକାଶୀ କନ୍ୟା ନୁହେଁ କି ନାୟକ ଯକ୍ଷରାଜ୍ୟ ଅଭିଶପ୍ତ ରୂପକୁମର ନୁହଁ । ଏମାନେ କୌଣସି ଏକ ଛୋଟିଆ ସହରରେ ନିତି ଭାଙ୍ଗୁଥିବା ଗଢ଼ି ହେଉଥିବା ପ୍ରେମ କାହାଣୀର ଏପାଖ ସେପାଖ ଏବଂ କବିର ନାୟିକାଟି କଂଚା ମାଟିରେ ଗଢ଼ା ଏକ କ୍ଳେଦାନ୍ତ ପ୍ରତିମା ।

 

‘‘କାହଁକି କାନ୍ଦିବି କା ଲାଗି କାନ୍ଦିବି ଢାଳିବି ଆଖିର ଲୁହ

ଲୁହ ଦେଖି ଯିଏ ହସିପାରେ ସେ ତ ବଡ଼ ନିରିମମ ଝିଅ ।’’

ସେଇ କ୍ଳେଦାନ୍ତ ପ୍ରତିମା ପାଇଁ କିନ୍ତୁ କବିର ଆକର୍ଷଣର ସୀମା ନାହିଁ ।

‘‘ମୁଁ ମରିଯାଇ ତୋ ଆଖିରେ ଯେବେ/ ରହିଗଲି ଲୁହ ହୋଇ

 

କଥାବି ଦେଲନି ପଣତରେ କେବେ/ ମୋତେ ପୋଛି ଦେବୁ ନାହିଁ ।’’

ଅଥଚ ତାକୁ କବିର ଉପହାର କିଛି କମ୍‌ନୁହେଁ ।

‘‘ଆଗାମୀ ଏକ ପୃଥିବୀ ହାତେ ମୁଁ ଦେଇଗଲି ଏଇ ମୋ ଗୀତ

ପ୍ରିୟତମା ଗୋ ସେଇ ତୁମରି ପରିଚିତ ।’’

 

ସୀମା ନାହିଁ ପ୍ରେମିକ କବିର ପ୍ରେମର ବହୁବର୍ଣ୍ଣ ଅନୁଭବକୁ ନେଇ ଚିତ୍ର ଆଙ୍କିବାର ସେଇ ଅଙ୍କାବଙ୍କା ଚିତ୍ରରେ କେବେ କବି ଭିତରେ ତାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍‌ଏକାକାର ହୋଇଯାଏ - ଜଣାପଡ଼େ ନାହଁ । ଯେତେବେଳେ ଜୀବନର ଜଉମୁଦ ଖୋଲି ସେ ତାର ଅତୀତ ପାଖରେ ପହଞ୍ଚିଯାଏ, ସେଠି ଭେଟେ ସେ ଅଭୁଲା କୈଶୋର, ଭିଜା ଭିଜା ଯୌବନର କୁଆଁରୀ ମାଟିକୁ । ଚେଇଁ ଉଠେ ଫସିଲା ଏକ ଅଦ୍ଭୁତ ସୁଗନ୍ଧରେ ଚହଟି ଉଠେ ମନର ଇଲାକା । ନୂଆଣିଆ ଚାଳ ମଥାନ, ଦାଣ୍ଡ ଅଗଣା, କିଆ ଗୋହିରି, କଇଁ ଫୁଲିଆ ପାଟ, ଧୀର ପାଣିର ନଈଘାଟ, ଚହଲା ପାଣିର ପୋଖରୀ ଘାଟ, ଢେଉ ଢେଉକା ବାଦଲ, ଛପି ଛପିକା ଜହ୍ନ- ଜହ୍ନି ଫୁଲିଆ ରାତି, କଦମ୍ବ ଫୁଲିଆ ଦିନ, କୁଆଁରୀ କିଶୋରୀ ପ୍ରେମିକାର ଅଳତା ମଖା ପାଦ । ଅଝଟ ସ୍ମୃତି ପାଖରେ ଅଟକିଯାଏ ଜୀବନର ସବୁ ପ୍ରବାହ । କବି ଲେଖନ୍ତି-

 

‘‘ମୟୂରକଣ୍ଠି ଜୀବନ ତରି ମୋ, ବାହି ବାହି ବହୁ ବାଟରେ

ଲାଗିଲି ବନ୍ଧୁ ବନ ଅନ୍ଧାର, ଘେରା ତୁମ ଗାଁ ଘାଟରେ ।

ଅନେକ ନଦୀରେ ଅନେକ ସାଗର, ଅନେକ ବାହିଲି ନାଆ ।

ଦେଖିଲି ପ୍ରତିଟି ଢେଉରେ ଲେଖା ଗୋ, ପ୍ରିୟତମା ତୁମ ନାଆଁ ।

ତୁମ ମନ୍ଦାର ପାଦ ଅଲତାର, ଦାଗ ବୋଳା ସବୁ ତୁଠରେ । ୩୩

 

ପ୍ରତ୍ୟେକ କବି ପାଇଁ ତାର ଗାଁରେ ସାଇତା ଥାଏ ସ୍ମୃତିର କରାଟ । ସେଇ କରାଟରୁ କେବେ ବାହାରେ ପଲ୍ଲୀ ପ୍ରକୃତିର ସାନ୍ଦ୍ର ନିଖୁଣ ଚିତ୍ରପଟ, କେବେ କିଶୋରୀ ପ୍ରେମିକାର ଅଳତା ଦାଗ ମଖା ନଈତୁଠ ତ ପୁଣି ସେ ଗାଁର ନିବୁଜ ସଂସ୍କୃତିରେ ବସବାସ କରୁଥିବା ସଖା, ସମନ୍ଧୀ, ଝିଅ -ବୋହୂ ତଥା ବିଗତପ୍ରିୟାର ସହଜ ସ୍ମୃତି ମଖା ନିବିଡ଼ ଜୀବନର ଚିତ୍ର । କେତେ ଚରିତ୍ର କେତେ ଚିତ୍ର । ଦ୍ଧ ଦାସଙ୍କର ପଲ୍ଲୀ ଗୀତଗୁଡ଼ିକରେ ଏମିତି ଅସୁମାରି ଚିତ୍ର ଓ ଚରିତ୍ରମାନଙ୍କୁ ଅକ୍ଳେଶରେ ଖୋଜି ନେଇହୁଏ ।

 

‘‘ତମେ ଏତେ ପାଶେ ମୋର ତମେ ଏତେ ଦୂର ।

ତମେ ଏତେ ନିଜର ବି ତମେ ଏତେ ପର ।

ଦୂର ନଈ କୂଳେ କାହିଁ ତମେ ଏକ ଗାଁ

ନିତି ଧାଇଁ ଯିବା ପାଇଁ ମିଳେନା ବାହାନା

ତମେ କେବେ ତୀର ପୁଣି କେବେ ବାଲିଚର ।’’

 

ଅଥଚ ଢେଉ ଢେଉକା ପାହାଡ଼ ତଳର ସେ ଅଙ୍କାବଙ୍କା ନଈର କୂଳର ଗାଁଟିର ସଜଳସ୍ମୃତି ବାଉଳା କରେ କବି ମନକୁ । ଖରାଛୁଟୀ, ପହିଲି ରଜ, ବାଗୁଡ଼ି ଖେଳ ଗାଁ କନିଆଁର ମେଳକୁ ଫେରିଯିବାକୁ ମନ ବ୍ୟାକୁଳ ହୁଏ- ଅନେକ ପ୍ରଶ୍ନ ପୁଣି ଅନେକ ଖାଲି ପଣର ମିଠା ସ୍ମୃତିକୁ ସମ୍ବଳ କରି କବି ଲେଖନ୍ତି-

 

‘‘ଆଗରୁ ତୁଲୋ ଯେମିତି ଥିଲୁ, ସେମିତି ଅଛୁ କି ବଦଳି ଗଲୁ

କେମିତି ଜାଣିବି କହ ।

ତୁ ତ ଆଉ ନୁହଁ ଲୋ ଖାଲି ଏଇ ଗାଁର ଝିଅ ।’’

X      X      X      X

‘‘ଖରା ଛୁଟିରେ ଆସିଲେ ଆଉ ମିଳେନା ତୋର ଦେଖା । ତୋ ଅରି ବିନା ଗାଁଟା

ଭାରି ଲାଗଇ ଏକା ଏକା । ଫେରିଲାବେଳେ ଆଉତ କିଏ ଝରାଏ ନାଇଁ ଲୁହ ।’’

 

ନିଜଠୁ ନିଜକୁ ଅଲଗା କରି ପୁନଶ୍ଚ କବି ସେଇ ପାଖ ଆଗରେ ଥିବା ଚରିତ୍ରମାନଙ୍କୁ ଆତ୍ମା ସହିତ ସଂଯୁକ୍ତ ହୋଇ ସେମାନଙ୍କ ଗୀତ କି ନିଜ ଶବ୍ଦର ମାଳ ପିନ୍ଧାଇ ଲେଖନ୍ତି

 

‘‘କାଇଁଚି ପତର ସରୁ

ପାଶୋରି ନ ଦେବୁ ମୋତେ ମନରୁ

ମୋ ହୀରାଫୁଲ ।’’

 

ସହି ସଂଗାତଙ୍କର ଏଭାବ ବିନୋଦିଆ କଢ଼ି କଳିକା ପରି ସେମାନଙ୍କ ଛୋଟ ଛୋଟ ସୁଖ ଦୁଃଖର ଅନେକ ମୋହକ ଚିତ୍ର କବିଙ୍କ ଲେଖନୀରେ ଆତ୍ମପ୍ରକାଶ କରିଛି । ଯେପରି ଅବୁଝା ପରଦେଶୀ ସ୍ୱାମୀକୁ ସୁଆଗୀ ପନ୍ନୀର ସଙ୍କିତ କାତର ପ୍ରତଲିପିକୁ କବି ଅନୁବନ୍ଧିତ କରିଛନ୍ତି ଗୀତରେ-

 

‘‘ସୁନାଟା ପରା ମୋ ରାଣ ପକାଉଚି ଜାଣିକରି ନାହଁ ଡେରି

ଏକୁଟିଆ ଟିକେ ବେଳ ତ ମିଳେନା ଲେଖିବାକୁ ଦୁଇଧାଡ଼ି ।’’

X      X      X

‘‘ପହିଲି ରଜକୁ କହିଲ ଆସିବ ବେଳ ଗଡ଼ିଲା ଜଗି

ଟାହୁଲି କଲା ସେ ଗାଉଁଲି ଗୀତରେ ସଂଗାତଟା ନିଆଁ ଲାଗି

 

ବଉଳ ମୋହରି ବଡ଼ ଡବ ଡବି ଚଳୁଛି ମୁଁ ଡରି ଡରି

ଛଇଳି ବୁଲିବ ଗାଁ ସାରା ଗପି ତିଳଟାକୁ ତାଳ କରି ।’’

 

ସେହିପରି କେଉଁଠି ପରଦେଶୀ ପ୍ରେମିକ ପ୍ରେମ ଜାଲରେ ପଡ଼ି ଅବସୋସ କରୁଥିବା ଗ୍ରାମ୍ୟ କିଶୋରୀର ସହଜ ସରଳ ଅଭିବ୍ୟକ୍ତି -

 

ସହର ତଳି ହାଟକୁ ଗଲି ପରମାଦ ଯା ହେଲା

ପସରାମୁଲ ପାଶୋରି ମୋର ମନଟା କିଣି ନେଲା

 

ପର ଦେଶିଆ ବଡ଼ ଦଗା ଦେଲା ।’’ ପୁଣି କେଉଁଠି ସେଇ ଛଇଳା କିଶୋରୀ ଗର୍ବରେ କହୁଛି-

 

ଶୁଣଲୋ ସାରି ଶୁଣରେ ଟିଆ

ଶୁଣ ମୟୂରୀ ଶୁଣ ମୋ ଶୁଆ

କିଏ କହେ ଚଣ୍ଡୀ କିଏ ବା ଉଦଣ୍ଡୀ କିଏ କହେ ମୁଁ ନିଆଁ

ନିଆ ନୁହେଁ କି ପାଉଁଶ ନୁହଁ ମୁଁ ପରବାସିଆର କନିଆଁ ।

 

ପୁନଶ୍ଚ କେଉଁଠି ଦଇବ ଦଉଡ଼ି ହାତରେ ବନ୍ଧାପଡ଼ି ପ୍ରେମରେ ହଜି ଯାଇଥିବା କାକଳିକୁ ସାଉଁଟି ବସୁଛନ୍ତି କିବ-

ସେବେ କହୁଥିଲେ ଦୁନିଆର ଲୋକେ

ଆମକୁ ମାଣିକ ଯୋଡ଼ି

ତୁ ଛାଡ଼ି ନାହୁଁ ମୁଁ ଛାଡ଼ି ନାହିଁ ଦଇବର ଛଡ଼ାଛଡ଼ି ।’’

X      X      X

‘‘ଲୋକେ କହୁଛନ୍ତି ବାଟ ହୁଡ଼ି ଆମେ, ଏବେ ହେଲୁ ଛଡ଼ାଛଡ଼ି

ତୁ ହୁଡ଼ି ନାହୁଁ ମୁଁ ହୁଡ଼ି ନାହିଁ ଦଉବ ଯାଇଚି ହୁଡ଼ି ।’’

 

ତଥାପି ଚୁମ୍ବକ ପରି ଆକର୍ଷିତ କରୁଥିବା ଚେହେରା ପାଖରେ ଅଳି କରୁଛନ୍ତି କବି-

 

‘‘ଶରଧାରୁ ତୋର ଦେଇଥା ଟିକେ କରଜ

ଆର ଜନମକୁ ଶୁଝି ଦେବି ହୋଇ

ତୋ ବାଡ଼ିର ଲଙ୍କା ମରିଚ ।’’

 

କବିର ଚିର କିଶୋର କୋମଳ ମନ ତଳେ କଥଁଳ କିଶୋରୀର ଯେଉଁ ଅଙ୍କାବଙ୍କା ପାହାଡ଼ି ଝରଣା ପରି ସ୍ଵଚ୍ଛ ସୁନ୍ଦର ପ୍ରତିକୃତିଟିଏ ରହିଛି ସେ ତାକୁ କେବେ ମୁହୂର୍ତ୍ତକ ପାଇଁ ଭୁଲି ପାରି ନାହାନ୍ତି । ଧୂପର ସୁଗନ୍ଧ ପରି ବୟସ ବଢ଼ିବା ସହିତ ମନ ତଳେ ସେ ସୁଗନ୍ଧ କ୍ରମଶଃ ଗଭୀରରୁ ଗଭୀରତର ହେଉଛି-

 

‘‘ଦୁବ ଗାଲିଚାରେ କଅଁଳ ତୋ ପାଦ ଛୁଇଁବନି କେବେ ଗୋରୀ

ଲହୁଣୀ ନରମ ତଳିପାରେ ପରା ଘାସ ଫୁଲଯିବ ଫୋଡ଼ି

ମେଘ ଚିକୁରରେ ରଜନୀ ଗନ୍ଧା ଗଜରା ଦେବୁନି ବେଢ଼ି

ତୋର ସେ ଲୋଟଣୀ ଜୁଡ଼ା ଫୁଲ ଭାରେ ହୋଇଯିବ ପରା ଭାରି ।’’

 

ଜୀବନର ପାଖାପାଖି ଓ କଳ୍ପନାରେ ମଖାମଖି ସଂଯୁକ୍ତିକରଣ ପ୍ରତ୍ୟେକ କବିକୁ କବିତା ରଚନା କରିବା ପାଇଁ ଉଷ୍ମତା ଯୋଗାଇଥାଏ । ସେଇ ଉଷ୍ମତାର ସଂଚରଣରେ ସେ ଦେଖେ ତା’ର ଜୀବନର ଜଳଛବି ଓ କଳ୍ପନାର ଭସାମେଘ । ଯେଉଁଠି ନିତ୍ୟସ୍ନାନ କଲେ ବି କ୍ଳାନ୍ତି ମେଣ୍ଟେ ନାହିଁ । ପଲ୍ଲୀଗୀତମାନଙ୍କର ପରିକଳ୍ପନା ଏମିତି ଶେଷହୀନ ସ୍ମତି ଚର୍ଯାର ଅଭୀପ୍‌ସିତ ଇତିକଥାରୁ । ନିଜ କୈଶୋର ନିଜ ପ୍ରେମ, ନିଜ ଜୀବନ ଗୀତିର ଅବୁଝା କଥା-

 

“ଯାଃ ମାନେ କେବେ ହଁ ହୋଇପାରେ, କେବେ ହୋଇପାରେ ଅବା ନାଇଁ

ଯେତେ ପଚାରିଲେ ହଁ ଅବା ନାଇଁ କିଛି ତ ସେ ମୋତେ କହିନାଇଁ ।’’

 

ସହିତ କବି ଜୀବନ ଚିତ୍ର ଭିତରେ ଉଙ୍କି ମାରୁଥିବା ନିବିଡ଼ ଚରିତ୍ରମାନଙ୍କ ସୁଖ ଦୁଃଖ ହସ କାନ୍ଦର ଏକ ଚାରୁଚିତ୍ର ଅଙ୍କନ କରନ୍ତି । ସେଠି ଅଛନ୍ତି ଉଦଣ୍ଡି ଝିଅ- ଦୂରଦେଶକୁ ବାହା ହେଇ ଯାଉଥିବା କନିଆଁ, ସରାଗୀ ପତ୍ନୀ, ରୂପସୀ ପ୍ରେୟସୀ । ତାଙ୍କର ଦୁନିଆଁ ଭିତରେ କବି ଖୋଜନ୍ତି ଜୀବନର ପୂର୍ଣ୍ଣତା, କବିତାର ଭିନ୍ନତା । ଗୋଟିଏ ଗୀତର କେତୋଟି ପଦ ଛନ୍ଦରେ ଗୋଟିଏ ସଂପୂର୍ଣ୍ଣ ଗଳ୍ପର ଇତିକଥା - ସଂପୂର୍ଣ୍ଣ କାବ୍ୟିକ ଚିତ୍ରକଳ୍ପଟିଏ ଫୁଟି ଉଠେ । ରୂପକଥାର କାହାଣୀ ପାଲଟି ଯାଏ ଜୀବନ ବେଦର ନିଷ୍ଠୁର ଇତିହାସ । ଚମତ୍କାର ତାର ଚିତ୍ରକଥା-

 

‘‘ବନ୍ଧୁରେ- ଆଣିଦେ ଆଣିଦେ ଧରି ସୁନାଇଲିଶି

ତୋର ମଥା ଭଉଁରିଆ ଜାଲ ସୁନା ଇଲିଶି ଆଣିବୁ ଚାଲ

ଡେଣା ମଣି ମାଣିକର ତୁଲ ଜାତି ଗୋଟି ଗୋଟି ହୀରାଫୁଲ

ଧୀବରରେ ଆଣି ଦେ ଆଣି ଦେ ଧରି ସୁନା ଇଲିଶି ।

 

X      X      X

ଧୀବରରେ କହି ଦେ କହି ଦେ କାହିଁ ସୁନା ଇଲିଶି ।

ସୁନା ଇଲିଶି ଧରିବି ବୋଲି ଜଳେ ଜାଲ ମୋର ପକାଇଲି

ଯେବେ ସୁନା ମଛ ଛୁଇଁ ଦେଲି ସେ ତ ପାଲଟି ହୋଇଲା ପରୀ

ତୋ କପାଳେ ସଉତୁଣୀ ଅଛି, ନାହିଁ ସୁନା ଇଲିଶି ।’’

 

ଗୋଟିଏ ସମ୍ପୂର୍ଣ୍ଣ ଚିତ୍ରିତ ନାଟକ ଏଇ କେତୋଟି ପଦରେ ଅଭିନୀତ ହୋଇଯାଇଛି । ସେହିପରି କବିଙ୍କ ଲେଖନୀରେ ଗାଁ ଭୂଇଁରେ ଅନେକ ନିରଳଚିତ୍ର ରୂପାୟିତ ହୋଇଛି କେଉଁଠି ଦୂର ଦେଶକୁ ବିଭା ହୋଇ ଯାଇଥିବା ବୋହୂର ଅକପଟ ବେଦନାର ଚିତ୍ରଲିପି -

 

‘‘ଘଡ଼ି ମାରି ଜହ୍ନ କାଳି ଅନ୍ଧାରି ଲୋ

ମାଟିରେ ପଡ଼େନା ଛାଇ

ତୋହରି ଗାଲର ଲୁହ ଧାର ଖାଲି

ଝିଲି ମିଲି କରୁ ଥାଇ ।’’

 

ତ କେଉଁଠି ପାଲଟ କନିଆଁର ମଧୁର ଇତିବୃତ୍ତି ସରସ ସୁନ୍ଦର ଭାବରେ ପ୍ରକାଶିତ ହୋଇଛି ।

 

‘‘ଦୋଳି ଝୁଲୁ ଝୁଲୁ ଝୁଲୁଥିଲେ ଦିହେଁ

ଜଣେ ମଲ୍ଲୀ ଜଣେ ହେନା

ଏ ତୋର ନଣନ୍ଦ ସେ ତାର ନଣନ୍ଦ

ପାଲଟ କନିଆଁ ସିନା ।’’

 

କିନ୍ତୁ ପଲ୍ଲୀ ଗୀତର ଅସଲ ଆତ୍ମା ରହିଛି ତାର ଅକପଟ ଲୋକଗୀତର ଝରଣା ଭିତରେ-। ଯାହାକୁ ଅତ୍ୟନ୍ତ ସମାଦରର ସହିତ କବି ତାଙ୍କ ଗୀତି କବିତାରେ ବ୍ୟବହାର କରିଛନ୍ତି । ଅର୍ଥ ଥାଉ ବା ନ ଥାଉ ସେ ଗୀତରୁ ଯେଉଁ ସ୍ଵର ସ୍ୱରିତ ହୁଏ ସେଥିରୁ ଆସ୍ଵାଦ କରି ହୁଏ ଅନେକ ତରଳ ସରଳ ଅର୍ଥାନ୍ତର । ଅନେକ ଅସଂଗତି ମଧ୍ୟରୁ ଖୋଜିହୁଏ ଅନେକ ଅବୁଝା ସଂଗତିର ଡାଲ ଫୁଲ ।

 

‘‘ଏଇ ଫୁଲ ଯେବେ ତୁମ କବରୀରୁ ମଉଲି ପଡ଼ିବ ଝରି

ଜାଣିବ ତେବେ ମୁଁ ନାଇଁ ଆଉ ନାଇଁ

କେବେଠୁ ଯାଇଚି ମରି ।’’

‘‘କାଇଁଚ ପତର ସରୁ

ପାଶୋରି ନ ଦେବୁ ମୋତେ ମନରୁ

ମୋ ହୀରାଫୁଲ ।’’

ହେଉ ବା-       “ଆକାଶ କଇଁଆ ଚିଲିକାର ମାଛ

କିଏ ବା କାହାକୁ ପାଏ

ଆଣ୍ଠୁଏ ପାଣିକି ଗଲିଣି ମିତରେ

ପଦ୍ମ ଘୁଞ୍ଚି ଘୁଞ୍ଚି ଯାଏ ।’’ ସଂଗୀତ ହେଉବା ମନ ମତାଣିଆ

ଗୀତ-

‘‘ରସର ମଲ୍ଲିକୁ ପାଇବି ବୋଲି ମୁଁ ପାଇବି ବୋଲି

ପାନ ଖିଲେ ଦେଇଥିଲି

ରସର ମଲ୍ଲିତ ଗେଲ ବସର, ଗାଁ ସେ ମୁଣ୍ଡରେ ଏକଣା ଘର,

 

ନଈକୁ ଯିବାକୁ ମାଡୁଚି ଡର ବାଟରେ ଜଗିଛି ହଟନାଗର ।

ରସର ମଲ୍ଲି ମୋ କଦମ ଫୁଲି ସେ କଦମ ଫୁଲି

ମହନିଆଁ ଚୋରା ବାଲି ।’’ ଆଦିରେ ଲୋକଗୀତର ପ୍ରୟୋଗ

 

ଯେପରି ମନ ମୁଗ୍ଧକର ସେହିପରି ଅଭିନବ । ଏହିପରି ସରଳ ସୁନ୍ଦର ପ୍ରୟୋଗ କରି ସେ ଅସଂଖ୍ୟ ଗୀତି କବିତା ରଚନା କରିଛନ୍ତି ।

 

ଗୀତି କବିତା କବି ଆତ୍ମା ଅନୁଚିନ୍ତନର ପରିପ୍ରକାଶକ । ଗୀତିଟିଏ ମଧ୍ୟରେ କବି ଯେପରି ଖୋଲିଦିଏ ତାର ହୃଦୟର ଦରଜା ସେହିପରି ଭାବରେ କବିର ଜୀବନାନୁଭୂତି, ଜୀବନ ଦର୍ଶନ, ଆଦର୍ଶ, ଅନୁଚିନ୍ତନ ତଥା ଉପଲବ୍‌ଧି କରିଥିବା ଅନେକ ସତ୍ୟ ସେହି ପଦିଏ ଗୀତରେ ପରିସ୍ଫୁଟ ହୋଇଥାଏ । ଲୋକଗୀତ ପରି ଲୋକ ସାହିତ୍ୟରେ ପ୍ରବାଦ ଓ ପ୍ରବଚନ ଏକ ବିଶିଷ୍ଟ ଭୂମିକା ଗ୍ରହଣ କରିଥାଏ । ଲୋକାନୁଭୂତିର ଅନ୍ତରଙ୍ଗ ଅନୁସନ୍ଧାନ ଏଗୁଡ଼ିକର ଜନ୍ମଦାତା ଏବଂ ସାଧାରଣ ଲୋକ ସମାଜ ଏହାକୁ ପ୍ରାମାଣିକ ସତ୍ୟ ଭାବରେ ଗ୍ରହଣ କରି ନେଇଥାନ୍ତି । ‘‘ଗରଜିଲା ମେଘ ବରଷେ ନାହିଁ’’ ଠାରୁ ଆରମ୍ଭ କରି ଆକାଶ କଇଁଆ ଚିଲିକା ମାଛ’ ପର୍ଯ୍ୟନ୍ତ ଅନେକ ଛୋଟ ଛୋଟ ଉଦ୍ଧୃତି ମଧ୍ୟରେ ବିରାଟ ବିରାଟ ନିଷ୍କର୍ଷ ଆତ୍ମଗୋପନ କରିଥାଏ । ସେହିପରି ଲୋକ ସାହିତ୍ୟର ଅନୁସରଣରେ କବି ମଧ୍ୟ କିଛି ଅନୁସୃଜନ କରିଛନ୍ତି ପ୍ରବାଦ ପରି ତାହା ସାଧାରଣ ସତ୍ୟନିଷ୍ଠତା ଭାବରେ ଗୃହୀତ ହୋଇପାରିଛି -

 

‘‘ପ୍ରେମ ନୁହେଁ ପଦ୍ମର ପାଖୁଡ଼ାର କବର

ସ୍ମୃତି ନୁହେଁ ଅତୀତର ଯାତନାର ଖବର ।’’୬୧

 

X      X      X

‘‘ଛାଇ ଆଲୁଅର ଜୀବନରେ ମୋର କେବେ ଦିନ କେବେ ରାତି

ବାଟ ଚାଲୁ ଚାଲୁ ଦେଖିଲି ମୁଁ ଫେରି ମୋହରି ଛାଇ ମୋ ସାଥୀ ।’’ ୬୭

 

‘‘ପ୍ରେମ ସିଏବି ତ ଏକ ସ୍ଵପ୍ନ

ଏ ପାଖରେ ଅମା ଅନ୍ଧର ତାର

ସେ ପାଖରେ ଭରା ଜହ୍ନ ।’’୧୮୬

 

X      X      X

‘‘କୁସୁମ କୁସୁମ କେଳି କୁସୁମ

ପୀରତି ଲାଗିଲେ ବଡ଼ ବିଷମ ।’’ ୧୨୩

 

ସେହିପରି ଢଗ, ଢମାଳି, ଛୋଟିଆ ଛୋଟିଆ ପ୍ରହେଳିକାକୁ ନେଇ ବେଶ୍‌ସରସ ସୁନ୍ଦର ଗୀତ ରଚନା କରିଛନ୍ତି କବି । ଯାହାର ସମାଧାନ କେବେ ହୋଇ ପାରେ କେବେ ନାହିଁ । ଆନନ୍ଦ ପ୍ରଦାନ ଯାହାର ମୁଖ୍ୟ ଉଦ୍ଦେଶ୍ୟ :

 

ହେ ମୋର ବାବୁ ହେ ବାବୁ ଆଣି

ହେ ମୋର ରାଜା ହେ ରାଜାରାଣୀ

ଜବାବ ଦିଅ ପଚାରେ ଯାହା ତୁମକୁ-ତୁମକୁ ତୁମକୁ

 

ସରଳ ପ୍ରଶ୍ନ ଅଥଚ ଉତ୍ତରଟିଏ ସହଜରେ ମିଳେ ନାହିଁ-

 

ସରଗ ସୁତା ଗଜ ମୁକୁତା ଛେଚିଲେ ବକଳା ନାହିଁ

ଖାଇ ଦେଉଥିଲେ ବହି ପଡୁଥାଇ ସଂସାର ଭିତରେ କାହିଁ

ସେ ବରଷା ଧାର

ସେ ତ ଶୀତ କାକର

ଜାଣିଲି ଏବେ ସେ କି ଦରବ

ତା ନାମଟି କୁଆ ପଥର

 

ସେହିପରି ନହନହକା ପତର ବଙ୍କା ତା ମୂଲ ଅମୂଲ ମୂଲ କୁ କବି ଶବ୍ଦର ସୁସଂଯୋଜନା ଦେଇ କବିତାରେ ଢାଳିଛନ୍ତି

 

‘‘ସେ ଅନୁପମା ସୁନା ପ୍ରତିମା ଲକ୍ଷ୍ମୀ ଠାକୁରାଣୀ ତୁଲ

ସେ ତ ପାଚିଲା ଧାନ

ବାସ ଚନ୍ଦନ

ସେ ତ ସୁନା କଂକଣ

ସେ ତ ନାରୀ ରତନ

ଜାଣିଲି ଏବେ ନାଆଁଟି ତାର

ପଦୁଅଁ କେଶରୀ ଧାନ ।’’

 

ଗ୍ରାମ୍ୟ ଗୀତିକାର ନିରାଡ଼ମ୍ବର ପ୍ରହେଳିକାରେ ସେ ଯେଉଁ ସ୍ଵଭାବସିଦ୍ଧ ଆନନ୍ଦ ଲାଭ କରିଛନ୍ତି ତାକୁ ଗୀତିରେ ପ୍ରୟୋଗ କରିବାର ସାମାନ୍ୟତମ ସୁଯୋଗକୁ କବି ହାତ ଛଡ଼ା କରି ନାହାନ୍ତି -

 

କାଳିର ଗୋରୀର ଯେ ଏକଇ ବୟସୀ

କାଳିକୁ ଦଂଶିଲା ହୋ କଉଡ଼ିଆ ଚିତି

ଗୋରୀକୁ ଘାରିଲା ହେ ବିଷ -ବର୍ଣ୍ଣତା ହଳଦୀ ଯେ

ସେହିପରି- ‘‘ଦୂରୁ ଚକ ଚକ ଗୋରୀ ସୁନ୍ଦର ।

ନିରେଖି ଦେଖିଲେ କାଳି ସୁନ୍ଦର ।

 

X      X      X

ଗୋରୀ ଚକମକ ତୁଛା କୁହୁକ

ପଳାଶ ଫୁଲରେ ନାହିଁ ମହକ

ତୋର କଳା ରୂପ କଲା ମନ୍ତର

ମୋର ହେଳେ ଜିଣି ନେଲା ଅନ୍ତର ।’’

 

ଏହା ବ୍ୟତୀତ ଓଡ଼ିଶାର ଢଗଢ଼ମାଳିର ଅନୁରଣ ଘଟେ-

 

‘‘କ୍ଷୀର ଅଇଁଠା ନୀରବି ଅଇଁଠା ଆହୁରି ଅଇଁଠା ବେଦ

ଫୁଲ ତ ଅଇଁଠା ଗେଲ ବି ଅଇଁଠା ରାହୁର ଅଇଁଠା ଚାନ୍ଦ ।’’

 

ଆଦି ଗୀତିଗୁଡ଼ିକର ରଚନା ଛନ୍ଦରେ । କବି ଏ ସୃଷ୍ଟିର ଦ୍ୱିତୀୟ ଈଶ୍ୱର । ସେ ଅନେକ ଅନୁଚିନ୍ତନର ସ୍ରଷ୍ଟା । ହେଲେ ପ୍ରଥମ ଇଶ୍ୱରଙ୍କ ସର୍ଜନାର ସୁକୋମଳ ସ୍ପର୍ଶ ପ୍ରତ୍ୟେକ ମୁହୂର୍ତ୍ତରେ କବି ଆତ୍ମାରେ ହୃଦୟରେ ତଥା ଚକ୍ଷୁରେ ଲେସି ହୋଇ ରହିଥାଏ । ଯେତେ ନୂଆ କଥା କହିଲେ ବି ସେ ପୁରାତନ ସର୍ଜନାର ବିନା ସହାୟତାରେ ତାର ନୂଆ କଥା ମାନ ସ୍ଵର ଲଭି ପାରନ୍ତି ନାହଁ । ତେଣୁ ଈଶ୍ୱରଙ୍କ ଅନନ୍ତ ସୃଷ୍ଟିର ବାହ୍ୟ ପ୍ରକାଶିତ ରୂପ ଯାହା ପ୍ରକୃତି ଭାବରେ ପ୍ରଲମ୍ବିତ ତାକୁ ଛାଡ଼ି କବି ସୃଜନ କ୍ଷମ ହୋଇପାରେ ନାହିଁ । ପ୍ରାଚୀନ କାଳରୁ ଏହା କବି ଚିନ୍ତନର ଉଦ୍ଦୀପନ ଓ ଆହମ୍ବନ ବିଭାବ ଭାବରେ କାର୍ଯ୍ୟ କରି ଆସିଛି । ତାରି ଭିତରେ କବି ଖୋଜେ ଉପାଦାନ, ଉପମାନ, ଉପସର୍ଗ ତଥା ଉପସଂହାର । ଉଆଁସ ରାତି, ସୂରୁଜର ନାଲି ମୁରୁଜରେ ଖାଲି ଚିକ୍‌ମିକି ମାଛ କାତି, ବରଷା ଧାର, କୁଆ ପଥର, ଭସାଭସା ବାଦଲ ଡେଣାରେ ଝୁମି ଝୁମି ଆସେ ଶ୍ରାବଣ, ରିମଝିମ୍‌ବରଷା ନୂପରେ ଅଭିସାରିକାର ଭୀରୁ ଗୁଂଜନ, ଅଳି ମାଗେ ମଧୁ ଫୁଲ କହେ ନିଅ, ଅମାନିଆ ପବନରେ ସହେ ନାହିଁ ଦିହ, ରୂପାନଈର ଜଳେ, ସୁନା ମାଛ ଭଉଁରୀ ଖେଳେ, ଝରକା ସେ ପାଖର ମଉଳା ଜହ୍ନ, ଢେଉ ଢେଉକା ପାହାଡ଼ ଆକାଶର ନୀଳ ଲଫାପା, କାଶଫୁଲ ଫୁଟା ସନ୍ଧ୍ୟା, ଉର୍ମି ଅଧିରା ରୂପସୀ ଚିଲିକା, ପଦ୍ମବନର ମହକ, କଦମ୍ବର ଛାଇ ଆଉ ବଇଁଶୀର ସ୍ଵର, ବେଦନାର ହେମନ୍ତରେ ଲୁହର ଶିଶିର, ପଦ୍ମିନୀ ଆଗେ ଏ ମନ ଚାହେଁନା ସୂର୍ଯ୍ୟ ହେବାକୁ ଆଉ ସହି ମୁଁ ପାରେନା ସହି ଆଉ ସେଇ ବିରହ ରାହୁର ଦାଉ, ନୀଳ କଇଁ ପଚାରଇ ରୂପାଜହ୍ନ ଦେଖି, ତୁ କାହିଁକି ହେଲୁ ଆକାଶେ ରାଜା ଲୋ, ମୁଁ ହେଲି ଜନମ ଦୁଃଖୀ ।’’ ଏଇ ମୋର ମନ ସେତ ସାତ ତାଳ ପାଣି, ବର୍ଷା ଘନ ଆକାଶରେ ଇନ୍ଦ୍ରଧନୁ ପରି, ପ୍ରିୟା ମୋର କଳ୍ପନାରେ ସ୍ଵପ୍ନ ଦିଏ ଭରି ।’ ଭୀରୁ ମାଟିର ବାଦାମୀ ଗନ୍ଧ, ସବୁଜ ଘାସର ରେଶମୀ ଛନ୍ଦ ଭିତରେ ପ୍ରକୃତିର ଅନାହତ ଛିଟାକୁ ଅସ୍ୱୀକାର କରି ହୁଏ ନାହିଁ । କବି ମଧ୍ୟ ନିଜ କବିତାର ଛନ୍ଦରେ ସ୍ୱୀକାର କରିଛନ୍ତି -

 

‘‘ଖୋଜେ ମୋର ଆଦିବାସୀ ମନ

କିଛି ଫୁଲ, ମମତା ଭରା କିଛି ଜହ୍ନ

ଅନେକ ଆକାଶ ଛାଇ ତଳେ ଆଜି

ଖୋଜେ କିଛି ପ୍ରେମ ଆଉ ଅନେକ ସପନ ।’’

 

ପ୍ରତ୍ୟେକ କବିର ଜୀବନ ଚିତ୍ର ଏକ ଅପଢ଼ା ପୃଷ୍ଠା ଭିତରେ ଆତ୍ମଗୋପନ କରିଥାଏ । କେତେବେଳେ କବି ସେ ସିନ୍ଧୁକର ଚାବି ନିଜ ଅଜାଣତରେ ଖୋଲିଦିଏ ସେ ନିଜେ ଜାଣି ପାରେ ନାହଁ ଏବଂ ପାଠକ ସେଇ ଅପଢ଼ା ପୃଷ୍ଠାରୁ ସାଉଁଟି ନିଏ କବିର ଦୃଷ୍ଟି ଓ ଦର୍ଶନର ଘନତାକୁ ଏବଂ ଆକଳନ କରି ବସେ କବିର ଜୀବନ ଓ ଦର୍ଶନକୁ । ତା’ର ବ୍ୟକ୍ତିତ୍ୱକୁ ଓ ତାର ଜୀବନ ଚର୍ଚ୍ଚାର ଗୋପନୀୟ ଉପପାଦ୍ୟକୁ । ନିଜ ଲେଖନୀରେ କୌଣସି ଅସତର୍କ ମୁହୂର୍ତ୍ତରେ ଯାହାକୁ ଲେଖିଦେଇ ଥାଏ କବି । କବି ସ୍ଵର୍ଗତ ଦାସଙ୍କର ଚିନ୍ତା ଓ ଚେତନାର ଏଇ ଝଲକକୁ ତାଙ୍କର ଅନେକ କବିତାରୁ ଅକ୍ନେଶରେ ଖୋଜି ନେଇ ହୋଇଥାଏ । ତାଙ୍କର ପ୍ରେମ ବିରହ- ମିଳନର କଥା ପରି ସାଉଁଟି ନେଇ ହୋଇଥାଏ ତାଙ୍କ ନିର୍ଜନ ନିଃସଙ୍ଗତା ଓ ଜୀବନ ପ୍ରତି ଥିବା ଦୃଷ୍ଟିଭଙ୍ଗୀର ଔଦାସ୍ୟକୁ ।

 

‘‘ଏଠି ସପନ ଦେଖିବା ମନା

ଶୁଖି ଯାଇଚି ମନ ଯମୁନା

ଏଠି ମଦିରାର ନାମ ଶୋଷ

ଏଠି ଅମୃତ ମାନେ ବିଷ

ଆଉ ମଣିଷ ମାନେ ବି ସାପ ।’’

 

ଏହି କେତୋଟି ପଂକ୍ତି ଭିତରେ ଯେପରି କବିଙ୍କର ନିଃସଙ୍ଗତା ତଥା ବ୍ୟକ୍ତିଗତ ଜୀବନର ଅବସୋସ ଝଲକି ପଡ଼ିଛି ସେହିପରି-

‘‘ପଚାରିବ ଯଦି ଦିନ କେମିତି କଟୁଚି

କିଛିବି ମୁଁ ନ କହିଲେ ସବୁ ଯିବ ବୁଝି

ପାପୁଲି ଭିଜିବ ଯେବେ ଦି ଟୋପା ଲୁହରେ ।’’

 

ପ୍ରତି ମୁହୂର୍ତରେ ସେ ଯେଉଁ ଅନାସ୍ଵବାଦିତ ଜୀବନର ସ୍ଵାଦ ଅନୁଭବ କରି ଜିଉଁଛନ୍ତି ତାର ପରିସ୍ଫୁଟନ ଏଇ କେତୋଟି ପଂକ୍ତିରୁ ସହଜରେ ଅନୁଭବ କରିହୁଏ ।

 

‘‘ଏଠି ଜୀବନଟା ଅଭିଶାପ

ଏଠି ବଂଚି ରହିବା ପାପ

ସବୁ ଜହ୍ନରେ ଏଠି କଳଙ୍କର କଳାଛାପ

 

ଏଠି ଗୀତ ସବୁ ହାହାକାର । ସବୁ ଆଖିରେ ଲୋତକଧାର

ଏଠି ଫୁଲ ଫୁଟେ ଝରିବାକୁ । ଏଠି ପ୍ରେମ ଆସେ ମରିବାକୁ

ଆଉ ପ୍ରଣୟ ଯେ ଅନୁତାପ ।’’

 

ରଚନା କଲେ ମଧ୍ୟ ନିଜକୁ ନାୟକ କରି ଅନେକ ବିଷାଦର ଗୀତ ଗାଇଲେ

 

‘‘ଏଇ ଜୀବନଟା ଏକ ନାଟକ ତାର କଳକିତ ମୁଁ ନାୟକ

ସେଇ ଚନ୍ଦ୍ରମା ପରି ପିନ୍ଧିଚି ମୁଁ ବହୁ କଳଙ୍କ କଳାତିଳକ ।’’

 

ମଧ୍ୟ, ତଥା ପ୍ରେମିକାର ଉପହାସ, ଅନୁଦାରତାର ବ୍ୟଥା ସହିଲେ ମଧ୍ୟ

 

‘‘ମୋଅରି ଛାତିର ମଧୁ ପିଇ ଦିନେ ମତୁଆଲା ହେଲା ଯିଏ

ହାୟରେ ଅବୁଝା ଆଜି କହେ ପୁଣି ତୁ କିଏ ମୁଁ କିଏ ।’’

X      X      X

‘‘ଦିନେ ମୋର ଲାଗି ଯା ଆଖି କଜଳ ଧୋଇ ଯାଉଥିଲା ଲୁହେ

କେତେ ମିଛୋଇ ସେ ଆଜି କହୁଅଛି ମୁଁ ତାର କେହି ନୁହେଁ ।’’

“ଯାଲାଗି ନେଲି ନର୍କର ପଥ ବାଛି

ସିଏତ ହେଲା ସ୍ଵର୍ଗର ସାହାଜାଦି

ହାୟରେ ଭାଗ୍ୟ ଏଇ ତୋର ରୀତିନୀତି

ଯା ପାଇଁ ସହେ କଳଙ୍କ ମଥାପୋତି

ସେ ହୋଇଗଲା ସବୁଠାରୁ ବଡ଼ ସତୀ ।’’

 

ତୁଟି ନାହଁ ତାଙ୍କର ପ୍ରେମ ପାଇଁ ବିଶ୍ଵାସ । ବରଂ ଆହୁରି ସାନ୍ଦ୍ର ଏବଂ ଗଭୀର ହୋଇଛି । ଦୃଷ୍ଟି ହୋଇଛି ସଂପ୍ରସାରିତ ।

‘‘ଦୁନିଆ ଆଖିରେ ସିଏ ସିନା ତୋର

କେହି ନୁହଁ ଅତି ପର

ହେଲେ ତାକୁ ଛାଡ଼ି ଏଇ ଦୁନିଆରେ

ଆଉ କିଏ ଅଛି ତୋର ।’’

 

କସ୍ତୁରୀର ଗନ୍ଧ ପରି ପ୍ରେମର ସୁଗନ୍ଧ ତାଙ୍କ ତନୁ ମନକୁ କରିଛି ବ୍ୟାପକ । ନିଜ ଅନୁଭବର ଛୋଟ ଦୁନିଆଁରୁ ବାହାରି ପ୍ରଜାପତି ପରି ମନ ତାଙ୍କର ଉଡ଼ିଯାଇଛି ଅସରନ୍ତି ପ୍ରେମଚର୍ଚ୍ଚାର ବିସ୍ମୃତି, ପୃଥିବୀକୁ । ବ୍ୟାପକ, ବିସ୍ତୃତ ସତ୍ତାମାନଙ୍କ ପାଖରେ ସେ ପହଞ୍ଚି ଯାଇଛନ୍ତି । ପ୍ରେମ ପରା ଜୀବନର ଅନ୍ୟ ଏକ ନାମ’ ସେ ପ୍ରେମର ‘ମଧୁଝଙ୍କାରରେ କବି ଦେଖିଛନ୍ତି ଅନନ୍ତ ଅନୁରାଗର ଛନ୍ଦାୟିତ ରୂପ । ଅନୁପମ ସତ୍ୟର ସନ୍ଧାନରେ କବି ଚିତ୍ତ ଆନ୍ଦୋଳିତ ହୋଇଛି । କବି ଦେଖିଛନ୍ତି ଗୋଟିଏ ପାଖରେ ବାସ୍ତବ ଜୀବନ ଆଉ ଗୋଟିଏ ପାଖରେ ଅନ୍ତରତମ ଅନୁରାର ସ୍ଵର୍ଗିୟ ସୁଖାନୁଭୂତିକୁ । ଜୀବନର ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ଚରିତ୍ରମାନେ ଆସନ୍ତି । କିଏ ଭାଗ ନିଏ ଦୁଃଖରୁ, କିଏ ଭାଗ ନିଏ ସୁଖରୁ । କବି ପହଞ୍ଚିଛନ୍ତି ସେଇ ସତ୍ୟରେ- ଦୁଃଖରେ ଭାଗ ନେଉଥିବା ମଣିଷଠାରୁ ଆଉ କିଏ କ’ଣ ବେଶି ଆପଣାର ?

 

‘‘ମୁଁ ଯେ ପଦ୍ମ ବନର ବଧୂ

ସୂର୍ଯ୍ୟଙ୍କୁ ମୋର ମନ ଦେଇଚି ମୁଁ

ଭ୍ରମରେ ଦେଇଛି ମଧୁ ।’’

ଅରୁଣ ବା ଅଳି କେହି ନୁହେଁ ପର

ମୁଁ ଯେ ସରସୀର ରାଧା

ମଧୁଲିଟ ଯେବେ ମାଗି ନେଲା ମୋର

ସଂଚିତ ସବୁ ସୁଧା

ସୂର୍ଯ୍ୟ ପାଇଁକି ରଖିଛି ସାଇତି

ଶିଶିର ଲୋତକ ବିନ୍ଦୁ ।’’

 

ଏ ସତ୍ୟକୁ ଆପଣେଇ ନେଇଥିବା କବି ସ୍ୱର୍ଗତ ଦାସ ଚିରନ୍ତନ ପ୍ରେମର ମଧୁର ସ୍ଵାଦରେ ଆତ୍ମହରା ହେଇ ଲେଖିଛନ୍ତି-

‘‘ନ ଥାଇବି ସିଏ ଅଛି ପରା ସତେ ମୋତେ ଘେରି

ଅନୁରାଗ ତାର ଏ ଛାତିରେ ବାଜେ ଥିରି ଥିରି ।’’

 

ଅମର କବି ଓମାର ଖୈୟାମ୍‌ଙ୍କ ଅମର କାବ୍ୟରେ ପ୍ରତିଧ୍ଵନି

 

‘‘ଚିତ୍ରିତ ତାହା ପରାୟେ ଅତିଥି

ବସିଥିବେ ବନ ଭୂମେ

ମୁଗ୍‌ଧ ମାନସେ ଚରଣ ଚଳାଇ

ପରିଷିବ ସୁରା ତୁମେ

ପୁରାତନ ମୋର ଆସ୍ଥାନ ପରେ

ନିମିଷେ ମାତର ରହି

ଉଗାଡ଼ି ରଖିବ ଶୂନ୍ୟ ପାତ୍ର

ନଭୁଲିବ ପ୍ରିୟ ସହି ।’’ (ରୁବାୟତ)

 

ପ୍ରତିଧ୍ୱନିତ ହୋଇଛି ସ୍ଵର୍ଗତ ଦାସଙ୍କର ଚିର ସ୍ମରଣୀୟ ଗୀତିକାରେ-

 

‘‘ଅନେକ ମୋ ହସ ଲୁହ ଅନେକ ଅନେକ ପ୍ରୀତି ବିରହ

ଯେଉଁ ଗୀରତେ ହେଲା ସମାହିତ

ସେଇତ ମୋ ଜୀବନ ସଂଗୀତ

ଆଉ କାହା ପାଶେ ତାର ଥାଉ ବା ନ ଥାଉ ମୂଲ

ତମେ ତାକୁ ଗାଇବ ତ ମୋ ସ୍ମୃତି ସଭାରେ ।’’

 

ଗୀତି କବିତା କବି ଜୀବନର ପ୍ରେକ୍ଷାପଟ ସହିତ କବିର ଦୃଷ୍ଟି ଦିଗନ୍ତର ଅଙ୍ଗୀକାର ମଧ୍ୟ । ତା’ର ସଂପ୍ରସାରିତ ଦୃଷ୍ଟିର ପରିଧି ମଧ୍ୟକୁ ଅବଲୀଳା କ୍ରମେ ଅନେକ ଭାବ ଓ ଭାବାନ୍ତରମାନେ ଭିଡ଼ ଜମାନ୍ତି । ନିଜ ଜୀବନ ନିଜ ଦର୍ଶନ, ପ୍ରେମ, ସ୍ମୃତି, ଆନନ୍ଦ, ପଲ୍ଲୀ, ପ୍ରକୃତି, ପରି ପରମ୍ପରା ଓ ପାରମ୍ପରିକତା ମଧ୍ୟରେ ଅଳସ ଭାଙ୍ଗୁଥିବା କଥା ଓ ଉପକଥା, ପୁରାଣ, ଇତିହାସ, କିମ୍ବଦନ୍ତୀ ରୂପକଥାର ଆଲୋଡ଼ନ ମଧ୍ୟ କବି ଲେଖନୀକୁ ବାରମ୍ବାର ଆକର୍ଷିତ କରିଥାଏ । ରୂପକଥାର ଅଳସ ଅପରାହ୍ନର ପ୍ରେମିକ ପରି ଆବହମାନ କାଳରୁ ପୁରାଣର ଯେଉଁ ଦୁଇଟି ଚରିତ୍ର ଓ ତାଙ୍କର ପ୍ରେମ କାହାଣୀ ପୁରାଣର ଉଚ୍ଚା ପାଚେରି ଡେଇଁ ସାଧାରଣ ମଣିଷର ପ୍ରେମ ସଂଗତି ସହିତ ଆତଜାତ ହେଉଥାନ୍ତି ତାଙ୍କୁ ନେଇ କାବ୍ୟ କବିତା ରଚନା କରିବାର ଲୋଭ କୌଣସି ଯୁଗରେ କୌଣସି କବି ପରିହାର କରି ପାରିନାହାନ୍ତି । ଶାସ୍ତ୍ରକାରମାନେ ଯାହାକୁ ଓଡ଼ିଶୀ ସଂଗୀତ କହୁଛନ୍ତି ତାର ପ୍ରାଣଧାର ତ ଏହି ଦୁଇ ଚରିତ୍ର ଓ ତାଙ୍କ ଦ୍ଵାରା ଅନୁଷ୍ଠିତ ପ୍ରେମକଥା । ନିର୍ଗୁଣ ପରଂବ୍ରହ୍ମ ଓ ତାଙ୍କର ଆହ୍ଲାଦିନୀ ଶକ୍ତିକୁ ନେଇ ଯେପରି ଭାବରେ ଭକ୍ତ ସାଧକ କବିମାନେ ଅପ୍ରାକୃତ ପ୍ରେମର ପରିକଳ୍ପନା କରିଛନ୍ତି ସେହିପରି ସାଧାରଣ ମଣିଷଟି ଗଉଡ଼ ପୁଅ କାହ୍ନା ଓ ଗୋପାଳୁଣୀ ରାଧାଙ୍କୁ ନିଜ ଭିତରେ ସମାହିତ କରି ମାନୁଷୀ ପ୍ରେମରାଗର ପରିକଳ୍ପନା କରି ଆନନ୍ଦିତ ହୋଇଛନ୍ତି । ସେଇ ଅନାହତ ସରଳ ତରଳ ପ୍ରେମ ସ୍ରୋତରେ ଭାସି ଭାସି ଦ୍ଧ ଦାସ ମଧ୍ୟ ବହୁ ଗୀତି ରଚନା କରିଛନ୍ତି- ଏଥିରେ କିନ୍ତୁ ଶାସ୍ତ୍ରୀୟତା ଅପେକ୍ଷା ଗ୍ରାମ୍ୟ ଗୀତିର ପଦ ପାତ ଅଧିକ ସୁସ୍ପଷ୍ଟ । ପରମ ପୁରୁଷଙ୍କ ପ୍ରେମ ପାଗଳିନୀ ମୋକ୍ଷ ସାଧିକା ଶ୍ରୀରାଧାଙ୍କର ପ୍ରୀତି ପର୍ବର ଚର୍ଚ୍ଚା ଅପେକ୍ଷା ରକ୍ତମାଂସର ଏକ ଗ୍ରାମ୍ୟ ଚିତ୍ରପିତୁଳାର ସ୍ଵର ଅଧିକ ସ୍ପଷ୍ଟ । ଗ୍ରାମ୍ୟ ଲଳନାଟିଏପରି କବି ରାଧାଙ୍କୁ ସମ୍ବୋଧନ କରି

 

‘‘କାହଁକି କଲୁରେ ଗୋରୀ କାହ୍ନୁ ପୀରତି

କଳଙ୍କରେ କଳାହେଲା ତୋ ଭାବ ମୂରତି

କହ୍ନେଇ କଥାରେ ପଡ଼ି ବାଟ ତୁ ହୁଡ଼ିଲୁ

ଅପବାଦ ସାଗରରେ ନିଜେ ବୁଡ଼ିଲୁ ।’’୨୧୪ ଲେଖିଛନ୍ତି ।

 

ସେହିପରି ଶାସ୍ତ୍ରୀୟ ନାୟିକା ଭାବରେ ଚିତ୍ରିତା ରାଧାଙ୍କ ବିରହ ବେଦନାର ଚିତ୍ରଣ କରି କବି ଲେଖିଛନ୍ତି-

 

‘‘କାହିଁ ଗଲେ ବନ୍ଧୁରେ ରାଧାରାଣୀ ମନ ଝୁରେ

ଖାଲି ଆଜି ବୃନ୍ଦାବନ କାନ୍ଦେ ରାଇ ତନୁ ମନ

ଆଖିରୁ ଝରେ ଲୁହ ଦାରୁଣ ଏ ବିରହ

ଝୁରେ କିଶୋରୀ ଆକୁଳ ଅନ୍ତରେ ।’’

 

ଯେଉଁଥିରେ ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର ପରି ଲୋକ ଗୀତ ସ୍ୱରର ଅନୁରଣ ଦେଖାଯାଇଥାଏ । ସେହିପରି ଶାସ୍ତ୍ରୀୟ ସଂଗୀତର ସ୍ଵର ଓ ଲଘୁ ସଂଗୀତର ଅନୁପମ ମିଶ୍ରଣରେ ରାଧାଙ୍କ ବିରହ ବେଦନାକୁ ଅଙ୍କନ କରିଛନ୍ତି ।

 

‘‘ଦେଖି ସେ ବଣ ମଲ୍ଲୀ ରାଧା ହେଲେ ବାତୁଳି

ଗଭାରେ ଖୋସିଲେ ଯତନେ ସେ ଚତୁରୀ

ମଣ୍ଡିଲେ ମଥାମଣି ନୂପୁରେ ପାଦ ବେନି

ଆସିବେ ବୋଲି କୁଞ୍ଜେ ସେ ବନମାଳୀ ।’’ ୧୦୧

 

ସେହିପରି ଓଡ଼ିଆ ଢଗଢ଼ମାଳି ମଧ୍ୟରେ ଯେପରି ସାଧାରଣ ସତ୍ୟମାନଙ୍କୁ ପ୍ରକାଶ କରାଯାଇଥାଏ । ଠିକ୍‌ସେହିପରି ରାଇକିଶୋରୀଙ୍କ ପ୍ରୀତିଚିତ୍ରର ଏକ ମନ୍ମୟ ଚିତ୍ର ଚିତ୍ରିତ-

 

‘‘ମାଆର ଅଇଁଠା ସବୁଠାରୁ ମିଠା

ପିମ୍ପୁଡ଼ି ଅଇଁଠା ଭୋଗ

ଜଗତ କରତା କରମରେ ଥିଲା

ଶରବୀ ଅଇଁଠା ଯୋଗ

ରାଈ ମନ ବାଇ କଲାତ କହ୍ନେଇ

ଅଇଁଠା ବଇଁଶୀ ନାଦ ।’’

X      X      X

ସବୁ ଅଇଁଠା ତ ଏକ ବୁଡ଼େଯିବ

ଧୋଇ ଧାଇ ସଫା ହେବୁ

ମହତ ଅଇଁଠା ହେଲେ ଗୋ ରାଧିକା

କୂଳ ମାନ ଅପବାଦ ।’’୯୯

 

ଶ୍ରୀରାଧାଙ୍କର ମାନ ଅଭିମାନର ଚିତ୍ର ରୀତି ଯୁଗର କବିମାନଙ୍କ ଲେଖନୀରେ ଯେପରି ଚିତ୍ରିତ ହୋଇଛି ସେହିପରି କବି ମଧ୍ୟ ତାର ରୂପାୟନ କରିଛନ୍ତି ।

 

‘‘ଯାଆରେ ଯାଆ କାହ୍ନା ଯାଆ ଦୂରେ

ମୋହନ ବେଣୁ ତୋର ବଜାନାରେ

ତୋର ସେ ବେଣୁ ନାଦ/ କଲାକି ପରମାଦ

ଘରୁ କଢ଼ାଇ ପାଦ/ ଦେଲାରେ ଅପବାଦ

ମୋ ନାମେ ତାକୁ ଆଉ ବଜାନାରେ ।’’୧୮୪

 

ପାପପୁଣ୍ୟ, ଆଲୋକ ଅନ୍ଧାର ପ୍ରେମ ବିରହର ବହୁବିଧ ଚିତ୍ରର ଚିତ୍ରଶାଳା ପାଲଟିଛି କବି କୁଟୀର-ଅଲଗା ସ୍ଵାଦର ପ୍ରେମ ସଂଗୀତ ରଚନା କରି କବି ତାଙ୍କର କାବ୍ୟକୁଞ୍ଜକୁ ମଞ୍ଜୁଳ କରିଛନ୍ତି । ସାଧାରଣରୁ ଅସାଧାରଣ ତଥା ସେଇ ଅସାଧାରଣକୁ ସାଧାରଣ କରି କବି ପରା ଓ ଅପରାକୁ ଏକାକାର କରିଛନ୍ତି

 

‘‘ଅଲଗା ଅଲଗା ମନ ଲାଗି ପରା

ପ୍ରେମର ଚେହେରା ଭିନ୍ନ

କାହା ପାଇଁ ତାହା ପାଣି ଗାର ପୁଣି

ପଥରେ ନିହାଣ ଚିହ୍ନ ।’’୧୮୬

 

ଏହି ପ୍ରେମ ପ୍ରଣୟ ଯେପରି ପରମାଶକ୍ତି ଶ୍ରୀରାଧାଙ୍କୁ ମୋକ୍ଷ ସାଧିକାର ଗୌରବରେ ଭୂଷିତ କରିଛି ସେହିପରି ପ୍ରତ୍ୟେକ ମଣିଷ ମାନୁଷ୍ୟ ପ୍ରେମର ଉତ୍ତୋରଣର ଅନ୍ତିମ ପର୍ଯ୍ୟାୟରେ ବିଭୂ ପ୍ରେମରେ ଅବଗାହନ କରିଥାଏ । ତେଣୁ ପ୍ରତ୍ୟେକ କବି ସେହି ପ୍ରତ୍ୟକ୍ଷ ଅନୁଭୂତି ପ୍ରାପ୍ତ ହୋଇଥାନ୍ତି । ଓଡ଼ିଆ ଭଜନ, ଜଣାଣ, ସ୍ତବ ସ୍ତୁତିର ବିସ୍ତୃତ ଓ ବିରାଟ ପ୍ରେକ୍ଷାପଟରେ ଏହିପରି ଅସଂଖ୍ୟ ଉତ୍ତୋରିତ ଚେତନାର ଅନୁପ୍ରବେଶ ଘଟିବି । ନିଜ ଭାଗ୍ୟ ଓ ପ୍ରେମ ସିଦ୍ଧାନ୍ତ ମଧ୍ୟରେ ଦୋହଲି ଦୋହଲି ଜୀବନ ବଞ୍ଚୁଥିବା ବିଷାଦ ରତୁର କବି ଭାଗ୍ୟ ସହିତ ଏକ ନୂତନ ଖେଳ ଖେଳି ଯେତେବେଳେ ଲେଖିଲେ-

 

‘‘ଭାଗ୍ୟକୁ ମୋର ଦେଖିଥିଲି କାଲି ସନ୍ଧ୍ୟାରେ

ମଥା ପୋତି ପୋତି ଚାଲି ଯାଉଥିଲା ଅନ୍ଧାରେ

ଜୀବନରେ ଯେବେ ଫୁଲ ଫୁଟିଥିଲା

କାହାରି ନଥିଲା ଦେଖା

ସେଦିନ ଯଦି ମୁଁ ଫୁଲମାଳ ସବୁ ନେଇଥିଲି ଏକା ଏକା

ଭାଗ୍ୟ କାହଁକି ଭାଗି ହେବ ଆଜି ନିନ୍ଦାରେ ।

ମଥା ପୋତି ସିନା ଚାଲିଯିବ ଖାଲି ଅନ୍ଧାରେ ।’’

 

ଏ ନିସୃତି ଭିତରେ କବିଙ୍କର ଆତ୍ମବିଶ୍ଵାସ ଓ ଅହଂକାରର ଯେଉଁ ସୂଚନା ମିଳେ ତାର କାରଣ ସ୍ପଷ୍ଟ । ଭାଗ୍ୟ କୋଳରେ ଦୋଳି ଖେଳୁ ଖେଳୁ ଯେତେବେଳେ ଭଗବାନଙ୍କର ବକୁଳ ବନର ବାସ୍ନା ଛୁଇଁ ଯାଏ ଦେହ ମନକୁ ଶୁଭିଯାଏ ବିଭୂ ପ୍ରେମର ଅନାହତ ବଂଶୀଧ୍ଵନି ସେତେବେଳେ ଖୋଲିଯାଏ ସମସ୍ତ ବନ୍ଧନର ଡୋରି, ସମସ୍ତ ମାନୁଷି ବେଦନା ବୋଧ, ସଂଶୟ, ସଫଳତା ବିଫଳତାର କରୁଣ ବିଳାପ ହଜିଯାଏ । ତୁଚ୍ଛ ଲାଗନ୍ତି ଜୀବନର ଅବବୋଧମାନେ । ବିଭୂ ପ୍ରେମର ଅନନ୍ତ ଉତ୍ସରେ ତନୁ ମନ ଧୋଇ ସେ ହୁଏ ମୁକ୍ତ- ଅନନ୍ତ ମୁକ୍ତିର ଅଙ୍କୁର ଖୋଜି ଖୋଜି ସେ ପହଞ୍ଚିଯାଏ ବାଇଶ ପାବଚ୍ଛର ଶେଷ ଶିଳା ସୋପାନରେ । ନୂତନ ପ୍ରେମର ଅଙ୍କୁରରେ ସେ ପୁଲକିତ ହୁଏ-ନୂତନ ବିରହର ସୁଗନ୍ଧରେ ସେ ଆମୋଦିତ ହୁଏ ।

 

‘‘ଆହେ ପ୍ରଭୁ ତୁମେ ଜୀବନ ମରୁରେ

ଭରସାର ବାରିଧାରା

ଅନ୍ଧାର ଘେରା ରାତିରେ ଆଶାର

ଆଲୋକ ତୁମେ ହିଁ ପରା ।’’

 

ସେ ଅଗତିର ଗତି । କାରଣର କାରଣ, ଜୀବର ପରମ ପଦ ପଂକଜରେ ନିଜକୁ ସମର୍ପଣ କରି କବି ଦ୍ଧ ଦାସ ରଚନା କରିଛନ୍ତି ଅସଂଖ୍ୟ ଭକ୍ତିରସ ଯୁକ୍ତଗୀତିକା । ଯାହା ଓଡ଼ିଶାର ଅନେକ ବିଶିଷ୍ଟ ଗାୟକଙ୍କ କଣ୍ଠରେ ଗୁଂଜରିତ ହୋଇଛି । ନିଜକୁ କାଳିଆ ଚକାଡ଼ୋଳାଙ୍କ ପାଦରେ ସମର୍ପିତ କରି ସେ ଲେଖିଛନ୍ତି -

 

ସତରେ କାଳିଆ ମୋର ଏଡ଼େ ଭାଗ୍ୟ ହେବ

କଳାବଦନକୁ ଯାଇ ଏ ନେତ୍ର ଦେଖିବ

କପାଳରେ ଥିଲେ ଦିନେ ଯିବି ନୀଳାଚଳ

ସ୍ନାହାନ କରିବି ଯାଇ ନରେନ୍ଦ୍ରର ଜଳ

ଦେଉଳେ ଦେଖିବି ପରା ସେ ନୀଳ ମାଧବ ।

X      X      X

ବିପୁଳ ଭୂଜ ତଳେ ନିର୍ଭୟରେ ବସି

ବ୍ରହ୍ମ ନାମ ଜପୁଥିବି ଚିତ୍ତେ ଦିବାନିଶି ।

କୃପାକର ପ୍ରଭୁ ଡାକେ ଅଧମ ଏ ଜୀବ ।’’

 

ଗୀତିର ଦୁନିଆ ଦୁନିଆ ବଡ଼ ବ୍ୟାପକ । କବିତାର ବ୍ୟକ୍ତିଗତ ଅନୁଭୂତିକୁ ନେଇ ଗୀତି ରଚନା କଲେ ମଧ୍ୟ ତାର ଶ୍ରୋତାମାନଙ୍କ ଅନୁଚିନ୍ତାକୁ ସେ ସବୁବେଳେ ଦୃଷ୍ଟିରେ ରଖିଥାଏ । ଗୀତିଗୁଡ଼ିକ ସଂଗୀତ ଯୁକ୍ତ ହୋଇ ଶ୍ରୋତାମନ ପାଖରେ ପହଞ୍ଚିଯାଏ । ଏହି ଶ୍ରୋତାମାନେ ମଧ୍ୟ ବିଭିନ୍ନ ଶ୍ରେଣୀର ଅଟନ୍ତି । ତେଣୁ ସେମାନଙ୍କର ମନରଂଜନ କରିବା ପାଇଁ କବିକୁ ବେଳେବେଳେ ଶ୍ରୋତାମାନଙ୍କ ପସନ୍ଦକୁ ଅଗ୍ରାଧିକାର ଦେବାକୁ ହୋଇଥାଏ । ପ୍ରସିଦ୍ଧ ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ ସ୍ଵର୍ଗତ ଅକ୍ଷୟ ମହାନ୍ତି ତାଙ୍କ ବକ୍ତବ୍ୟରେ ଏହା ଅନେକ ସ୍ଥାନରେ ଉପସ୍ଥାପନ କରିଛନ୍ତି । ନିଜେ ସ୍ଵର୍ଗତ ଦାସ ମଧ୍ୟ ତାଙ୍କ ଆତ୍ମକଥାରେ ଉଲ୍ଲେଖ କରିଛନ୍ତି ଯେ ସେ ଆଗରୁ କବିତା ଲେଖିଥଲେ କିନ୍ତୁ ସ୍ଵର୍ଗତ ମହାନ୍ତିଙ୍କ ଅନୁରୋଧରେ ସେ ଗୀତ ରଚନା କଲେ ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ସେଇ ଗୀତିରେ ହିଁ ମଜ୍ଜି ରହିଲେ । ଶ୍ରୋତାମାନଙ୍କ ମନରଂଜନ ପାଇଁ କେତୋଟି ମନରଂଜନ ଧର୍ମୀ ଗୀତ ମଧ୍ୟ ସେ ରଚନା କରିଛନ୍ତି । ସେଥିରୁ କେତୋଟି ପଂକ୍ତି ଏହିପରି :

 

‘‘ଖରାଟାରେ ଯାଆନାରେ ତରା ହୁଲେଇ

ଗୋରା ଦିହ ତୋର ଝିଅ ଯିବ ଝାଉଁଳି ।’’

X      X      X

ରୂପ ତୋର ଦେଖି ସାରା ସହରଯାକ

ଭିଡ଼ କରି ଦେବେ ଗୋରୀ ସଡ଼କ ଛକ

ଧରି ନେବେ ଯେବେ ତୋତେ ପୁଲିସିବାଲା

ପାଇଯିବୁ ମଜା ଆଲୋ ବଜାର ବୁଲି ।’’

 

 

ସେହିପରି ଦ୍ୱିଅର୍ଥବୋଧକ-

‘‘ପୁ- ମାଛରେ ତୋ ପୋଖରୀରେ କହ କେତେ ପାଣି ?

ଝି - ମାଛୁଆରେ ବୁଡ଼ିଲେ ନ ପାରିବୁ ତୁ ଜାଣି ।’’

 

ଗୀତ ତଥା

‘‘ଶରଧାରୁ ତୋର ଦେଇଥା ଟିକେ କରଜ

ଆର ଜନମକୁ ଶୁଝିଦେବି ହୋଇ

ତୋ ବାଡ଼ିର ଲଙ୍କା ମରିଚ

X      X      X

ସେନେହରୁ ଟିକେ ଦେଇଥା ତୋର ଖରଚ

ଓଠ ତୋ ଗୋଲାପି କରି ଦେବି ହୋଇ

ତୋ ବାଡ଼ିର ପାନ ବରଜ ।’’ ଇତ୍ୟାଦି

 

ପଦପଂକ୍ତିମାନଙ୍କ ଭିତରେ ଗୀତର ମନ ଫୁଲାଣିଆ ମହକ ଖୋଜିଲେ ସହଜରେ ମିଳିଥାଏ ।

 

ଶବ୍ଦର ସୁନିପୁଣ ସଂଯୋଜନା ଗୀତିକବିତାକୁ ସଂଗୀତରେ ସଜାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଦ୍ଧ ଦାସ ଥିଲେ ଅପୂର୍ବ ଶବ୍ଦ ସଂଯୋଜନାର ଅଦ୍ଵିତୀୟ ବିନ୍ଧାଣି । ଧ୍ଵନାତ୍ମକ ଶବ୍ଦ, ଭାବବ୍ୟଞ୍ଜକ ପଦ, ତଥା ଲଳିତ ପଂକ୍ତିର ସଂଯୋଜନା ତାଙ୍କୁ ଅଦ୍ୱିତୀୟ ଗୀତିକାରର ସମ୍ମାନରେ ବିଭୂଷିତ କରି ଥିଲା ।

 

‘‘ଅନେକ ସପନ ମୋର ହେଲା ଗୋ ଦେହରେ ତୋର

ପାଟ ପିତାମ୍ବରୀ’’

 

ହୃଦୟର ମୀନାକରା ଇଲାକା, ପଦ୍ମ ବନର ବଧୂ । ସୂର୍ଯ୍ୟକୁ ମୋର ମନ ମୁଁ ଦେଇଛି । ଭ୍ରମରେ ଦେଇଚି ମଧୁ । ସୁଲୁସୁଲିଆ ଚୁଲବୁଲିଆ ଚଇତି ବାଆରେ । ଏ ମନ ଝୁମେ ଖାଲି, ଝୁଲି ଝୁଲି ଝିଲିମିଲି ପିରତି ଛୁଆଁରେ । ରସରମଲ୍ଲୀର ନାକର ଗୁଣା । ଛଅଣା ସୁନାକୁ ରତିଏ ଉଣା । ରସର ମଲ୍ଲି ଗୋପ ଗୁଆଳି । ମନଛନ ଛନ୍ନ, ଛାତି ଦକ ଦକ । ଆଖି କନ କନ । ଛପି ଛପି ଆସେ-। ଚୁପ୍‌ଚାପ୍‌ଟୁପ୍‌ଟାପ୍‌, ଝିଲ ଝାଲ କରି ମିଲ ମାଲ କରି ମଶାଲ ଜଳାଇ ଆହା । ଡିବ୍‌ଡାବ କରି ଧୂମ୍‌ଧାମ୍‌କରି ମତେ ଆସି ହେବ ବାହା । ଆଗ ମୋ ଚନ୍ଦ୍ରକଳା ରୂପର କୃଷ୍ଣଚୂଡ଼ା ଆଖି ତୋ ସ୍ଵପ୍ନଭରା । ଆଗୋ ମୋ ରଜନୀ ଗନ୍ଧା ତୁ ମୋର ଅଳକାନନ୍ଦା ଛାଡ଼ି ମୁଁ ସକଳଧନ୍ଦା । ଆଗୋ ମୋ ସରମୀ ଲତା ଲାଜତୋ ରଙ୍ଗ ଅଳତା । ଏ ଚୁମୁକି ତୋ କାନରୁ କାହିଁ ଗଲା ପଟେ ଝୁମକି । ଝକୁ ଝୁକୁ ଝୁକୁ । ସକାଳର ଗାଡ଼ି । ଗଲା ଗଡ଼ ଘନି । କଳାଧୂଆଁ ଛାଡ଼ି । ଡାକ ଗାଡ଼ି ଗଲାରେ- ସେତ ନାରଙ୍ଗୀ ନାରଙ୍ଗୀ ନାରଙ୍ଗୀ । ବାଙ୍କୀର ମହାନଦୀର ତୀରେ ନବୀନା ସୁକୁମାରୀ । ଏକଲା ହୋଇ ମାଇପି ତୁଠେ ବସିଛି ମନ ମାରି । ମିଳନର ସରାଗରେ ପଦ୍ମର ପରାଗରେ । ସେଦିନ ବିଜନ କାନନରେ । ଦେଖିଲି ତୁମକୁ ଯେବେ ଥରେ । ହଜି ମୁଁ ଗଲି ସପନରେ । ବାଦଲ ବିନା ବାରି ବରଷେ । କୁସୁମ ନାହିଁ ମହକ ଆସେ । ଏ ଜୀବନର ଫାଜିଲ ନଦୀଟା । ମୋର ଆହା କିଗୋ ଚାହା ଦୋକାନରେ-ଫଟା ପିଆଲାରେ । କମଳା କମଳା ପାଟ କମଳା କମଳା ଫଳିଲା ଡାଳେ ବନ ପୋଡ଼ିଗଲେ ସଭିଁଏ ଜାଣନ୍ତି ମନ ଯେ କୁହୁଳି ଜଳେ । ମନ ମାନେ କିରେ କଥାରେ ନ ଥିଲେ ନଥା ବାଆକୁ ନଥିଲେ ବତାରେ ସଂଗାତ ମଥାରେ ନଥିଲେ ସିନ୍ଥା । ଇତ୍ୟାଦି ଅସଂଖ୍ୟ ସୁନ୍ଦର ଶବ୍ଦ ସଂଯୋଜିତ, ଗଭୀର ଅର୍ଥ ବ୍ୟଞ୍ଜକ, ସୁମନ୍ନିତ ଧ୍ଵନିର ବ୍ୟବହାର ଭିତରେ ଫୁଟି ଉଠେ ଓଡ଼ିଶାର କାବ୍ୟକ ଐଶ୍ୱର୍ଯ୍ୟର ଦ୍ୟୋତନା ଛାନ୍ଦ, ଚଉପଦୀ ଚଉଡିଶା, ଚମ୍ପୂ, ଲୋକଗୀତ. ତଥା ପାରମ୍ପାରିକ ଅଳଙ୍କାର ସଜ଼ିତ ପଦ ବିନ୍ୟାସର ପାତଳ ପଦଧ୍ୱନି । ଏହା ତାଙ୍କ ଗୀତକୁ ଏକ ସୁରୁଚିପୂର୍ଣ୍ଣ ତଥା ଶ୍ରୁତି ମଧୁର ସାଂଗୀତିକ ରୂପ ପ୍ରଦାନ କରିଛି । ଓଡ଼ିଆ ଲଘୁ ସଂଗୀତକୁ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କ ଗୀତିମାନଙ୍କର ଭାବର ଐଶ୍ଵର୍ଯ୍ୟ ସାବଲୀଳ ଭାବରେ ଗାୟକ ଗାୟିକାମାନଙ୍କ କଣ୍ଠରେ ଏପରି ଅନୁରଣିତ ହୋଇଛି ଯେ ଗାୟକ ଓ ଗୀତିକାର ଅନେକ ଗୀତରେ ଏକାତ୍ମ ହୋଇ ଯାଇଛନ୍ତି ଅକ୍ଷୟ ମହାନ୍ତିଙ୍କଠାରୁ ଯେପରି ଶିବବ୍ରତ ଦାସ ଅଲଗା ହୋଇ ପାରିନାହାନ୍ତି ସେହିପରି ଚିତ୍ତ ଜେନା ବା ପ୍ରଣବ ପଟ୍ଟନାୟକଙ୍କଠାରୁ ଦୂରକୁ ଯାଇ ପାରି ନାହାନ୍ତି । ଏହା ହଁ ଶିବବ୍ରତ ଦାସଙ୍କର ପ୍ରମାଦପୂର୍ଣ୍ଣ ବୈଶିଷ୍ଟ୍ୟ । ଗାୟକ ଓ ଗୀତିକାର ମଧ୍ୟରେ ଥିବା ଆତ୍ମିୟତାରେ ଏ ପ୍ରମାଦ ଖିବ କମ୍‌ଗୀତିକାର ସୃଷ୍ଟି କରିପାରିଥାନ୍ତି ।

 

***

 

ଭକ୍ତିରସ ଭାଗୀରଥୀ : ଭୀମଭୋଇ ଭଜନମାଳା

ମାନସ କୁମାର ଦାସ

 

‘ସ୍ତୁତି ଚିନ୍ତାମଣି’ କାବ୍ୟଗ୍ରନ୍ଥ ପରେ ପରେ ସନ୍ଥକବି ଭୀମଭୋଇ ସ୍ଵରଚିତ ଭଜନମାଳା ନିମିତ୍ତ ଅଧିକ ପରିଚିତ । ଶହ ଶହ ଭଜନ ଲେଖି ସେ ଓଡ଼ିଆ ସନ୍ଥ ପରମ୍ପରା ଓ ଭଜନ ଇତିହାସରେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ । ଉନବିଂଶ ଶତାବ୍ଦୀର ଶେଷ ଦଶକ ବେଳକୁ ତାଙ୍କ ଭଜନ ସମଗ୍ର ଓଡ଼ିଶାର ଲୋକଦାଣ୍ଡରେ ଖୁବ୍ ପରିଚିତ ହୋଇ ସାରିଥିଲା । ଭୋଇ କବିଙ୍କ ସମୁଦାୟ ଗ୍ରନ୍ଥ ମଧ୍ୟରୁ ଯଦି ଗୈରିକବସ୍ତ୍ରକୁ ସାମାନ୍ୟ ଅଲଗା କରି ଦିଆଯାଏ ତେବେ ଭୀମଭୋଇ ପଞ୍ଚସାଖା ଯୁଗୀୟ ଭଜନ ଲେଖକ ସନ୍ଥ ଅଚ୍ୟୁତାନନ୍ଦଙ୍କର ଏକବାର ସମକକ୍ଷ । ଭୀମଙ୍କର ଏପରି ଅନେକ ଭଜନ ରହିଛି, ଯାହା ପାଠକ ଚିନ୍ତନରେ ବିସ୍ମୟ ସୃଷ୍ଟି କରେ । ଏହା ଭୋଇକବିଙ୍କର ଅବା ଅଚ୍ୟୁତାନନ୍ଦଙ୍କର. ସାରସ୍ଵତ ଜଗତର ! ! ଭୀମଭୋଇ ଓ ଅଚ୍ୟୁତାନନ୍ଦ ଉଭୟେ ଥିଲେ ଶୂନ୍ୟବାଦୀ-। ରହସ୍ୟବାଦୀ ଧାରାରେ ଉଭୟଙ୍କ ଭାବକଳ୍ପନା ବୋଧହୁଏ ଗୋଟିଏ ଶୂନ୍ୟଭଣ୍ଡାରରୁ ଉପାଦାନ ଗ୍ରହଣ କରୁଥିଲା । ଅବା ଉଭୟେ ସନ୍ଥଥିବାରୁ ସନ୍ଥର ମୌଳିକ ଚିନ୍ତନଟି ଏପରି ପ୍ରେରଣା ଯୋଗାଉଥିବା ସମ୍ଭବ । ଅଚ୍ୟୁତାନନ୍ଦ ଓ ଭୀମଭୋଇଙ୍କ ମଧ୍ୟରେ ବ୍ୟବଧାନ ଦୁଇଶହ ବର୍ଷରୁ ଅଧିକ ସମୟ କିନ୍ତି ନିର୍ଗୁଣ ସାହିତ୍ୟର ସୂଚୀପତ୍ରରେ ଭୋଇକବିଙ୍କ ଭଜନ ଶେଷ ସନ୍ତକର ପ୍ରତୀକ ବହନ କରିଛି ।

 

ଭକ୍ତି ସାହିତ୍ୟ ପରମ୍ପରାରେ ଭଜନର ସ୍ଥାନ ସ୍ଵତନ୍ତ୍ର । ସାଧାରଣ ଲୌକିକ ମାନସରେ ଏହା ଖୁବ୍ ଶୀଘ୍ର ଗ୍ରହଣୀୟ । ଭଜନର ସୀମିତ କଳେବର ତଥା ଭକ୍ତ ଭାବନାର ଏ ଦୁଇଟିର ସମତା ରକ୍ଷା ହିଁ ତାର’ ସୌନ୍ଦର୍ଯ୍ୟବଦ୍ଧିରେ ଅଧିକ ସହାୟକ । ଭଜନ ଏକ ବିଶୁଦ୍ଧ ଅନୁଭବ ପ୍ରଦାନ କରିବା ଦିଗରେ ସମର୍ଥ ଯାହା ସମସ୍ତ ଲୌକିକ ଆନନ୍ଦଠାରୁ ଶ୍ରେଷ୍ଠ । ଏଠାରେ ଭକ୍ତର ଅଭିମାନ, ଆଗ୍ରହ, ହାସ୍ୟ, ଅଶ୍ରୁ, ପୁଲକ, ଗ୍ଳାନି ତଥା କ୍ଷୋଭ ସବୁମିଶି ଏକାକାର ହୋଇଯାଏ । ଭଗବାନ୍ ପାଲଟିଯା’ନ୍ତି ଏକାନ୍ତ ଆତ୍ମୀୟ । ବ୍ୟକ୍ତିଗତ ସୁଖଦୁଃଖ କଥା ତାଙ୍କ ନିକଟରେ ବିନା ଛଦ୍ମତାରେ ନିବେଦନ କରିହୁଏ । ବିଶ୍ଵଯାତନା ମୋଚନ ପାଇଁ ତାଙ୍କୁ ଗୁହାରୀ ମଧ୍ୟ କରିହୁଏ । ଏହି ସଂପର୍କର ପ୍ରଗାଢ଼ତା ଓ ଆନ୍ତରିକତା ଭିତରେ ବିଶ୍ୱବ୍ୟକ୍ତି ଏକୀଭୂତ ହୋଇଯାଆନ୍ତି । ଭାବାନୁଭୂତି, ସମୂହ ବ୍ୟକ୍ତିଗତ ଅଲୌକିକତାରୁ ଉର୍ଦ୍ଧ୍ୱକୁ ଯାଇ ସାମୂହିକ ଜୀବନାନୁଭୂତିରେ ରୂପାନ୍ତରିତ ହୋଇଯାଆନ୍ତି । ସନ୍ଥକବି ଭୀମ ଭୋଇଙ୍କର ଭଜନାବଳୀ ଏହି ଦୃଷ୍ଟିରୁ ଅନନ୍ୟ । ତାଙ୍କ ଭଜନଗୁଡ଼ିକ ପାଲଟିଛନ୍ତି ‘An act of communication’ ଅର୍ଥାତ୍‌ଈଶ୍ୱରଙ୍କୁ ବିଶ୍ଵ ସମ୍ପର୍କରେ କହିବାର ମାଧ୍ୟମ । (୧) ସମୂହକୁ ଏକତ୍ର ସୂତ୍ରେ ବାନ୍ଧିବାର ଗୋଟିଏ ମୋହିନୀ ଶକ୍ତି ଭଜନ ଭିତରେ ସର୍ବଦାସ୍ଥାନିତ । ଭକ୍ତି ରସର ସ୍ଥାୟୀଭାବନା, ଯାହାର ମୂଳ ସମ୍ପତ୍ତି ହେଛି ଆତ୍ମ ନିବେଦନ । ଉତ୍ତର ଭାରତର ସନ୍ଥଗଣ ହିଁ ଏମିତି ସ୍ଵୀୟ ଭଜନାବଳୀ ନିମିତ୍ତ ଅଧିକ ପରିଚିତ ଓ ପ୍ରଚାରିତ । ଭଜନ ପାର୍ଥିବ ଆତ୍ମାର ବିମଳ ଅନୁଭବ । ଆଧିଭୌତିକ ଭାବଚେତନାର ନିଷ୍ଠା ଓ ପ୍ରବଣତାରୁ ହିଁ ଭଜନର ସୃଷ୍ଟି । ଏହିପରି ଅନେକ ସଂଜ୍ଞା ଭୀମଭୋଇଙ୍କ ଭଜନାମାଳା ଭିତରେ ଉପଲବ୍ଧ ।

 

ଓଡ଼ିଆ ଭକ୍ତି ସାହିତ୍ୟ ପରମ୍ପରାରେ ଭଜନ ଲେଖିବାର ଧାରା ପଞ୍ଚ ସଖାଯୁଗୀୟ ସାହିତ୍ୟର ସୃଷ୍ଟି । ଏହି ମାଙ୍ଗଳିକ ମୁହୂର୍ତ୍ତର ଶୁଭଶଙ୍ଖ ବାଜିଉଠିବା ପୂର୍ବରୁ ଶ୍ରୀ ଚୈତନ୍ୟଙ୍କ ଗୌଡ଼ୀୟ ବୈଷ୍ଣବ ଧର୍ମଧାରର ପ୍ରଭାବକୁ କଦାପି ଏଡ଼ି ହୁଏ ନାହିଁ । ପଞ୍ଚସଖାଯୁଗ ଭିତରେ କୃଷ୍ଣଭକ୍ତି ହେଉ ଅବା ଶୂନ୍ୟ ଶକ୍ତି ଯେଉଁ ଗୋଟିକ କାମ କରୁନା କାହିଁକି, ଓଡ଼ିଆ ସାହିତ୍ୟକୁ ଏହାର ପରୋକ୍ଷରେ ଭଜନସ୍ଵରୂପ ଅନେକ ଅମୂଲ୍ୟ ସୃଷ୍ଟି ହସ୍ତଗତ ହୋଇଛି । ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଓ ଶିଶୁ ଅନନ୍ତ ଦାସଙ୍କ ପରେ ପରେ ପ୍ରାକ୍‌ରୀତିଯୁଗ ଓ ରୀତିଯୁଗର କବି ଯଥାକ୍ରମେ ବନମାଳୀ ଦାସ, ସାଲବେଗ, ସାରିଆଭିକ, ବୃନ୍ଦାବତୀ ଦାସୀ, ମାଧବୀ ଦାସୀ, ଭକ୍ତଚରଣଙ୍କଠାରୁ ବଳଦେବରଥ ଓ ଯଦୁମଣି ମହାପାତ୍ରଙ୍କ ପର୍ଯ୍ୟନ୍ତ ଭଜନ ସାହିତ୍ୟର ଯେଉଁ ସୁଦୀର୍ଘ ପରମ୍ପରା; ଏ କ୍ଷେତ୍ରରେ ଶୂନ୍ୟବାଦୀ ଭୀମଭୋଇଙ୍କ ଭଜନମାଳା ନିଶ୍ଚିତରୂପେ ଏକ ନୂତନ ସଂଯୋଗ । ପ୍ରତ୍ୟେକଟି ଭଜନ ଭିତରେ ସନ୍ଥକବିଙ୍କ ଭକ୍ତି, ହୃଦୟର ଅନ୍ତର୍ଗତ ସୁଖଦୁଃଖ ସହ ମାନବାତ୍ମାର ମୁକ୍ତିବାଟ ଦେଇ ସତେ ଯେପରି ବିଶ୍ଵନିୟନ୍ତାଙ୍କ ନିମିତ୍ତ ବାଢ଼ିଚାଲିଛି ପ୍ରୀତିଅର୍ଘ୍ୟ । ଭୀମଭୋଇଙ୍କ ଅଧିକ ଭଜନ ସମୂହ ନିମିତ୍ତ ପ୍ରାର୍ଥନା । ଭକ୍ତି ପ୍ରଣତୀବେଳେ ବ୍ୟକ୍ତିଗତ ଦୁଃଖ ଯନ୍ତ୍ରଣା ପ୍ରତ୍ୟେକ ଶିଳ୍ପୀ ଆତ୍ମା ଭିତରୁ ଆପଣାଛାଏଁ ଉତୁରିଆସେ କିନ୍ତୁ ଏ ବ୍ୟକ୍ତିଗତ ପ୍ରାର୍ଥନା ପଛରେ ସମୂହ ଆତ୍ମାର ପ୍ରେରଣା ଯେତିକି ନିହିତ, ଅନୁରୂପ ସମୂହ ନିମିତ୍ତ ମୁକୁଳି ପଡ଼ିବାର ଭାବନାମଧ୍ୟ ଉପସ୍ଥିତ । ଏହା ହିଁ ହେଉଛି ଭଜନର ମୌଳିକ ଦୃଷ୍ଟି ଓ ଦର୍ଶନ । ଭୀମଭୋଇଙ୍କ ଭଜନ ଏ ଦୃଷ୍ଟିର ପ୍ରଥମ ଧାଡ଼ିର । ମହିମାଧର୍ମର ପ୍ରଚାର ଓ ପ୍ରସାର କରିବା ଦିଗରେ ଏହାର ସୃଷ୍ଟି ମୂଳଉତ୍ସ ହେଲେ ହେଁ; ଭଜନ ସାହିତ୍ୟରେ ଆତ୍ମିକ ନିବେଦନଠାରୁ କଦାପି ଦୂରତ୍ୱ ରକ୍ଷା କରି ନାହିଁ । ଭୋଇ କବିଙ୍କ ଭଜନ ଭିତରେ ଗୋଟିଏ ଶିଳ୍ପୀ ଆତ୍ମାର ସତ୍ୟଶୀଳତା ଯେପରି ପରିଚ୍ଛନ୍ନ; ଭକ୍ତିରସର ଭାଗୀରଥୀ ଧାରାମଧ୍ୟ ସମାନ ଭାବେ ପ୍ରବାହିତ ।

 

ଉତ୍କଳୀୟ ଗ୍ରାମୀଣ ଜୀବନ ଭିତରେ ଜଗନ୍ନାଥ ଦାସଙ୍କ ଭାଗବତ ଟୁଙ୍ଗୀର ପ୍ରଭାବ ଯେପରି ଓଡ଼ିଶୀ ସଂସ୍କୃତିର ପରିଚୟ ବହନ କରିଛି ଅନୁରୂପ ଭୀମଭୋଇଙ୍କ ଭଜନର ପ୍ରଚାରଓ ପ୍ରସାରସହ ମହିମାଟୁଙ୍ଗୀର ମଧ୍ୟ ରହିଛି ସ୍ଵତନ୍ତ୍ର ମହତ୍ତ୍ୱ । ଉଭୟଟି ଉତ୍କଳୀୟ ଧାର୍ମିକ ବିଶ୍ୱାସବୋଧ ଭିତରେ ସମାନ ଭାବେ ଗ୍ରହଣୀୟ । ମହିମା ଭଜନମାଳାର ରହସ୍ୟଧର୍ମୀ ଭାଷା ଓ ଶବ୍ଦର ଗୂହ୍ୟାର୍ଥ ସରଳ ଆତ୍ମାରେ ସ୍ଵତନ୍ତ୍ର ଅର୍ଥ ସୃଷ୍ଟି ନ କଲେ ହେଁ; ସେଥିପ୍ରତି ରହିଛି ଭକ୍ତିଭାବନାର ଅହେତୁକ ଦୁର୍ବଳତା । ଭକ୍ତି ହେଉଛି ସେହି ସ୍ପନ୍ଦନର ଭୂମି ଯେଉଁଠି ବ୍ୟକ୍ତିଚିନ୍ତନ ନିଜର ସବୁକିଛିକୁ ତ୍ୟାଗ କରି ଗୋଟିଏ ସମର୍ପଣ ଭାବମୁଦ୍ରାରେ ଭଗବତ୍ ଅନୁଚିନ୍ତାରେ ନିଚ୍ଛିନ୍ନ ହେବାକୁ ଧାର୍ଯ୍ୟ କରେ । ସେହି ପରମପୀଠରୁ ଆଉ ଫେରି ଚାହିଁବାର ଅବକାଶ ନ ଥାଏ । ସେତିକିବେଳେ ପାର୍ଥିବ ଆତ୍ମା ପାଲଟି ସାରିଥାଏ ରୁକୁଣା ରଥ ଅଣଲେଉଟା । ଏଣୁ ଭଜନରେ ଭକ୍ତିରସର ଧାରା ଏକାନ୍ତ ଅନୁଭବ୍ୟ । ଭକ୍ତି ଭିନ୍ନ ଭାବଭୂମିର ବିଷୟ । ବୁଦ୍ଧିକୁ ଗୌଣକରି ହୃଦୟକୁ ଆଧ୍ୟାତ୍ମିକ ପ୍ରାଣତାର ଆଧାର ରୂପେ ଗ୍ରହଣ କରିବା ହେଉଛି ଭକ୍ତିମାର୍ଗର ବୈଶିଷ୍ଟ୍ୟ । ଭୀମଭୋଇଙ୍କ ରଚନା ଭିତରେ ଧର୍ମାଚରଣର ଭକ୍ତିମାର୍ଗଟି ସବୁଠାରୁ ବେଶି ପରିଷ୍କାର ହୋଇ ଫୁଟି ଉଠିଛି । ଭକ୍ତିମାର୍ଗ ସାଧନାର ଶ୍ରେଷ୍ଠ ମାର୍ଗ, ଏକ ଚେତନା ଏବଂ ଏହି ଚେତନା ହେଉଛି ଆତ୍ମିକସ୍ତରର ଏକ ସମ୍ବନ୍ଧ । ସେହି ସମଗ୍ରତାର କୌଣସି ନିପାତନସିଦ୍ଧ ସଂଜ୍ଞା ଆଦୌ ନ ଥାଏ (୨) । ଭକ୍ତି ବିହୀନ ଭଜନ ଏକାନ୍ତରେ ସତ୍ତା ବିହୀନ ସ୍ଥିତିର ଇୟତା କଳନା । ଭକ୍ତି ହୃଦୟର ଏକାନ୍ତ ଦୁର୍ବଳ ମୁହୂର୍ତ୍ତର ପରିପ୍ରକାଶ ହେଉଛି ଭଜନ । ଈଶ୍ଵରଙ୍କ ପ୍ରତି ଭକ୍ତି ଅର୍ଘ୍ୟର ମାଧ୍ୟମ । ଶବ୍ଦଗତ ବ୍ୟୁତ୍ପତ୍ତି ଦୃଷ୍ଟିରୁ ବିଚାର କଲେ ସଂସ୍କୃତ “ଭଜ୍‌' ଧାତୁରୁ ଭଜନର ସୃଷ୍ଟି । ଅର୍ଥାତ୍‌ଭଜିବା ପ୍ରିୟଜନର ମହିମାଗାନ କରିବା । କିର୍ତ୍ତୀକୁ କୀର୍ତ୍ତନ କରିବା । ଯେଉଁଠାରୁ ଦୃଷ୍ଟି ଲମ୍ବାଇଲେ ଆଗକୁ ଦିଶି ଯାଉଥାଏ ଶ୍ୟାମଳ ଭୂଖଣ୍ଡର ଆହ୍ୱାନ । ଭକ୍ତି ରସର ମହୁ ମୁହାଣ ।

 

ନିର୍ଗୁଣ ସାହିତ୍ୟରେ ଭକ୍ତି ସିଦ୍ଧାନ୍ତ ହେଉଛି ନିଷ୍କାମ ଭକ୍ତିଯୋଗ । ଭୀମଭୋଇଙ୍କ ଭଜନମାଳାରେ ଏହି ସମାନ ଭାବଧାରା ପ୍ରବାହିତ । ଶୁଦ୍ଧ ନିର୍ଗୁଣ ତତ୍ତ୍ୱର ଅବତାରଣା କରି ଭୀମଭୋଇ ଗୋଟିଏ ଭଜନରେ କହନ୍ତି- ପାଦପାଣି ନଥିଲେ ମଧ୍ୟ ସେ ଶୂନ୍ୟ ମାର୍ଗରେ ଚାଲି ତିନି ତ୍ରୈଲୋକ୍ୟରେ ବାନା ଉଡ଼ାଇଛନ୍ତି । ତାଙ୍କର ହସ୍ତ ନ ଥାଇ ସେ ସବୁ କରୁଛନ୍ତି । ପିଠି ନ ଥାଇ ସେ ସବୁ ମାଡ଼ ସହ୍ୟ କରୁଅଛନ୍ତି ଓ ଦେହରେ ବ୍ୟଥାର ଚମକ ଚେଇଁ ଉଠୁଛି । ଚକ୍ଷୁ ନ ଥାଇ ସର୍ବଦ୍ରଷ୍ଟା, ଚତୁର୍ଦ୍ଦିଗରେ ସେ ସମଭାବରେ ନିବନ୍ଧ । ବିଶ୍ଵ ପରିବ୍ୟାପ୍ତ ଏକ ଅଖଣ୍ଡ ଆଧ୍ୟାତ୍ମିକ ସତ୍ତାର ସଙ୍କେତ ଦେଇ ସେ କୁହନ୍ତି - ‘ପରମେଶ୍ୱର ଏହିଟି ସବୁ / ତାଙ୍କ ବିନୁ ନାହିଁ ଦ୍ୱିତୀୟ ପ୍ରଭୁ’ । ନିର୍ଗୁଣ ଭକ୍ତି ଆନ୍ଦୋଳନର ଅନ୍ତିମ ପ୍ରତିନିଧିରୂପେ ଓଡ଼ିଆ ସାହିତ୍ୟରେ ଆବିର୍ଭୂତ ହୋଇଥିବା ଭୀମଭୋଇ ସମଗ୍ର ମାନବ ସଭ୍ୟତାକୁ ଗୋଟିଏ ମନ୍ତ୍ରରେ ଦୀକ୍ଷିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି - ‘କୂଟ କପଟ ଖଚକୁ ନ ରଖ ପାଶରେ/ କାମକ୍ରୋଧ ତେଜି ରହିଥାଅ ମଉନରେ । ଶାନ୍ତି, ଶୀଳ, ଦୟା, ଧର୍ମ ବହ ହୃଦୟରେ/ ଗୁରୁଧର୍ମ ଆଶ୍ରେ କର ନିଷ୍କାମ ପଥରେ ।' (୩)

 

ମହିମା ଭଜନର ଭକ୍ତି ହେଉଛି ଏହି ନିଷ୍କାମ ଭକ୍ତି । ଏ ପଥ ଭୀମଭୋଇଙ୍କ ଶ୍ରେଷ୍ଠ ଆଦର୍ଶ ପଥ । କେବଳ ପୂର୍ଣ୍ଣ ସମର୍ପଣରେ ଏହା ପରିପୂର୍ଣ୍ଣ ଓ ଧନ୍ୟ ହୁଏ । ଜ୍ଞାନନେତ୍ରରେ ପରମ ସତ୍ତାର ମହୀୟାନ ପରିଚୟଲାଭ କରି ଆପଣାର ସମସ୍ତ ବ୍ୟକ୍ତିଗତ କଳା ବିପେକ୍ଷ ଓ ଅନୁଧ୍ୟାନକୁ ତାହାରି ମଧ୍ୟରେ ସମର୍ପଣ କରିଦେବାକୁ ହିଁ ମହିମାଧର୍ମ ଦିବ୍ୟ ଆନନ୍ଦ ବୋଲି ଜ୍ଞାନ କରେ । ଭୀମଭୋଇ ଏହି ମାର୍ଗକୁ ନିଷ୍କାମ ଭକ୍ତିର ମାର୍ଗ ବୋଲି ଘୋଷଣା କରିଛନ୍ତି ।

 

ହିନ୍ଦୁର୍ମର ପାରମ୍ପରିକ ମୂର୍ତ୍ତିପୂଜା ତଥା ଧାର୍ମିକ ଅନୁଷ୍ଠାନମାନଙ୍କ ପ୍ରତି ତୀବ୍ର ଅଙ୍ଗୁଳି ନିର୍ଦ୍ଦେଶକରି ମହିମାଧର୍ମ ଯେପରି ତଥାକଥିତ ବଡ଼ପଣ୍ଡାମାନଙ୍କର ଚକ୍ଷୁଶୂଳର ଶିକାର ହୋଇଥିଲା-। ଭୀମଭୋଇଙ୍କ ସ୍ଵରଚିତ ଭଜନାମାଳା ସେହିସବୁ ବୈମାତୃକ ମନୋଭାବ ଭିତରେ ଭାତୃଭାବର ସମନ୍ଵୟ ସେତୁ ରକ୍ଷା କରିଛି । ଜଣେ ସମୟ ସଚେତନତମ ଶିଳ୍ପୀ ହିଁ ଏପରି ଗୁରୁଦାୟିତ୍ଵ ନିଜ କାନ୍ଧକୁ ଉଠାଇ ନେବା ନିମିତ୍ତ ସତ୍ ସାହସ କରେ । ଏପଣ କେବଳ ଗୋଟିଏ ସନ୍ଥପାଖରେ ହିଁ ସମ୍ଭବ । ଯଦି ଗୋଟିଏ ଶିଳ୍ପୀ ଆତ୍ମାର ସୂକ୍ଷ୍ମ ଅନୁଭବ ଭିତରୁ ଭକ୍ତିରସର ଧାରା ପ୍ରବାହିତ ହୁଏ, ତାକୁ ଆଧାର କରି ଭୀମଙ୍କ ଦ୍ଵାରା ବହୁ ଜଣାଣ ମଧ୍ୟ ଲିଖିତ । ଭଜନ ଯାହା ଭଜିବାକୁ ହୁଏ । ଯଥା କର୍ତ୍ତାର ଗୁଣ କୀର୍ତ୍ତନ । କିନ୍ତୁ ଜଣାଣରେ ଅନ୍ତର୍ଗତ ସୁଖଦୁଃଖ ସହ ଅଛି ପ୍ରିୟଜନ ନିମିତ୍ତ ଅସଂଖ୍ୟ ଅଭିଯୋଗ ଓ ଅଭିମାନ । ଏ ଦୁଇଟି ଭିତରେ ରହିଛି ଭୟ ଓ ଭକ୍ତିସହ ସଖ୍ୟପ୍ରେମର ଅଦ୍ଭୂତପୂର୍ବ ସମନ୍ଵୟ । ତେଣୁ ‘ସ୍ଵାମୀ ନାମେ ଅହଂକାର ସର୍ବେକର ନିରନ୍ତର’ । ଭଜନ ଏପରି ବିମଳ ଆତ୍ମାର ଭକ୍ତି ପ୍ରଣତୀ ଏବଂ ନମନୀୟ ଓ ଶ୍ରଦ୍ଧାଶୀଳ ମନୋଭୂମିର ପରିଚୟ-। ଯେଉଁଠି ଭିନ୍ନ ଭିନ୍ନ ଭାବମୁଦ୍ରାରେ ଭକ୍ତି ନୈବେଦ୍ୟ ଅର୍ପଣ ହୋଇ ଚାଲିଥାଏ । ପ୍ରିୟଜନ ନିମିତ୍ତ । ଶହ ଶହ ଭଜନ ଲେଖିବା ଭିତରେ ବି ଭୀମଭୋଇ ଧର୍ମ ନାମରେ କେଉଁଠି ଛଦ୍ମତାକୁ ଆଶ୍ରୟ କରି ନାହାନ୍ତି । ଅର୍ଥାତ୍‌ସର୍ବତ୍ର ମାର୍ଜିତ ଶୃଙ୍ଖଳାବୋଧ ହିଁ ତାଙ୍କ ଭଜନକୁ ନାନ୍ଦନିକତା ପ୍ରଦାନ କରିଛି । ଅନ୍ୟ ଗୋଟିଏ ବଡ଼ ବିଶେଷତ୍ୱ ହେଉଛି କବି ପ୍ରାଣର ସତ୍ୟଶୀଳତା-। ଏ ଭୀତିବୋଧରୁ ଭୀମଙ୍କ ଭଜନମାଳା ବାହାର ଗୁଳାକୁ ଆଶ୍ରୟ କରିନାହିଁ । ତେଣୁ ଶହ ଶହ କୋଷବ୍ୟାପୀ ଘଞ୍ଚବନାନୀ ଭିତରୁ ତାର ସ୍ଵାଦ ସ୍ଵତଃ ବାହାରି ଫିଟି ପଡ଼ୁଥିଲା ବାହାରକୁ ଏବଂ ସର୍ବଜନ ଆଦୃତି ଲାଭ କରିଥିଲା ଲୋକଦାଣ୍ଡରୁ ରାଜଦାଣ୍ଡ ପର୍ଯ୍ୟନ୍ତ । ଫଳରେ ଶହ ଶହ ଗୃହୀ ଭକ୍ତ ଏହିସବୁ ଭଜନର ପଦନିତ୍ୟ ସନ୍ଧ୍ୟାରେ ମହିମା ଟୁଙ୍ଗୀରେ ଗାନ କରିବାକୁ ଆରମ୍ଭ କରିଥିଲେ-। ଭାଗବତ୍ ର ସଗୁଣ ସତ୍ତ୍ୱାର ଗୁଣକୀର୍ତ୍ତନ ସହ ମହିମାଧର୍ମର ନିର୍ଗୁଣ ଆରାଧନା ମଧ୍ୟ ସମାନଭାବେ ଉତ୍କଳୀୟ ଜୀବନବେଦକୁ ପ୍ରଭାବିତ କରିଥିଲା ।

 

ମହିମାଧର୍ମ ଏକ ସଙ୍ଗଠିତ ସମ୍ପ୍ରଦାୟ ଭାବରେ ନିର୍ଗୁଣ ବ୍ରହ୍ମତତ୍ତ୍ୱ ପ୍ରଚାର ଦ୍ଵାରା ଭେଦହୀନ ସମାଜ ରଚନାରେ ପ୍ରୟାସୀ ହୋଇଥିବାରୁ ଏଥିରେ କେତେକ ସନ୍ନ୍ୟାସ ଗ୍ରହଣ କରିଥାନ୍ତି । କିନ୍ତୁ ସତ୍ୟଧର୍ମପାଳନ କରିବାବିଧି ସମ୍ମତଭାବରେ ଗୃହସ୍ଥାଶ୍ରମ ଦ୍ଵାରା ସଂସାର ପ୍ରବାହକୁ ଅବ୍ୟାହତ ରଖିବା ନିମିତ୍ତ ଏଥିରେ ଗୃହୀଭକ୍ତମାନଙ୍କୁ ଉଦ୍ବୋଧନ ଦିଆଯାଇଛି । (୪) ଏହିହେତୁ ଭୀମଭୋଇଙ୍କ ସମଗ୍ର ଭଜନମାଳା କେଉଁଠିବି ପାର୍ଥିବ ଆତ୍ମାକୁ ଛାଡ଼ି ବୈରାଗ୍ୟ ଯୋଗର ଚିତାଚୈତନ୍ୟ ବହନ କରିନାହିଁ । ପାର୍ଥିବ ଚିନ୍ତାର ଚିତ୍ରିତ ଚଉପାଶ ହିଁ ଭୀମଙ୍କର ଭଜନରଅନ୍ୟତମ ବୈଶିଷ୍ଟ୍ୟ । ସନ୍ଥକବି ସ୍ଵରଚିତ ଅନ୍ୟ ଭଜନମାଳା ଭିତରେ କେବଳ ଭକ୍ତ ଭୀମଭୋଇ ରୂପେ ପାଠକ ଭେଟେ । ଅବଶ୍ୟ ସ୍ଥାନେ ସ୍ଥାନେ କବିଙ୍କ କୃତ୍ରିମ ରହସ୍ୟବାସୀ ମନୋଭୂମିକୁ କଦାପି ଏଡ଼ିହୁଏ ନାହିଁ । ସେସବୁ ଅଚ୍ୟୁତାନନ୍ଦୀୟ ଶୂନ୍ୟସତ୍ତା ରହସ୍ୟବାଦୀରେ ପ୍ରଭାବ ଏହା ନିର୍ବିବାଦେ ସ୍ୱୀକାର୍ଯ୍ୟ ।

 

ଭୌତିକ ଜୀବନର ଭିତରିଖଞ୍ଜାରୁ ହିଁ ଭୀମଭୋଇଙ୍କ ଭଜନର ଜୟଯାତ୍ରା । ସର୍ବତ୍ର ସଫଳତାର ପାଦଚିହ୍ନ ଦିଶୁଛି । ଅନୁକରଣର କଳା ଆବଶ୍ୟକ ଅଛି ଏ ଦେହରେ । ଯିଏ ପାରେ ନିଜ ଭିତରକୁ ଚିହ୍ନି । ସେ ଅତିକ୍ରମ କରିପାରେ ଗିରିଦୁର୍ଗ । ତେଣୁ ‘ଦୁଲ୍ଲର୍ଭ ଜନ୍ମ ପିଣ୍ଡେ ସକଳ ସିଦ୍ଧି/ଏ ଶରୀରେ ଜ୍ଞାନ ପାରିଲେ ସାଧି ।” ନିଜ ଭଜନ ଭିତରେ ବାରମ୍ବାର ଆହ୍ଵାନ ଅଛି- “ବାହ୍ୟେ ଭ୍ରମି ଭ୍ରମି ନମର/ ଆତ୍ମା ନିରୂପଣ କର ।’’ ଜଗନ୍ନାଥ ଦାସଙ୍କ ଭାଗବତର ଆତ୍ମାକୁ ଦିଅନ୍ତି ଯେ ହରି/ତା’ ତହୁଁ ଆନ ଇଚ୍ଛାକରି/ ମୋ ପ୍ରାଣନାଥ ଅଛି ପାଖେ/ ମୁହିଁ ନ ଦେଖଇ ପ୍ରତ୍ୟେକ୍ଷେ ।’ ଇତ୍ୟାଦି ଧାଡ଼ିସହ ଖୁବ୍‌ପାଖାପାଖି । ଜୀବନ ସହ ମାୟା ଚିରକାଳ ଜଡ଼ିତା । ଅନ୍ୟ ଅର୍ଥରେ ମାୟା ହିଁ ଜୀବନକୁ ଗତିଶୀଳ କରାଇବାରେ ଏକମାତ୍ର ଇନ୍ଧନ । କିନ୍ତୁସେହି ଜୀବନସତ୍ୟର ନିକଟବର୍ତ୍ତୀ ହେଲେ ମାୟା ସହ ମଣିଷର ସନ୍ଧିକୁ ସନ୍ଥଆତ୍ମା କଦାପି ସହ୍ୟ କରିପାରେ ନାହିଁ । କାରଣ ମାୟା ମୋହାବିଷ୍ଟ କରେ, ସତ୍ୟରୁ ଦୂରତା ରକ୍ଷା କରେ । ଫଳରେ ପାର୍ଥିବ ଆତ୍ମା ଐଶୀ ଶକ୍ତିରୁ ଦୂରେଇ ଯାଏ । ଚିନ୍ତନ ଶକ୍ତି ସ୍ଥାଣୁ ପାଲଟେ । ଦିବ୍ୟବିଭୂତି ଟିକକ କ୍ରମଶଃ ଦୂରେଇ ଯାଏ । ତେଣୁ ସନ୍ଥ ଆତ୍ମା ବାରମ୍ବାର କହିଚାଲିଛି-

 

“ଅଲେଖ ମନ୍ଦିରକୁ ଫିଟିଛି ବାଟ

ଜୀବ ପରମ ଅନ୍ତେ ଯହିଁରେ ଭେଟ

ହସ୍ତରେ ନ ଫିଟି, ଅନୁଭବେ ଫିଟୁଛି

ଜ୍ଞାନୀକି ଜ୍ଞାନନେତ୍ରେ, ଝଟଝଟ ଦିଶୁଛି ।” (୫)

 

ଏଠାରେ ‘ନିଜ ମହିମାକୁ ବାଛି’ ବା ପଦ ଭିତରେ କବି ମଣିଷ ଜୀବନ ସହ ପାପପୁଣ୍ୟର ବିଚାରବୋଧକୁ ଆଲୋଚନା କରିଛନ୍ତି । ସମାନ ପରିସ୍ଥିତିରେ ଏଠି ମହିମା ଧର୍ମ ନ ହୋଇ ଧାରଣାରେ ପରିଣତ ହୋଇଛି । ଯାହା ଆତ୍ମାକୁ ପୂର୍ଣ୍ଣତା ଦେବାରେ ପ୍ରତିଶ୍ରୁତିବଦ୍ଧ ତାହା ହିଁ ମହିମା-। ଭୀମଭୋଇଙ୍କ ଭଜନମାଳାରୁ ଏହି ଭାବ ସ୍ପଷ୍ଟ ହୋଇଉଠେ ।

 

ଭୀମଭୋଇଙ୍କ ଭଜନମାଳା ହେଉଛି ଭୌତିକ ଜୀବନର ଭଉଁରୀ ଭେଦ । ପାର୍ଥିବ ଆତ୍ମା ମାତୃଗର୍ଭରେ ଭ୍ରୁଣ ସୃଷ୍ଟି ହେବାଠାରୁ ମୃତ୍ୟୁଶଯ୍ୟାର ମଶାଣିମାୟା ପର୍ଯ୍ୟନ୍ତ ବିସ୍ତୃତ ବ୍ୟବଧାନ ଭିତରେ ଘଟୁଥିବା କ୍ରିୟାକଳାପକୁ କବିଙ୍କ ଭଜନ ଅତି ନିଖୁଣ ଭାବେ ପରିବେଷଣ କରିଛି । ଅସରନ୍ତି ଦୁଃଖରେ ‘ଦୁର୍ଲ୍ଲଭ ଜୀବନଗୋଟି ବିଅର୍ଥ ହେଲା’ । ‘ଫୁଙ୍କାବନ୍ଧ ହେଲା ନାଶ/ ଉଡ଼ିଲା ପରମ ହଂସ’ । ହେଲେ ହିରଣ୍ୟଗର୍ଭର ନିକଟତର ହେବାରେ ଏ ଆତ୍ମାର ବିଳମ୍ବ ଘଟୁଛି । ଜୀବନ ତ ଚାରିପାଦ ଭୂମି । ଯେତେବେଳେ ମହତ୍ତ୍ୱର ଉପଲବ୍‌ଧିର ନିକଟବର୍ତ୍ତୀ ହେବାକୁ ଆତ୍ମା ତରତର ସେତେବେଳେ ବେଳ ରତରତ । ପିଣ୍ଡରୁ ପ୍ରାଣପକ୍ଷୀ ଉଡ଼ିବାକୁ ବ୍ୟସ୍ତ । ଜୀବନର ଅସାରତା ଭିତରେ ଆତ୍ମା ସର୍ବଦା କୈବଲ୍ୟ ଲାଭ କରୁ । ଉଚ୍ଚ ଚିନ୍ତନ ଶକ୍ତିର ଅଧିକାରୀ ମାନବୀୟ ଆତ୍ମା ଭଙ୍ଗୁରତାକୁ ଆଶ୍ରୟ ନ କରୁ । ‘ଦୁର୍ଲ୍ଲଭ ଜନ୍ମରେ ଥରେ ଦର୍ଶନ କର/ ପିଣ୍ଡ ପ୍ରାଣକାଳ କାଳ ନୁହଇ ଚିର’ । ଏ ମଣିଷ ପକ୍ଷେ ଚିର ବ୍ୟତିକ୍ରମ ହେଉଛି କୂଳ ନିକଟରେ ଥାଇ ମଧ୍ୟ ସେ ଅସଲ ପଥ ହୁଡ଼େ । ଅସାରତାକୁ ମୂଲ୍ୟବାନ୍‌ମନେକରି ଜାବୁଡ଼ି ଧରେ । ବିଷୟ ବାସନାପ୍ରତି ଦୁଇପାଦ ଆଗକୁ ବଢ଼େ । ଏଥିପାଇଁ ଭୀମଭୋଇଙ୍କ ଭଜନ ଗାଇ ଉଠିଛି-

 

‘‘ଜାଣୁଛ ସକଳ ବିଧି ବିଚାରିଲେ ସର୍ବସିଦ୍ଧି

ଜନ୍ମ ମରଣଟି ଏ ଦେହକୁ ଅସାର !” (୬)

 

ସାଧାରଣ ଆତ୍ମାଟି ଭୂମିନିଷ୍ଠ ହେଲେ ଯାଇ ସନ୍ଥ ପାଲଟେ । ସନ୍ଥ ଆତ୍ମାଟି ସର୍ବଦା ପାର୍ଥିବ ଆତ୍ମାର ମୁକ୍ତି ବାଞ୍ଛାରେ ପ୍ରତିଜ୍ଞାବଦ୍ଧ । ଏ ଦୃଷ୍ଟିରେ ଭୀମଙ୍କ ଭଜନ ଭିତରେ ଅହଂପ୍ରତି ରହିଛି ତୀବ୍ର ଅଙ୍ଗୁଳି ନିର୍ଦ୍ଦେଶ । ଅହଂ ନୁହେଁ, ବରଂ ବିମଳ ଆତ୍ମାର ଅଧିକାରୀ ହିଁ ବିଭୁକୃପାର ଏକାନ୍ତ ନିୟୋଗୀ । ଅହଂର ଅବସ୍ଥିତି ହେଉଛି ଅନ୍ଧକାରର ଅହଂକାର । ଆଲୋକର ଉପସ୍ଥିତି ଦୂରେ ବହୁଦୂରେ । ଶ୍ରଦ୍ଧା ଓ ଭକ୍ତି ନିକଟରୁ ଅହଂତ୍ୱ ଦୂରତା ରକ୍ଷା କରେ । ଅହଂ ସର୍ବଦା କୁତ୍ସିତ ଅନୁଭବରୁ ସୃଷ୍ଟି । ତା’ ନିକଟରେ ମଣିଷ ଆତ୍ମ ସମର୍ପଣ କଲେ ଆତ୍ମାର ଗତି ଅତଳତଳକୁ ଗ୍ରାସ କରେ । ଆଲୋକ ଉନ୍ମୁଖ କରିବା ଦିଗରେ ବାଧା ଆଣେ । ଜୀବନର ବିଯୁକ୍ତାତ୍ମକ ଦିଗଗୁଡ଼ିକ ହିଁ ସେଥିପ୍ରତି ଅଧିକ ଶ୍ରଦ୍ଧାଶୀଳ । ମଣିଷର ମହନୀୟତାକୁ କ୍ଷୁର୍ଣ୍ଣ କରୁଥିବା ଏହି ବିଭତ୍ସ ଅହଂସତ୍ତା ହିଁ କାଳେକାଳେ ସଭ୍ୟତାର ପରମ ଶତ୍ରୁ । ଭୀମଭୋଇ ଆପଣା ଭଜନ ଭିତରେ ମଣିଷର ଅସ୍ତିତ୍ୱକୁ ଯଥାସମ୍ଭବ ସେଥି ମଧ୍ୟରୁ ମୁକୁଳାଇବାକୁ ଚେଷ୍ଟା କରିଛନ୍ତି । ଏ ପ୍ରୟାସ ଭୀମଙ୍କ ଭଜନରେ ଆଦ୍ୟରୁ ଶେଷ ପର୍ଯ୍ୟନ୍ତ ଖୁବ୍ ଶକ୍ତିଶାଳୀ ।

 

କୋଟିଏ ଯୋନିଜନ୍ମର ପରବର୍ତ୍ତୀ ଜନ୍ମ ହିଁ ଜୀବ ମଣିଷ ଜନ୍ମର ଅଧିକାରୀ । କିନ୍ତୁ ସମସ୍ତ କୁତ୍ସିତବାସନାକୁ ବହନ କରି ଜୀବ ଜୀବନ ବଞ୍ଚିବାରେ ଖୁବ୍‌ଆଗ୍ରହୀ । ଭୀମଭୋଇଙ୍କ ଭଜନରେ ରହିଛି ମାନବାତ୍ମାର ମୁକ୍ତି ନିମିତ୍ତ ଅନେକ ସୂତ୍ର । ଏ ସୂତ୍ର ମନ୍ତ୍ର ମହୌଷଧି ପରି କାମ କରିବ, ଏ ଆସ୍ଥା ସନ୍ଥ ଆତ୍ମାର । ସମଗ୍ର ଭଜନମାଳାରେ ସନ୍ଥ ଆତ୍ମାର ଅଭିଳାଷ ହେଉଛି ‘ସମାନ ଦୃଷ୍ଟି ସର୍ବ ଜୀବରେ’’ । ଏ ବାଣୀ ପରମୁହୂର୍ତ୍ତରେ ଆହ୍ୱାନ କରେ-

 

“ତରିବାକୁ ଥିଲେ ଆସ ନିର୍ବେଦ କର୍ମରେ ପଶ

ସଦ୍‌ଜ୍ଞାନ ମୁକ୍ତିପାଦ ଗୁରୁ ଦୁଆରେ

ହଜି ଯାଉଅଛି ସିନା ଉଦେ କରାଅ ବାସନା

ଯେବଣ ସୁକୃତ ଅଛି କରମ କାଣ୍ଡେ

ନିଗମ ପଥ ଆବୋରି ଅସାଧନାରେ ସୁମରି

ଧର ଦୃଢ଼ବଦ୍ଧେ ଜୀବ ଆଉ ଏ ପିଣ୍ଡେ ।” (୭)

 

ସନ୍ଥକବିଙ୍କ ଭଜନମାଳାରେ ସର୍ବତ୍ର ବ୍ରହ୍ମବଧୂତ ମହିମାସ୍ଵାମୀଙ୍କ ମହିମାଗାନ ସହ ରହିଛି ଶୂନ୍ୟତାର ଜ୍ୟାମିତି- ଜାଗରଣ । ମହିମା ଧର୍ମତତ୍ତ୍ୱର ଏହି ଅଲେଖ ନାମାକୁ ସ୍ୱତନ୍ତ୍ର ସ୍ଥାନରେ ଦାବି କରିବାର ପ୍ରୟାସ କରାଗଲେ ହେଁ, ଭୋଇକବିଙ୍କ ଅନେକ ଭଜନ ଭିତରେ ମହିମାଧର୍ମ ଓ ବୈଷ୍ଣବଧର୍ମ ଭିତରେ ଘଟିଛି ଏକ ଚମତ୍କାର ସମନ୍ୱୟ । ଉଦାହରଣ ସ୍ଵରୂପ ‘ଭୀମଭୋଇ ଗ୍ରନ୍ଥାବଳୀ’ର ୧୧୭ ଏବଂ ୧୮୬ ନଂ ଭଜନକୁ ନିଆଯାଇପାରେ । ଏହି ଭଜନ ଭିତରେ ଶ୍ରୀକୃଷ୍ଣ ହିଁ ସ୍ଵୟଂ ପୂର୍ଣ୍ଣଚନ୍ଦ୍ର ଏବଂ ସମସ୍ତ ଭକ୍ତି ରାଧାଭାବାପନ୍ନ । ‘ଧୂନି ଘରେ ରାଧିକା ବିଳାସ ଗୋ/ କରିବେ ଭକତେ ଖେଳରସ’ ଭିତରେ ମହାରାସକୁ ଇଙ୍ଗିତ କଲାବେଳେ ‘ଆସ ସର୍ବେ ହୋଇଯିବା ବେଶ ଗୋ’ ଭିତରେ ରାଧାଭାବ ସ୍ପଷ୍ଟ । ତାହା ଆହୁରି ସ୍ପଷ୍ଟ ହୋଇଉଠିଛି ଯେତେବେଳେ ଭଜନରେ ଉଲ୍ଲେଖ ଅଛି-

 

“ସାକ୍ଷ ଥାନ୍ତୁ ଧରିତ୍ରୀ ଆକାଶ ଗୋ

ନବୀନ ନଟ ନାଗର ଗୋପ ଯବୁତୀବର

ନବରଙ୍ଗେ ବେଶ ଗୋ

କରିବେ ରାହାସ ।’’(୮)

 

ରାଧାକୃଷ୍ଣ ପ୍ରେମାଶ୍ରିତ ବୈଷ୍ଣବ ପ୍ରେମତତ୍ତ କେବଳ ଉତ୍କଳ ପ୍ରଦେଶ ନୁହେ, ସମଗ୍ର ଭାରତବର୍ଷର ପ୍ରତ୍ୟେକ ଯୁଗୀୟ ସାହିତ୍ୟ ଅଳ୍ପ ବହୁତେ ପ୍ରଭାବିତ । ଏପରିକି ଅନେକ ନିର୍ଗୁଣ ସାହିତ୍ୟ ସ୍ରଷ୍ଟା ମଧ୍ୟ ବୈଷ୍ଣବ ଶୁଦ୍ଧାଭକ୍ତି ପ୍ରେମ ମାର୍ଗକୁ ଆପଣେଇଛନ୍ତି । ପଞ୍ଚସଖା ସାହିତ୍ୟାକାଶରେ ନିର୍ଗୁଣ ପରମ୍ପରାର ଧାରା ସଫଳତାର ଖୁବ୍‌ଶୀର୍ଷସ୍ଥାନ ଅଧିକାର କରିଥିଲେ ମଧ୍ୟ ରାଗାନୁଗା ପ୍ରେମଭକ୍ତି ନିମିତ୍ତ ରହିଛି ସ୍ଵତନ୍ତ୍ର ଆସନ । ଭୀମଭୋଇଙ୍କ ମହିମାଧର୍ମ - ଏକେଶ୍ଵରବାଦରରେ ନିର୍ଗୁଣ ତତ୍ତ୍ୱକୁ ପ୍ରଚାର କଲେ ହେଁ, ବୈଷ୍ଣବୀୟ ପ୍ରେମ ଭାବନାରୁ ମୁକ୍ତି ପାଇ ନାହିଁ । ଯେତେବେଳେ ବ୍ରାହ୍ମଣ୍ୟ ଧର୍ମ ନୀତିର ବିପରୀତ ପକ୍ଷରେ ମହିମାଧର୍ମ ସ୍ୱତନ୍ତ୍ର ଆସନ ଦାବି କରୁଥିଲା ସେତେବେଳେ ଭୀମଭୋଇ ଖୁବ୍‌କୌଶଳକ୍ରମେ ଅବଧୂତ ମହିମାସ୍ଵାମୀଙ୍କୁ ଶ୍ରୀକୃଷ୍ଣଙ୍କ ସମକକ୍ଷ କରାଇ ବୈଷ୍ଣବଧର୍ମ ଛାଞ୍ଚରେ ପକାଇବାକୁ ଚେଷ୍ଟା କରିଛନ୍ତି । ଏପରି ଅନେକ ଭଜନ ରହିଛି ଯେଉଁଠି ଭୀମଭୋଇ ଏକାନ୍ତ କୃଷ୍ଣ ଅନୁଗତପ୍ରାଣ ରାଧାଭାବ ନିହିତ-

 

“କର ଧରି ଦୂତୀ କହୁଛି ଏତେ

ଜାଇଫୁଲ, କୃଷ୍ଣ ଆଣିଦେବୁ ମୋତେ

ଠାକୁର ମୋହର ସେହି

ତାଙ୍କ ବିନୁ କ୍ଷୀଣ ହେଲାଣି ଦେହି

ଠିକେ କହେ ଭୀମଭୋଇ ।’’ (୯)

 

ଭୀମଭୋଇ ନିଜସ୍ଵ ଭଜନ ଭିତରେ ଯେଉଁଠି ରାଧାକୃଷ୍ଣ ରାସବର୍ଣ୍ଣନା କରିଛନ୍ତି ତା’ ନିକଟରେ ଶୁନ୍ୟବ୍ରହ୍ମଙ୍କ ଅବତାରୀ ପୁରୁଷଙ୍କୁ ଅବତୀର୍ଣ୍ଣ କରାଇବାକୁ ଭୁଲି ନାହାନ୍ତି । ଅତଏବ ଭୀମଭୋଇଙ୍କ ବ୍ରହ୍ମ ଅବଧୂତ ମହିମାସ୍ଵାମୀ ବହୁ ଭଜନରେ କୃଷ୍ଣତ୍ୱରେ ରୂପାନ୍ତରିତ । ବ୍ରହ୍ମ ନିରାକାର ଅବତାରୀ ପୁରୁଷ ମହିମାସ୍ଵାମୀଙ୍କୁ ତତ୍‌କାଳୀନ ଉତ୍କଳ ପ୍ରଦେଶରେ ସାର୍ବଜନୀନ ଗ୍ରହଣଶୀଳତାର ମାନ୍ୟତା ପ୍ରଦାନ ଉଦ୍ଦେଶ୍ୟରେ ବସାବାନ୍ଧିଥିବା କୃଷ୍ଣ ଭକ୍ତି ହିଁ ମହିମା ଭଜନରେ ବ୍ରହ୍ମଭକ୍ତିର ସମକକ୍ଷ ହେଉ, ଏପରି ସାମ୍ଭବ୍ୟ ଆସ୍ଥାକୁ ଆଗ୍ରହର ସହିତ ବାଢ଼ିଚାଲିଛି ଭୀମଭୋଇଙ୍କ ଭଜନ ମାଳା ।

 

ପୃଥିବୀରେ ଯେତେସନ୍ଥ ଯେତେ ଭକ୍ତ ସମସ୍ତଙ୍କୁ ଏ ଭୌତିକ ସଂସାରର କ୍ରୋଧ ଓ କଟାକ୍ଷ ତଳେ ବଞ୍ଚିବାକୁ ବାଧ୍ୟ କରିଛି । ମହାବୀର ଜୈନ, ବୁଦ୍ଧଙ୍କଠାରୁ ଆରମ୍ଭ କରି ଯୀଶୁଙ୍କ ପର୍ଯ୍ୟନ୍ତ । ପ୍ରତ୍ୟେକ ଜଣେ ଜଣେ ସାଲିସ୍‌ବିହୀନ ସନ୍ଥ । ଆତ୍ମାରଜାଗୃତି ଓ ମାନବାତ୍ମାର ମୁକ୍ତି ବାଞ୍ଛା ସର୍ବତ୍ର ସମାନ ଭାବେ ପରିଦୃଶ୍ୟ । ସନ୍ଥତ୍ୱ ଏକ ଆହ୍ୱାନ । ମାଟିରୁ ଆକାଶଯାଏ ବିସ୍ତୃତ ଯା’ର କରୁଣାର୍ଦ୍ର ଦୃଷ୍ଟି । ପଥରତଳ ଘାସ ହେଉ ଅବା ପାଦତଳର ମାଟି ପ୍ରତ୍ୟେକ ଜୀବନ୍ତ ହୋଇଉଠନ୍ତି ସନ୍ଥର ପାପୁଲି ସ୍ପର୍ଶରେ । ଭୀମଭୋଇ ଏହି ପରମ୍ପରାର ଜଣେ ଶ୍ରେଷ୍ଠ ସୂତ୍ରଧର । ତାଙ୍କ ସନ୍ଥ ଆତ୍ମାର ଦର୍ଶନ ହେଉଛି ବଞ୍ଚି ରହିବା । ସମୂହ ଯଜ୍ଞର ସ୍ଵାର୍ଥ ଓ ଅହଂକୁ ହବି ପ୍ରଦାନ କରିବା । ତେଣୁ ଗୁରୁ ମହିମାସ୍ଵାମୀ ତାଙ୍କ ଆଦର୍ଶର ପଥ ପ୍ରଦର୍ଶକ । ଯିଏ ‘ବ୍ରହ୍ମାଣ୍ଡକୁ କରିଛନ୍ତି ଘର ବଖୁରୀ ।’ ଆର୍ଯ୍ୟଋଷିର ‘ବସୁଧୈବ କୁଟୁମ୍ବକମ୍‌’ର ଉପନୀଷଦୀୟ ବାଣୀ ହୋଇଛି ମହିମା ଭଜନରେ ଲୋକଦାଣ୍ଡର ମନ୍ତ୍ର ।

 

ଭୀମଭୋଇଙ୍କର ଅନେକ ଭଜନ ରହିଛି ଯାହାକି ଅଚ୍ୟୁତାନନ୍ଦୀୟ ରହସ୍ୟବାଦୀ ପ୍ରତୀକଧର୍ମୀ କବିତାର ମୁଦ୍ରାଙ୍କ ସ୍ପଷ୍ଟ । ଯଶୋବନ୍ତ ଦାସ ଓ ଶିଶୁ ଅନନ୍ତ ଦାସଙ୍କ ପ୍ରଭାବ ମଧ୍ୟ ଅପ୍ରତିହତ । ଭୀମଭୋଇଙ୍କ ‘ବାଲିମାଟି ନାହିଁ ଉବୁକୁଛି ହ୍ରଦ/ ଗଙ୍ଗାଜଳ ଛାଡ଼ି କୂପ ଜଳେ ଗାଧ’ ଇତ୍ୟାଦିରେ ଅଚ୍ୟୁତାନନ୍ଦଙ୍କ ଭଜନର ପ୍ରଭାବ ସ୍ପଷ୍ଟ । ‘ଗଙ୍ଗାତୀରେ ନାହିଁ ସଦ୍‌ଗତିରେ ମୂଢ଼ମତି’ ଶିଶୁଅନନ୍ତଙ୍କ ଭଜନ ‘ଶୂନ୍ୟରୁ ସଂଚରୀ ଯେଉଁ ଚରଣ ଅଇଲା।/ ଶୂନ୍ୟପୀଠ ଭେଦି ସମ ଦରଦୀ ବହିଲା’ ଏବଂ ଯଶୋବନ୍ତଙ୍କ ‘ପାଞ୍ଚ ପ୍ରଧାନ ପଚିଶ ମୂଳିଆ/ଯେତେ ବନ୍ଧାଇଲେ ପଡ଼େ ଘଳିଆ’ର ଖୁବ୍ ପାଖାପାଖି । ସୂକ୍ଷ୍ମ ଭିତରେ ସ୍ଥୂଳକୁ ଅନୁଭବ କରିବା ହେଉଛି ମାଟି ଭିତରେ ଆକାଶର ବ୍ୟାପକତାକୁ କଳନା କରିବା । ସନ୍ଥର କି ଅନୁଚିନ୍ତା ବାସ୍ତବିକ୍‌ଏସବୁ ଗୋଟିଏ ଗୋଟିଏ ବିରାଟ ବିସ୍ମୟ । ତାହାର ଗୋଟିଏ ପ୍ରମାଣ ନିମ୍ନରେ ସ୍ଥାନିତ-

 

‘ଲତାବନେ ବୁଲି ଦେଖ ବେନିଗୋଟି ପୁଷ୍ପ ହୋ

ପ୍ରତିଦିନେ ତିନିପୁରେ ହେଉଛନ୍ତି ବେଶ ହୋ

ଦେହ ନାହିଁଛନ୍ତି ପ୍ରୀତି ଲଗାଇ

 

ଦେଖା ଦେଖି ନାହିଁ ମୂର୍ଚ୍ଛି ନୁହଁଇ

ତଇଳ କୁଙ୍କୁମ ଅଙ୍ଗେ ନ ଲାଗଇ

ଦେହ ଦିଶୁଅଛି ଯେସନେ ସୁବର୍ଣ୍ଣ

ତାତ ମାତ କରୁଛନ୍ତି ରୋଦନ ।” (୧୦)

 

ଭୀମଭୋଇଙ୍କ ଭଜନମାଳାରେ ଭକ୍ତି ହେଉଛି ମାଧୁର୍ଯ୍ୟ, ଯାହାକି ପ୍ରେମ ଭକ୍ତିର ଅଂଶବିଶେଷ । ସ୍ଥଳ ବିଶେଷରେ ସଖ୍ୟ ଓ ବାତ୍ସଲ୍ୟ ଭକ୍ତିର ଉଲ୍ଲେଖ ଥିଲେ ହେଁ, ଦାସ୍ୟ ଭକ୍ତି ହିଁ ମୁଖ୍ୟ । ବାସ୍ତବିକ୍‌ଭକ୍ତି ଭିତରେ ହିଁ ଜୀବନର ସମସ୍ତ କର୍ମକୁ ନିଜର ପରମପ୍ରିୟ ନିକଟରେ ସମର୍ପଣ କରିହୁଏ । ତା’ ମଧ୍ୟରେ ଅନୁଭବକୁ ପହଁଚୁଥିବା ବ୍ୟଥା ଓ ବିବଶତା ହିଁ ପ୍ରକୃତ ଭକ୍ତିର ମୂଳପରୀକ୍ଷା-। ଭୀମଙ୍କ ଭଜନରେ ଏହି ବ୍ୟଥାତୁର ଭକ୍ତ ହୃଦୟର ଛଳଛଳ ପରିଭାଷା ସ୍ପଷ୍ଟ ।

 

ଭୀମଭୋଇ ଭଜନର ଅନ୍ୟତମ ବୈଶିଷ୍ଟ୍ୟ ହେଉଛି ବ୍ରହ୍ମ ବିଚାର । କବିଙ୍କ ସମସ୍ତ କୃତି ମଧ୍ୟରେ ବ୍ରହ୍ମସ୍ୱରୂପ ପଦାଙ୍କ ସ୍ଥାନିତ ହେଲେ ହେଁ, ‘ଶୂନ୍ୟ ପୁରୁଷ ହେ ଘୋଟିଅଛ ତ୍ରିଭୂବନ ମହୀ’ ପାଠକ ଚେତନାକୁ ନୂତନ ସ୍ଵାଦ ପ୍ରଦାନ କରୁଛି । ଯେଉଁ ନାମକୁ ସ୍ମରଣ କରି ଅଗସ୍ତି, ବାଲମିକ, ଶୁକ, ମାରକଣ୍ଡ ପ୍ରମୁଖ ମହାଜ୍ଞାନୀ ହୋଇପାରିଲେ । ତଥାପି ଭୀମଙ୍କ ଦୁଃଖ ରହିଛି । କାରଣ ‘ସୁଜ୍ଞାନୀ ଜନଙ୍କ ଚିତ୍ତରେ ଅଦୃଶ୍ୟ/ କୁଜ୍ଞାନୀକି ପଥ ଦିଶୁ ନାହିଁ ।’ (୧୧) ବ୍ରହ୍ମ ଦୃଷ୍ଟିରେ ଜଗତ ଏକ ଗାଢ଼, ଏକ ବଡ଼ ଏପରିକି କେହି ନାହିଁ, ବରଂ ଘଟେ ଘଟେ ଦେଖା ନାହିଁ ରୂପରେଖ ଏକରୁ ଅନେକ ସଂଚରଇ । ବ୍ରହ୍ମ ଉପଲବ୍ଧି ନିମିତ୍ତ ଭୀମଙ୍କ ଭଜନରେ ସର୍ବଦା ନିଷ୍କାମ ଯୋଗୁ ଉଚ୍ଚସ୍ଥାନ ମିଳିଛି । ଯାହାର ନିକଟବର୍ତ୍ତୀ କରାଇବାରେ ଗୁରୁ ଏକମାତ୍ର ମାଧ୍ୟମ । କାରଣ ଏ ଦୁର୍ଲ୍ଲଭ ତନୁ ଗୁରୁସେବା ବିନୁ ବର୍ଜିବ ସଂସାରେ କେଉଁ ଜନ ! ତେଣୁ - ‘ବନ୍ଦନା ପାଦ ପଦ୍ମକୁ’ ଏହା ଭୀମଭୋଇଙ୍କ ବାଣୀକଣ୍ଠର ପ୍ରଥମ ଭକ୍ତି ଅର୍ଘ୍ୟ । ଆଉ ଦୁଇ ପାଦ ଆଗକୁ ବଢ଼ିଯାଇ କବି ଗାଇ ଉଠିଛନ୍ତି- ‘ଚାଲନ୍ତି ଶୂନ୍ୟ ଶବଦ ଅନୁମାନ କରି ଭେଦ/ ଅକଳନା ବାରାନିଧି/ ନାମ ମହିମା ଅଗାଧ’ (୧୨) । ବ୍ରହ୍ମ ବିଚାର ଶୂନ୍ୟତାର ଅଭିସାର । ଚିତ୍ତକୁ ଭେଦେ । ପାର୍ଥିବ ଚକ୍ଷୁରେ ଏହାର ସ୍ଵରୂପ କଳନା ଦୁର୍ବୋଧ୍ୟ ବ୍ୟାପାର । ବ୍ରହ୍ମ ଏକ ଆଧିଭୌତିକ ଚିନ୍ତନ ବିଳାସ । ଚାରିଧର୍ମ (ଧର୍ମ, ଅର୍ଥ, କାମ, ମୋକ୍ଷ) ଚାରିବେଦକୁ ଅତିକ୍ରମ କରେ । ବ୍ରହ୍ମ ସ୍ଥିତି ଓ ଅବସ୍ଥିତିର ଉର୍ଦ୍ଧ୍ୱରେ । କଳ୍ପ କଳ୍ପାନ୍ତ ଧରି ମୁନିଋଷିଙ୍କୁ ଅଜ୍ଞାତ । ଭୀମଙ୍କ ଦୃଷ୍ଟିରେ ‘ଶୂନ୍ୟ ମନ୍ଦିରେ ବିହାର/ ରୂପରେଖ ନାହିଁ ଯାର ।’ (୧୩) ଯେଉଁଠାରେ ବହ୍ମଅଛି ସେହିଠାରେ ଅଲେଖପୁର ବର୍ଣ୍ଣନା । କବି କଳ୍ପନାରେ - ‘ଅଭୟ ପୁର ମଣ୍ଡଳ ନାହିଁ ଅନ୍ଧାର ଉଜ୍ଜ୍ୱଳ/ ଅଜପା ଅଲେଖ ବ୍ରହ୍ମ ନାହିଁ ତାଙ୍କ ସ୍ଥିତି ଠୁଳ’ (୧୪) । ଯାହା ବାରମ୍ବାର ମୁକୁଳିତ ପୁନର୍ବାର ସଂଯୋଜିତ, ଆପେ ଆପେ ପ୍ରଚାରିତ ଓ ପ୍ରସାରିତ; ତାହା ହିଁ ବ୍ରହ୍ମ ଚରିତ । ଜ୍ଞାନୀଜନଙ୍କ ଏକମାତ୍ର ଧ୍ୟେୟ । ତେଣୁ ‘ଦେଖି ତା’ ଛଟକ ଚାଲି/ ଜ୍ଞାନୀ ମରୁଛନ୍ତି ଭାଳି’ । ଏହିଭଳି ସାରତଥ୍ୟକୁ ବଖାଣୀ ମାନବାତ୍ମାର ଭିତରେ ସତ୍ୟର ଜାଗୃତି ଆଣିବାକୁ ଭୀମ ସଦା ଚେଷ୍ଟିତ । ‘ଯାହା ମୁଁ ଦେଖିଛି କିସ କହିବି ତୁଣ୍ଡେ’ (୧୫) ।

 

ବ୍ରହ୍ମର ସ୍ୱରୂପ ଓ ବିଚାର ବିବେଚନା କ୍ଷେତ୍ରରେ କବି ଯେଉଁ ଏକାକ୍ଷର କଥା ଉଲ୍ଲେଖ କରିଛନ୍ତି, ତାହା ସନାତନ ହିନ୍ଦୁଧର୍ମର ମୂଳମନ୍ତ୍ର । ଆଦ୍ୟ ପ୍ରଣବ ଓଁକାର ବ୍ୟତୀତ ଅନ୍ୟ କିଛି ନୁହେଁ-। ‘କିଛି ନ ଦିଶନ୍ତି ଶୂନ୍ୟ ଆକାଶ’ର ଠିକ୍‌ପରେ ପରେ ‘ଓଁକାର ପରମ ପଦୁଁ/ ପିଅ ମକରନ୍ଦ ମଧୁ’ ହିଁ ତା’ର ସତ୍ୟତାକୁ ପ୍ରମାଣ କରୁଛି । କବି ବ୍ରହ୍ମ ଓ ଓଁକାର ମଧ୍ୟରେ ଥିବା ଭାବ ସାମଞ୍ଜସ୍ୟକୁ ଦେଖାଇବାକୁ ଯାଇ ‘ଓଁ’କୁ ଶୂନ୍ୟସତ୍ତା ସହ ଏବଂ ‘ମୁଁ’କୁ ପ୍ରକୃତି ସ୍ଵରୂପା ରୂପେ ଗ୍ରହଣ କରିଛନ୍ତି । ଅନ୍ୟ ଅର୍ଥରେ ଏକବ୍ରହ୍ମ ବେନିଖଣ୍ଡ । ପ୍ରଥମ ଖଣ୍ଡ ବ୍ରହ୍ମାଣ୍ଡ, ଦ୍ୱିତୀୟ ଖଣ୍ଡ ଗୁପ୍ତ । ସେହି ଗୁପ୍ତ ବ୍ରହ୍ମର ସଂଜ୍ଞା କିପରି କଳନା ହେବ । ସେଇଠି ଭୀମଙ୍କ ସନ୍ଥଆତ୍ମା ହାର ମାନିଛି । କେବଳ ଏତକି ହୃଦ୍‌ବୋଧ ହେଉଛି-

 

“ଶବ୍ଦବ୍ରହ୍ମ ଏକରୂପ ସକଳ ଜୀବଙ୍କ ବାପ

ଆସ୍ଥାନ ତଳରେ ସେବା ଭକ୍ତି ଛିଡ଼େ ।” (୧୬)

 

ବ୍ରହ୍ମ ଅନନ୍ତକୋଟି ସୌନ୍ଦର୍ଯ୍ୟର ସମାହାର । ଅପ୍ରକାଶ ହୋଇ ବି ଭକ୍ତ ହୃଦୟରେ ଅପୂର୍ବ ହିଲ୍ଲେଳର ପ୍ରତିକ୍ରିୟା ହିଁ ଏହାର ମାନଦଣ୍ଡ । ସତ୍ୟ, ଶିବ ଓ ସୁନ୍ଦରର ଯାହା ମୂଳାଧାର ତାହା ହିଁ ସୌନ୍ଦର୍ଯ୍ୟର କୋଷ୍ଠିଘର । ବ୍ରହ୍ମ ସମଗ୍ର ସଭ୍ୟତାର ପିଣ୍ଡ- ପ୍ରାଣ ନିମିତ୍ତ କାରଣ ହେଉ । ସନ୍ଥ ଆତ୍ମା ଏହା ଚାହିଁଛି- ‘ନିରତେ ଭଜ ତରିବ ଭବ ସଂସାର/ ନାମ ବହି ଆସୁଅଛି ଅଣ ଅକ୍ଷର’ (୧୭) ।

 

ଭୀମଭୋଇଙ୍କ ଭଜନରେ ନାମବ୍ରହ୍ମର ରହିଛି ସ୍ୱତନ୍ତ୍ର ସ୍ଥାନ । ଯହିଁ ନାମ ନାହିଁ ତହିଁ ଜ୍ଞାନ କାହିଁ ? ଯହିଁ ଜ୍ଞାନ ନାହିଁ ତହିଁ ପୁଣ୍ୟ କାହିଁ ? ଯହିଁ ପୁଣ୍ୟ ନାହିଁ ତହିଁ ମୁକ୍ତି କାହିଁ ? ବାସ୍ତବିକ୍‌ଭୀମଙ୍କ ଯୁକ୍ତିତର୍କ ସାପେକ୍ଷ । ଜ୍ଞାନ ହିଁ ମୁକ୍ତିର ପଥ ଏବଂ ଏହି ଜ୍ଞାନ ଆହରଣ ହୁଏ ନାମବ୍ରହ୍ମରୁ । ଯଥା- ‘ନାମବ୍ରହ୍ମଲାଭ ଜୀବକୁ ଦୁର୍ଲ୍ଲଭ/ ପିଣ୍ଡକୁ କାରଣ ଦେଖ ।’’

 

ଭଜନ ସାହିତ୍ୟର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଭକ୍ତ ହୃଦୟର ଅନ୍ତର୍ଗତ ସୁଖ ଦୁଃଖର ପରିପ୍ରକାଶ । ଦୁଃଖ ହିଁ ମଣିଷକୁ ସଂସ୍କାରଶୀଳ କରାଏ । ହୃଦୟରେ ବିବିଧ ଅନୁଭୂତିକୁ ଏକଜୁଟ କରେ । ଦୁଃଖ ମଣିଷକୁ ସହନଶୀଳ ତଥା ସ୍ପଷ୍ଟବାଦୀ କରାଏ । ମଣିଷ ଅସ୍ତିତ୍ୱର ମାର୍ଜିତ ପରିପ୍ରକାଶର ସର୍ବଶ୍ରେଷ୍ଠ ମୁହୂର୍ତ୍ତ ହେଉଛି ଦୁଃଖାଭୀଭୂତ ହେବା । ଅତ୍ୟଧିକ ଦୁଃଖୀ ମଣିଷଟିର ଭକ୍ତି ହିଁ ଅଧିକ ଶକ୍ତିଶାଳୀ । ଭକ୍ତିକୁ ଦୀର୍ଘସ୍ଥାୟୀ କରିବା ଦିଗରେ ଦୁଃଖର ମୁହୂର୍ତ୍ତଗୁଡ଼ିକ ହିଁ ଅଧିକ ଦାନା ଯୋଗାଇଥାଏ । ଭକ୍ତି ମଧ୍ୟ କେତେକାଂଶରେ ଜ୍ଞାନର ଅଧିକାରୀ, କିନ୍ତୁ ଭକ୍ତି ମାର୍ଗ ଜ୍ଞାନମାର୍ଗଠାରୁ ଅଧିକ ଶକ୍ତିଶାଳୀ । ୟୁରୋପୀୟ ପଣ୍ଡିତ ଗିଲବର୍ଟ ମରେଙ୍କ ଭାଷାରେ - ‘ଭକ୍ତି (faith) ଚେତନ ବୁଦ୍ଧିର ମାର୍ଗ ନୁହେଁ, ସମସ୍ତ ବ୍ୟକ୍ତିକୁ ଗୋଟିଏ ମାର୍ଗରେ ଊର୍ଦ୍ଧାୟିତ କରି ନେଇଯାଏ, ଚିତ୍ତର ସମସ୍ତ ଶକ୍ତି ଓ ପ୍ରବୃତ୍ତିକୁ ଏହା ସଂଚାଳିତ କରାଏ । ମନର ସମସ୍ତ କାର୍ଯ୍ୟକ୍ଷେତ୍ରକୁ ସଚଳ କରିପାରେ ଏବଂ ଏହି ଏକୀଭୂତ ମିଳିତ ପ୍ରୟୋଗ ଦ୍ୱାରା ଇନ୍ଦ୍ରିୟ ଓ ବୁଦ୍ଧିର ଅଗମ୍ୟପାରକୁ ପହଞ୍ଚିବାରେ ପ୍ରଚେଷ୍ଟା କରେ । ଭକ୍ତି ଦ୍ୱାରା ଆମେ ବହୁମୂଲ୍ୟ ସମ୍ପଦ ଲାଭ କରୁ । ଏହି ସଂପଦ ଆଧ୍ୟାତ୍ମିକ ବିଳାସ କାହିଁକି ; କଳାବିଦ୍ୟା ଓ କାବ୍ୟ ପ୍ରାଣତା ପ୍ରଭୃତି ମନୁଷ୍ୟ ଜୀବନର ସୂକ୍ଷ୍ମ ପ୍ରବୃତ୍ତି ମୂଳରେ ଏହି ସମ୍ପଦହିଁ ଆମକୁ ବେଶି ପରିମାଣରେ କାର୍ଯ୍ୟକାରୀ କରାଏ (୧୮) । ଭକ୍ତି ଥିଲେ ନିଜ ଭିତରେ ଗୋଟିଏ ଆସ୍ଥା ଆସିଯାଏ । ବଞ୍ଚିବାର ରାହା ଦିଶିଯାଏ ସର୍ବତ୍ର । କେହି କିଛି ନଶୁଣୁ ପଛେ ତଥାପି ମନକୁ ଅସରନ୍ତି ଖୁସି ପହଞ୍ଚେ । ଏମିତି ଅନୁଭବ ଭୀମଙ୍କ ଭଜନରେ ରହିଛି ସୁଦୟା ହୋଇଲେ ସିନା ହେବ ମୋତେ ଦୃଶ୍ୟ/ଶୁଣ ନଶୁଣ ଗୁହାରି କରିଛି ମୁଁ ଆଶ’ । (୧୯)

 

ଅନ୍ତରର ସ୍ଵଗତୋକ୍ତି ସହ ଭୀମଙ୍କ ଭଜନର ଆଉ ଦୁଇପାଦ ଆଗକୁ ଗଲେ ପ୍ରିୟଜନ ନିକଟରେ ଅଛି ଅସରନ୍ତି ଅଭିମାନ ଓ ଅଭିଯୋଗ- ‘ଡାକ ନ ଶୁଣ କିପାଇଁ/ଭବ ସିନ୍ଧୁ ଜଳେ ପଡ଼ି ଭାସୁଅଛି ମୁହିଁ ।’ ଭକ୍ତର ଭକ୍ତି ଯେତେବେଳେ ଊର୍ଦ୍ଧ୍ୱମୁଖୀ ହୁଏ, ସଂସାରର ସବୁ ଅଳୀକତା ସ୍ପଷ୍ଟ ଦିଶୁଥାଏ । ସବୁକିଛି ତୁଚ୍ଛା ମନେହୁଏ । ସବୁକୁ ଫିଙ୍ଗିଫୋପାଡ଼ି ପଳାଇବାକୁ ଇଚ୍ଛା ପ୍ରକଟ ହୁଏ । ସେତେବେଳେ ଏ ପାର୍ଥିବ ପିଣ୍ଡ ଉପରେ ଅସରନ୍ତି ଘୃଣା ଜନ୍ମେ । ବିଭୁ ଚିନ୍ତା ହିଁ ସର୍ବତ୍ର ମାଡ଼ି ବସୁଥାଏ । ଭୁଲ୍‌- ଠିକ୍‌, ଭଲ- ମନ୍ଦର ଅନୁତାପ ବିଷୟ ସ୍ପଷ୍ଟ - ‘କେ ଆନ କରିବ ମୋର କର୍ମର ଲିଖନ/ ପୋଡୁଅଛି ପିଣ୍ଡପ୍ରାଣ ଆଶା ଯେ ସ୍ୱପନ’ । ପୁଣି ବଞ୍ଚିବାର ଆଶାନେଇ କେତେ ପ୍ରଶ୍ନ ! ‘ରବିତଳେ ଯେବେ ଜାତ କରିଅଛ ମୋତେ/ ସତ୍ୟାଦି ବଚନ ମିଥ୍ୟା ହେଉଛି କେମନ୍ତେ’ (୨୦) ।

 

ପ୍ରକୃତରେ ସବୁ ଭିତରେ ଥାଇ ମଧ୍ୟ ସବୁକୁ ତୁଚ୍ଛା କରି ଗୋଟିଏ ନିର୍ବାଣ ମାର୍ଗର ଫଲ୍‌ଗୁଧାରା ଭୀମଙ୍କ ଭଜନମାଳାରେ ନିୟତ ପ୍ରବାହିତ । ଆଶା ଅସରନ୍ତି ବୈତରଣୀ ସ୍ରୋତ, ସଫଳ ହେବ ନିଶ୍ଚିତ । ତେଣୁ ଭୀମଭୋଇ ଅନ୍ୟ ଏକ ଭଜନରେ ଗାଇ ଉଠିଛନ୍ତି-

 

“ବିଜେ କରିଛନ୍ତି ଅରୂପ ଶୂନ୍ୟ

କମ୍ପୁଅଛି ଚତୁର୍ଦ୍ଦିଗ ଭୁବନ

ଶୁଭୁଅଛି ନାମ ମହିମା ଧନ୍ୟ ଗୋ

କରୁଥାଅ ଧ୍ୟାନ ସର୍ବ ଧାରଣା

ନିରନ୍ତରେ ମାଗୁଥାଅ ଶରଣ ଗୋ ।’’ (୨୧)

 

ନିଜକୁ ସମ୍ପୂର୍ଣ୍ଣରୂପେ ଏକଲା କରିପାରିଲେ ଯାଇ ପରମସତ୍ତାଙ୍କ ସହ ସମ୍ବନ୍ଧ ରଖିବାର ସୂତ୍ର ଖୋଜି ପାଇ ହୁଏ । ନିଜ ଦୁଃଖ ସହ ନିଜକୁ ଅନ୍ୟ କାହାକୁ ସାମିଲ କରାଇ ସମାଧାନର ପଥ ଖୋଜିବାକୁ ହୁଏ, ସେତେବେଳେ ଦୁଃଖ ରୂପାନ୍ତରିତ ହୁଏ ଭକ୍ତିରେ ଏବଂ ଈଶ୍ୱରଙ୍କ ପ୍ରତି ଜନ୍ମେ ସ୍ଵଚ୍ଛ ପ୍ରଣତୀ । ଭକ୍ତି ଗୋଟିଏ ଆତ୍ମଗତ ପଦ୍ଧତି । ନିଜ ସହ ନିଜେ ମୁହୂର୍ତ୍ତେ ଅନୁଭବିବାର ଭିନ୍ନ ମୁହୂର୍ତ୍ତ । ନିଜର ପରିଚୟ ଖୋଜିବାରେ ଥାଏ ଅଜଣା ପ୍ରସ୍ତୁତି । ନିଜ ଆତ୍ମାକୁ ଭୂମିଷ୍ଠ କରିପାରିଲେ ଯାଇ ଆତ୍ମାର ପରିଚ୍ଛନବୋଧ ନିଜ ସଂପର୍କରେ ଟୀପ୍‌ପଣୀ ଦିଏ । ଭକ୍ତି ଭାବନାରେ ପାର୍ଥିବ ଆତ୍ମା ଯେତିକି ମାଟି ମନସ୍କ ହେଉଥାଏ, ତା’ର ଚେତନ ଜଗତଟି ପରୋକ୍ଷରେ ସେତିକି ଆକାଶଛୁଆଁ ହେଉଥାଏ । ଭୀମଭୋଇଙ୍କ ଭଜନ ଭିତରେ ଏହିପରି ଦୁଇଟି ଭାବପ୍ରବଣତାର ମହନୀୟ ମୁହୂର୍ତ୍ତକୁ ପାଠକ ଭେଟେ । ନିଜ ପ୍ରତି କବିଙ୍କର ଯେଉଁ ପ୍ରତ୍ୟୟବୋଧ ଜନ୍ମିଛି, ସେଥିପାଇଁ ସେ ଦାୟୀ କରୁଛନ୍ତି ପୂର୍ବଜନ୍ମକୁ । ଜନ୍ମାନ୍ତରବାଦ ମଣିଷର ପାପପୂଣ୍ୟବୋଧର ବିଚାର ବିମର୍ଷକୁ ଆହୁରି ଶକ୍ତିଶାଳୀ ଓ ରସସିକ୍ତ କରେ । କବିଙ୍କ ଭାଷାରେ-

 

“ଦିଶିବ ଯେବେ ମୋର ପୂର୍ବଜନ୍ମ ସୁକୃତ

ତପସ୍ୟା କରିଥିଲେ ସେ ବି ଭୃତ୍ୟର ଭୃତ୍ୟ

ଅନୁସରି ବହନ ସାଧୁଜନ ପଶ୍ଚାନ୍ତ

ଭାଗ୍ୟଥିଲେ ଯିବି ଅଲେଖ ଭୁବନ ।” (୨୨)

 

ଭୀମଭୋଇ ସ୍ଵଭଜନାବଳୀରେ ନାରୀପୁରୁଷର ସ୍ୱାଧୀକାରକୁ ସର୍ବଦା ସମାନ ସ୍ଥାନୀୟ କରି ଗଢ଼ିତୋଳିଛନ୍ତି । ଗୋଟିଏ ସୁସ୍ଥ, ସୁନ୍ଦର ଓ ପରାକ୍ରମଶାଳୀ ସମାଜର ପରିକଳ୍ପନା ଭୀମଙ୍କ ଆତ୍ମାରେ ସର୍ବଦା ଜନ୍ମ ନେଉଥିଲା । ଏ ଦୃଷ୍ଟିରୁ ସନ୍ଥ ଚିନ୍ତନ ପୁରୁଣା ହୋଇ ମଧ୍ୟ ନିତ୍ୟନୂତନ । ଈଶ୍ଵରଙ୍କ ସୃଷ୍ଟିରେ ନାରୀ ପୁରୁଷ ଦୁଇ ଅନବଦ୍ୟ ସୃଷ୍ଟି । ଗୋଟିକର ଉନ୍ନତିକଳ୍ପେ ଅନ୍ୟଟିର ସାହାଯ୍ୟ ଓ ସହଯୋଗ ଏକାନ୍ତ ଲୋଡ଼ା । ଅନ୍ୟଟିର ସୁରକ୍ଷା ନିମିତ୍ତ ଏ ଗୋଟିକ ସେତିକି ପ୍ରତିଜ୍ଞାବଦ୍ଧ ନ ହେଲେ ସୃଷ୍ଟି ଗତିଶୀଳ ଦିଗରେ ବାଧାପହଞ୍ଚେ । ସନ୍ଥର ଚିନ୍ତନ ଶକ୍ତିଟି ଏ ଦୃଷ୍ଟିରୁ ଖୁବ଼୍‌ଉଚ୍ଚସ୍ତରର । ବ୍ୟକ୍ତିଗତ ଜୀବନ ପରିଧି ବ୍ୟତୀତ ବରଂ ମଣିଷ ବ୍ୟଷ୍ଟି ଭିତରେ ହିଁ ଅଧିକ ବଞ୍ଚେ-। ତେଣୁ ଉଭୟର ସୁରକ୍ଷା ଓ ସଂବୋଧନର ପ୍ରତୀକ ସ୍ଵରୂପ ପୁରୁଷ ଓ ନାରୀ ଦୁଇଟି ଶକ୍ତିଶାଳୀ ଚକ । ଭୀମଭୋଇ ତାଙ୍କ ଭଜନ ଭିତରେ ଯାହାର ଛାୟା ସ୍ପଷ୍ଟ ହୋଇଲେ ନାରୀ ପୁରୁଷ ଭଗତି ଗୋ/ ତେବେ କଳିଯୁଗ ଯିବ ଝଟତି ଗୋ ।’

 

ଅନିତ୍ୟ ସଂସାରର ଅସାର ତାକୁ ଲକ୍ଷ୍ୟ କରି ଭୀମଭୋଇ ଭଜନଗୁଡ଼ିକ ଅଧକ ସମ୍ବେଦନଶୀଳ । ମାୟାରେ ନ ବୁଡ଼ି, ସବୁଥିରୁ ବଞ୍ଚିତ ହୋଇ ବ୍ରହ୍ମ ପଦେ ଲୟ ରଖି । କିଏ କିଛି ନେଇ ଚାଲିଯାଇଛି କି ମୃତ୍ୟୁଗତେ । ସମସ୍ତେ, କାଳର କବଳରେ କବଳିତ । ‘ସତ୍ୟ ଧର୍ମ ସଂସାରେ ସାର/ ଅସାରକୁ ଦୂରନ୍ତ କର ।’ ଏ କ୍ଷେତ୍ରରେ ଭୀମଆତ୍ମା ଅଧିକ ଦର୍ଶନଶାସ୍ତ୍ରୀ ଅଭିଳାଷୀ ହୋଇ ପଡ଼ିଛନ୍ତି । ମଣିଷର ଏ ଧରାଧାମକୁ ଆଗମ ଓ ନିଗମ ନିତ୍ୟ ପ୍ରବୃତ୍ତ ଧାରା । କାହାରି ଚାଲିଯିବାରେ ଅଯଥା ବ୍ୟସ୍ତ କି ବିବ୍ରତତାର କୌଣସି କାରଣ ନ ଥାଏ । କେବଳ ସ୍ଥିତପ୍ରାଜ୍ଞ ହିଁ ସତ୍ୟକୁ ଧରିବାରେ ସକ୍ଷମ । ସାର-ଅସାରକୁ, ଭଲ-ମନ୍ଦକୁ ଚିହ୍ନିଲା ଲୋକ ହିଁ ସଂସାରେ ଶ୍ରେଷ୍ଠ-। ସର୍ବଠାରୁ ବିଚ୍ଛିନ୍ନତାସତ୍ତ୍ୱେ ସେ ନିଆରା ମାର୍ଗର ଅଧିକାରୀ । କାରଣ- ‘ବ୍ରହ୍ମଙ୍କୁ ଚିହ୍ନିଲା ଲୋକ/ ସକଳଠାରୁ ଅଧିକ ପାଦକୁ ସେବନ୍ତି ଗୋ, ଭେଦକୁ ଜାଣନ୍ତି/ ପ୍ରସନ୍ନ ହୋଇଲେ ବ୍ରହ୍ମ /ତୁଟିଯାଉ ମାୟାଭ୍ରମ/ ଅନଳ ପରାଏ ଅଙ୍ଗ ମୂରତି ଗୋ’ (୨୩) ।

 

ଦିବ୍ୟପ୍ରେମର ଉତ୍ତରଣ ପଥରେ ଅତିକ୍ରମ କରୁ କରୁ ଭୀମଭୋଇଙ୍କ ଭଜନଗୁଡ଼ିକ ପାର୍ଥିବ ମୁକ୍ତିସତ୍ତାର ମୁକ୍ତିକଳ୍ପେ ବହୁ ବିଚାର ବାଞ୍ଛିଛି । ଭୌତିକ ଓ ଆଦି ଭୌତିକ ଆତ୍ମା ଓ ଆଧ୍ୟାତ୍ମ ଏସବୁ ଖୁବ୍‌ସମତୁଲ୍ୟତା ରକ୍ଷା କରିଛି ଭଜନ ଭିତରେ । ଆତ୍ମା କଳୁଥିବା ସବୁ ଇଚ୍ଛା ସପକ୍ଷରେ ଭୀମଙ୍କ ଦର୍ଶନ ଆସ୍ଥା ପ୍ରକଟ କରିଛି । ସତ୍ୟ ଭେଟିବାକୁ ଖୁବ୍‌ବ୍ୟଗ୍ରତା ପ୍ରକାଶ ପାଇଛି । ଅପାର୍ଥିବ ଜଗତର କଥାକହି ପାର୍ଥିବ ଆତ୍ମାକୁ କବି କଦାପି ଭୁଲାଇବାକୁ ଚାହିଁ ନାହାନ୍ତି, ବରଂ ଭୌତିକ ଜୀବନ ଭିତରେ ଅପାର୍ଥିବ ଉପଲବ୍‌ଧିର ବିଭୂତି ସର୍ବଦା ଝରିଯାଉ ତାଙ୍କ ସନ୍ଥତ୍ୱ ସର୍ବଦା ଏହିଥିରେ ବିଶ୍ଵାସୀ । ମଣିଷ ସର୍ବଦା ନିଜ ଭୁଲ ପଦକ୍ଷେପ ନିମିତ୍ତ ହିଁ ଅଶାନ୍ତି ଭୋଗିବାକୁ ବାଧ୍ୟ ହୁଏ । ନିଜ ପ୍ରାୟଶ୍ଚିତରେ ଅନ୍ୟ କେହି ଭାଗିଦାର ନ ହେବାର ସମ୍ଭାବନା ଅଧିକ । ସମସ୍ତ ମାନବୀୟ ଅସ୍ତିତ୍ୱରେ ମହତ୍ତର ଗୁଣବତ୍ତାଗୁଡ଼ିକ ସନ୍ନିବିଷ୍ଟ । ନିଜକୁ ନଷ୍ଟ କରିବା ଦିଗରେ ସେ ନିଜେ ହିଁ ଦାୟୀ-। ଭୀମଙ୍କ ଦୃଷ୍ଟିରେ ପ୍ରତ୍ୟେକ ମଣିଷ ଦେବତ୍ୱଗୁଣର ଅଧିକାରୀ । ତାଙ୍କ ଭଜନ ମଧ୍ୟ ଏହି କଥାକୁ ସ୍ଵୀକାର କରିଛି । ଯଥା- ‘ଭଲ ଅସାର ବିପଦସିନା/ ଆଉ ଅଧିକରେ କିସ ଅଛି ଭାବନା ।’ ସତ୍ୟ-ମିଥ୍ୟା, ପାପ-ପୂଣ୍ୟ, ଭୁଲ୍‌-ଠିକ୍‌, ସାର-ଅସାର ସବୁ ସମୟ ହାତରେ ନିର୍ଦ୍ଧାରିତ । ସଭ୍ୟତାର ପ୍ରତେକ୍ୟଯି ସ୍ତରରେ ଏସବୁର ସ୍ଵତନ୍ତ୍ର ମର୍ଯ୍ୟାଦା ରହିଛି । ମାନବୀୟ ଚିନ୍ତାଚେତନା ଏସବୁର ସଫଳ ବାହକ । ଯାହା ଯୋଗ୍ୟ ଓ ସମର୍ଥ ତାହା ସନ୍ଥତ୍ୱର ଅଧିକାରୀ । ସଫଳକାମୀ ଉଦ୍ଦେଶ୍ୟସହ ଯେଉଁ ଚେତନା ଅଗ୍ରଗାମୀ ତାହା ସନ୍ଥର ପ୍ରଚେଷ୍ଟା ଓ ପ୍ରୟାସ । ଏ ସମ୍ବନ୍ଧରେ ଭୀମଭୋଇଙ୍କ ଭଜନ ଏକ ସୁନ୍ଦର ପଦଟି ଉଚ୍ଚାରଣ କରିଛି-

 

‘‘ହୋଇବ ନୋହିବ ବାଛି ଦେଉଥିବ

ଯେତେକ ଗୋଷ୍ଠୀକି ଯୋଗ୍ୟ ହୋଇବ

ଭକ୍ତକୁ ଭାବ, ସନ୍ଥକୁ ଯୋଗ୍ୟ ନିଗମ ବଚନ ଗୁପ୍ତରେ ଥିବ

ଆଉ ଯେତେ ହେ ସବୁ ବାଣ୍ଟଦେବ ତ୍ରିଭୁବନ ପ୍ରଚରିବ

ସଦ୍‌ଶିଷ୍ୟ ଚିହ୍ନି ଚିତ୍ତ ବୃତ୍ତି ଜାଣି

ଜ୍ଞାନ ଅନୁଭବ ପଥରେ ହେବ ।’’ (୨୪)

 

ସୁତରାଂ ଭୀମଭୋଇଙ୍କ ଭଜନର ପରିସମାପ୍ତି ସେଇଠି ଯେଉଁଠାରେ ସର୍ବତ୍ର ସମାଧାନର ପ୍ରତିଶ୍ରୁତି ନିହିତ । ସେହି ଛପ୍ନାକୋଟ ଜୀବଙ୍କର କଷଣ ଦିଶିଯାଉଛି ବାରମ୍ବାର । ପାଦକୁ ଭିଡ଼ି ଧରୁଛି ସେହି ଯାଚଜ୍ଞା । ବ୍ୟକ୍ତିର ନୁହେଁ ବ୍ୟଷ୍ଟିରେ ଚିନ୍ତା ସର୍ବତ୍ର । ଗୋଟିଏ ସୁସ୍ଥ ଓ ଶକ୍ତିଶାଳୀ ସାହିତ୍ୟ ସେଇଆ ଚାହିଁଛି । କାହାରିକୁ ଏଡ଼ିପାରେ ନା ନିଜ ଇଚ୍ଛାମତେ, ବରଂ ସଭିଙ୍କୁ ଆହ୍ୱାନ ଜଣାଏ ଗୋଟିଏ ଆବେଗ ମୁଦ୍ରାରେ । ସମଗ୍ର ମଣିଷ ଜାତି ସନ୍ଥ କବିଙ୍କ ଏକାନ୍ତ ନିୟୋଗୀ । ଅନ୍ତରର ଦୋସର । ବିଶ୍ଵମାନବାତ୍ମାର ପ୍ରତିନିଧିତ୍ୱ କରୁଥିବା ଭୀମ ଆତ୍ମା ସର୍ବଦା ଏହି ସିଦ୍ଧାନ୍ତରେ ବିଶ୍ଵାସୀ ଯେ, ଯେଉଁଠି ମାଟି ସେଇଠି ମଣିଷର ଆତ୍ମା, ଯେଉଁଠି ମଣିଷର ଆତ୍ମା- ଜାଗ୍ରତ ସେଇଠି ଭକ୍ତିର ଭାବଫଲ୍‌ଗୁ ପ୍ରବାହିତ । ଯଦିଓ ଭଜିବାର ଭାବଧର୍ମକୁ ବହନ କରି ଭୀମଙ୍କ ଭଜନର ସୃଷ୍ଟି ତଥାପି ତା’ ଭିତରେ ରହିଛି ନଈସହ ସମୁଦ୍ର ଅବା ଫୁଲ ସହ ମଧୁଲିଟର ପ୍ରେମ ସମ୍ଭାଷଣ ।

 

 

ସିନିୟର ରିସର୍ଚ୍ଚ ଫେଲୋ

ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ସମ୍ବଳପୁର ବିଶ୍ଵବିଦ୍ୟାଳୟ

ଜ୍ୟୋତିବିହାର, ବୁର୍ଲା

 

ପୃଷ୍ଠଟୀକା :

୧.

ସାରଳା ସାହିତ୍ୟ ସଂସଦ : ସନ୍ଥ କବି ଭୀମଭୋଇ (ସଂପାଦିତ ପୁସ୍ତକ) ପୃ- ୧୨୩

୨.

ଦାସ, ଚିତ୍ତରଂଜନ : ସନ୍ଥ (ଭକ୍ତି) ସାହିତ୍ୟ- ୨ୟ ଭାଗ, ପୃ-୨ ।

୩.

ଭୋଇ, ଭୀମ : ଭଜନାମାଳା (ଗ୍ରନ୍ଥାବଳୀ) ସଂ. ଦାସ, ବୀର କିଶୋର, ପୃ- ୧୪୬ ।

୪.

ପ୍ରଧାନ, ଡଃ ନଗେନ୍ଦ୍ର : ଓଡ଼ିଆ ନିର୍ଗୁଣ ସାହିତ୍ୟର ଭୂମିକା, ପୃ - ୧୮୭ ।

୫.

ଭୋଇ, ଭୀମ : ଭଜନମାଳା (ଗ୍ରନ୍ଥାବଳୀ) ସଂ. ଦାସ, ବୀରକିଶୋର, ପୃ- ୪୭୧ ।

୬.

ତତ୍ରୈବ, ପୃ- ୪୦୧ ।

୭.

ତତ୍ରୈବ, ପୃ- ୪୦୯ ।

୮.

ତତ୍ରୈବ, ପୃ-୫୨୭ ।

୯.

ତତ୍ରୈବ, ପୃ- ୮୫୭ ।

୧୦.

ତତ୍ରୈବ, ପୃ- ୪୦୬ ।

୧୧.

ତତ୍ରୈବ, ପୃ- ୪୦୨ ।

୧୨.

ତତ୍ରୈବ, ପୃ- ୪୦୬ ।

୧୩.

ତତ୍ରୈବ, ପୃ- ୪୦୭ ।

୧୪.

ତତ୍ରୈବ, ପୃ- ୪୦୮ ।

୧୫.

ତତ୍ରୈବ, ପୃ- ୪୦୯ ।

୧୬.

ତତ୍ରୈବ ।

୧୭.

ତତ୍ରୈବ, ପୃ- ୪୧୬ ।

୧୮.

Yamuna Acharya, M : The Aesthetic Approach to God : a from the mythic society (Quarterly Journal) Vol. xxvii, p-108

୧୯.

ଭୋଇ, ଭୀମ : ଭଜନମାଳା (ଗ୍ରନ୍ଥାବଳୀ) ସଂ. ଦାସ ବୀରକିଶୋର, ପୃ-୪୧୫ ।

୨୦.

ତତ୍ରୈବ, ପୃ- ୪୧୬ ।

୨୧.

ତତ୍ରୈବ, ପୃ- ୫୭୫ ।

୨୨.

ତତ୍ରୈବ, ପୃ- ୪୭୩ ।

୨୩.

ତତ୍ରୈବ, ପୃ- ୫୮୨। ।

୨୪.

ତତ୍ରୈବ, ପୃ- ୪୨୦ ।

 

***

 

ଓଡ଼ିଆ ଶିଶୁ ସାହିତ୍ୟରେ ଭ୍ରମଣ କାହାଣୀର ଧାରା

ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ଭ୍ରମଣ କାହାଣୀର ସଂଜ୍ଞା :

କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନର ସଂପୂର୍ଣ୍ଣ ପରିଚୟକୁ ଯେଉଁ କାହାଣୀ ମାଧ୍ୟମରେ ପ୍ରକାଶ କରାଯାଇଥାଏ । ତାହାକୁ ‘ଭ୍ରମଣ କାହାଣୀ’ କୁହାଯାଏ । ଏହା ସାଧାରଣତଃ ବ୍ୟକ୍ତି ବିଶେଷ ଦ୍ୱାରା ପରିଦୃଷ୍ଟ ତଥ୍ୟାବଳୀକୁ ପ୍ରତ୍ୟକ୍ଷ ଉକ୍ତିରେ ପ୍ରକାଶ କରାଯାଇଥାଏ । କାରଣ ଭ୍ରମଣ ମାଧ୍ୟମରେ ନୂତନ ସ୍ଥାନ, ନୂତନ ପରିବେଶ ସହିତ ପରିଚିତ ହେବା ସଂଙ୍ଗେ ସଙ୍ଗେ ସଂପୃକ୍ତ ଅଞ୍ଚଳର ଅଧିବାସୀଙ୍କ ଚଳଣି ସପଂର୍କରେ ମଧ୍ୟ ପ୍ରତ୍ୟକ୍ଷ ଜ୍ଞାନାର୍ଜନ ହୋଇଥାଏ । ଅର୍ଜିତ ଅନୁଭୂତିକୁ ମଣିଷ ସେବାରେ ପ୍ରୟୋଗ କରିବା ଏବଂ ଅଭିଜ୍ଞତାକୁ ଅନ୍ୟମାନଙ୍କୁ ସୂଚିତ କରାଇବା ମଧ୍ୟ ଭ୍ରମଣର ଅନ୍ୟ ଏକ ଦିଗ ।”(୧) ଶିଶୁ ଶିକ୍ଷାର ଅନ୍ୟତମ ଅଙ୍ଗ ରୂପେ ‘ଭ୍ରମଣ କାହାଣୀ’ ବହୁ ପୁରାତନ କାଳରୁ ସ୍ଵୀକୃତିଲାଭ କରିଛି । (୧) ଡକ୍ଟର କୃତ୍ତିବାସ ନାୟକ, ଓଡ଼ିଆ ଶିଶୁ ଗଳ୍ପର ସ୍ୱରୂପ, ବିକାଶ ପୃ-୨୫୦

 

ଶିଶୁ ସାହିତ୍ୟରେ ଭ୍ରମଣ କାହାଣୀ :

ଭ୍ରମଣ କାହାଣୀ ଯେ ଶିଶୁମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଏହାକୁ ଅନୁଭବ କରି ଚିନ୍ତାଶୀଳ ଲେଖକଗଣ ବିଭିନ୍ନ ସ୍ଥାନ ଭ୍ରମଣ କରିବା ସଙ୍ଗେ ସଙ୍ଗେ ନିଜର ଭ୍ରମଣ ବୃତ୍ତାନ୍ତକୁ ପୁସ୍ତକ ଆକାରରେ ପ୍ରକାଶ କରିବାରେ ଉଦ୍ୟମ କରିଲେ । ତେବେ ଭ୍ରମଣ କାଳୀନ ଦୁଃସାହସିକ କାର୍ଯ୍ୟାବଳୀ ତଥା କୌତୂହଳପୂର୍ଣ୍ଣ ଘଟଣାଗୁଡ଼ିକ ରଚନା ହେବା ଦ୍ୱାରା ପାଠକମାନଙ୍କର ବହୁ ଉପକାର ସାଧିତ ହୋଇପାରିଲା ।

ଅନ୍ୟାନ୍ୟ ଭାଷାରେ ଶିଶୁ ଭମ୍ରଣକାହାଣୀ ରଚନା କରାଯାଇଥିଲେ ମଧ୍ୟ ଓଡ଼ିଆ ଶିଶୁ ସାହିତ୍ୟରେ ଏହି କାହାଣୀ ରଚନାର ଧାରା ସର୍ବପ୍ରଥମେ ‘ଡଗର’ ପତ୍ରିକାରୁ ହିଁ ଆରମ୍ଭ ହୋଇଥିଲା-। କବି କାଳିନ୍ଦୀଚରଣ ପାଣିଗ୍ରାହୀ ୧୯୪୫ ମସିହା ଅକ୍ଟୋବର ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜପୁତାନାର ଜୟପୁରଠାରେ ଅନୁଷ୍ଠିତ ‘ନିଖିଳ ଭାରତ ଲେଖକ ସମ୍ମିଳନୀ’ରେ ଯୋଗଦେବା ପାଇଁ ଯେଉଁ ଯାତ୍ରା କରିଥିଲେ; ତା'ର ବର୍ଣ୍ଣନା ସେ ଏକ ଚିଠିରେ ‘ଡଗର’ର ନାମବଚ୍ଛା ଦଳରେ (ନବମବର୍ଷ, ୧୦ମ ଓ ୧୧ଶ ସଂଖ୍ୟା, ପୃଷ୍ଠା- ୩୫)ରେ ପ୍ରକାଶ କରିଥିଲେ । ଏହା ବ୍ୟତୀତ ‘କୋରାପୁଟିଆ ନାତି’ ନାମରେ ରାୟଗଡ଼ା ଶୀର୍ଷକରେ ଅନ୍ୟ ଏକ ଭ୍ରମଣ କାହାଣୀ ମଧ୍ୟ ଏଥିରେ ପରବର୍ତ୍ତୀ ସମୟରେ ଆତ୍ମପ୍ରକାଶ କରିଥିଲା ।

 

ସ୍ୱାଧୀନତାର ପରବର୍ତ୍ତୀ କାଳରେ ଯେଉଁ କେତେକ ଶିଶୁ ଭ୍ରମଣକାହାଣୀ ଆତ୍ମପ୍ରକାଶ ଲାଭ କରିଥିଲା, ସେଗୁଡ଼ିକ ମୁଖ୍ୟତଃ ବିଭିନ୍ନ ପତ୍ରପତ୍ରିକା ଓ ସମ୍ବାଦପତ୍ରର କ୍ରୋଡ଼ପତ୍ର ଶିଶୁବିଭାଗରେ ହିଁ ଆତ୍ମପ୍ରକାଶ କରିଥିଲା ।

 

ମହାତ୍ମାଗାନ୍ଧୀଙ୍କର ପଦଯାତ୍ରାକୁ ଆଧାର କରି ପ୍ରଥମ ଭ୍ରମଣ କାହାଣୀ ପୁସ୍ତକ ‘ବାପୁଜୀଙ୍କ ଉତ୍କଳରେ ପଦଯାତ୍ରା’ (୧୯୫୧) ସ୍ୱାଧୀନତାର ପରବର୍ତ୍ତୀ କାଳରେ ହିଁ ପ୍ରକାଶ ପାଇଥିଲା । ଯାହାର ଲେଖକ ଥିଲେ ବିନୋଦ କାନୁନ୍‌ଗୋ । ପରବର୍ତ୍ତୀ ସମୟରେ ଦେଶ ବିଦେଶ ସିରିଜ୍‌କ୍ରମରେ ଓ ଦେଶ ବିଦେଶ ପରିଚୟ ସିରିଜ୍‌କ୍ରମରେ ଅନେକ ଭ୍ରମଣ କାହାଣୀ ରଚିତ ହୋଇ ଏହି ଅଭାବକୁ କିଛି ପରିମାଣରେ ଦୂର କରି ପାରିଥିଲା । ସେଗୁଡ଼ିକ ମଧ୍ୟରେ କୈଳାସଚନ୍ଦ୍ର ରାୟଙ୍କର ‘ଦେଶ ବିଦେଶ’ (୧୯୫୧), ଡଃ ରାଧାନାଥ ରଥଙ୍କ ‘ବିଲାତ ରାଇଜ କଥା’ (୧୯୫୧), ଜଳନ୍ଧର ଦେବଙ୍କ ‘ସିଂହଳ ଭ୍ରମଣ’ (୧୯୫୧), କାଶୀନାଥ ମିଶ୍ରଙ୍କ ‘ଦେଶ ଦର୍ଶନ ସିରିଜ୍‌’ (୧୯୫୨), ବାସୁଦେବ ତ୍ରିପାଠୀଙ୍କ ‘ବିଲାତ କଥା’ (୧୯୬୦), ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ‘ଦେଶ ବିଦେଶ’ (୧୯୬୧), ଚିତ୍ତରଞ୍ଜନ ଦାସଙ୍କ ‘ସାଗର ପଥେ’ (୧୯୭୨), ଡଃ ଗଣେଶ୍ଵର ମିଶ୍ରଙ୍କ ‘ବିଲାତରେ ବାବୁ ଓ ପାପୁ’ (୧୯୮୦), ଅନସୂୟା ମିଶ୍ରଙ୍କ ‘ଦେଶ ବିଦେଶରେ କୁନିମୁନି’, ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଙ୍କ ‘ବମ୍ବେ ଡାଏରୀ’, ଡକ୍ଟର ଜଗନ୍ନାଥ ମହାନ୍ତିଙ୍କ ‘ସାତ ଦରିଆ ସେପାରି କଥା’ , ‘କାଉଁରୀ ରାମଚଣ୍ଡୀର ଦେଶେ’, ‘ହିମାଳୟ ପାଦଦେଶ’, ‘ତିରୁପତି ପଥେ’, ‘ଭାରତ ଭ୍ରମଣ’, ‘ଗୟାରୁ ଗୌହାଟୀ’, ‘ଓଡ଼ିଶାର ବାଟେ ଘାଟେ’, ଡକ୍ଟର ଗୁରୁପ୍ରସାଦ ମହାନ୍ତିଙ୍କ ଏ ‘ପାତାଳପୁରୀର ହାଲ୍‌ଚାଲ୍‌’, ଅଧିରାଜମୋହନ ସେନାପତିଙ୍କର ‘ଦୂରଦେଶର ପିଲାଙ୍କ କଥା’ କ୍ରମରେ ପିଗ୍‌ମୀ, ଏସ୍କିମୋ ଆଦି ଦେଶର ପିଲାଙ୍କ କଥା’ (୧୯୮୮), ରଘୁନନ୍ଦନ ମହାପାତ୍ରଙ୍କ ‘ଅଭୁଲା ଭ୍ରମଣ କାହାଣୀ’ (୨୦୦୨), ହୀରାପୁରର ହରିଶଙ୍କର (୨୦୦୬), ଯାହା ଦେଖିଲି ତାହା ଲେଖିଲି (୨୦୦୩), ଅନସୂଯା ନନ୍ଦଙ୍କ ‘ପିଲାଙ୍କ ପାରାଦ୍ୱୀପ’ (୨୦୦୧), ଡକ୍ଟର ଶରତ କୁମାର ବିଶ୍ୱାଳଙ୍କ ‘ଭିତର କନିକାରେ ଦିନେ’ ୨୦୦୭) ଆଦି ଶିଶୁ ଭ୍ରମଣ କାହାଣୀ ପୁସ୍ତକ ଉଲ୍ଲେଖନୀୟ ।

 

ପୁସ୍ତକ ବ୍ୟତୀତ ବିଭିନ୍ନ ପତ୍ରପତ୍ରିକାରେ ମଧ୍ୟ ଅନେକ ଶିଶୁ ଭ୍ରମଣ କାହାଣୀ ବିଭିନ୍ନ ସମୟରେ ସାମୟିକ ଭାବରେ ପ୍ରକାଶ ପାଇଥିବାର ଦୃଷ୍ଟିଗୋଚର ହୁଏ । ଏଥି ମଧ୍ୟରେ ‘ସଂସାର’ରେ ପ୍ରକାଶିତ ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କର ‘ଓଡ଼ିଶାର ବାଟେ ଘାଟେ’, ଡକ୍ଟର ଗୁରୁପ୍ରସାଦ ମହାନ୍ତିଙ୍କର ‘ପାତାଳପୁରୀର ହାଲ୍‌ଚାଲ୍‌’, ସଂସାରର ୧୯୮୮ ମସିହା ମାର୍ଚ୍ଚ ସଂଖ୍ୟା ପୃ ୨୬ରେ ପ୍ରକାଶିତ ‘ରୁଷିଆ ଭ୍ରମଣ’, ମୀନାବଜାରରେ ପ୍ରକାଶିତ ପ୍ରମୋଦ କୁମାର ମହାପାତ୍ରଙ୍କର ‘ଚାଲଯିବା ଆମେରିକା’, ପ୍ରଫୁଲ୍ଲ ବାରିକଙ୍କର ‘ଭିତର କନିକାରେ ଗୋଟିଏ ଦିନ’ (ମୀନାବଜାର ୧୯୯୪, ଅଗଷ୍ଟ, ପୃ-୨୦) ।

 

ମନପବନରେ ପ୍ରକାଶିତ ଭ୍ରମରବର ସାମଲଙ୍କର ‘ଉତ୍ତରପଥେ’ (୧୯୯୬, ଫେବୃୟାରୀ, ପୃ - ୯), ଭାଗିରଥି ମହାପାତ୍ରଙ୍କର ‘’ଗୋଦାବରୀର ଆଖପାଖ’ (୧୯୯୬, ଫେବୃୟାରୀ, ପୃ- ୧୩), ସ୍ନେହଲତା ମହାନ୍ତିଙ୍କର ‘ଦେଖିବା ଭଳି ଜାଗାଟିଏ’ (୧୯୯୭, ଜୁଲାଇ, ପୃ- ୧୫), ଡକ୍ଟର ରାମଚନ୍ଦ୍ର ନାୟକଙ୍କର “ଚାଲଯିବା କପିଳାସକୁ' (୧୯୯୭, ସେପ୍ଟେମ୍ବର, ପୃ- ୨୨), ରାଜକିଶୋର ରାଜଙ୍କର ‘ଓଡ଼ିଶାର ଦର୍ଶନୀୟ ସ୍ଥାନ ନନ୍ଦପୁର’ (୧୯୯୭, ଅଗଷ୍ଟ ପୃ - ୧୩), ‘ଓଡ଼ିଶାର ଦର୍ଶନୀୟ ସ୍ଥାନ ବାଗରା’ (୧୯୯୬, ଅଗଷ୍ଟ, ପୃ - ୧୯), ଡକ୍ଟର ଜଗନ୍ନାଥ ମହାନ୍ତିଙ୍କର ‘ପାବନ ପୁରୀ ଓ ରାଜଗୃହ’ (୧୯୯୬, ଏପ୍ରିଲ, ପୃ - ୧୬), ‘ହଜାରି ବାଗରେ ତିନିଦିନ’ (୧୯୯୭, ନଭେମ୍ବର, ପୃ- ୧୭), ‘ଚାରମିନାରର ଦେଶେ’ (୧୯୯୭, ଫେବୃୟାରୀ, ପୃ - ୨୨) ପ୍ରକାଶ ପାଇଛି ।

 

ନନ୍ଦନକାନନରେ ଡଃ ଜଗନ୍ନାଥ ମହାନ୍ତିଙ୍କର ‘ତିରୁପତି ପଥେ’ (୧୯୯୧, ଅକ୍ଟୋବର, ପୃ - ୨୩) ଧାରାବାହିକ ଭାବରେ ପ୍ରକାଶ ପାଇଛି । ସେହିପରି ‘ସରଗଶଶୀ’ ପତ୍ରିକାର ୧୯୯୩, ନଭେମ୍ବର-ଡିସେମ୍ବର ସଂଖ୍ୟା, ପୃ- ୨୦ରେ ଡକ୍ଟର ଜଗନ୍ନାଥ ମହାନ୍ତିଙ୍କର ‘ଅଲାରନାଥ ଓ ବାଲି ହରଚଣ୍ଡୀ ପଥେ’ ପ୍ରକାଶ ପାଇଛି । ‘ବାନର ସେନା’ର ୧୯୮୮ ଜାନୁୟାରୀ ସଂଖ୍ୟା ୧୩ ପୃଷ୍ଠାରେ ‘ଗଲି ଅଇଲି ଯାହା ଦେଖିଲି ତାହା କହିଲି’ ଶୀର୍ଷକରେ ୟୁରୋପ ଯାତ୍ରା ସଂପର୍କୀୟ ଏକ ମନୋଜ୍ଞ ଭ୍ରମଣ କାହାଣୀ ପ୍ରକାଶ ପାଇଛି ।

 

ସେହିପରି ‘କୁନିରାଇଜ’ର ୧୯୯୬ ମସିହା ଜାନୁୟାରୀ ସଂଖ୍ୟା ପୃଷ୍ଠା ୩୬ରେ ଲକ୍ଷ୍ମୀକାନ୍ତ ଖୁଣ୍ଟିଆଙ୍କ ‘ଘଟ ଗାଁରେ ଦିନେ’ ଓ ୨୦୦୦ ମସିହା ଜୁନ୍‌ସଂଖ୍ୟାରେ ‘ଦାସିଆ ଅଜାର ଗାଁ : ଉଦୟପୁର ତା’ ନାଁ’ (୨-୨୯) ଭଳି ଶିଶୁ ଭ୍ରମଣ କାହାଣୀ ପ୍ରକାଶ ପାଇଛି । ଏଇ ଲେଖକଙ୍କର ‘ଶୈବ ପୀଠ ଆରଡ଼ିରେ ଦିନେ’ (ନନ୍ଦନକାନନ, ମାର୍ଚ୍ଚ ୨୦୦୦, ପୃଷ୍ଠା - ୧୧), ‘ଦେଖିଲା ଭଳି ଜାଗାଟିଏ : ବାଲି କପିଳେଶ୍ଵର’’ (ନନ୍ଦନକାନନ : ଅଗଷ୍ଟ, ୨୦୦୦, ପୃ- ୨୩) ଭ୍ରମଣ କାହାଣୀ ପ୍ରକାଶ ପାଇଛି । ସେହିପରି ‘ସ୍ନେହସୁଧା’ରେ ‘ବେଦବ୍ୟାସ ଦର୍ଶନ’ (୨୨୦୫, ୧ମ ସଂଖ୍ୟା, ପୃ-୫୧) ଏଇ ଲେଖକଙ୍କର ଆଉ ଏକ ଭ୍ରମଣ କାହାଣୀ ପ୍ରକାଶ ପାଇଛି ।

 

ଦୈନିକ ସମ୍ବାଦପତ୍ରର କ୍ରୋଡ଼ପତ୍ର ଶିଶୁବିଭାଗରେ ପ୍ରକାଶିତ ଶିଶୁ ଭ୍ରମଣ କାହାଣୀ ମଧ୍ୟ ପାଠକୀୟ ପ୍ରଶଂସା ଲାଭ କରିଛି । ‘ପିଲାଙ୍କ ଧରିତ୍ରୀ’ (୨୯.୨.୧୯୯୨)ରେ ପ୍ରକାଶିତ ଲକ୍ଷ୍ମୀକାନ୍ତ ଖୁଣ୍ଟିଆଙ୍କର ‘ପୁରୀରୁ ଗଡ଼ରୋଡ଼ଙ୍ଗ’, ରଘୁନନ୍ଦନ ମହାପାତ୍ରଙ୍କର ‘ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ’, ରବିନ୍ଦ୍ର ବିଶ୍ୱାଳଙ୍କର ‘ଓଡ଼ିଶାର ଦର୍ଶନୀୟ ସ୍ଥାନ’, ଗୋଲକ ବିହାରୀ ବିଶୋଇଙ୍କର ‘ଶିରୁଳି ମହାବୀର’ ଆଦି ଭ୍ରମଣ କାହାଣୀ ବେଶ୍‌ପାଠକ ଉପଯୋଗୀ ହୋଇପାରିଛି । ସେହିପରି ‘ରବିବାର ସମ୍ବାଦ’ (୨୫ ଜୁନ୍‌- ୧ ଜୁଲାଇ, ୧୯୮୯)ରେ ପ୍ରକାଶିତ ‘କଲମ୍ବସ୍‌ଙ୍କ ବଳଯାତ୍ରା’ ଭଳି ଭ୍ରମଣ କାହାଣୀ ପ୍ରକାଶ ପାଇ ପାଠକୀୟ ପ୍ରଶଂସା ଲାଭ କରିବା ସଙ୍ଗେ ସଙ୍ଗେ ଓଡ଼ିଆ ଶିଶୁ ସାହିତ୍ୟରେ ଏହି ଅଭାବନୀୟ ଦିଗଟିକୁ କେତେକାଂଶରେ ପୂରଣ କରିପାରିଛି ।

 

ବିଭିନ୍ନ ସ୍ଥାନର ପରିଚୟ :

ଶିଶୁ ଭ୍ରମଣ କାହାଣୀରେ ନୂତନ ସ୍ଥାନ, ପରିବେଶ ତଥା ସଂପୃକ୍ତ ଅଞ୍ଚଳର ଅଧିବାସୀମାନଙ୍କ ସଂପର୍କରେ ପରିଚୟ ପୁଙ୍ଖାନୁପୁଙ୍ଖ ଭାବରେ ପ୍ରଦାନ କରାଯାଇଥାଏ । ଯାହାକୁ ପାଠ କଲେ ଶିଶୁର ବୌଦ୍ଧିକ ବିକାଶ ଘଟିବା ସଂଗେ ସଂଗେ ସଂପୃକ୍ତ ସ୍ଥାନଟି ସଂପର୍କରେ ବାସ୍ତବ ଚିତ୍ର କଳ୍ପନାର ମୁକୁରରେ ପରିଦୃଷ୍ଟ ହୋଇଥାଏ । ନିଜେ ସେ ସ୍ଥାନକୁ ଦେଖି ନ ଥିଲେ ମଧ୍ୟ ସହଜସରଳ ସାବଲୀଳ କାହାଣୀକୁ ପାଠକରି ତାର ମନରେ ଏକ ସାମଗ୍ରିକ ପରିଚୟ ବୋଧ ସୃଷ୍ଟି ହୋଇଥାଏ । ତେଣୁ ବାସ୍ତବତା ହିଁ ଶିଶୁ ଭ୍ରମଣ କାହାଣୀର ମୁଖ୍ୟ ବିଭାବ । ବାସ୍ତବତା ସହିତ ପ୍ରତ୍ୟକ୍ଷାନୁଭୂତି ହିଁ ଏହାର ଅନ୍ୟ ଏକ ଦିଗ । ‘ସିଂହଳ ଭ୍ରମଣ’ରେ ସିଂହଳ ସଂପର୍କୀୟ ପରିଚୟ ପ୍ରଦାନ କରାଯାଇଥିଲାବେଳେ ‘ବିଲାତ କଥା’ ଓ ‘ସପନ ଭୂଇଁ ଲଣ୍ଡନ ଏଇ’, ‘ବିଲାତରେ ବାବୁ ଓ ପାପୁ’ ପୁସ୍ତକରେ ଇଂଲଣ୍ଡର ପରିଚୟ ଦେଖିବାକୁ ମିଳିଥାଏ । ‘ଗୟାରୁ ଗୌହାଟୀ’, ‘ହିମାଳୟ ପାଦଦେଶେ’, ‘ତିରୁପତି ପଥେ’ ଆଦି ଭ୍ରମଣ କାହାଣୀ ପୁସ୍ତକରେ ଭାରତରେ ବିଭିନ୍ନ ଅଞ୍ଚଳର ବର୍ଣ୍ଣନା ତଥା ପରିଚୟ ମଧ୍ୟ ଦେଖିବାକୁ ମିଳିଥାଏ ।

 

ସେହିପରି ‘ଘଟ ଗାଁରେ ଦିନେ’ରୁ କେନ୍ଦୁଝରର ପ୍ରସିଦ୍ଧ ତାରିଣୀପୀଠର ପରିଚୟ, ‘ଅଲାରନାଥ ଓ ବାଲିହରଚଣ୍ଡୀ ପଥେ’ ରୁ ବ୍ରହ୍ମଗିରିରି ପ୍ରସିଦ୍ଧ ଅଲାରନାଥ ଓ ବାଲି ହରଚଣ୍ଡୀ ସଂପର୍କରେ ପରିଚୟ ମିଳିଥାଏ । ସେହିପରି ଅନ୍ୟାନ୍ୟ ଭ୍ରମଣ କାହାଣୀରୁ ସଂପୃକ୍ତ ନୂତନ ସ୍ଥାନଟି ବିଷୟରେ ଏକ ସ୍ଥୂଳଚିତ୍ର ପରିଚୟ ବୋଧ ଶିଶୁର ମନରେ ଜାଗ୍ରତ ହୋଇଥାଏ ।

 

ଯାତ୍ରାକାଳୀନ ଉତ୍କଣ୍ଠା :

ଶିଶୁ ଭ୍ରମଣ କାହାଣୀର ଅନ୍ୟ ଏକ ଦିଗଟି ହେଲା ଯାତ୍ରାକାଳୀନ ଉତ୍କଣ୍ଠା । ନିର୍ଦ୍ଦିଷ୍ଟ ସ୍ଥାନକୁ ଭ୍ରମଣ ଉଦ୍ଦେଶ୍ୟରେ ଗମନ କଲାବେଳେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ପ୍ରତ୍ୟେକ ଭ୍ରମଣକାରୀର ମନରେ ଏକ ଅଜଣା ଉତ୍କଣ୍ଠା ଜାଗି ଉଠେ । ସ୍ଥାନଟିକୁ ଦର୍ଶନ କରିବା ପାଇଁ ମନ ତା'ର ଡହଳବିକଳ ହୁଏ । ଶିଶୁ ଭ୍ରମଣ କାହାଣୀରେ ମଧ୍ୟ ଲେଖକ ଆପଣାର ଯାତ୍ରାକାଳୀନ ଉତ୍କଣ୍ଠାକୁ ପରିବେଷଣ କରିବା ସଙ୍ଗେ ସଙ୍ଗେ ପାଠକ ମନରେ ତଦନୁରୂପ ଉତ୍କଣ୍ଠା ଆଣି ଦେବା ପାଇଁ ବିଷୟର ଅବତାରଣା କରିଥାନ୍ତି । ଯାହାକି ପାଠକର ପ୍ରାଣରେ ଏକ ଅହେତୁକ ଉତ୍କଣ୍ଠାଭାବ ଗଢ଼ିତୋଳିଥାଏ । ଏହି ଉତ୍କଣ୍ଠା ଊଣା ଅଧିକେ ପ୍ରତିଟି ଭ୍ରମଣ କାହାଣୀର ପ୍ରାରମ୍ଭରେ ହିଁ ଦେଖିବାକୁ ମିଳିଥାଏ ।

 

ସେହିଭଳି ଯାତ୍ରାକାଳୀନ ଉତ୍କଣ୍ଠାର କେତେକ ବର୍ଣ୍ଣନା ନିମ୍ନରେ ପ୍ରଦାନ କରାଗଲା-

 

“କ୍ରମେ ରେଳଗାଡ଼ି ଯେତିକି ଜଳ ନିକଟବର୍ତ୍ତୀ ହେବାକୁ ଲାଗିଲା । ହୃଦୟରେ ଏକ ଅପୂର୍ବ ଭାବ ଜାତ ହେଲା ।” (ସିଂହଳ ଭ୍ରମଣ, ପୃ- ୫)

 

“ପୂର୍ଣ୍ଣଗର୍ଭା ଗୋଦାବରୀର ଦୃଶ୍ୟ ଦେଖିବାକୁ ମନ ବଡ଼ ଉଦ୍‌ବିଗ୍ନ ହୋଇଥିଲା । ବାତାୟାନ ବାଟେ ମୁଖ ବଢ଼ାଇ ରହିଲି । ମାତ୍ର ଅନ୍ଧକାର ହେତୁରୁ ଦୃଶ୍ୟ ଦେଖି ମନତୃପ୍ତି ହେଲା ନାହିଁ ।’’ (ସିଂହଳ ଭ୍ରମଣ, ପୃ- ୨୫)

 

“ପିଲାମାନଙ୍କର ମନର ଭାବ ଏମିତି ଘଡ଼ିକୁ ଘଡ଼ି ବଦଳୁଥିବା ପରି ଆକାଶର ଅବସ୍ଥା ସେମିତି ଘନ ଘନ ବଦଳି ଯାଉଛି ।’’ ××× (ସପନ ଭୂଇଁ ଲଣ୍ଡନ ଏଇ, ପୃ - ୧)

 

‘‘ମେଘ ଉପରେ ଉଡ଼ାଜାହାଜଟି ଉଡ଼ିବାରେ ଲାଗିଲା । ସଞ୍ଜ ଲାଗି ଆସୁଥାଏ । ଅସ୍ତ ସୂର୍ଯ୍ୟର କିରଣରେ ଭିଣା ତୁଳାଗଦା ପରି ଦିଶୁଥିବା ବଉଦ ମାଳାର ଶୋଭା ଶତଗୁଣ ବଢ଼ି ଯାଇଥାଏ । କେତେ ବର୍ଣ୍ଣ ଛଟା, କେତେ ରୂପ ବିଭବ, କେତେ ନୂଆ ମେଘମାଳାର ନାଚଖେଳ । ଆମ ଉଡ଼ାଜାହାଜ ସାଥୀରେ ସେମାନଙ୍କର ଯେମିତି ଲୁଚକାଳି ଖେଳ ଚାଲିଛି ।” (ସପନ ଭୂଇଁ, ଲଣ୍ଡନ ଏଇ, ପୃ- ୩ ଓ ୪)

 

“ବାରଟାରୁ ଏକ । ଏକରୁ ଦୁଇ ଆଉ ଦୁଇରୁ ତିନି ବାଜିଲା । ଆମେ ଚାତକ ପରି ଚାହିଁ ରହିଲୁ । ବିଳମ୍ବ କରିଥିବା ଗାଡ଼ି ଅଧିକରୁ ଅଧିକ ବିଳମ୍ବ କରି ଚାଲିଛି । ସଞ୍ଜ ଯାଇ ସାଢ଼େ ସାତଟା ବାଜିଲା । ମାତ୍ର ଗୟା ପୂର୍ବରୁ ଗୋଟିଏ ଷ୍ଟେସନ ନାଁ ତାର ପାହାଡ଼ ପୁରଠାରେ ଗାଡ଼ି ପଡ଼ି ରହିଲା । ହର୍ଣ୍ଣ ପରେ ହର୍ଣ୍ଣ ମାରୁଥାଏ । ସମ୍ଭବତଃ ରାସ୍ତା ତା’ର ସଫା ହୋଇ ନାହିଁ । ମାତ୍ର ଶୁଣିଲୁ ଦୁଇଦିନ ତଳେ ଏକ ମାଲ୍‌ଗାଡ଼ି ଲାଇନ୍‌ଛଡ଼ା ହୋଇ ପଡ଼ିଗଲା ।’’ (ଗୟାତୀର୍ଥରେ ତିନିଦିନ, ପୃ- ୨)

 

“ଜାତୀୟ ରାଜପଥର ଧାରେ ଧାରେ କାର୍‌ଟି ଗଡ଼ି ଯାଉଥିବାବେଳେ ପାହାଡ଼ ଘେରା ବନ ପ୍ରକୃତି ମନରେ ଅପାର ଆନନ୍ଦ ଦେଉଥାଏ । ××× ଆନନ୍ଦ ପୁର ସହରରୁ ଘଟଗାଁ ଚାଳିଶି କିଲୋମିଟର ବାଟ !’’ (ଘଟ ଗାଁରେ ଦିନେ, କୁନିରାଇଜ, ୧୯୯୬, ଜାନୁୟାରୀ, ପୃ - ୩୬)

 

“ବଡ଼ି ଅନ୍ଧାରରୁ ଛାଡ଼ିଛି ଗାଡ଼ି । ××× ଚାହିଁ ଚାହିଁ ମଙ୍ଗୁଳି ଛକରେ ବୁଲିଲା ଗାଡ଼ି । ପାଞ୍ଚ ନମ୍ବର ଜାତୀୟ ରାଜପଥରେ ବଡ଼ ଛକଟିଏ ଇଏ । ଏଇଠୁ ଯାଇଛି ଢେଙ୍କାନାଳ ଆଡ଼େ ରାସ୍ତା । ଗାଡ଼ି ଚାଲିଛି ପବନ ସମାନେ ।” (ଚାଲଯିବା କପିଳାସକୁ, ମନପବନ, ଜାନୁୟାରୀ, ୧୯୯୭, ପୃ- ୭)

 

ଏହିସବୁ ଉଦାହଣ ପାଠକଲେ ଜଣାଯାଏ ଯେ ଯାତ୍ରାକାଳୀନ ଉତ୍କଣ୍ଠା ହିଁ ଭ୍ରମଣ କାହାଣୀର ପାଠକ ମନରେ ପଠନ ଲାଳସା ବୃଦ୍ଧି କରାଇବା ସଙ୍ଗେ ସଙ୍ଗେ ପାଠକୀୟ ପ୍ରାଣତା ସୃଷ୍ଟି କରାଇବାରେ ବିଶେଷ ଭାବରେ ସହାୟକ ହୋଇଥାଏ ।

 

ଶିଶୁ ଉପଯୋଗୀ ବିଷୟ :

ଶିଶୁ ଭମ୍ରଣ କାହାଣୀରେ ମୁଖ୍ୟତଃ ନୂତନ ସ୍ଥାନ, ସ୍ଥାନଗୁଡ଼ିକର ଐତିହାସିକ ଭିତ୍ତିଭୂମି, ଲୋକକାହାଣୀ, ସମ୍ବଳିତ କିମ୍ବଦନ୍ତୀ ଲୋକମାନଙ୍କର ଚାଲିଚଳଣୀ, ଆଚାର ବ୍ୟବହାର ଆଦିକୁ ବର୍ଣ୍ଣନା କରାଯାଇଥାଏ । ତେବେ ମୌଖିକ ଶିଶୁଗଳ୍ପର ପ୍ରଭାବ ଏଥିରେ କେତେକ ସ୍ଥାନରେ ଦେଖିବାକୁ ମିଳିଥାଏ । ରାମାୟଣର କାହାଣୀ ସହିତ ସମନ୍ଵୟ ରକ୍ଷାକରି ‘ଚାଲଯିବା କପିଳାସକୁ’ କାହାଣୀଟିରେ ‘ଦେବସଭା’ ସ୍ଥାନର କଥା ବର୍ଣ୍ଣନା କରାଯାଇଛି । ପୂର୍ବେ ଯେ ଦେବତାମାନେ ଏଠାରେ ବସି ତପସ୍ୟା କରୁଥିଲେ, ତେଣୁ ତାହାର ନାଁ ‘ଦେବସଭା’ ହୋଇଛି । ଏହାର ଉପସ୍ଥାପନା ଏଥିରେ ଦେଖିବାକୁ ମିଳେ । (ମନ ପବନ, ୧୯୯୭, ଜାନୁୟାରୀ, ପୃ- ୮)

 

ଏହାଛଡ଼ା ଭ୍ରମଣ କାହାଣୀରେ ପରିବେଶର ବର୍ଣ୍ଣନା, ରାସ୍ତାଘାଟର ଜୀବନ୍ତ ଚିତ୍ର, ପ୍ରାକୃତିକ ଦୃଶ୍ୟର ମନୋଜ୍ଞଚିତ୍ର ମଧ୍ୟ ଲେଖକ ଉପସ୍ଥାପନ କରିବାକୁ ଭୁଲି ଯାଇ ନଥାନ୍ତି । ଉଡ଼ାଜାହାଜରେ ଭ୍ରମଣ ହୋଇଥିଲେ ଉଡ଼ାଜାହାଜ ଉଠିବା ପଡ଼ିବାର ବର୍ଣ୍ଣନା, ଆକାଶରେ ଉଡ଼ିବାର ବର୍ଣ୍ଣନା (ସପନଭୂଇଁ ଲଣ୍ଡନ ଏଇ)ରେ ଦେଖିବାକୁ ମିଳେ । ମାତ୍ର ଜଳଯାତ୍ରାରେ ଭ୍ରମଣ ହୋଇଥିଲେ ପାଣି ଜାହାଜରେ ଯାତ୍ରାର ନିଚ୍ଛକ ଛବି (ସଗର ପଥେ)ରେ କିମ୍ବା ରେଳଗାଡ଼ିରେ ଯାତ୍ରା ହୋଇଥିଲେ ବିଭିନ୍ନ ଷ୍ଟେସନର ଦୃଶ୍ୟ ଓ ତା’ର ତଥ୍ୟପୂର୍ଣ୍ଣ ବର୍ଣ୍ଣନା (ଗୟାରୁ ଗୌହାଟୀ, ସିଂହଳ ଭ୍ରମଣ) ରେ ଦେଖିବାକୁ ମିଳିଥାଏ ।

 

ଦେଶ ବିଦେଶର ବର୍ଣ୍ଣନା କଲାବେଳେ ସେ ଦେଶର ପିଲାଙ୍କର ଚାଲିଚଳଣୀ, ହାଭଭାବ ମଧ୍ୟ ଦିଆଯାଇଥାଏ । ‘ବିଲାତ କଥାରେ ପାଠୁଆ ଜନ୍‌, ନାଗରିକ ସ୍ମିଥ୍‌, କିଉ, ଖେଳପଡ଼ିଆରେ ଗେରୀ, ପର୍ବପର୍ବାଣୀରେ ଟମ୍‌ଆଦିର ବର୍ଣ୍ଣନା ଦେଖିବାକୁ ମିଳିଥାଏ ।

 

ସେହିପରି ‘ବିଲାତରେ ବାବୁ ଓ ପାପୁ’ ପୁସ୍ତକରେ ବିଲାତର ବଡ଼ ପର୍ବ, ବାଦୁଡ଼ି ମଣିଷ, ପାହାଡ଼ି ମୂଷା, ବିଲାତର ସ୍କୁଲ, ବିଲାତର ସୁପରମାର୍କେଟ ଆଦି କଥାର ବର୍ଣ୍ଣନାରୁ ସ୍ପଷ୍ଟ ଜଣାପଡ଼େ ଯେ ଏହାଦ୍ୱାରା ଶିଶୁମାନଙ୍କୁ ସେ ଦେଶର ସଭ୍ୟତା ସଂପର୍କରେ ପରିଚିତ କରାଇବା ପାଇଁ ଯଥାସାଧ୍ୟ ଚେଷ୍ଟା କରାଯାଇଛି ।

 

ଶିଶୁ ଭ୍ରମଣ କାହାଣୀର ବର୍ଣ୍ଣିତ ବିଷୟବସ୍ତୁ ମୁଖ୍ୟତଃ ଶିଶୁ ଉପଯୋଗୀ ହେବା ସ୍ଵାଭାବିକ-। ଅନ୍ୟଥା ଅଯଥା ବାକ୍ୟ ଆଡ଼ମ୍ବର ସେମାନଙ୍କର ସରଳ ମନରେ ଅହେତୁକ ବିତୃଷ୍ଣାଭାବ ଜାଗ୍ରତ କରାଇଥାଏ । ତେଣୁ ଶିଶୁ ମନଛୁଆଁ କିମ୍ବଦନ୍ତୀ, କାହାଣୀ ଆଦିରେ ଉପସ୍ଥାପନା ଦ୍ଵାରା ଏହା ରସସିକ୍ତ ହେବା ସଂଗେ ସଂଗେ ଅଧିକ ପରିମାଣରେ ପିଲାଙ୍କ ମନକୁ ଆକର୍ଷିତ କରି ପାରିଥାଏ ।

 

ପ୍ରାମାଣିକ ବିଷୟ :

ଶିଶୁ ଭ୍ରମଣ କାହାଣୀର ଅନ୍ୟ ଏକ ପ୍ରମୁଖ ଦିଗଟି ହେଲା ପ୍ରାମାଣିକ ବିଷୟବସ୍ତୁର ଉପସ୍ଥାପନା । ଯେଉଁ ସ୍ଥାନ ବା ଦେଶର ବର୍ଣ୍ଣନା ଦିଆଯାଇଥାଏ, ତତ୍ ସମ୍ପର୍କୀୟ ଯଥାଯଥ ପ୍ରାମାଣିକ ତଥ୍ୟର ଅଭାବରେ କାହାଣୀଟି ଉପର ଠାଉରିଆ ହୋଇଯାଏ । ଫଳରେ ଏହା ପ୍ରତ୍ୟକ୍ଷାନୁଭୂତି ସମ୍ବଳିତ ବୋଲି ପାଠକ ମନରେ ସହଜରେ ଧାରଣା ହୁଏ ନାହିଁ । ଏହାଦ୍ଵାରା ଭ୍ରମଣ କାହାଣୀର ମୁଖ୍ୟ ଉଦ୍ଦେଶ୍ୟଟି ସାଧିତ ହୋଇପାରି ନଥାଏ ।

 

ଶିଶୁ ଭ୍ରମଣ କାହାଣୀକୁ ଅଧିକ ପ୍ରାମାଣିକ କରିବା ପାଇଁ ଦୁଇଟି ଉପାଦାନ ଲୋଡ଼ା । ପ୍ରଥମଟି ତତ୍‌ସଂପର୍କୀୟ ଐତିହାସିକ ତଥ୍ୟ ଅନ୍ୟଟି ହେଲା ଚିତ୍ର ବା ଫଟୋ । ମାତ୍ର ଏଯାବତ୍‌ ପ୍ରକାଶିତ ସମସ୍ତ ଭ୍ରମଣ କାହାଣୀ ପୁସ୍ତକ ଓ ପତ୍ରପତ୍ରିକାରେ ପ୍ରକାଶିତ ଲେଖାଗୁଡ଼ିକୁ ଦେଖିଲେ ଜଣାଯାଏ ସେଗୁଡ଼ିକରେ ଐତିହାସିକ ତଥ୍ୟ ଯେତେ ପରିମାଣରେ ଭରପୂର ରହିଛି ତଦନୁରୂପ ଚିତ୍ର ବା ଫଟୋର ଘୋର ଅଭାବ ପରିଲକ୍ଷିତ ହୋଇଥାଏ । ଫଳରେ ଆବଶ୍ୟକୀୟ ଫଟୋ ଓ ଚିତ୍ରର ଅଭାବରୁ ଭ୍ରମଣ କାହାଣୀର ଉପାଦାନ ଶିଶୁ ମନରେ ସ୍ଥାୟୀଭାବରେ ବସାବାନ୍ଧି ରହିପାରି ନଥାଏ ।

 

ଏଥିରେ କଳ୍ପନା ଅପେକ୍ଷା ବାସ୍ତବତାକୁ ଅଧିକ ଗୁରୁତ୍ଵ ଦିଆଯାଉଥିବାରୁ ଚିତ୍ର ଏବଂ ଫଟୋ ବିଶେଷ ଭାବରେ ସ୍ଥାନ ପାଇବା ଦରକାର । ଏହା ଏକ ବ୍ୟୟବହୁଳ କାର୍ଯ୍ୟ ହୋଇଥିବାରୁ ଅଧିକାଂଶ ଏ ଦିଗଟି ପ୍ରତି ଧ୍ୟାନ ଦେଇ ନ ଥାନ୍ତି । ଯାହା ଫଳରେ ଭ୍ରମଣ କାହାଣୀ ଯେତେ ପରିମାଣରେ ବାସ୍ତବଧର୍ମୀ ହେବା କଥା ସେତେ ପରିମାଣରେ ହୋଇ ପାରି ନଥାଏ । ଏହା ହିଁ ସାଂପ୍ରତିକ କାଳରେ ରଚିତ ଭ୍ରମଣ କାହାଣୀର ମୁଖ୍ୟ ଅଭାବ ଭାବେ ପରିଲକ୍ଷିତ ହୁଏ । ଯେଉଁ ପତ୍ରପତ୍ରିକା ବା ପୁସ୍ତକରେ ଚିତ୍ର ଦିଆଯାଇଛି, ତାହା ବାସ୍ତବଧର୍ମୀ ନ ହୋଇ ଅବାସ୍ତବ ଭଳି ହୋଇଥିବାରୁ ଅଯଥାରେ ଶିଶୁ ମନରେ ଭ୍ରମ ଧାରଣା ସୃଷ୍ଟି କରିଥାଏ । ତେବେ ଐତିହାସିକ ତଥ୍ୟ ପ୍ରତିଟିଲେଖାରେ ରହିଥାଏ । କାରଣ ଏହା ସେ ସ୍ଥାନର ମହାତ୍ମ୍ୟକୁ ଗୁରୁତ୍ଵ ଦେଇଥାଏ । ମୁଖ୍ୟତଃ ଡଃ ଜଗନ୍ନାଥ ମହାନ୍ତି, ରଘୁନନ୍ଦନ ମହାପାତ୍ର, ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ଲେଖିଥିବା ଭ୍ରମଣ କାହାଣୀରେ ଏ ଧାରାଟି ଅନୁସୃତ ହୋଇଥିବାର ଲକ୍ଷ୍ୟ କରାଯାଏ।

 

 

ସାମାଜିକ ଚିତ୍ର : ୧୦୪

ଶିଶୁ ଭ୍ରମଣକାହାଣୀରେ ସାମାଜିକ ଚିତ୍ରକୁ ଗୌଣ ରୂପ ଦିଆଯାଇଛି । ମୁଖ୍ୟତଃ ପତ୍ରପତ୍ରିକାରେ ସ୍ଥାନିତ ଭ୍ରମଣକାହାଣୀର ସ୍ଥାନର ବର୍ଣ୍ଣନା ଯେତେ ସମ୍ଭବ କରାଯାଇଛି, ସାମାଜିକ ଚିତ୍ରକୁ ବର୍ଣ୍ଣନା କରିବାରେ ଲେଖକ ପଶ୍ଚାତ୍ପଦ ହୋଇଛନ୍ତି । ତେବେ ପୁସ୍ତକାକାରରେ ପ୍ରକାଶିତ ଭ୍ରମଣ କାହାଣୀରେ ସାମାଜିକ ଚିତ୍ରର ନିଚ୍ଛକ ପ୍ରତିଛବି ଦେଖିବାକୁ ମିଳିଥାଏ । ‘ସାଗରପଥେ’ ପୁସ୍ତକରେ ଇଉରୋପୀୟମାନଙ୍କର ଟେବୁଲ ଉପରେ ଓ କଣ୍ଟା ଚାମଚରେ ଖାଇବାର ପ୍ରଣାଳୀ (ପୃ- ୩୫), ରାତି ଖାଇବା ପରେ ସିନେମା ଦେଖା (ପୃ- ୩୯), ‘ବିଲାତରେ ବାବୁ ଓ ପାପୁ’ ପୁସ୍ତକରେ ବିଲାତରେ ଲୋକମାନଙ୍କର ଘରର ଯତ୍ନ (ପୃ - ୪), ସେମାନଙ୍କର ହାଟ ବଜାର କରିବାର ଧାରା (ପୃ- ୭), ପୋଷା ଜୀବମାନଙ୍କର ଯତ୍ନ (ପୃ- ୧୩), ବିଲାତ ଲୋକଙ୍କର ଖାଦ୍ୟଗ୍ରହଣ (ପୃ- ୧୫), ବିଲାତର ବଡ଼ ପର୍ବ ଖ୍ରୀଷ୍ଟମାସର ବର୍ଣ୍ଣନା (ପୃ- ୨୫) ଆଦି ସାମାଜିକ ଚିତ୍ର ଦେଖିବାକୁ ମିଳିଥାଏ ।

 

ଅନ୍ୟ ଏକ ସାମାଜିକ ଚିତ୍ର ହେଲା ବିଲାତରେ ଯେ କୌଣସି କାର୍ଯ୍ୟ କଲେ ଅନ୍ୟ ଜଣେ ତାକୁ ‘ଧନ୍ୟବାଦ’ ଦେବାରେ ପରମ୍ପରା ରହିଛି । ଏ ସଂପର୍କରେ ସୁନ୍ଦର ବର୍ଣ୍ଣନା ‘ବିଲାତ କଥା’ ପୁସ୍ତକ (ପୃ- ୫୩)ରେ ଦେଖିବାକୁ ମିଳିଥାଏ । ବିଲାତର ପୋଲିସ୍‌ମାନଙ୍କର କାର୍ଯ୍ୟାବଳୀର ସ୍ପଷ୍ଟ ଚିତ୍ର ମଧ୍ୟ ଉକ୍ତ ପୁସ୍ତକରେ (ପୃ-୭୪ରୁ ୭୯ ମଧ୍ୟରେ) ଦେଖିବାକୁ ମିଳିଥାଏ ।

 

ସେହିପରି ‘ସପନ ଭୂଇଁ ଲଣ୍ଡନ ଏଇ’ ପୁସ୍ତକରେ ମଧ୍ୟ ଅନୁରୂପ ସାମାଜିକ ଚିତ୍ରର ସ୍ପଷ୍ଟ ପ୍ରତିଛବି ଦେଖିବାକୁ ମିଳିଥାଏ । ବିଲାତର ପର୍ବପର୍ବାଣୀ ଓ ମେଳା ମହୋତ୍ସବ (ପୃ- ୫୪), ସିଝା ଖାଦ୍ୟ ଓ କଡ଼ା ପାନୀୟ (ପୃ- ୬୪), ସବୁରି କାମ ଭଲରେ ନିଜର ଭଲ (ପୃ- ୭୦) ଆଦି ବର୍ଣ୍ଣନାରେ ସେ ଦେଶର ସାମାଜିକ ଚିତ୍ରର ସ୍ପଷ୍ଟ ରୂପଚିତ୍ର ଦେଖିବାକୁ ମିଳିଥାଏ ।

 

ସେହିପରି ‘ଗୟାତୀର୍ଥରେ ଶ୍ରାଦ୍ଧ ଦେବା ଆମ ସମାଜର ଅନ୍ୟ ଏକ ଚଳଣି । ଏହା ‘ଗୟାରୁ ଗୌହାଟୀ’ ପୁସ୍ତକ (ପୃ- ୪)ରେ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି ।

 

ସେହିଭଳି ଉକ୍ତ ପୁସ୍ତକରେ ଆସାମୀମାନଙ୍କର ଚାଲିଚରଣି () ଉପରେ ସୁନ୍ଦର ବର୍ଣ୍ଣନା ଦେଖିବାକୁ ମିଳେ । ସେମାନଙ୍କର ବିହୁ ପର୍ବ, ମହାହୋ ପର୍ବର ବର୍ଣ୍ଣନା ମଧ୍ୟ ସାମାଜିକ ଚିତ୍ରର ବାସ୍ତବ ରୂପ ଛବି କହିଲେ ଭୁଲ୍‌ହେବ ନାହିଁ ।

(୨) ଡକ୍ଟର ଜଗନ୍ନାଥ ମହାନ୍ତି, ଗୟାରୁ ଗୌହାଟୀ, ୧ମ ସଂସ୍କରଣ, ୧୯୯୯, ପୃ : ୩୯, ୪୦

 

ମନୋରଞ୍ଜନ ଓ ଜ୍ଞାନାର୍ଜନ :

ଭ୍ରମଣ କାହାଣୀର ମୁଖ୍ୟ ଉଦ୍ଦେଶ୍ୟ ହେଲା ଶିଶୁର ମନୋରଞ୍ଜନ କରିବା ସଙ୍ଗେ ସଙ୍ଗେ ଜ୍ଞାନାର୍ଜନ କରାଇବା । ତେବେ ଏହାର ପାଠକ ମୁଖ୍ୟତଃ ଶିଶୁ ଓ କିଶୋର । ତେଣୁ ସେମାନଙ୍କର ମନୋରଞ୍ଜନ ଅର୍ଥାତ୍‌ଲେଖା ମାଧ୍ୟମରେ ଏଭଳି ତଥ୍ୟ ଦିଆଯିବା ଉଚିତ ଯେ ତଦ୍ୱାରା ସେମାନଙ୍କର ଭାରାକ୍ରାନ୍ତ ମନଟି ହାଲୁକା ହୋଇପାରିବା ସଙ୍ଗେ ସଙ୍ଗେ ପରୋକ୍ଷରେ ସଂପୃକ୍ତ ସ୍ଥାନ ବା ଦେଶ ବିଷୟରେ ସମ୍ୟକ୍‌ଜ୍ଞାନାର୍ଜନ ହୋଇପାରିବ । ଅତଏବ ଏଗୁଡ଼ିକରେ ଅନୁସୃତ ବର୍ଣ୍ଣନା ଶୈଳୀ ହିଁ ମନୋରଞ୍ଜନର ଖୋରାକ ଯୋଗାଇଥାଏ । ତତ୍‌ସଂଗେ ସଂଗେ ଏଥିରେ ପରିବେଶିତ ବାସ୍ତବ ତଥା ପ୍ରକୃତ ତଥ୍ୟ ହିଁ ସେମାନଙ୍କର ଜ୍ଞାନାର୍ଜନରେ ବିଶେଷ ସହାୟକ ହୋଇପାରିଥାଏ।

 

ଏଥିରେ ପ୍ରଦତ୍ତ ବାସ୍ତବ ତଥ୍ୟ ହିଁ ଶିଶୁ ମନରେ ସ୍ଥାନଟି ବିଷୟରେ ପ୍ରକୃତ ତଥ୍ୟ ଯୋଗାଇ ପାରିଥାଏ । ତେଣୁ ଅଧିକାଂଶ ଭ୍ରମଣ କାହାଣୀରେ ପ୍ରକୃତ ତଥ୍ୟ ହିଁ ଦେବାକୁ ଲେଖକମାନେ ଉଦ୍ୟମ କରିଥାନ୍ତି । ସମସ୍ତ ଭ୍ରମଣ କାହାଣୀ ଏହି ବାସ୍ତବତଥ୍ୟର ମୂଳଦୁଆ ଗଢ଼ି ଉଠି ଶିଶୁର ଜ୍ଞାନାର୍ଜନରେ ସହାୟତା କରିଥାଏ ।

 

ଭାଷା ଓ ବର୍ଣ୍ଣନା :

ଶିଶୁର ମନୋରଞ୍ଜନ କରିବା ପାଇଁ ଭ୍ରମଣକାହାଣୀଗୁଡ଼ିକ ଉଦ୍ଦିଷ୍ଟ । ଏଗୁଡ଼ିକରେ ବ୍ୟବହୃତ ଭାଷାକୁ ପରୀକ୍ଷା କଲେ ଜଣାଯାଏ ଯେ ତାହା ଶିଶୁ ଉପଯୋଗୀ ନ ହୋଇ ବିଶେଷତଃ କିଶୋର ଉପଯୋଗୀ ଭାଷା ହୋଇଥାଏ । କାରଣ ଏଯାବତ୍‌ଶିଶୁ ଉପଯୋଗୀ ଭ୍ରମଣ କାହାଣୀ ଲେଖା ହୋଇନାହିଁ । ଯାହା କିଛି ଲେଖାଯାଇଛି, ତାହାକୁ କିଶୋର ଭ୍ରମଣ କାହାଣୀ କହିଲେ ଭୁଲ୍‌ହେବ ନାହିଁ । ତେବେ କିଶୋର ଭ୍ରମଣ କାହାଣୀକୁ ଶିଶୁ ଭ୍ରମଣ କାହାଣୀ ନାମରେ ଚଳାଇ ନିଆଯାଉଛି । ଅତଏବ ସେଥିରେ ବ୍ୟବହୃତ ଭାଷାଗୁଡ଼ିକୁ ପରୀକ୍ଷା କଲେ ଜଣାଯାଏ ଏହା ମୁଖ୍ୟତଃ ଉନ୍ନତ ଶୈଳୀର ଗଦ୍ୟ । ଏଥିରେ ଅଧିକାଂଶ ଉପମା ଅଳଙ୍କାରର ବର୍ଣ୍ଣନା କରାଯାଇଥିବାର ଦେଖାଯାଏ । ଏଇ ଯେମିତି- ‘‘ନିର୍ଜନ ରାସ୍ତାଟି କଳାସାପ ପରି ଚିତ୍‌ହୋଇ ପଡ଼ି ରହିଥାଏ । କେତେବେଳେ କେମିତି ଗାଡ଼ିଟାଏ କି ମରଟାଏ ଗଲେ ତା’ର ଶବ୍ଦରେ କିଛି ସମୟ ପାଇଁ ଚେଇଁ ଉଠେ ସିନା ନ ହେଲେ ନିଘୋଡ଼ ନିଦରେ ସେ ଶୋଇଯାଇଥାଏ ।’’ (କୁନିରାଇଜ : ଜାନୁୟାରୀ, ୧୯୯୬, ପୃ- ୩୬)

 

ଅଥବା ‘ଦୟା ନଈର ସରୁଆ ଧାର ନୀଳଜଳରେ ଧାରଟି ଯେମିତି ହଳଦିଆ ବାଲିଶେଯ ଉପରେ ଶୋଇଯାଇଛି ।’ (ଶରଗଶଶୀ : ନଭେମ୍ବର ୧୯୯୩, ପୃ-୨୦)

 

ସେହିପରି ଅନ୍ୟ କେତେକ ଭ୍ରମଣ କାହାଣୀରେ ପଦ୍ୟ ଭଳି ଭାଷାର ବ୍ୟବହାର ହୋଇଥିବାର ଦେଖିବାକୁ ମିଳେ ।

 

ଯଥା- ବଡ଼ି ଅନ୍ଧାରରୁ ଛାଡ଼ିଛି ଗାଡ଼ି ।’’

“ଚାହିଁ ଚାହିଁ ମଙ୍ଗୁଳି ଛକରେ ବୁଲିଲା ଗାଡ଼ି ।’’

(ମନ ପବନ, ଜାନୁୟାରୀ, ୧୯୯୭, ପୃ- ୭)

 

ଏତଦ୍‌ଭିନ୍ନ ଅନ୍ୟାନ୍ୟ ପରିବେଶ ସଂପର୍କୀୟ, ତଥ୍ୟଭିତ୍ତିକ ତଥା ପ୍ରାମାଣିକ ବର୍ଣ୍ଣନାରେ ମଧ୍ୟ ଏଇ ଭ୍ରମଣ କାହାଣୀଗୁଡ଼ିକ ବେଶ୍‌ପୁଷ୍କଳ ହୋଇ ଉଠିଥାନ୍ତି । ସର୍ବୋପରି ଭ୍ରମଣ କାହାଣୀକୁ ଖାପ ଖୁଆଇବା ଭଳି କାବ୍ୟିକ ଭାଷାର ପ୍ରୟୋଗ ହିଁ ଏଗୁଡ଼ିକୁ ସମଧିକ ମନୋଜ୍ଞ କରିପାରିଥିବାର ଦେଖିବାକୁ ମିଳିଥାଏ ।

 

ଉପସଂହାର :

ପ୍ରାକ୍‌ସ୍ଵାଧୀନତା କାଳରେ ପତ୍ରପତ୍ରିକାର ଏନ୍ତୁଡ଼ି ଶାଳରେ ଜନ୍ମ ଲାଭ କରିଥିବା ଶିଶୁ ଭ୍ରମଣ କାହାଣୀର ଧାରାଟି ଆମ ଶିଶୁ ସାହିତ୍ୟର ଏକ ଅବହେଳିତ ବିଭାଗ ହୋଇ ଏବେ ମଧ୍ୟ ପଡ଼ି ରହିଛି । ଶିଶୁ ନାଟକ ପରି ଏହାର ପରିସୀମା ମଧ୍ୟ ନିର୍ଦ୍ଦିଷ୍ଟ ଚୌହଦୀ ମଧ୍ୟରେ ରହିଯାଇଛି ।

 

ସାଂପ୍ରତିକ କାଳରେ ଶିଶୁ ପତ୍ରିକା ପୃଷ୍ଠାରେ ଡକ୍ଟର ଜଗନ୍ନାଥ ମହାନ୍ତି ଓ ରଘୁନନ୍ଦନ ମହାପାତ୍ରଙ୍କ ଭଳି ଶିଶୁ ସାହିତ୍ୟିକ ଏହି ଅବହେଳିତ ଧାରାଟିକୁ ବଞ୍ଚାଇ ରଖିଛନ୍ତି।

 

ନଚେତ୍‌ତାହା କେଉଁଦିନୁ ବିସ୍ମୃତିର ଗର୍ଭରେ ହଜିସାରନ୍ତାଣି । ଓଡ଼ିଆ ଶିଶୁ ସାହିତ୍ୟିକମାନଙ୍କର ଭ୍ରମଣରେ ଯିବା ସ୍ୱପ୍ନ । ତେଣୁ ଭ୍ରମଣକୁ ନ ଯାଇ ଭ୍ରମଣ କାହାଣୀ ଲେଖିବା ଉପହାସର ମାତ୍ର ହେବା ଛଡ଼ା ଆଉ କିଛି ନୁହେଁ । କବିତା ଗଳ୍ପ ପରି ଏହା ସହଜ ସରଳ ନୁହେଁ । ଏଥିପାଇଁ ଯଥୋଚିତ ଅଧ୍ୟବସାୟ ଦରକାର । ତାଛଡ଼ା ଏଇ ବିଭାଗଟି ପାଇଁ ଅଧିକ ସମୟ ଦେବାକୁ ପଡ଼ିଥାଏ । ବ୍ୟୟବହୁଳ ହୋଇଥିବାରୁ ଏଥିପ୍ରତି ଲେଖକମାନଙ୍କର ସ୍ପୃହା ପରିଲକ୍ଷିତ ହୁଏ ନାହିଁ । ଅତଏବ ବାସ୍ତବତାକୁ ନେଇ ଶିଶୁ ଉପଯୋଗୀ ଭ୍ରମଣ କାହାଣୀ ରଚନା କରିବାର ଧାରା ବ୍ୟୟ ସାପେକ୍ଷ ଯୋଗୁଁ ସାଂପ୍ରତିକ କାଳରେ ଏହାର ଘୋର ଅଭାବ ପରିଲକ୍ଷିତ ହୁଏ ।

 

ତେବେ ଯେଉଁ କେତେକ ଶିଶୁ ମନଲୋଭା ଭ୍ରମଣ କାହାଣୀ ପୁସ୍ତକକୁ ନେଇ ଓଡ଼ିଆ ଶିଶୁ ସାହିତ୍ୟ ଗୌରବାନ୍ୱିତ ହୋଇପାରିଛି, ସେଗୁଡ଼ିକର ସାହିତ୍ୟିକ ମୂଲ୍ୟବୋଧ କୌଣସି ଗୁଣରେ କମ୍‌ନୁହେଁ । ଏତଦ୍‌ଭିନ୍ନ ୧୯୪୫ରୁ ଆଜିଯାଏ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଶିଶୁ ଭ୍ରମଣ କାହାଣୀର ଧାରାବାହିକ ଇତିହାସ ଅତ୍ୟନ୍ତ ସୁସ୍ପଷ୍ଟ । ଭବିଷ୍ୟତରେ ଏଇ ଅବହେଳିତ ଦିଗ ପ୍ରତି ପ୍ରତ୍ୟେକ ଲେଖକ ସଚେତନ ହୋଇ ଲେଖନୀ ଚାଳନା କଲେ ଏହା ଆମ ଶିଶୁ ସାହିତ୍ୟରେ ଅନ୍ୟତମ ବଳିଷ୍ଠ ବିଭାଗ ହୋଇପାରିବ । ଏଥିରେ ସନ୍ଦେହର ଅବକାଶ ନାହିଁ ।

 

 

ଏଫ୍‌. ଟାଇପ୍‌୧୧/୨, ୟୁନିଟ୍‌- ୯

ପୋ : ଭୋଇନଗର, ଭୁବନେଶ୍ୱର - ୨୨

 

ସହାୟକ ଗ୍ରନ୍ଥସୂଚୀ :

୧.

ଓଡ଼ିଆ ଶିଶୁ ସାହିତ୍ୟ ଉନ୍ମେଷ ଓ ବିକାଶ - ଡଃ ମନୀନ୍ଦ୍ର ମହାନ୍ତି ।

୨.

ଓଡ଼ିଆ ଶିଶୁ ସାହିତର ଇତିବୃତ୍ତ - ଡଃ ସୁରେଶ ଚନ୍ଦ୍ର କର ।

୩.

ଓଡ଼ିଆ ଗଳ୍ପର ସ୍ୱରୂପ ଓ ବିକାଶ - ଡଃ କୃତ୍ତିବାସ ନାୟକ ।

୪.

ଆଧୁନିକ ଓଡ଼ିଆ ଶିଶୁ ସାହିତ୍ୟ : ବ୍ୟାପ୍ତି ଓ ବୈଚିତ୍ର୍ୟ- ଡଃ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ।

 

***